Unknown

 

 

 

 

 

 

 

 

 

 

 

ସ୍ଵପ୍ନ ସ୍ଵପ୍ନ ଅନେକ ସ୍ଵପ୍ନ

ମହାପାତ୍ର ନୀଳମଣି ସାହୁ

 

ସାମାନ୍ୟ କଥନ

 

୧୯୭୫ରୁ ୧୯୭୮ ମସୀହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରବନ୍ଧ ଓ ରମ୍ୟ ରଚନା ଲେଖିଥିଲି । ସେଥିରୁ କେତେକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା ଓ କେତେକ ଆକାଶବାଣୀ କର୍ତ୍ତୃପକ୍ଷ କଟକ କେନ୍ଦ୍ରରୁ ପ୍ରଚାର କରିଥିଲେ । କହିବା ବାହୁଲ୍ୟ ଯେ, ସେଗୁଡ଼ିକ ମୋର ପ୍ରିୟ ପାଠକ ପାଠିକା ଏବଂ ଶ୍ରୋତାଶ୍ରୋତ୍ରୀମାନଙ୍କର ହୃଦୟ ଆକର୍ଷଣ କରିଥିଲା । ଏହି ସବୁ ରଚନାଗୁଡ଼ିକ ମୋର ସମାଜ ସଚେତନ ରସବନ୍ତ ହୃଦୟରୁ ନିଃସୃତ । ଯୋଉ ରଚନାଟି ଯେପରି ଶୈଳୀ ବା ବାକ୍‌ରୀତିକୁ ଆଶ୍ରୟ କରି ମୋ ଭିତରୁ ପ୍ରକାଶ ପାଇବାକୁ ଉନ୍ମୁଖ ହୋଇଛି–ମୁଁ ସ୍ଵାଭାବିକ ଭାବେ ସେଗୁଡ଼ିକୁ ସେହି ଶୈଳୀରେହିଁ ଲେଖି ପକାଇଛି ।

ମୋର କେତେକ ବନ୍ଧୁ ଏବଂ ବିଶେଷ କରି ମୋର ଅତିପ୍ରିୟ ପ୍ରକାଶକ ଶ୍ରୀଯୁକ୍ତ ଗୋବିନ୍ଦ ପାତ୍ର ସେହି ରଚନାଗୁଡ଼ିକରୁ କେତେକ ଏକତ୍ର କରି ଗୋଟିଏ ପୁସ୍ତକ ଆକାରରେ ପ୍ରକାଶ କରିବାକୁ ଚାହାଁନ୍ତେ–ଏ ବହିଟି ଏଭଳି ଭାବେ ଆତ୍ମପ୍ରକାଶ କଲା । ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛି ।

ମୋର ବଡ଼ପୁଅ ଶ୍ରୀମାନ୍ ସନତକୁମାର ମହାପାତ୍ର । ଆଡ଼ଭୋକେଟ, ଗ୍ରନ୍ଥଟିର ପ୍ରଚ୍ଛଦପଟ ଅଙ୍କନ କରିଅଛି । ତାକୁ କଲ୍ୟାଣ ଜଣାଉଛି । ବହିଟି ସମସ୍ତଙ୍କ ପକ୍ଷରେ ଆଦରଣୀୟ ଓ ଶୁଭଙ୍କର ହେଉ, ଏତିକି କାମନା କରି ରହିଲି ।

ମହାପାତ୍ର ନୀଳମଣି ସାହୁ

କୁମାର ପୂର୍ଣ୍ଣିମା–୧୯୭୮

 

ଦ୍ଵିତୀୟ ସଂସ୍କରଣର ମୁଖବନ୍ଧ

(ରମ୍ୟରଚନାର ସ୍ଵରୂପ ଓ ସ୍ଵଗୁଣ)

 

“ସ୍ଵପ୍ନ ସ୍ଵପ୍ନ, ଅନେକ ସ୍ଵପ୍ନ”ର ଦ୍ଵିତୀୟ ସଂସ୍କରଣ ହେବାକୁ ଯାଉଛି ଶୁଣି ଖୁସିହେଲି । ବହିଟି ପାଠକ ମହଲରେ ସମାଦୃତ ହୋଇଛି– ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ଆଇ.ଏ. କ୍ଲାସରେ ଏହାର କେତେକ ପ୍ରବନ୍ଧକୁ ପାଠ୍ୟରୂପେ ଗ୍ରହଣ କରିଛନ୍ତି– ଏତେକ ଜାଣି ଆହୁରି ଖୁସିହେଲି ।

 

ଦଶବର୍ଷ ତଳେ ଆମ ଭାଷାରେ ବିଭିନ୍ନ ଧରଣର ପ୍ରବନ୍ଧ ଓ ରମ୍ୟ ରଚନାର ଖୁବ୍ ଅଭାବ ଥିଲା । ମାତ୍ର ଇତି ମଧ୍ୟରେ ବହୁ ସୁଲେଖକ ଏଥିରେ ହାତଦେବା ଫଳରେ ଆମ ସାହିତ୍ୟରେ ଏହି ବିଭାଗଟି ବେଶ୍ ସମୃଦ୍ଧ ହୋଇ ଉଠିଲାଣି ଏବଂ ଆଶ୍ଵାସନାର କଥା ଯେ, ପ୍ରବନ୍ଧ ଓ ରମ୍ୟ ରଚନାର ପାଠକ ସଂଖ୍ୟା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

 

କିନ୍ତୁ ଦୁଃଖର କଥା ଯେ ସଂପ୍ରତି “ରମ୍ୟରଚନା” ଶବ୍ଦଟି ଓଡ଼ିଆ ସାହିତ୍ୟରେ ବହୁଳଭାବେ ବ୍ୟବହୃତ ହୋଇଚାଲିଛି,–ଏବଂ ପ୍ରାୟଶଃ ଭୁଲ ଅର୍ଥରେହିଁ ବ୍ୟବହୃତ ହେଉଛି । ବହୁ ସମାଲୋଚକଙ୍କ ଧାରଣା ଯେ ରମ୍ୟରଚନା ଅର୍ଥ ହାସ୍ୟାତ୍ମକ ବା ହାସ୍ୟରସାତ୍ମକ ରଚନା । ମାତ୍ର ଏ ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ଏକ ହାସ୍ୟରସାତ୍ମକ ରଚନା ହୁଏତ ରମ୍ୟରଚନା ହୋଇପାରେ–ମାତ୍ର ରମ୍ୟରଚନା କେବଳ ହାସ୍ୟରସାତ୍ମକ ରଚନାକୁ ବୁଝାଏ ନାହିଁ । ବରଂ “ରମ୍ୟରଚନା”କୁ “ରସମୟ” ରଚନା ବା ବିଦଗ୍ଧ ରଚନା ବା ବିଦଗ୍ଧ ପ୍ରବନ୍ଧ ବୋଲି କୁହାଯାଇ ପାରେ ।

 

ଇଂରାଜୀରେ ଯାହାକୁ ଏସେ (Essay) କୁହାଯାଏ, ଆମ ଭାଷାରେ ଆମେ ତାକୁ ପ୍ରବନ୍ଧ ବା ନିବନ୍ଧ କହୁଛୁ ଏବଂ ଏହି ପ୍ରବନ୍ଧ “ବିଲାତି ଆଳୁ ଚାଷ” ସମ୍ପର୍କରେ ବା “ପରମାଣୁ ତତ୍ତ୍ଵ” ଉପରେ ବା “କର୍ତ୍ତବ୍ୟ-ବିରୋଧ” ଉପରେ ଯେମିତି ଲେଖାଯାଇପାରେ, ସେମିତି “ଅଳସୁଆଙ୍କ ସପକ୍ଷରେ” ବା “ଫୁଲ ଫୁଲ ଆହୁରି ଫୁଲ” ଉପରେ ବା “ନାକ ଲାଗି ନାକେଦମ” କିମ୍ବା “ଷାଠିଏ ଟପିଗଲା ।” ଉପରେ ବି ସେମିତି ଲେଖା ଯାଇପାରେ । କିନ୍ତୁ ଭାଷାରେ ଲିଖିତ ସବୁ ପ୍ରକାର ପ୍ରବନ୍ଧକୁ ଆମେ, ସାହିତ୍ୟିକ ପ୍ରବନ୍ଧ (Literary Essay) ବା ରମ୍ୟରଚନା କହିପାରିବା ନାହିଁ । ବାସ୍ତବରେ ଆଧୁନିକ କ୍ଷୁଦ୍ରଗଳ୍ପ, ସଦୃଶ ଏହି ରମ୍ୟରଚନା ମଧ୍ୟ ପାଶ୍ଚାତ୍ୟ ସାହିତ୍ୟ ପରମ୍ପରାରୁ ଆମ ସାହିତ୍ୟକୁ ଆସିଛି । ଏହି “ଏସେ” ବା ରମ୍ୟରଚନାର ଏକ ସାଧାରଣ ସଂଜ୍ଞା ଦେବାକୁ ଯାଇ ଡକ୍ଟର ଜନ୍‌ସନ୍ କହନ୍ତି–“ଏସେ” ହେଉଛି–ବହୁ ବିଷୟରେ ଅନୁଭବୀ ଓ ପ୍ରାଜ୍ଞ ଲେଖକର ଧୀଶକ୍ତିର ଏକ ହାଲୁକା ହୁଗୁଳା ଅଭିବ୍ୟକ୍ତି । ଏହାର ବିଷୟବସ୍ତୁ ଓ ବାଚନଭଙ୍ଗୀ ଯେପରି ଅନିୟମିତ ଓ ଖିଆଲୀ, ଏହାର ଶେଷକଥା ମଧ୍ୟ ସେହିପରି ମୀମାଂସାହୀନ ଅଥବା ଧୀର ଉଚ୍ଚାରିତ ସିଦ୍ଧାନ୍ତ ।

 

କିନ୍ତୁ ଜନ୍‌ସନ୍‌ଙ୍କର ଏହି ସଂଜ୍ଞାକୁ ସମ୍ପୂର୍ଣ୍ଣଭାବେ ଗ୍ରହଣ କରିହେବ ନାହିଁ । ଗତ ଶହେବର୍ଷ ଭିତରେ ଏହି “ଏସେ” ବା “ରମ୍ୟରଚନା” ସାରା ବିଶ୍ଵସାହିତ୍ୟରେ ଏକ ବିଶେଷ ସାହିତ୍ୟିକ କୃତିରୂପେ ପ୍ରତିଷ୍ଠିତ ହୋଇଗଲଲାଣି । ତେଣୁ ସେଇ ଭାବରେ ଏହାର ସ୍ଵରୂପ, ସ୍ଵଧର୍ମ ଓ ଆଭିମୁଖ୍ୟର ପରିସର ମଧ୍ୟ ଖୁବ୍ ବ୍ୟାପ୍ତ ହୋଇଗଲାଣି ଏବଂ ଏହାର ଆଦର ମଧ୍ୟ କ୍ରମେ ବଢ଼ି ବଢ଼ି ଚାଲିଛି । ଏହି ଜନପ୍ରିୟତାର ଅସଲ କାରଣ ହେଲା–ଏଥିରେ ଗୀତ-କବିତାର ସ୍ୱାନୁଭୂତ ଆବେଗଧର୍ମୀ ଭାବବିଳାସ, ଓ କ୍ଷୁଦ୍ରଗଳ୍ପର କଥନଭଙ୍ଗୀ ସହିତ ନାନା ଜଟିଳ ଓ ଦୂରୁହତତ୍ତ୍ଵ ଓ ତଥ୍ୟରାଜିର ନାନ୍ଦନିକ ବିଶ୍ଳେଷଣ । ଏହି ରମ୍ୟରଚନାଗୁଡ଼ିକର ଲକ୍ଷ୍ୟ ହେଲା–ଜୀବନର ବିଭିନ୍ନ ବିଷୟରେ ପାଠକ ମନରେ ଏକ ବିଶ୍ଳେଷଣାତ୍ମକ ଓ ମନନାତ୍ମକ ଆଗ୍ରହ ସୃଷ୍ଟି କରିବା ଓ ସେହି ବିଷୟ ବା ସମସ୍ୟା ବା ତତ୍ତ୍ଵଟି ସହିତ ପାଠକର ଆବେଗାତ୍ମକ ସମ୍ପର୍କ ସୃଷ୍ଟି କରିଦେବା । କିନ୍ତୁ ଯେ କୌଣସି ବିଷୟ, ସମସ୍ୟା ବା ତତ୍ତ୍ଵ ହେଉନା କାହିଁକି, ରଚନାଟି ନିଶ୍ଚୟ ରମ୍ୟ ଓ ସୁଖପାଠ୍ୟ ହେବା ଉଚିତ ଏବଂ ତାର ରଚନା ଶୈଳୀ ନିଶ୍ଚିନ୍ତଭାବେ ବିଦଗ୍ଧ ହେବା ଉଚିତ । ରମ୍ୟରଚନାର ଲିଖନ ଶୈଳୀ ସମ୍ପର୍କରେ କହିବାକୁଯାଇ ସବୁ ସମାଲୋଚକ ଗୋଟିଏ ସିଦ୍ଧାନ୍ତ ଦେଇଛନ୍ତି । ତା’ ହେଲା–ଯେ କୌଣସି ଲେଖକର ଗଦ୍ୟ ଲିଖନର ପରାକାଷ୍ଠା ପ୍ରମାଣିତ ହେବ ତାର ରମ୍ୟରଚନାଗୁଡ଼ିକରୁ-। ଏପରିକି ଗଳ୍ପ ଉପନ୍ୟାସରୁ ନୁହେଁ । କାରଣ ଗଳ୍ପ ଉପନ୍ୟାସର ଭାଷା ଶୈଳୀ ମୁଖ୍ୟତଃ ପାତ୍ରପାତ୍ରୀଙ୍କ ଅନୁସାରୀ ହୋଇଥାଏ । ମାତ୍ର ରମ୍ୟରଚନାର ଭାଷା ଶୈଳୀ ଲେଖକର ନିଜସ୍ଵ ହେବାକୁ ବାଧ୍ୟ ।

 

ଏହି “ଏସେ” ବା ରମ୍ୟ ରଚନା ଆମ ଦେଶରେ ଜନ୍ମ ହୋଇନାହିଁ । ଏହାର ମାତୃଭୂମି ହେଲା ଫ୍ରାନ୍‌ସ । କିନ୍ତୁ ଇଙ୍ଗ୍‌ଲାଣ୍ଡରେ ଏହା ସୁସ୍ଥ ଓ ସବଳ ଭାବେ ବଢ଼ିଉଠିଲା, ଏବଂ ବର୍ତ୍ତମାନ ଏହା ବିଶ୍ଵବିହାରୀ । ଇଙ୍ଗ୍‌ଲାଣ୍ଡରେ ପ୍ରଥମେ ବେକନ୍‍ ଓ ମଣ୍ଟାଇନ୍ ରମ୍ୟରଚନାର ରାଜା ଥିଲେ । ଅଷ୍ଟାଦଶ ଶତାବ୍ଦୀରେ ସୁଇଫ୍‌ଟ, ଆଡ଼ିସନ୍, ଷ୍ଟିଲ୍ ଓ ଗୋଲଡସ୍ମିଥ୍ ଏହି ବିଶେଷ ସାହିତ୍ୟିକ ଫର୍ମ୍‍ଟିକୁ ଖୁବ୍ ଜନପ୍ରିୟ କରାଇ ଦେଲେ । କାରଣ ଏହିମାନେ ହିଁ ପ୍ରଥମ କରି ବହୁ ସାମାଜିକ ସମସ୍ୟାକୁ ନେଇ ହାସ ପରିହାସ ବ୍ୟଙ୍ଗ ବିଦ୍ରୂପ ବୁଦ୍ଧିଦୀପ୍ତ ବାକ୍‍ ବୈଦଗ୍‌ଧ୍ୟଦ୍ଵାରା ରମ୍ୟରଚନାର ସ୍ଵରୂପକୁ ବଦଳାଇ ଦେଲେ । ଫଳରେ ରମ୍ୟରଚନା ହୋଇଗଲା ବହୁରୂପିଣୀ ଏବଂ ବହୁ ଗୁଣଧାରିଣୀ ମଧ୍ୟ ।

 

ଏହି “ଏସେ” ବା ରମ୍ୟରଚନାର ବିଶେଷ ଧର୍ମଟି ହେଲା–ଏଥିରେ ଲେଖକର ବ୍ୟକ୍ତିଗତ ଘନିଷ୍ଠତା ଓ ଆପଣା ବ୍ୟକ୍ତିତ୍ଵର ମାଧୁର୍ଯ୍ୟ ବା ଐଶ୍ଵର୍ଯ୍ୟ ଗୁଣ ପ୍ରକାଶ ପାଇବା ଉଚିତ । ଲେଖକର ଜ୍ଞାନାଶ୍ରୟୀ ତଥ୍ୟ ବା ତତ୍ତ୍ଵ ବିଶ୍ଳେଷଣ ସଙ୍ଗେ ତାର ନିଜ ପ୍ରକୃତିଗତ କିଛି ଖାମ୍‍ଖିଆଲି ଢଙ୍ଗ (idiosyncracy) ମଧ୍ୟ ରହିବା ଉଚିତ । ଏହି ଖାମ୍‍ଖିଆଲି ଢଙ୍ଗଟି ରମ୍ୟରଚକର ଭାଷା ଶୈଳୀକୁ ସ୍ଵତନ୍ତ୍ର ମାଧୁର୍ଯ୍ୟ ଯୋଗାଇ ଥାଏ । ଏକଥା ଠିକ୍ ଯେ ରମ୍ୟରଚନାର ବିଷୟବସ୍ତୁ ଆଦୌ ବଡ଼ କଥା ନୁହେଁ–ବଡ଼ କଥା ହେଲା ତାର ରଚନା ଶୈଳୀ । ମାଥିଉ ଆର୍‌ନୋଲ୍‌ଡଙ୍କର ନାଗରସୁଲଭ ବାକ୍‍ବୈଦଗ୍‍ଧ୍ୟ ତାଙ୍କର ଅତି ଗୁରୁତର ବିଷୟ ସମ୍ବଳିତ ରଚନାଗୁଡ଼ିକୁ ମଧ୍ୟ ବ୍ୟକ୍ତିଗତ ସୌରଭରେ ସୁରଭିତ କରି ଦେଇଛି । ଥମାସ୍ ହକ୍‌ସଲି ବିଜ୍ଞାନ, ଶିକ୍ଷା, ପ୍ରୟୋଗ ବିଜ୍ଞାନାଦି ଉପରେ ରଚନାମାନ ଲେଖିଛନ୍ତି–ମାତ୍ର ତାଙ୍କର ପ୍ରକାଶଭଙ୍ଗୀରେ ଏପରି ଏକ ଧରଣର ବ୍ୟକ୍ତିତ୍ଵ-ସଂଜାତ-ସରସତା ରହିଛି–ଯାହା ଯୋଗୁଁ ସେ ଏତେ ଲୋକପ୍ରିୟ । ବାର୍ଟାଣ୍ଡରସେଲଙ୍କର ବହୁ ପ୍ରବନ୍ଧର ବିଷୟବସ୍ତୁ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଏବଂ ତାଙ୍କର ପ୍ରକାଶଭଙ୍ଗୀ ଖୁବ୍ ତର୍କସମ୍ମତ–ମାତ୍ର ତାଙ୍କର ଭାଷାଶୈଳୀଟି ଏତେ ସହଜ, ସରଳ ଓ ରସିକତା ପୂର୍ଣ୍ଣ ଓ ଆନ୍ତରିକତାମୟ ଯେ ତାଙ୍କ ରଚନାଗୁଡ଼ିକୁ ପଢ଼ିଲା ବେଳେ ଆମେ ସତେକି ରସେଲ୍‌ଙ୍କ ଅନ୍ତର ସଙ୍ଗେ ଘନିଷ୍ଠ ହୋଇ ପଡ଼ୁ । ଆମ ଓଡ଼ିଆ ସାହିତ୍ୟରେ ବର୍ତ୍ତମାନ କାଳରେ ଗୋପୀନାଥ ମହାନ୍ତି ଓ ଚନ୍ଦ୍ରଶେଖର ରଥଙ୍କର ରମ୍ୟରଚନାଗୁଡ଼ିକରୁ ଆମେ ଏହି ରମ୍ୟରଚନାର ପୂର୍ଣ୍ଣାଙ୍ଗ ସ୍ଵାଦ ଅନୁଭବ କରିଥାଉଁ । ଗୋପୀନ।ଥ ମହାନ୍ତିଙ୍କ “କଳାଶକ୍ତି”ରେ ଲେଖକ ସାହିତ୍ୟ ଓ ସଂସ୍କୃତି ବିଷୟକ ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ନେଇ ସମ୍ପୂର୍ଣ୍ଣ ଏକ ବ୍ୟକ୍ତିଗତ ମଧୁର ଭାଷାଶୈଳୀ ମାଧ୍ୟମରେ ଚମତ୍କାର ରମ୍ୟରଚନାଗୁଡ଼ିଏ ଲେଖିଛନ୍ତି । ସେହିଭଳି ଚନ୍ଦ୍ରଶେଖର ରଥ ମଧ୍ୟ ତାଙ୍କର “ମନଅରଣ୍ୟ’’ “ଅଶ୍ରୁତସ୍ଵର” “ମୁଁ ସତ୍ୟଧର୍ମା କହୁଛି” ପ୍ରଭୃତି ରମ୍ୟରଚନା ସଂକଳନଗୁଡ଼ିକରେ ଅତ୍ୟନ୍ତ ଗୂଢ଼ ଓ ଦାର୍ଶନିକବିଷୟ ମାନ ଅବତାରଣା କରିଛନ୍ତି । ମାତ୍ର ସେଗୁଡ଼ିକର ଭାଷାଶୈଳୀ ଏତେ ହୃଦ୍ୟ ଆଉ କବିତାମୟ ଯେ ପାଠକ ସେଗୁଡ଼ିକୁ ପଢ଼ିଲା ବେଳେ ଲେଖକର ଅନୁଭୂତିମୟ ବ୍ୟକ୍ତିତ୍ଵ ସଙ୍ଗେ ପ୍ରୀତିବିଭୋରତାରେ ମିଶିଯିବା ଭଳି ଅନୁଭବ କରେ । ବର୍ତ୍ତମାନ ତ ଆମ ସାହିତ୍ୟରେ ଆମେ ଚନ୍ଦ୍ରଶେଖର ରଥଙ୍କୁ ହିଁ ‘‘ରମ୍ୟରଚନାର ରାଜା’’ ବୋଲି ବିନାଦ୍ଵିଧାରେ କହି ପାରିବା । ସେହିଭଳି ଆଉଜଣେ ବିଶିଷ୍ଟ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ସେ ଅବଶ୍ୟ ସ୍ଵତନ୍ତ୍ର ଆକୃତିର କ୍ଷୁଦ୍ର କ୍ଷୁଦ୍ର ରମ୍ୟରଚନା ବେଶୀ ଲେଖି ନାହାନ୍ତି । ମାତ୍ର ତାଙ୍କର ‘‘ସକ୍ରେଟିସ୍ ଓ ପ୍ଳେଟୋ” ଓ “ଅସ୍ତିତ୍ତ୍ଵବାଦର ମର୍ମକଥା” ଏବଂ “ଛତ୍ରପତି ବିବେକାନନ୍ଦ” ଭଳି ବିଶିଷ୍ଟ କୃତିଗୁଡ଼ିକର ଭାଷାଶୈଳୀ ରମ୍ୟରଚନା ଭଳି । ଶରତ ବାବୁ ତାଙ୍କ ଲେଖାର ନିଜସ୍ଵ ଶୈଳୀ ଭିତରେ ନିଜେ ହିଁ ଆତ୍ମପ୍ରକାଶ କରନ୍ତି । କେବଳ ନିଜର ବିଚାର ନୁହେଁ–ନିଜର ଅନୁଭୂତି ଓ ଆନ୍ତରିକ ବିଶ୍ଵାସଟିକୁ ମଧ୍ୟ ବିନାଦ୍ଵିଧାରେ, ଖୁବ୍ ସାବଲୀଳ ରସାପ୍ଳୁତ ବାକ୍ୟମାନଙ୍କ ଭିତରେ ପ୍ରକାଶ କରି ଦିଅନ୍ତି । ସୂକ୍ଷ୍ମ ରସିକତା ପୂର୍ଣ୍ଣ ପରିହାସ ପରିୟଣତା ରମ୍ୟରଚନାର ଏକ ବିଶେଷ ଗୁଣ । ଗୋପୀନାଥ ଓ ଶରତକୁମାର ଦୁହେଁଜାକ ଏଥିରେ ଓସ୍ତାଦ । ଚନ୍ଦ୍ରଶେଖର ରଥ କିନ୍ତୁ ପୃଥକ୍ ଶୈଳୀରେ କଥା କହନ୍ତି । ତାଙ୍କର ବକ୍ତବ୍ୟରେ ଚଟୁଳ ପରିହାସ ବା ନାଗରସୁଲଭ ରସିକତା ହୁଏତ ନାହିଁ–କିନ୍ତୁ ତାଙ୍କର ରମ୍ୟରଚନାଗୁଡ଼ିକ ତାଙ୍କ ଅନ୍ତରର ପାସୋନେଟ୍ ଭାବାବେଗରେ ଖୁବ୍ ତୀକ୍ଷ୍ଣ, ଖୁବ୍ ଉଚ୍ଛ୍ଵାସମୟ, ଖୁବ୍ ତୀବ୍ର ଆଉ ଖୁବ୍ ପ୍ରଭାବଶାଳୀ । ତାଙ୍କର ବହୁବିଧ ରମ୍ୟରଚନାରେ ତାହା ସାମାଜିକ ହେଉ ବା ଦାର୍ଶନିକ ହେଉ ବା ଆଧ୍ୟାତ୍ମିକ ହେଉ ସେ ନିଜେ ଢାଲ ତରବାରୀ ଧରି ବା ପୋଥିଗ୍ରନ୍ଥମାନ ଧରି ବା ଖୋଳ କରତାଳ ଧରି ଖୁବ୍ ଭାବାବେଗରେ ଓହ୍ଲାଇ ଆସନ୍ତି । ତା’ପରେ ଅନର୍ଗଳ ଯାହା କହିବାକୁ ଚାହାନ୍ତି, କହିଯାନ୍ତି । ତାଙ୍କୁ ବୁଲେଇ ବାଙ୍କେଇ କହି ଆସେ ନାହିଁ–ଚାରିଆଡ଼ୁ ଜଗିରଖି କହି ଆସେ ନାହିଁ–କଣ୍ଠସ୍ଵରର ପ୍ରଚଣ୍ଡତା ବା ପ୍ରଭାବ କମିଯିବ ବୋଲି ହାସ ପରିହାସ କରି କହି ଆସେ ନାହିଁ । ସେ ପ୍ରତ୍ୟକ୍ଷ ବାଦୀ–ଅପ୍ରିୟ ସତ୍ୟବାଦୀ–ଗଦଗଦ ଭଙ୍ଗୀରେ ଆବେଗଦେଇ ନକହିଲେ ସେ ଥୟ ପଡ଼ନ୍ତି ନାହିଁ । ସେ ଭର୍ତ୍ସନା କରିବେ ତ ଭର୍ତ୍ସନା କରିବେ–ବିଶ୍ଳେଷଣ କରିବେ ତ ନିର୍ମାୟା ନିର୍ମମ ହୋଇ କରିବେ–କାନ୍ଦିବେ ତ ଗାଁ ଦାଣ୍ଡ ହେଉ କି ବଡ଼ ଦାଣ୍ଡ ହେଉ, ଧୂଳିରେ ଗଡ଼ି କାନ୍ଦିବେ ।

 

ଆମର ଅନ୍ୟତମ ରମ୍ୟରଚନାର ଜନପ୍ରିୟ ସ୍ରଷ୍ଟା ହେଲେ ଚୌଧୁରୀ ହେମକାନ୍ତ । ହାସପରିହାସ–ପୁଣି କୋମଳ ଭଦ୍ର ସୁକୁମାର ହାସପରିହାସ ହେଲା ତାଙ୍କର ରମ୍ୟରଚନାଗୁଡ଼ିକର ମୌଳିକ ଧର୍ମ । ଏଭଳି ହାସ୍ୟରସାତ୍ମକ ରମ୍ୟରଚନାରେ ହେମକାନ୍ତ ରାଜା । ତାଙ୍କର ତୁଳନା ଆମ ସାହିତ୍ୟରେ ସେ ନିଜେ । ତାଙ୍କର ଗଦ୍ୟ ରଚନା ଶୈଳୀ ଅନନୁକରଣୀୟ । ସାମାନ୍ୟ ବିଷୟଟିକୁ ଅସାମାନ୍ୟ ଢଙ୍ଗରେ ରସାପ୍ଳୁତ କରି କରିବା ହେଲା ତାଙ୍କର ବିଶେଷତ୍ଵ । ତିଳକୁ ତାଳ କରି ଥୋଇବାରେ ବା ତାଳକୁ ତିଳ କରି ଥୋଇବାରେ ହେମକାନ୍ତ ଅପୂର୍ବ ପାରଦର୍ଶିତା ଦେଖେଇ ପାରନ୍ତି ।

 

କିନ୍ତୁ ଆମ ସାହିତ୍ୟର ଅନ୍ୟଜଣେ ସଫଳ ରମ୍ୟରଚକ ହେଲେ ୰ବାମାଚରଣ ମିତ୍ର । ଅବଶ୍ୟ ସେ ସ୍ଵତନ୍ତ୍ର ଭାବେ ବହୁସଂଖ୍ୟାରେ ରମ୍ୟରଚନା ଲେଖି ନାହାନ୍ତି । କିନ୍ତୁ ତାଙ୍କର ଗଦ୍ୟରଚନାର ଶୈଳୀଟି ହେଲା ରମ୍ୟରଚନାର । ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ମଧ୍ୟ ବଡ଼ ସ୍ଥଳରେ ରମ୍ୟରଚନା ଧର୍ମୀ ଏବଂ ସାହିତ୍ୟ, ସମାଜ ଓ ସଂସ୍କୃତି ଉପରେ ଆଧାରିତ ତାଙ୍କର ବହୁ ମୌଳିକ ପ୍ରବନ୍ଧରେ ଆମେ ରମ୍ୟ ରଚନାର ସ୍ଵାଦ ଓ ଗନ୍ଧ ଅନୁଭବ କରୁ । ସେହିପରି ନିତ୍ୟାନନ୍ଦ ମହାପାତ୍ର ମଧ୍ୟ ମିଠା କଡ଼ା ଶୈଳୀରେ ବହୁ ରମ୍ୟରଚନା ଲେଖି ସଫଳତା ଅର୍ଜନ କରିଛନ୍ତି ।

 

ସ୍ଵାଧୀନତାପର ଓଡ଼ିଆ ସାହିତ୍ୟରେ ପ୍ରବନ୍ଧ ଓ ରମ୍ୟରଚନା ପରିମାଣାତ୍ମକ ଓ ଗୁଣାତ୍ମକ ମାନ କଳନାରେ ବେଶ୍ ସମୃଦ୍ଧ ହୋଇ ଉଠିଲାଣି । ଆମର ବହୁ ଲେଖକ ବହୁ ବିଷୟରେ ଖୁବ୍ ଚିନ୍ତାଶୀଳ ପ୍ରବନ୍ଧ ଓ ନିବନ୍ଧ ମାନ ଲେଖି ଓଡ଼ିଆ ଗଦ୍ୟ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧି କରିଛନ୍ତି । ଦର୍ଶନ, ସାହିତ୍ୟ, ସଙ୍ଗୀତ, ବିଜ୍ଞାନ, ଅର୍ଥନୀତ, ରାଜନୀତି, ସଂସ୍କୃତି, ସମାଜତତ୍ତ୍ଵ, ମନସ୍ତତ୍ତ୍ଵ ଆଦି ବିଷୟକୁ ନେଇ ଆମର ବହୁ ପ୍ରବନ୍ଧ ଲେଖାଗଲାଣି । ଅନେକ ସାମ୍ବାଦିନୀ ପ୍ରବନ୍ଧ ଅଧ୍ୟ ଆମର ଲେଖାଗଲାଣି । ମାତ୍ର ସବୁ ପ୍ରବନ୍ଧ; ନିବନ୍ଧାଦିକୁ ଆମେ ରମ୍ୟରଚନା କହି ପାରିବା ନାହିଁ । ଫକୀର ମୋହନ ଯେପରି ଆମର ଗଳ୍ପ ଉପନ୍ୟାସର ଆଦିସ୍ରଷ୍ଟା–ଆମେ ସେମିତି ଗୋପାଳ ପ୍ରହରାଜଙ୍କୁ ଆମର ଆଦି ରମ୍ୟରଚକ ବୋଲି କହି ପାରିବା । ଯଦିଓ ତାଙ୍କ ପୂର୍ବରୁ କବିବର ରାଧାନାଥ “ବିବେକୀ” ଶିରୋନାମାରେ ଚମତ୍କାର ରମ୍ୟରଚନାଗୁଡ଼ିଏ ଲେଖିଥିଲେ । କିନ୍ତୁ ମଧୁସୂଦନଙ୍କୁ ଆମେ ଉତ୍କୃଷ୍ଟ ପ୍ରବନ୍ଧ ଲେଖକ ବୋଲି କେବଳ କହିପାରିବା । ସେ ରମ୍ୟରଚନା ଲେଖି ନାହାନ୍ତି । ରାଧାନାଥଙ୍କ “ବିବେକୀ”ରେ ରାଧାନାଥେ ସ୍ଵୟଂ ତାଙ୍କର ସମସ୍ତ ଆନ୍ତରିକ ଧାରଣା, ବିଶ୍ଵାସ ଓ ସିଦ୍ଧାନ୍ତ ସହ ଅବତରଣ କରିଥିବାରୁ ଓ ଏକ ବିଶେଷ ବ୍ୟକ୍ତିତ୍ଵ-ନିଃସୃତ ଭାଷାଶୈଳୀ ଅବଲମ୍ବନ କରିଥିବାରୁ ସେଇଟି ଉତ୍କୃଷ୍ଟ ରମ୍ୟରଚନା ବୋଲି ପରିଗଣିତ ଓ ପ୍ରତିଷ୍ଠିତ ହୋଇ ରହିଛି । ସତ୍ୟବାଦୀ ଯୁଗରେ ପଣ୍ଡିତ ନୀଳକଣ୍ଠ ବହୁ ରମ୍ୟରଚନା ଲେଖି ପ୍ରତିଷ୍ଠା ଅର୍ଜନ କରିଛନ୍ତି । ସେହିଭଳି ମଧ୍ୟ ଗୋବିନ୍ଦ ତ୍ରିପାଠୀ । ନୀଳକଣ୍ଠଙ୍କ “ମୋ ନିଶ” ଓ ଗୋବିନ୍ଦ ତ୍ରିପାଠୀଙ୍କ “ବଟୁଆ” ଭଳି ବହୁ ରମ୍ୟରଚନା ଓଡ଼ିଆ ସାହିତ୍ୟରେ କ୍ଲାସିକ୍ ହୋଇ ରହିଛି । ସେହିଭଳି କାଳିନ୍ଦୀଚରଣ ମଧ୍ୟ ବହୁ ରମ୍ୟରଚନା ଲେଖି ଆପଣାର ପାରଦର୍ଶିତା ଦେଖାଇଛନ୍ତି । କିନ୍ତୁ ଆମର ଆଦି ରମ୍ୟରଚକ ଗୋପାଳ ପ୍ରହରାଜଙ୍କ ‘‘ବାଇ ମାହାନ୍ତି ପାଞ୍ଜି ଓ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା” ଆମର ରମ୍ୟରଚନା ସାହିତ୍ୟରେ ଶୈଳୀ ଦୃଷ୍ଟିରୁ ଅମର ହୋଇ ରହିବ ।

 

ତେବେ ଗୋଟିଏ କଥା ଉଠିପାରେ ଯେ ଏଇ ଇଂରାଜୀରେ ଯାହାକୁ ଲିଟେରାରୀ ବା ସାହିତ୍ୟିକ ପ୍ରବନ୍ଧ ବା “ଏସେ” କୁହାଯାଏ–ତାକୁ “ରମ୍ୟରଚନା” ନାମରେ ନାମିତ କରାଯାଉଛି କାହିଁକି ? ଅସଲ କଥା ହେଉଛି–ଏହି ‘‘ରମ୍ୟରଚନା” ନାମଟି ଇଂରାଜୀ ‘‘ଏସେ” ସ୍ଥାନରେ ପ୍ରଥମେ ବଙ୍ଗଳା ସାହିତ୍ୟରେ ବ୍ୟବହୃତ ହେଲା । ସେଥିରୁ ଆମେ ସେ ନାମଟି ଆଣି ବର୍ତ୍ତମାନ ତାକୁ ନାନା ପ୍ରକାର ଗୋଳମାଳିଆ ଅର୍ଥରେ ବ୍ୟବହାର କରି ଦେଲୁଣି ଏବଂ ଏହାକୁ ପ୍ରାୟଶଃ ହାସ୍ୟରସାତ୍ମକ ପ୍ରବନ୍ଧ ବୋଲି ମନେ କରୁଛୁ । କିନ୍ତୁ ଏହା ଆଦୌ ଠିକ୍ ନୁହେଁ ! ସାହିତ୍ୟିକ ସୃଜନାତ୍ମକ ପ୍ରବନ୍ଧଟିକୁ ରମ୍ୟରଚନା କହିବାରେ ଆମର ଆଳଙ୍କାରିକ ତତ୍ତ୍ଵ ପରମ୍ପରାର ମଧ୍ୟ ସମର୍ଥନ ରହିଛି । ଅଳଙ୍କାର ଶାସ୍ତ୍ରରେ ‘‘ରମ୍ୟ” ଶବ୍ଦଟି ଓ ‘‘ରମ୍ୟାର୍ଥ” ଶବ୍ଦଟି ବଡ଼ ତାତ୍ପର୍ଯ୍ୟ ପୂର୍ଣ୍ଣ । ବର୍ତ୍ତମାନ “ରମ୍ୟ” ଓ ‘‘ରମ୍ୟାର୍ଥ’’ର ଆଳଙ୍କାରିକ ବ୍ୟାଖ୍ୟା କରାଯାଉ ।

 

ବାହ୍ୟଜଗତର ବସ୍ତୁଗୁଡ଼ିକ ହେଲେ କାବ୍ୟ ଜଗତର ବିଭାବ । ଏହି ବିଭାବ ବସ୍ତୁଟି ଯେଉଁ ପ୍ରକାରେ ଚିତ୍ତର ବାସନା ଲୋକକୁ ଆଲୋଡ଼ିତ କରି ଚିତ୍ତଭୂମିରେ ରୂପ ପରିଗ୍ରହଣ କରେ, ତଦନୁଯାୟୀ ତାର ଦୁଇଟି ବଶିଷ୍ଟ ଧର୍ମ ପରିଲକ୍ଷିତ ହୁଏ । ବସ୍ତୁର ମଧ୍ୟ ଦୁଇଟି ଧର୍ମ । ଭାବଧର୍ମ ଓ ଅର୍ଥଧର୍ମ । ଚିତ୍ତରେ ଭାବ ସଞ୍ଚରିତ ହେଲେ ବସ୍ତୁ ହୋଇଉଠେ ଭାବମୟ । ଏବଂ ଚିତ୍ତରେ ଯଦି ଅର୍ଥ ସଞ୍ଚାରିତ ହୁଏ, ତେବେ ବସ୍ତୁ ହୋଇଉଠେ ଅର୍ଥମୟ । ଏହି “ଭାବ” ହେଉଛି ଇଂରାଜୀରେ ସେଣ୍ଟିମେଣ୍ଟ, ଇମୋସନ୍, ପାସନ ଓ ରିଏଲାଇଜେସନ୍ । ଆମେ କହୁ–ଅନୁଭୂତି, ଉପଲବ୍‌ଧି, ଭାବାବେଗ ଇତ୍ୟାଦି ଇତ୍ୟାଦି । ପୁଣି “ଅର୍ଥ” ହେଉଛି, ଇଂରାଜୀରେ ଯାହାକୁ କହନ୍ତି ଥଟ୍, ମିନଙ୍ଗ୍ ବା କାରେକ୍ଟର ।

 

ବର୍ତ୍ତମାନ ପ୍ରଶ୍ନ ଉଠୁଛି–କାବ୍ୟରେ ବା ସାହିତ୍ୟରେ ଏଇ “ଅର୍ଥ” ବ୍ୟାପାରଟି କ’ଣ ବୁଝାଏ ? ଦର୍ଶନ ଓ ବିଜ୍ଞାନ ମଧ୍ୟ ବସ୍ତୁର ‘‘ଅର୍ଥ’’ ବାହାର କରେ ନାହଁ କି ? ତା’ହେଲେ ବିଜ୍ଞାନ ଓ ଦର୍ଶନର ରଚନାକୁ କ’ଣ ଆମେ ‘‘ରମ୍ୟରଚନା” କହି ପାରିବା ? ନା–କହିପାରିବା ନାହିଁ । କାରଣ, “ରମ୍ୟରଚନା” ବସ୍ତୁର ବା ବିଷୟର ଯେଉଁ ଅର୍ଥ (ଏଠାରେ ତଥ୍ୟ ବା ତତ୍ତ୍ଵ ବିଶ୍ଳେଷଣ ବା ଉପସ୍ଥାପନା) ଫୁଟାଏ, ତାହା ହେଲା କବି-କଳ୍ପିତ ଅର୍ଥ । ଅଥବା କାବ୍ୟାର୍ଥ ବା ରମ୍ୟାର୍ଥ । ଏହି ରମ୍ୟାର୍ଥକୁ ଇଂରେଜୀରେ ଏସ୍‌ଥେଟିକ୍ (aesthetic meaning) ବୋଲି କୁହାଯାଏ । ଆମେ କହିବା ନାନ୍ଦନିକାର୍ଥ । ନାନ୍ଦନିକ ଓ ରମ୍ୟ ଏକାର୍ଥବୋଧକ ଶବ୍ଦ ଏବଂ ଏହି ନାନ୍ଦନିକତା ବା ରମ୍ୟତା ହେଲା ସମୁଦାୟ କଳାର ହିଁ ଧର୍ମ । ବୈଜ୍ଞାନିକର ଚିନ୍ତା ବିଶ୍ଳେଷଣାତ୍ମକ ଓ ଦାର୍ଶନିକର ଚିନ୍ତା ବିଚାର ବିମର୍ଷାତ୍ମକ । କିନ୍ତୁ କବି ବା ସାହିତ୍ୟିକର ଚିନ୍ତା ରମ୍ୟୋପଲବ୍ଧି ଜନିତ ନାନ୍ଦନିକ । ଆଳଙ୍କାରିକ କୁନ୍ତକ ତାଙ୍କର ‘‘ବକ୍ରୋକ୍ତିଜୀବିତ” ଗ୍ରନ୍ଥରେ କହନ୍ତି–କାବ୍ୟାର୍ଥର ଲକ୍ଷଣ ହେଲା–‘‘ଅର୍ଥଃ ସହୃଦୟାହ୍ଲାଦକାରୀ ସ୍ଵସ୍ପନ୍ଦସୁନ୍ଦରଃ”–ଅର୍ଥାତ୍, ଏହି ସହୃଦୟାହ୍ଲାଦକାରୀ ଓ ସ୍ଵସ୍ପନ୍ଦସୁନ୍ଦର ଅର୍ଥଟି ହେଲା କାବ୍ୟ ବା ସାହିତ୍ୟର ରମ୍ୟାର୍ଥ ।

 

କିନ୍ତୁ ଭାବ ଓ ଅର୍ଥ ପୃଥକ୍ ଗାମିନୀ ନୁହନ୍ତି । ସେ ଦୁହେଁ ନିତ୍ୟ ସହଚରୀ । ସେପରି ଦେଖିଲେ, ସାହିତ୍ୟରେ ଭାବହୀନ କେବଳ ଅର୍ଥ ନାହିଁ–କି ଅର୍ଥହୀନ କେବଳ ଭାବ ନାହିଁ । ତେଣୁ ଏଇ କଥାଟି ସୂକ୍ଷ୍ମଭାବରେ ବୁଝିବା ଉଚିତ ଯେ ରମ୍ୟାର୍ଥଦୀପ୍ତ ଚିତ୍ତରେ ଆତ୍ମାନନ୍ଦର ପ୍ରକାଶ ହେଉଛି ରମ୍ୟବୋଧ ବା ବୋଧମୟ ରମଣୀୟତ୍ଵା କବି ଓ ପାଠକ ଉଭୟଙ୍କ ଚିତ୍ତର ଏକ ରସ-ତନ୍ମୟ ଅବସ୍ଥା ଅଛି । ସେହିପରି ମଧ୍ୟ ପୁଣି ରମ୍ୟାର୍ଥ-ତନ୍ମୟ ଅବସ୍ଥା ମଧ୍ୟ ଅଛି । ଏଇଠି ବୁଝିବାର ଅଛି ଯେ, ଭାବରୁ ଯେପରି ରସ ଜନ୍ମ ଲାଭ କରେ, ସେହିପରି ଅର୍ଥରୁହିଁ ରମ୍ୟବୋଧ ଜନ୍ମେ । ଆଳଙ୍କାରିକମାନେ କାବ୍ୟ ବା ସାହିତ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ରସ, ଭାବ ଓ ସ୍ଵଭାବୋକ୍ତି ପ୍ରଧାନ ଦ୍ରୁତି କାବ୍ୟ–ପୁଣି ଗୌରବୋକ୍ତି ଓ ବକ୍ରୋକ୍ତି ପ୍ରଧାନ ଦୀପ୍ତିକାବ୍ୟ । ଆମର ରମ୍ୟରଚନା ଏହି ଦୀପ୍ତି କାବ୍ୟର ଅନ୍ତର୍ଗତ ଏବଂ କାବ୍ୟ ବିଚାରରେ ବକ୍ରୋକ୍ତି ଭାଗର ଅଧୀନ; କିନ୍ତୁ ଏହି ବକ୍ରୋକ୍ତି ପୁଣି ଅର୍ଥବକ୍ରୋକ୍ତି ଓ ଅଳଙ୍କାରବକ୍ରୋକ୍ତି ଭେଦରେ ଦୁଇପ୍ରକାର । ରମ୍ୟରଚନା ହେଉଛି ଅର୍ଥବକ୍ରୋକ୍ତି ମୂଳକସାହିତ୍ୟିକ ରଚନା । ମୋଟ କଥା ହେଲା–ଯେଉଁ ରଚନାରେ ଭାବ ପ୍ରଧାନ, ତାହା ରସରଚନା ଓ ଯେଉଁ ରଚନାରେ ରମ୍ୟାର୍ଥ ପ୍ରଧାନ, ତାହାହିଁ ପରିଣାମରେ ରମ୍ୟରଚନା ନାମରେ କଥିତ ହେବ ।

 

ଏହି ରମଣୀୟତାର ଅପର ନାମ ହେଉଛି ଚିତ୍ତ ଚମତ୍କାରିତା ବା ସୌନ୍ଦର୍ଯ୍ୟ । ଏହା ମୁଖ୍ୟତଃ ନିର୍ଭର କରେ ଲେଖକର ସ୍ଵତନ୍ତ୍ର ସୃଜନଧର୍ମୀ, ବାକ୍‌ଭଙ୍ଗୀ, ବାକ୍‍ବୈଦଗ୍‍ଧ୍ୟ ଓ କଳ୍ପନା ସଂଚାରୀ ସ୍ଵକୀୟ ଭାଷା ଶୈଳୀ ଉପରେ । ଆମ ଆଳଙ୍କାରିକମାନଙ୍କର ଏଇ ସିଦ୍ଧାନ୍ତ ସଙ୍ଗେ ଇଂରାଜୀ ‘ଏସେ’ (Essay)ର ଲକ୍ଷଣସିଦ୍ଧାନ୍ତ ପ୍ରାୟ ମିଳି ଯାଉଛି । ତେଣୁ ରମ୍ୟରଚନା ସମ୍ପର୍କରେ ଶେଷ କଥାଟି ହେଲା–ଏହା ଏପରି ଏକ ଗଦ୍ୟରଚନା, ଯେଉଁଥିରେ ଲେଖକ ତା’ର ବିଷୟ, ଜ୍ଞାନ ଓ ବସ୍ତୁ–ଅର୍ଥକୁ ସ୍ଵାନୁଭବରେ ରସାଣିତ କରି ବିଶ୍ଳେଷଣ, ସଂଶ୍ଳେଷଣ, ଉପସ୍ଥାପନ ଏବଂ ସୁବିନ୍ୟାସ ପ୍ରକ୍ରିୟାଦ୍ଵାରା ବିଶେଷ ଧରଣର ବାକ୍‌ଭଙ୍ଗୀରେ ରମ୍ୟତା ସଂଚରଣ କରି ପାଠକର ଚିତ୍ତରେ ଏକ ଚମତ୍‍କୃତ ସୃଷ୍ଟିକରେ ଏବଂ ଏହି ରମ୍ୟରଚନା ବିଭିନ୍ନ ରୂପରେ ଆତ୍ମପ୍ରକାଶ କରି ହାସ୍ୟ ପରିହାସମୂଳକ ହୋଇପାରେ, ଦାର୍ଶନିକ ଭାବାପନ୍ନ ହୋଇପାରେ ଏବଂ ଏହା ମଧ୍ୟ କରୁଣ, ଶୃଙ୍ଗାର, ଅଦ୍ଭୁତ, ବୀଭତ୍ସ ଓ ବୀରରସାଦି ରସ ଗର୍ଭିତ ହୋଇ “ନବରସରୁଚିର” ହୋଇପାରେ । ଏହା ମଧ୍ୟ କେବଳ ସ୍ଵଭାବୋକ୍ତି ହୋଇପାରେ । ଯେପରି ଶଶୀଭୂଷଣରାୟଙ୍କର ‘ଉତ୍କଳଋତୁଚିତ୍ର’/କିମ୍ବା ଏହା ମଧ୍ୟ ଉଦ୍‌ବୋଧନମୟ ହୋଇପାରେ ଯେପରି ସ୍ଵାମୀ ବିବେକାନନ୍ଦଙ୍କର ‘ବାଣୀ ଓ ରଚନା’ ।

 

ରମ୍ୟରଚନାରେ ଲେଖକର ଆତ୍ମପ୍ରୀତି ବା ଅହଂବାଦ ରହିବହିଁ ରହିବ । ଏହା ତା’ର ଦୋଷ ନୁହେଁ/ବରଂ ରମ୍ୟଚନାରେ ଲେଖକର ଏହି ‘ମୁଁ’ କାର ଧର୍ମୀତା (Egoticism) ରଚନାଟିର ଗୁଣ ବୃଦ୍ଧିରେ ସାହାଯ୍ୟ କରେ/କିନ୍ତୁ କୌଣସି ପ୍ରକାର ଅନମନୀୟ ମତାନ୍ଧତା (Dogma) ରଚନାଟିରେ ପ୍ରକାଶ ପାଇଲେ ରଚନାଟିର ରମ୍ୟାର୍ଥ ନଷ୍ଟ ହୋଇଯାଏ/କିମ୍ବା ଭ୍ରଷ୍ଟ ହୋଇଯାଏ । ଆଲ୍‌ଫ୍ରେଡ଼୍‍ କଜିନ୍ ତାଙ୍କର ‘‘ଦି ଓପନ୍‌ ଫର୍ମ” ଗ୍ରନ୍ଥ ସଂକଳନରେ ଏହି ଏସେ ବା ରମ୍ୟରଚନାକୁ ଓପନଫର୍ମ ବା ମୁକ୍ତଆଙ୍ଗିକ ବୋଲି କହିଛନ୍ତି । କାରଣ କବିତାର ମୁକ୍ତ ଛନ୍ଦ ଭଳି ରମ୍ୟରଚନାର ଆଙ୍ଗିକ ଓ ପ୍ରକାଶଭଙ୍ଗୀ ବହୁ ବିଚିତ୍ର ଏବଂ ସ୍ଵେଚ୍ଛାଚାରୀ ।

 

ସେ ଯାହାହେଉ ରମ୍ୟରଚନାର ଏହି ବିଚାରରେ ମୁଁ ନିଜେ ବହୁ ରମ୍ୟରଚନାର ସୃଷ୍ଟି କରିଛି ଏବଂ ପ୍ରାୟ ସାତଖଣ୍ଡ ସଂକଳନରେ ତାହା ପ୍ରକାଶ ପାଇଛି । ମୋର ରମ୍ୟରଚନାଗୁଡ଼ିକର ବିଶେଷତ୍ଵ ହେଲା ମୋର ଗଳ୍ପଗୁଡ଼ିକ ଭଳି ଏହା ଜୀବନର ବହୁ ବହୁ ବିଷୟ ଓ ସମସ୍ୟାକୁ ନେଇ ଲିଖିତ ଏବଂ ପ୍ରତିଟି ରଚନା ତା’ର ଭାଷାଶୈଳୀରେ ଅନ୍ୟଟିଠାରୁ ସମ୍ପୂର୍ଣ୍ଣ ଭାବେ ସ୍ଵତନ୍ତ୍ର । ଉଦାହରଣ ସ୍ଵରୂପ, ଏହି ପୁସ୍ତକର ‘ଜଗନ୍ନାଥ ଜୟ ଜଗନ୍ନାଥ’ ରଚନାଟି ବା ‘ସ୍ଵପ୍ନ, ସ୍ଵପ୍ନ ଅନେକ ସ୍ଵପ୍ନ’ ରଚନା ‘ଷାଠିଏ ଟପିଗଲା’ ବା ମିଛ, ମିଛ ସାମାନ୍ୟ ମିଛ’ ରଚନାଠାରୁ କେବଳ ବିଷୟ ବସ୍ତୁରେ ଭିନ୍ନ ନୁହଁ–ଭାଷା ଶୈଳୀ ଓ ସ୍ଵରଧ୍ଵନୀରେ ମଧ୍ୟ ବେଶ୍ ସ୍ଵତନ୍ତ୍ର । ମୋର ପାଠକ ପାଠିକା ଓ ସମାଲୋଚକମାନେ ଏଥିପ୍ରତି ଅବହିତ ଥିବେ ବୋଲି ମୋର ଦୃଢ଼ ବିଶ୍ୱାସ ।

 

ମୋର ପ୍ରିୟ ପାଠକ ପାଠିକାମାନଙ୍କର ମଙ୍ଗଳ କାମନା କରି ଏହିପରି ମାର୍ଜିତ ଓ ପରିବର୍ଦ୍ଧିତ ଦ୍ଵିତୀୟ ସଂସ୍କରଣଟି ସେମାନଙ୍କ ହାତକୁ ବଢ଼ାଇ ଦେଲି ।

 

ଢା ୩ । ୭ । ୮୧

। ଇତି ।

ଶ୍ରୀଗୁଣ୍ଡିଚା, ଭୁବନେଶ୍ଵର

ମହାପାତ୍ର ନୀଳମଣି ସାହୁ

Image

 

 

 

 

 

 

 

 

 

ଓଡ଼ିଆ ଭାଷାରେ “ସକ୍ରେଟିସ୍ ଓ ପ୍ଳେଟୋ” ଏବଂ “ଅସ୍ଥିତ୍ଵବାଦର ମର୍ମ୍ମକଥା” ପ୍ରଭୃତି ବହୁ ଗ୍ରନ୍ଥର ସୁଲେଖକ, ମୋର ଅନୁଜପ୍ରତିମ ବନ୍ଧୁ............

 

ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶରତକୁମାର ମହାନ୍ତି, କରକମଳେଷୁ.........

 

ମହାପାତ୍ର ନୀଳମଣି ସାହୁ

କୁମାର ପୂର୍ଣ୍ଣିମା, ୧୯୭୮

Image

 

ଏଥିରେ ଅଛି–

 

୧.

ଜଗନ୍ନାଥ–ଜୟ ଜଗନ୍ନାଥ !

୨.

ସ୍ଵପ୍ନ, ସ୍ଵପ୍ନ.... ଅନେକ ସ୍ୱପ୍ନ

୩.

ଗଛ, ଗଛ.... ବହୁତ ଗଛ

୪.

ଫୁଲ, ଫୁଲ....ଆହୁରି ଫୁଲ

୫.

ଓଷଦ, ଓଷଦ....ଓଷଦ

୬.

ସୁନା, ସୁନା.... ଖାଆଲି ସୁନା

୭.

ମିଛ, ମିଛ.... ସାମାନ୍ୟ ମିଛ

୮.

ଆମେ, ଆମେ.... କଅଣ ଆମେ ?

୯.

ଅରକ୍ଷ ପ୍ରାଣୀଙ୍କୁ ରଖ

୧୦.

ରାଜଧାନୀ ଓ ଜନରବ ପ୍ରସଙ୍ଗ

୧୧.

ଷାଠିଏ ଟପିଗଲା ?

୧୨.

ହସିବା ନା କାନ୍ଦିବା ?

୧୩.

ଅଧରାତିର ମାୟା

୧୪.

ଭବିଷ୍ୟ ଗଣନା - କେତେ ଦୂର ?

୧୫.

ଜ୍ଞାନ ତ ଜ୍ଞାନ.... କାଣ୍ଡଜ୍ଞାନ

Image

 

ଜଗନ୍ନାଥ-ଜୟ ଜଗନ୍ନାଥ !

 

ସେହି ବିକଚ ପଦ୍ମଲୋଚନ ପ୍ରସାରିତ ବାହୁ କଳା ଶ୍ରୀମୁଖଧାରୀ ବିପୁଳ ଘନୀଭୂତ ମୂର୍ତ୍ତିକୁ ଦେଖି ଶ୍ରୀଚୈତନ୍ୟ ଭାବବିହ୍ଵଳ ହୋଇ ଅଶ୍ରୁ ଗଦ୍ ଗଦ୍ କଣ୍ଠରେ ଗାଇ ଉଠିଥିଲେ–“କୌଣସି କାଳରେ ମନୋହର ବଂଶୀସ୍ଵନରେ ଯମୁନାତଟବର୍ତ୍ତୀ କାନନ ଭୂମିକୁ ମନୋହର ସଙ୍ଗୀତରେ ମୁଖରିତ କରି ଯେ ଗୋପାଙ୍ଗନାମାନଙ୍କ ମୁଖକମଳର ମଧୁକୁ ରସିକ ଭ୍ରମର ପରି ପାନ କରିଥିଲେ–ସେହି ଏବେ ଏଇ ରତ୍ନ ସିଂହାସନ ଉପରେ ଦାରୁ ବିଗ୍ରହବନ୍ତ ହୋଇ ଉପବେଶନ କରିଛନ୍ତି । ହେ ସେହି ସ୍ଵାମୀ ଜଗନ୍ନାଥ ! କୃପା ପୂର୍ବକ ମୋର ଦୃଷ୍ଟିଗୋଚର ହୁଅନ୍ତୁ ।”

 

ଶ୍ରୀ ଚୈତନ୍ୟଙ୍କ ଏହି ସ୍ତୁତିରେ ଜଗନ୍ନାଥଙ୍କ ଅତୀତ ସ୍ମରଣୀୟ ହୋଇଛି । ଅର୍ଥାତ୍ ଦ୍ୱାପର ଯୁଗରେ ସେ ମନୁଷ୍ୟ ଦେହ ଧାରଣ କରି ଶ୍ରୀକୃଷ୍ଣ ଅବତାରରେ ଏ ସଂସାରରେ ଦିବ୍ୟ ମାନୁଷୀ ଲୀଳା ପ୍ରଦର୍ଶନ କରିଥିଲେ । ଲୋକଶ୍ରୁତିରେ ଓ ଲୋକବିଶ୍ଵାସରେ ମଧ୍ୟ ଏହି ଭାବ ପ୍ରଚଳିତ ରହିଛି–ଏବଂ ଓଡ଼ିଶାରେ ଶୂଦ୍ରମୁନୀ ଶାରଳା ଦାସଙ୍କ ମହାଭାରତ ଏହି ବିଶ୍ଵାସକୁ ଆହୁରି ଦୃଢ଼ୀଭୂତ କରିଛି । ଶ୍ରୀ ଜଗନ୍ନାଥଙ୍କୁ ଶୈବମାନେ ଶିବ, ବୌଦ୍ଧମାନେ ବୁଦ୍ଧ, ଜୈନମାନେ ଜୀନ ଓ ଶାକ୍ତମାନେ ଶକ୍ତିଙ୍କର ପ୍ରତୀକ ବୋଲି ଭାବି ପୂଜା କରନ୍ତି । ଅଲେଖପନ୍ଥୀମାନେ ତାଙ୍କୁ ଶୂନ୍ୟପୁରୁଷ ଓ ଅଦ୍ୱୈତବାଦୀ ଜ୍ଞାନୀମାନେ ତାଙ୍କୁ ବ୍ରହ୍ମରଦାରୁ ପ୍ରତୀକ ବୋଲି ମନେ କରନ୍ତି । ଜ୍ଞାନୀ ଭକ୍ତମାନେ ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ରୂପେ ଉପାସନା କରନ୍ତି ।

 

ପୁରୁଷୋତ୍ତମ ତତ୍ତ୍ଵ ଶ୍ରୀମଦ୍‌ଭଗବତ୍ ଗୀତା ଉପରେ ପ୍ରତିଷ୍ଠିତ । ଯେଉଁ ସନାତନ ବ୍ରହ୍ମ ‘କ୍ଷର’ ଭିତରେ ବର୍ତ୍ତମାନ–ପୁଣି ‘ଅକ୍ଷର’ ଭିତରେ ବି.ବର୍ତ୍ତମାନ–ପୁଣି କ୍ଷର ଓ ଅକ୍ଷରର ଅତିକ୍ରାନ୍ତ ତତ୍ତ୍ଵ–ଯେ ପ୍ରକାଶମାନ ବିଶ୍ଵ ଭିତରେ, ପୁଣି ଅପ୍ରକାଶମାନ ବିଶ୍ଵ ଭିତରେ ଏବଂ ପ୍ରକାଶ ଓ ଅପ୍ରକାଶ ବହିର୍ଭୂତ ହୋଇ ମଧ୍ୟ ସନାତନ ବର୍ତ୍ତମାନ–ସେହି ତତ୍ତ୍ଵକୁ ବେଦରେ ଏବଂ ଲୋକରେ ପୁରୁଷୋତ୍ତମ ବୋଲି କହନ୍ତି । ମାତ୍ର ପୁରୁଷ ଶବ୍ଦ ସର୍ବଦା ବ୍ୟକ୍ତିକୁ ହିଁ ବୁଝାଏ । ଉପନିଷଦର ପରିଭାଷାରେ ପୁରୁଷ ଶବ୍ଦ ଲିଙ୍ଗବାଚକ ନୁହଁ–ବରଂ ବ୍ୟକ୍ତିବାଚକ । ବେଦର ପୁରୁଷ ସୂକ୍ତରେ ସ୍ତୁତମାନ ପୁରୁଷ ତାଙ୍କର ସମସ୍ତ ରହସ୍ୟମୟ ବର୍ଣ୍ଣନା ମଧ୍ୟରେ ବି ସ୍ତୋତାର ଚେତନାରେ ଜଣେ ବ୍ୟକ୍ତି ରୂପେ ପ୍ରତିଭାତ ହୁଅନ୍ତି । ମହାଭାରତରେ ଅର୍ଜ୍ଜୁନ ଶ୍ରୀକୃଷ୍ଣଙ୍କ ଭିତରେ ଯେଉଁ ବିଶ୍ଵରୂପ ଦର୍ଶନ କରିଥିଲେ, ତାହା ବିଶ୍ଵ ଚେତନାର ବ୍ୟାପ୍ତରୂପ ହେଲେହେଁ ସମଗ୍ର ବିଶ୍ଵରୂପ ମଧ୍ୟ ଏକ ବ୍ୟକ୍ତିରୂପର ଅସୀମ ବିସ୍ତୃତି । ଏ ଦୃଷ୍ଟିରୁ ଜ୍ଞାନୀ ଭକ୍ତମାନେ ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ବୋଲି ସମ୍ବୋଧନ କଲାବେଳେ ତାଙ୍କୁ ଜଣେ ବ୍ୟକ୍ତି ରୂପେ ଅନୁଭବ କରିଥାନ୍ତି । ବ୍ୟକ୍ତି ବୋଲି ଅନୁଭବ କରିବା ଫଳରେ ତାଙ୍କ ସଙ୍ଗେ ଜ୍ଞାନୀଭକ୍ତର ଭାବ-ସମ୍ପର୍କ ସ୍ଥାପନ ସମ୍ଭବ ହୁଏ । ସେ ବ୍ରହ୍ମ ସତ୍ୟ, ମାତ୍ର ଦାରୁବ୍ରହ୍ମ–ଅର୍ଥାତ୍ ରୂପରେ ପ୍ରକାଶମାନ ବ୍ରହ୍ମଙ୍କର ସ୍ଥୂଳୀଭୂତ ବିଗ୍ରହ । ସେହି ହେତୁ ଭକ୍ତକବିମାନେ ତାଙ୍କୁ ନାନା ରସରେ ସ୍ତୁତି କରିଛନ୍ତି । ତାଙ୍କ ପାଖେ ନାନା ଅଳି ଆବେଦନ କରିଛନ୍ତି । ବହୁ କାମନା ପରିପୂରଣ ଲାଗି ଦାବୀ ଓ ଯାଚଜ୍ଞା କରିଛନ୍ତି । ତାଙ୍କ ସଙ୍ଗେ ଥଟ୍ଟା ପରିହାସ ମଧ୍ୟ କରିଛନ୍ତି । ଏହି ବ୍ୟକ୍ତିଭାବ ଏତେ ଦୂର ଯାଇଛି ଯେ, ତାଙ୍କର ସମସ୍ତ ପର୍ବପର୍ବାଣୀ ଓ ପୂଜା ପଦ୍ଧତିରେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଲକ୍ଷଣୀୟ ହୋଇ ଉଠିଛି । ଜଗନ୍ନାଥଙ୍କୁ ସର୍ଦ୍ଦିଜ୍ଵର ହୁଏ–ସେ ଔଷଧ ସେବନ କରି ଆରୋଗ୍ୟ ହୁଅନ୍ତି–ତାଙ୍କର ଲକ୍ଷ୍ମୀଙ୍କ ସଙ୍ଗେ ଆମର ଲୌକିକ ଦାମ୍ପତ୍ୟଜୀବନ-କଳହ ପରି କଳି କଜିଆ ଓ ରୋଷାରୋଷୀ ମଧ୍ୟ ହୁଏ । ମନ୍ଦିରରେ ତାଙ୍କୁ ଛାଡ଼ିଦେଇ ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ବାଡ଼ି ଯାଇଥିବାରୁ ଲକ୍ଷ୍ମୀ ତାଙ୍କୁ ମନ୍ଦିରର କବାଟ ବନ୍ଦ କରି ଦିଅନ୍ତି–ମନ୍ଦିର ଭିତରକୁ ଛାଡ଼ନ୍ତି ନାହିଁ ।

 

ତାଙ୍କୁ ମଣିମା ମଣିମା ବୋଲି ଖୁଣ୍ଟିଆମାନେ ଡାକ ଛାଡ଼ନ୍ତି ଏବଂ ଏହା ଜଣେ ରାଜାଙ୍କର ସେବା ଭଳି ଗୋଟିଏ ଦୈନନ୍ଦିନ ସେବା ରୂପେ ମଧ୍ୟ ପ୍ରତିଷ୍ଠା ପାଇଛି । ସମୁଦ୍ର ତାଙ୍କର ଶଶୁର ଘର-। ଶଶୁର ଘରୁ ତାଙ୍କ ପାଇଁ ଭାର ଥୋଡ଼ ମଧ୍ୟ ଆସେ । ଖରା ଦିନେ ସେ ନରେନ୍ଦ୍ର ପୁଷ୍କରିଣୀରେ ଚାପ, ଖେଳନ୍ତି ଓ ଶୋଇବା ପୂର୍ବରୁ ଶୃଙ୍ଗାର ଅନୁକୂଳ ପୋଷାକପତ୍ର ପିନ୍ଧନ୍ତି ଓ ଦେବଦାସୀଙ୍କ କଣ୍ଠରୁ ଗୀତଗୋବିନ୍ଦର ଦିବ୍ୟ ଶୃଙ୍ଗାର ରସମୂଳକ ସଙ୍ଗୀତ ଶୁଣନ୍ତି ଓ ନୃତ୍ୟ ଉପଭୋଗ କରନ୍ତି ଏବଂ ଶେଷରେ ଯୋଡ଼ା ଆଷାଢ଼ ପଡ଼ିଲେ ତାଙ୍କର ଶରୀର ପରିବର୍ତ୍ତିତ ହୁଏ–ଏବଂ ସମାଧିର ପ୍ରୋତଥିତ ହୁଏ । ତାଙ୍କର କୁଟୁମ୍ବମାନେ ତାଙ୍କୁ ଶୁଦ୍ଧି ହୁଅନ୍ତି । ଏକାଦଶାହ ପାଳିତ ହୁଏ । ବ୍ରାହ୍ମଣ ଭୋଜନ ହୁଏ । ଦଇତାପତିମାନେ ପୁଣି ଜଗନ୍ନାଥଙ୍କର ସ୍ଵକୁଟୁମ୍ବ ପରିଜନ । ଶବରକନ୍ୟା ଲଳିତା ଓ ବ୍ରାହ୍ମଣ ବିଦ୍ୟାପତିଙ୍କ ବଂଶଧର ।

 

ଖାଲି ସେତିକି ନୁହେଁ–ରଥକୁ ମତ୍ତ ମାତ୍ତଙ୍ଗ ଠାଣିରେ ରାଜକୀୟ ପହଣ୍ଡି ବିଜେ କଲାବେଳେ ପଣ୍ଡା ପୂଜକ ସେବାକାରୀଙ୍କଠାରୁ ଆରମ୍ଭକରି ସାଧାରଣ ଭକ୍ତଙ୍କ ପର୍ଯ୍ୟନ୍ତ ଅପୂର୍ବ ପ୍ରେମଭକ୍ତି-ପୁଲକ-ବିହ୍ଵଳ ହୋଇ, ସମସ୍ତେ ତାଙ୍କୁ ନାନାଦି ଭାଷାରେ (କୁ ଭାଷାରେ ବି) ଓ ଭଙ୍ଗୀରେ ଭର୍ତ୍ସନ କରନ୍ତି–କେହି କେହି ଆପଣାର ଅଭିମାନ ଶୁଝାଇବା ପାଇଁ ତାଙ୍କ ପିଠିରେ ଉତ୍ତମ ମଧ୍ୟମ ମଧ୍ୟ ଥୋଇ ଦିଅନ୍ତି ।

 

ଏପରି ମଧ୍ୟ ଦେଖାଯାଇଛି, ରଥ ଉପରେ ସମାସୀନ ବାମନରୂପୀ ଜଗନ୍ନାଥଙ୍କୁ ଫୁଲମାଳଟିଏ ପିନ୍ଧାଇବା ଲାଗି ବୁଢ଼ୀଟିଏ ବହୁ ଚେଷ୍ଟା କରି ମଧ୍ୟ ତାଙ୍କର ବେକ ନାମକ ଅବୟବଟିକୁ ଖୋଜି ପାଉନାହିଁ । କାନ୍ଦି କାନ୍ଦି କହୁଛି–ଆରେ ହତଭାଗା ଦିଅଁ ! କେଡ଼େ ସୁନ୍ଦର କରି ତୋ’ ପାଇଁ ମାଳାଟିଏ ଗୁନ୍ଥି ଆଣିଥିଲି ତତେ ପିନ୍ଧେଇ ଦେଇ ତୋର ଶୋଭା ଦେଖି ନୟନମନ କୃତାର୍ଥ କରିବି ବୋଲି–ହେଲେ ତୋର ଗଳା କାହିଁ ଯେ ମାଳା ପିନ୍ଧିବୁ ? ବିଧାତା ତୋ ଉପରେ ଏଡ଼େ ନିର୍ଦ୍ଦୟ କେମିତି ହେଲାରେ ? ତୋତେ କାନ ଦେଲା ନାହିଁ, ପାଦ ଦେଲା ନାହିଁ–ପାପୁଲି ଦେଲା ନାହିଁ–ଆଉ ଗଳାଟାଏ ବି ଦେଲା ନାହିଁ ?

 

ଆଉ ଜଣେ ତେଲେଙ୍ଗା ମୋଚି ରଥ ଉପରେ ଜଗନ୍ନାଥଙ୍କୁ ଦେଖି କାନ୍ଦି କାନ୍ଦି କହୁଛି–ହେ ଜଗନ୍ନାଥୁ ! ମୁଇଁ ସମସ୍ତଙ୍କର ପଦସେବା କରିବାର ଏକ୍‌କା–ହେଲେ, ତୁମର ପାଦ ବୋଲି କିଛି ଥିଲେ ନା !! ମୁଇଁ ଆଉ କିସ କରିବାର କି !

 

ଖାଲି ଭକ୍ତମାନେ ନୁହଁନ୍ତି–ସମଗ୍ର ଓଡ଼ିଆ ଜାତିର ସେ ପରମ ଉପାସ୍ୟ ପୁରୁଷୋତ୍ତମ, ହୃଦୟାଧୀଶ ଏବଂ ତା’ ସଙ୍ଗେ ସଙ୍ଗେ ସେ ଏ ଜାତିର ପରମ ବନ୍ଧୁ–ପରମ ସୋଦର–ଘନିଷ୍ଠ ଆତ୍ମୀୟ । ପୁଅଝିଅ ବାହାଘରରେ ଆମର ନିର୍ବନ୍ଧ ହୁଏ ନାହିଁ–ମହାପ୍ରସାଦଖିଆ ହୁଏ । ଆମେ ପୁଅର ନାଁ ଜଗନ୍ନାଥ ରଖିବାକୁ ସୁଖ ପାଉ । ଆମର ଶୁଭକାମରେ ବନ୍ଧୁବାନ୍ଧବ ନିମନ୍ତ୍ରଣ କଲା ପୂର୍ବରୁ ସର୍ବାଗ୍ରେ ଜଗନ୍ନାଥଙ୍କୁ ଗୁଆ ଚିଟାଉ ଦେଇ ନିମନ୍ତ୍ରଣ କରୁ । ଚିଠି ଲେଖିବା ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଚରଣେ ଶରଣ ନ ଲେଖିଲେ ମନର କଥା ପ୍ରକାଶ କରୁନାହିଁ । ଓଡ଼ିଆ ମାତ୍ରେ ଭାବେ–ତା’ର ପରମବନ୍ଧୁ ଜଗବନ୍ଧୁ–ତା’ର ପରମ ପ୍ରୀତିପାତ୍ର ଜଗମୋହନ । ସେ ଜଗନ୍ନାଥଙ୍କୁ ସଖ୍ୟ ବା ବାତ୍ସଲ୍ୟ ରସରେ ବିଭୋଳିତ ହୋଇ କାଳିଆ ବୋଲି ଡାକେ–ପରମ ଭକ୍ତି ଓ ସମ୍ମାନବୋଧରେ ପରିପୂର୍ଣ୍ଣ ହୋଇ ସାମନ୍ତ ବା ମଣିମା ବୋଲି ସମ୍ବୋଧନ କରେ । ତାଙ୍କର ଉଚ୍ଛିଷ୍ଠକୁ ନିର୍ମାଲ୍ୟ ବା ମହାପ୍ରସାଦ ମନେ କରି କେବଳ ମୁଖରେ ସେବନ କରେ ନାହିଁ–ଦେହ ମୁଣ୍ଡରେ ବୋଳିହୁଏ । ତାଙ୍କ ଅଙ୍ଗଲଗା ଝୀନ ବାସରୁ ଖଣ୍ଡିଏ ଛିଣ୍ଡା କନା ପାଇଲେ ମହାଆଦରରେ ତାକୁ ବେକରେ ଗୁଡ଼ାଇ ନିର୍ଭୟ ନିଶଙ୍କ ଆଉ ନଶ୍ଚିନ୍ତ ବୋଧ କରେ । ଓଡ଼ିଆ ତାଙ୍କୁ ମନେ କରେ–ସେ ନୀଳାଦ୍ରି ସିଂହ–ସେ ନୀଳାଚଳ କଳାକର–ସେ କଳା ସିଂହ–ସେ ନୀଳଶୈଳର ପ୍ରବଳ ମତ୍ତ ବାରଣ । ସେ କୋଠ ଭୋଗ ଖିଆ–ଚକା ଆଖିଆ–ଛପନ ଭୋଗୀ–ଦୀନବନ୍ଧୁ, ଆର୍ତ୍ତତ୍ରାଣ, ଜଗବନ୍ଧୁ ଆଉ ଦୁଃଖୀସୋଦର ।

 

ଓଡ଼ିଆ ଭାବେ ଶ୍ରୀ ଜଗନ୍ନାଥ ହିଁ ତା’ର ରାଜା, ତା’ର ସମ୍ରାଟ । ସେହି କେବଳ ତା’ ଜାତିର ନେତା । ତା’ର ଓ ତା’ ଜାତିର ରକ୍ଷକ–ଶରଣଦାତା । ସେଇ ମାରିଲେ ମାରିବେ–ତାରିଲେ ତାରିବେ । ତାଙ୍କ ବିନୁଁ ଆଉ କେହି ନାହିଁ । ସେଥିଲାଗି ଓଡ଼ିଆ ବାହାଘର ବେଳେ ପୁଅଝିଅଙ୍କର ଜାତକ ମିଳାଏ ନାହିଁ । ମହାପ୍ରସାଦ ନିର୍ବନ୍ଧବେଳେ ସେ ‘ସର୍ବମଙ୍ଗଳ ଜଗନ୍ନାଥ’ ବୋଲି ଶରଣ ନେଇ ବାହାଘର କରିଥାଏ । କାରଣ ଓଡ଼ିଶାରେ ଏମିତ ପରମ୍ପରା ବିଧାନର ବିଶ୍ଵାସ ଅଛି ଯେ–ଓଡ଼ଶା ମୁଲକରେ କୌଣସି ଗ୍ରହଙ୍କର ଆଧିପତ୍ୟ ଖାଟିବ ନାହିଁ । କାରଣ ସ୍ଵୟଂ ଜଗନ୍ନାଥ ଏ ପ୍ରଦେଶର ସ୍ଵାମୀ । ତାଙ୍କର ବିପୁଳ ଭୁଜ ତଳେ ସମଗ୍ର ଜାତି ଆଶ୍ରୟପ୍ରାର୍ଥୀ–ଶରଣାପନ୍ନ । ସେଥିଯୋଗୁଁ ଓଡ଼ିଶାର ନବଗ୍ରହମାନେ କେବଳ ପୂଜା ଅର୍ଚ୍ଚନା ପା’ନ୍ତି । ନବଗ୍ରହଙ୍କର କୌଣସି ପ୍ରଭାବ ଓଡ଼ିଶାର ଭାଗ୍ୟ ନିର୍ମାଣ ବା ନିୟନ୍ତ୍ରଣରେ ପଡ଼ି ପାରିବ ନାହିଁ । ସ୍ଵୟଂ ଜଗନ୍ନାଥ ହିଁ ପ୍ରତ୍ୟେକ ଓଡ଼ିଆ ଓ ଓଡ଼ିଆ ଜାତିର ଭାଗ୍ୟ ବିଧାତା । ସେ ଖାଲି ରକ୍ଷକ ବା ଶରଣଦାତା ନୁହନ୍ତି–ସେ ମଧ୍ୟ ଆମର ମାନ ଉଦ୍ଧାରଣକାରୀ । ତାଙ୍କଠାରେ ଆମର ଶରଣାପତ୍ତି ଓ ବିଶ୍ଵାସ ହିଁ ଯଥେଷ୍ଟ ।

 

ଏ ଦୃଷ୍ଟିରୁ ଓଡ଼ିଆ ଭକ୍ତକବିମାନେ ତାଙ୍କୁ ଷୋଳକଳାବିଶିଷ୍ଟ ନିତ୍ୟ ସନାତନ ଅବତାରୀ ପୁରୁଷ ରୂପେ ବନ୍ଦନା କରନ୍ତି ଓ ରାମକୃଷ୍ଣବୁଦ୍ଧାଦି ଅବତାରମାନଙ୍କୁ ତାଙ୍କର ଅଂଶାବତାର ରୂପେ ଗଣ୍ୟ କରନ୍ତି ।

 

ମାତ୍ର ଅନ୍ୟ ଗୋଟିଏ ଦୃଷ୍ଟିରୁ ଶ୍ରୀ ଜଗନ୍ନାଥଙ୍କୁ ଏକ ଭାବ ବା ଚେତନାର ପ୍ରତୀକ ରୂପେ ଗଣ୍ୟ କରାଯାଏ । ସେ କେବଳ ବ୍ୟକ୍ତି ନୁହନ୍ତି–ସେ ମଧ୍ୟ ତତ୍ତ୍ଵ ଏବଂ ବହୁ ଉପଲବ୍‌ଧିର ସାରଭୂତ ତତ୍ତ୍ଵ ବିଗ୍ରହ ! ତତ୍ତ୍ଵ ହିସାବରେ ସେ ନିର୍ଗୁଣ, ଅରୂପ, ଅବ୍ୟକ୍ତ ଓ ଅସୀମ ଏବଂ ସନାତନ । ପୁଣି ସେ ମାନବଧାରଣାର ଅନଧିଗମ୍ୟ ଅକୁଳାନ ଅତୁଳ ଭାବମୂର୍ତ୍ତି–ଅପୂର୍ଣ୍ଣ ବିଗ୍ରହ । ଏଥିଯୋଗୁଁ ଜୈନମାନେ, ବୌଦ୍ଧମାନେ, ଶୈବ ଶାକ୍ତ, ଗାଣପତ୍ୟ ଓ ବୈଷ୍ଣବମାନେ, ଯୋଗୀମାନେ ବ୍ରହ୍ମବିତ୍‌ମାନେ ସମସ୍ତେ ସେମାନଙ୍କର ଅଧ୍ୟାତ୍ମ ସାଧନାର ମାଧ୍ୟମ ରୂପେ ଶ୍ରୀ ଜଗନ୍ନାଥଙ୍କୁ ଉପାସନା କରି ପାରନ୍ତି । ଶ୍ରୀ ଜଗନ୍ନାଥ ଯଦି କେବଳ ବ୍ୟକ୍ତି ହୋଇଥାଆନ୍ତେ ବା କେବଳ ଗୋଟିଏ ଅଧ୍ୟାତ୍ମ ଚେତନାର ପ୍ରତୀକ ହୋଇଥାନ୍ତେ, ତେବେ ସେ ସମସ୍ତଙ୍କର ଆରାଧ୍ୟ ହୋଇ ପାରନ୍ତେ ନାହିଁ-। ରାମ ପୂଜକ, ନୃସିଂହ ପୂଜକ, ବରାହ ପୂଜକ ସମସ୍ତେ ଜଗନ୍ନାଥଙ୍କଠାରେ ଆପଣା ଆପଣାର ଆରାଧ୍ୟ ଦେବମାନଙ୍କର ଭାବମୂର୍ତ୍ତି ପ୍ରତ୍ୟକ୍ଷ କରି ପାରନ୍ତେ ନାହିଁ ।

 

ପରିଶେଷରେ, ଗୋଟିଏ କଥା କୁହାଯାଇ ପାରେ ଯେ–ଶ୍ରୀ ଜଗନ୍ନାଥଙ୍କୁ ଉପାସନା କଲାବେଳେ ଜ୍ଞାନୀଭକ୍ତ ତାଙ୍କୁ କେବଳ ବ୍ୟକ୍ତିପୁରୁଷ ବା କେବଳ ତତ୍ତ୍ଵ ବା ବ୍ୟକ୍ତି ଓ ତତ୍ତ୍ଵ ଉଭୟର ଏକ ପ୍ରତୀକ ରୂପେ ଭାବନା କଲେ ସେ ଭାବନା ନିଶ୍ଚୟ ଅସମ୍ପୂର୍ଣ୍ଣ ହେବ । ପ୍ରକୃତ ତଥ୍ୟ ହେଉଛି–ଶ୍ରୀ ଜଗନ୍ନାଥ ଏକାଧାରରେ ବ୍ୟକ୍ତି ଓ ତତ୍ତ୍ଵ ଏଇ ଉଭୟର ପ୍ରତୀକ । ମାତ୍ର ଏଇ ପ୍ରତୀକ ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣଭାବେ ପ୍ରତୀକିତ କରି ପାରେ ନାହିଁ । କାରଣ ଯେଉଁ ସ୍ଥଳରେ ପ୍ରତୀକଟି ଗୋଟିଏ ସୀମା ଭିତରେ ଆବଦ୍ଧ ରହିଯାଏ, ସେ ସ୍ଥଳେ ପ୍ରତୀକଟି ହୋଇଉଠେ ଗୋଟିଏ ପ୍ରତିମା ମାତ୍ର । ସେ ପ୍ରତିମା ସୁନାରେ ନିର୍ମିତ ହେଉ ବା ମାଟି ପଥରରେ ନିର୍ମିତ ହେଉ ବା ଦାରୁରେ ନିର୍ମିତ ହେଉ ।

 

ସେଇଥିପାଇଁ ତ ପୁରୁଷୋତ୍ତମ ଜଗନ୍ନାଥଙ୍କ ଉପାସନାଗତ ଚେତନାରେ ‘ନବକଳେବର’ର ବିଧାନ ରଖାଯାଇଛି । ବାରମ୍ବାର ଏହି ଅପୂର୍ଣ୍ଣ ସୀମାଭୁକ୍ତ ବ୍ୟକ୍ତ ବିଗ୍ରହକୁ ବିସର୍ଜନ ଦିଆଯାଇ ନୂତନ ବିଗ୍ରହ ନିର୍ମାଣ କରି ତା’ ମଧ୍ୟରେ ବ୍ରହ୍ମ ସନାତନଙ୍କୁ ସୁରକ୍ଷିତ କରିବାର ବ୍ୟବସ୍ଥା କରାଯାଇଛି ।

 

ଏହି କାରଣରୁ ଜଗନ୍ନାଥଙ୍କ ଭକ୍ତ ବା ଜଗନ୍ନାଥଙ୍କ ଭକ୍ତ ବା ଉପାସକମାନେ ସଂକୀର୍ଣ୍ଣମନା ହୋଇ ପାରନ୍ତି ନାହିଁ । କୌଣସି ଏକ ବିଶେଷ ଧର୍ମ ବା ନୀତି ପଦ୍ଧତିର ନିଗଡ଼ ଭିତରେ ଆପଣାର ବିକାଶକ୍ଷମ ଦିବ୍ୟ ଚେତନାକୁ ବାନ୍ଧି ରଖନ୍ତି ନାହିଁ ଏବଂ କୌଣସି ବ୍ୟକ୍ତଗତ ଅଧ୍ୟାତ୍ମ୍ୟ ଉପଲବ୍‌ଧି ଲାଭ କଲେ ତାକୁଇ ସର୍ବଶ୍ରେଷ୍ଠ ବା ସର୍ବଶେଷ କଥା ବା ପର୍ଯ୍ୟାୟ ବୋଲି ବଡ଼ାଇ କରନ୍ତି ନାହିଁ । ସେଇଥିଲାଗି ଯେ କୌଣସି ସୀମିତ ପ୍ରକାଶକୁ ତା’ର ସୀମିତତା ଲାଗି କ୍ଷୁଦ୍ର ମଧ୍ୟ ମନେ କରନ୍ତି ନାହିଁ । ଏ ଦୃଷ୍ଟିରୁ ବଡ଼ ଦେଉଳ ଭିତରେ ଜଗନ୍ନାଥ-ସେବା-ପଦ୍ଧତିରେ ଛତିଶାନିଯୋଗରେ ଜଗନ୍ନାଥଙ୍କ ବଡ଼ପଣ୍ଡା ଯେଉଁ ଅଧିକାର ଭୋଗ କରନ୍ତି, ସାମାନ୍ୟ କାମ କରୁଛି ବୋଲି ମନେ ହେଉଥିବା ଦେଉଳ ଶୋଧକାରୀ ବା ସମାର୍ଜନକାରୀ ମଧ୍ୟ ସେତିକି ଅଧିକାର ଭୋଗ କରନ୍ତି । ସେହି ଭାବରେ ସେଠି ବ୍ରାହ୍ମଣ ଚାଣ୍ଡାଳର ସମ ଅଧିକାର । ଓଡ଼ିଶାର ଗଜପତି ସମ୍ରାଟ ହେଉଛନ୍ତି ଠାକୁର ରାଜା । ସେ ମଧ୍ୟ ଚାରିବର୍ଣ୍ଣର ପ୍ରତିନିଧି । ରଥ ଉପରେ ସେ ଚଣ୍ଡାଳ କାମ କରନ୍ତି ।

 

ଓଡ଼ିଆ ଜାତି ଏହି ଜଗନ୍ନାଥ-ଚେତନାକୁ ଆପଣାର ହୃଦୟ ଭିତରେ ବହୁବର୍ଷ ସାଧନା ପରେ ଦିବ୍ୟକୃପାରୁ ଲାଭ କରିଥିଲା । ଆଜି ଏ ଚେତନା ବିଶ୍ଵବିଶ୍ରୁତ ଓ ବିଶ୍ଵ ସାଧନାର ବିଷୟବସ୍ତୁ-। ପ୍ରଭୁ ଜଗନ୍ନାଥ ! ଓଡ଼ିଆ ଜାତିକୁ ରକ୍ଷା କରନ୍ତୁ ଓ ଓଡ଼ିଆ ଜାତି ଆପଣଙ୍କ ଚେତନାକୁ ବାରମ୍ବାର ଉତ୍ତରୋତ୍ତର ପ୍ରକାଶ କରି ଚାଲୁ–ତାର ଭାବରେ, ଜ୍ଞାନରେ ଆଉ କର୍ମକର୍ମାଣି ଭିତରେ ।

 

ଜୟ ଜଗନ୍ନାଥ !

Image

 

ସ୍ଵପ୍ନ ସ୍ଵପ୍ନ, ଅନେକ ସ୍ଵପ୍ନ

 

ଅନେକ ବର୍ଷ ତଳେ ଆମ ପ୍ରଦେଶର ଏକ ଖ୍ୟାତନାମା ସମ୍ବାଦପତ୍ର ତାଙ୍କର ଏକ ସାପ୍ତାହିକ ସଂସ୍କରଣରେ ଗୋଟିଏ ବିଭାଗ କିଛି ଦିନ ଚଳାଇ ରଖିଥିଲେ । ସେ ବିଭାଗଟିର ନାମ ହେଉଛି “ସପନ ରାଇଜର ଗୋପନ କଥା” । ନାମଟି ଖୁବ୍ ରୋମାଞ୍ଚକର, ସନ୍ଦେହ ନାହିଁ । ଅନେକ ଦିନ ଧରି ବହୁ ବ୍ୟକ୍ତି ସେମାନଙ୍କର ଦେଖିବାର ସ୍ଵପ୍ନ ସବୁ ସେ ବିଭାଗକୁ ଛପା ହେବା ଲାଗି ପଠାଇଥିଲେ । ବହୁ ବିଚିତ୍ର ଓ ଚମତ୍କାର ସ୍ଵପ୍ନ ସେ ବିଭାଗରେ ଛପା ହୋଇଥିଲା ଏବଂ ଜଣେ ବିଶିଷ୍ଟ ମନୋବୈଜ୍ଞାନିକ ସେଗୁଡ଼ିକର ବିଶ୍ଳେଷଣ ମଧ୍ୟ କରୁଥିଲେ । କିନ୍ତୁ କିଛି ଦିନ ପରେ ସେ ବିଭାଗଟି ବନ୍ଦ ହୋଇଯିବାରେ, ମୁଁ ସମ୍ପାଦକଙ୍କୁ ବନ୍ଦ ହେବାର କାରଣ ପଚାରନ୍ତେ, ସେ ଖୁବ୍ ବିମର୍ଷ ହୋଇ କହିଲେ–ଆମର ସେ ବିଭାଗଟି ଖୋଲିବାର ଉଦ୍ଦେଶ୍ୟ ଥିଲା–ସମଗ୍ର ଜାତି କି ପ୍ରକାର ସ୍ଵପ୍ନ ଦେଖୁଛି ତାହା ଜାଣିବା ଓ ଅନ୍ୟକୁ ଜଣାଇବା । ମାତ୍ର ଛଅ ମାସ ପରେ ଆମ ନିଜର ସେ ସମ୍ବନ୍ଧେ ସ୍ଵପ୍ନ ଭଙ୍ଗ (disillusionment) ହେଲା ।

 

ମୁଁ ‘କାହିଁକି’ ବୋଲି ପଚାରନ୍ତେ ସେ କହିଲେ–ସମଗ୍ର ଜାତି ଏତେ ବିକୃତ ସ୍ଵପ୍ନ ଦେଖୁଛି ଯେ, ତାହା ସବୁ ପ୍ରକାଶ କରିବା ଲାଗି ଆମକୁ ଲଜ୍ଜା ଓ ଗ୍ଳାନି ଆସିଲା । କଥାଟି ଠିକ୍ ହୋଇପାରେ-। ମାତ୍ର ସମ୍ପାଦକଙ୍କର ଲଜ୍ଜା ଓ ଗ୍ଳାନିବୋଧକୁ ଦୂର କରିବା ଲାଗି ଗୋଟିଏ ଜାତିର ସ୍ଵପ୍ନାବସ୍ଥା ଅପେକ୍ଷା ଜାଗ୍ରତାବସ୍ଥାଟିକୁଇ ବେଶୀ ଦାୟୀ କରାଯାଇ ପାରେ ।

 

ମାତ୍ର ସ୍ଵପ୍ନ ଓ ବାସ୍ତବ ବୋଲି ଦୁଇଟା ଅଲଗା ଅବସ୍ଥା ଅଛି କି ନାହିଁ ଓ ଯଦି ଅଛି, ତେବେ ସ୍ଵପ୍ନାବସ୍ଥାଟା, ଅଳୀକ ନା ଜାଗ୍ରତାବସ୍ଥାଟା ଅଳୀକ–ଏ ସମ୍ବନ୍ଧେ ସ୍ଥିର ତଥ୍ୟ ପାଇବା ମୁସ୍କିଲ-। ନୃତତ୍ତ୍ଵବିଦ୍‌ମାନଙ୍କ ରିପୋର୍ଟରୁ ଜଣାଯାଏ–ଏପରି ଏକ ଆଦିମ ଉପଜାତି ଅଛନ୍ତି, ଯେଉଁମାନେ କି ସ୍ଵପ୍ନ ଓ ବାସ୍ତବ ମଧ୍ୟରେ କିଛି ପାର୍ଥକ୍ୟ ଜାଣି ପାରନ୍ତି ନାହିଁ ବା ବାରନ୍ତି ନାହିଁ । ସ୍ଵପ୍ନରେ କାହାକୁ ସାପ କାମୁଡ଼ିଥିଲେ ବି ସେ ନିଦ୍ରା ପରେ ଗୁଣିଆ ଡକାଇ ଝଡ଼ା ଫୁଙ୍କା କରାନ୍ତି । ସ୍ଵପ୍ନରେ ପର ସ୍ତ୍ରୀ ହରଣ କରିଥିଲେ ବି ଜାଗ୍ରତ ହେଲେ ସେଥିପାଇଁ ପ୍ରାୟଶ୍ଚିତ ବିଧାନ କରନ୍ତି । ଗୋଟିଏ ଆଦିମ ଅଧିବାସୀଙ୍କର ଏ ଧାରଣା ସଙ୍ଗେ ସ୍ଵପ୍ନ ଓ ଜାଗରଣ ସମ୍ପର୍କରେ ଚାଇନାର ଜଣେ ବଶିଷ୍ଟ ବିଜ୍ଞ ପୁରୁଷ ଓ ତାଓବାଦୀ ଦାର୍ଶନିକ ଚୁଆଙ୍ଗ ଜୁ (ଖ୍ରୀ: ପୂ: ୩୬୯–୨୮୬) ଦିନେ ସ୍ଵପ୍ନରେ ଦେଖିଲେ ଯେ, ସେ ଗୋଟିଏ ସୁନ୍ଦର ପ୍ରଜାପତି ହୋଇ ଯାଇଛନ୍ତି । ସେତିକିବେଳେ ସେ ହଠାତ୍ ସ୍ଵପ୍ନରୁ ଉଠି ପଡ଼ି ଓ ଚିତ୍କାର କରି ଉଠିଲେ–ମୁଁ ଚୁଆଙ୍ଗୁ ଜୁ ପ୍ରଜାପତି ହୋଇଛି ବୋଲି ସ୍ଵପ ଦେଖିଲି; ନା ମୁଁ ଗୋଟିଏ ପ୍ରଜାପତି ଯେ କି ଚୁଆଙ୍ଗୁ ଜୁ ହୋଇଛି ବୋଲି ସ୍ଵପ୍ନ ଦେଖୁଛି !

 

ପ୍ରକୃତରେ ମୁଁ କାଲି ରାତି ୩ଟା ବେଳେ ବହୁ ରୂପବତୀ ରାଣୀମାନଙ୍କ ଗହଣରେ ଥାଇ ରାଜସିଂହାସନରେ ସମ୍ରାଟ ହୋଇଥିବାର ଯେ ସ୍ନପ୍ନଟି ଦେଖିଥିଲି ଓ ଗର୍ବ, ଆନନ୍ଦ, ଉଲ୍ଲାସରେ ଫାଟି ପଡ଼ୁଥିଲି–ତାହା ସତ୍ୟ ଅନୁଭୂତି ନା ଆଜି ଦିନ ଗୋଟାଏବେଳେ ମୁଁ ଯେ କି, ଗୋଟାଏ ବେକାର ଯୁବକ ଚାକିରି ଖୋଜି ବୁଲୁଛି–ଏହା ସତ୍ୟ ଅନୁଭୂତି–ଏହାକୁ ମୋ ମନ ବୁଝିବାଭଳି କେହି ଠିକ୍ ତଥ୍ୟ ବୋଲି ବତାଇ ଦେଇ ପାରିବେ ନାହିଁ ।

 

ଫରାସୀ ଦାର୍ଶନିକ ବ୍ଳେଜ୍ ପାସକେଲ୍‍ଙ୍କ ଭାଷାରେ କହିଲେ–ପ୍ରକୃତରେ କେବଳ ବିଶ୍ଵାସଦ୍ଵାରାହିଁ ଆମେ ଜାଗ୍ରତ ବା ସୁପ୍ତ ବୋଲି କହୁଛୁ ସିନା, ନ ହେଲେ କିଏ ଯୁକ୍ତି ଦେଇ କହିପାରେ ଯେ, ମୁଁ ସତକୁସତ ବର୍ତ୍ତମାନ ଜାଗ୍ରତ ବା ସୁପ୍ତାବସ୍ଥାରେ ସ୍ଵପ୍ନ ଦେଖୁଛି । ରୁଷିଆର ଜଣେ ରହସ୍ୟବାଦୀ ଗାର୍ଡ଼ ଜିର୍ଫି କହନ୍ତି–ଅନେକ ଲୋକ ପ୍ରକୃତରେ ଅର୍ଦ୍ଧଜାଗ୍ରତ ଅବସ୍ଥାରେ ବା ସୁପ୍ତାବସ୍ଥାରେ ଆତଜାତ ହେଉଛନ୍ତି ବା କ୍ରିୟାକର୍ମ କରୁଛନ୍ତି । ଖୁବ୍ ଅଳ୍ପ ଲୋକହିଁ ସତକୁ ସତ ଜାଗ୍ରତ ଅଛନ୍ତି । ଶ୍ରୀମଦ୍‌ଭଗବତ୍ ଗୀତା କହନ୍ତି–ଯେତେବେଳେ ସ୍ଥୂଳବୁଦ୍ଧି ସଂସାର ମୋହଗ୍ରସ୍ତ ଲୋକମାନେ ଶୋଇଥାନ୍ତି, ସେତେବେଳେ ସୂକ୍ଷ୍ମ ଚେତନାବିଶିଷ୍ଟ ଯୋଗଯୁକ୍ତ ବ୍ୟକ୍ତିମାନେ ଜାଗ୍ରତ ଥାନ୍ତି ଓ ଯୋଗଯୁକ୍ତ ସୂକ୍ଷ୍ମ ଚେତନା ବିଶିଷ୍ଟ ବ୍ୟକ୍ତିମାନେ ଶୋଇଲାବେଳେ ସ୍ଥୂଳବୁଦ୍ଧି ସଂସାର ମୋହଗ୍ରସ୍ତ ବ୍ୟକ୍ତିମାନେ ଜାଗ୍ରତ ଥାନ୍ତି । ଏଇ ଶୋଇବା ଓ ଜାଗ୍ରତ ହେବା କଥାଟି ପ୍ରକୃତରେ ଆଧ୍ୟାତ୍ମିକ ଦୃଷ୍ଟିରୁ ଚେତନାର ଦୁଇଟିସ୍ତର । ଉପନିଷଦରେ ଜାଗ୍ରତ, ସ୍ଵପ୍ନ, ସୁଷୁପ୍ତି ଓ ତୁରୀୟ ନାମରେ ଚେତନାର ୪ଟି ସ୍ତରର ଉଲ୍ଲେଖ ଅଛି ।

 

ହିନ୍ଦୁ ଓ ବୌଦ୍ଧ ଦର୍ଶନରେ ମାୟାବାଦର ଉଲ୍ଲେଖ ରହିଛି । ସାଧାରଣତଃ ମାୟାକୁ ଅପ୍ରକୃତ ମିଥ୍ୟା ଓ ଭ୍ରମ ପ୍ରତୀତ ବୋଲି ଆମେ ବୁଝୁ । ଯଥାର୍ଥ ସତ୍ୟ ଯାହା, ତାହା ବ୍ରହ୍ମଜ୍ଞାନୀହିଁ ବୁଝନ୍ତି । ବ୍ରହ୍ମହିଁ କେବଳ ସତ୍ୟ । ସବୁ ମିଥ୍ୟା ଭିତରେ କାଳ ବା ସମୟ ଚାଲୁଛି ବୋଲି ଯେଉଁ ଧାରଣା ଆମର ହୁଏ ତାହା ସବୁଠାରୁ ବଡ଼ ମିଥ୍ୟା । ଘଟଣାଗୁଡ଼ିକ ସ୍ଵପ୍ନ ଭଳି ସମୟ ଭିତରେ ଘଟୁଥିବାର ଜଣାଯାଏ । ମୁସଲମାନ ଧର୍ମଗ୍ରନ୍ଥ ପବିତ୍ର କୋରାନରେ ବର୍ଣ୍ଣିତ ଅଛି–ଦେବଦୂତ ଗ୍ରାବିଏଲ ଥରେ ପ୍ରଫେଟ ମହମ୍ମଦଙ୍କୁ ସ୍ଵର୍ଗ ଓ ନରକ ଦେଖାଇବାକୁ ସଙ୍ଗରେ ନେଇଗଲେ । ସ୍ଵର୍ଗ ଓ ନରକ ଦେଖି ସାରି ପୃଥିବୀକୁ ଫେରି ଆସିବା ପରେ ଜଣାଗଲା ଯେ ଯାହା ତାଙ୍କୁ ବହୁଦିନର ଅଭିଜ୍ଞତା ବୋଲି ଜଣା ପଡ଼ୁଥିଲା–ତାହା ପ୍ରକୃତରେ ଅନନ୍ତ ସମୟର ଗୋଟିଏ ବିନ୍ଦୁ ମଧ୍ୟରେ ସଙ୍ଘଟିତ ହୋଇ ଯାଇଛି । ଏପରି ସ୍ଥଳେ ସ୍ଵପ୍ନ, ଗୋଟିଏ ଅତି ଦୀର୍ଘ ଦିବ୍ୟ ଅଭିଜ୍ଞତା ବା ଅନୁଭୂତି (a spiritual experience) ଆଣି ଦେଇପାରେ । ଯୋଗୀ ଓ ସୂକ୍ଷ୍ମ ଅନୁଭବ ବିଶିଷ୍ଟ ବ୍ୟକ୍ତିମାନେ ଏଭଳି ଅଭିଜ୍ଞତା ଲାଭ କରି ପାରନ୍ତି ।

 

ତେବେ “ସ୍ଵପ୍ନ”କୁ ବର୍ତ୍ତମାନ ଆଉ ଅଳୀକ, ମିଥ୍ୟା ବା ଏକ ଅନାବଶ୍ୟକ ବିଷୟ ବୋଲି ଗଣ୍ୟ କରା ଯାଉନାହିଁ । ମନୋବିଜ୍ଞାନ ଓ ଯୋଗ ବିଜ୍ଞାନରେ “ସ୍ଵପ୍ନ”କୁ ମଣିଷ ଜୀବନର ଏକ ଗୁରୁତର ବ୍ୟାପାରରୂପେ ଗଣ୍ୟ କରାଯାଉଛି । ମନୋବୈଜ୍ଞନିକମାନେ ବିଭିନ୍ନ ପ୍ରକାର ମଣିଷର ବିଭିନ୍ନ ପ୍ରକାର “ସ୍ଵପ୍ନ”କୁ ବିଶ୍ଳେଷଣ କରି ମନୁଷ୍ୟର ଚରିତ୍ର, ପ୍ରକୃତି ଓ ମାନସିକ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ମନୁଷ୍ୟର କେତେକ ମାନସିକ ରୋଗକୁ ଭଲ କରିବାର ଉପାୟ ମଧ୍ୟ ଆବିଷ୍କାର କରୁଛନ୍ତି ।

 

ହଜାର ହଜାର ବର୍ଷ ଧରି ଭାରତ, ଗ୍ରୀସ୍ ଓ ମିଶର ଦେଶରେ ସ୍ଵପ୍ନର ବିଶ୍ଳେଷଣ ଓ ବ୍ୟାଖ୍ୟା ହୋଇ ଆସିଛି । କିନ୍ତୁ ଗତ ଊନବିଂଶ ଶତାବ୍ଦୀଠାରୁ ବୈଜ୍ଞାନିକମାନେ ଦାର୍ଶନିକମାନଙ୍କର ପ୍ରଦତ୍ତ ତଥ୍ୟ ଉପରେ ନିର୍ଭର କରି ସ୍ଵାଧୀନ ଭାବେ ସ୍ଵପ୍ନ ତତ୍ତ୍ଵ ଉପରେ ଗବେଷଣା ଚଳାଇଗଲେ । ସେମାନଙ୍କର ଲକ୍ଷ୍ୟ ହେଲା–ସ୍ଵପ୍ନ କ’ଣ ଓ କାହିଁକି ଆମେ ସ୍ଵପ୍ନ ଦେଖୁ ? ପୁଣି ମସ୍ତିଷ୍କରୁ କେଉଁ ଅଂଶ ସ୍ଵପ୍ନ ଦେଖିବାରେ ସକ୍ରିୟ ଅଂଶ ଗ୍ରହଣ କରିଥାଏ ? ସ୍ଵପ୍ନ ଦେଖାର ସମୟକ୍ରମ କେତେ ଓ ଏହାର ବିଷୟବସ୍ତୁର ସତ୍ୟାସତ୍ୟ କେତେ ? ସବୁ ସ୍ଵପ୍ନ କେବଳ ସୁପ୍ତ ଅବସ୍ଥାରେ ନା ଜାଗରଣରେ ବି ସ୍ଵପ୍ନ ଦେଖାଯାଇପାରେ ? ଜନ୍ମାନ୍ଧଙ୍କଠାରୁ ଆରମ୍ଭ କରି ଆବାଳ-ବୃଦ୍ଧ-ବନିତା ସମସ୍ତେ ସ୍ଵପ୍ନ ଦେଖନ୍ତି କି ? ବୟସ ଓ ଲିଙ୍ଗ ଭେଦରେ ସ୍ଵପ୍ନ ଦେଖାର କିଛି ପାର୍ଥକ୍ୟ ରହିଛି କି ? ନବଜାତ ଶିଶୁ ଓ ପଶୁପକ୍ଷୀମାନେ ସ୍ଵପ୍ନ ଦେଖନ୍ତି କି ନାହିଁ ?

 

କୋଡ଼ିଏ ବର୍ଷ ତଳେ ଜଣେ ବୈଜ୍ଞାନିକ ଲକ୍ଷ୍ୟ କରିଥିଲେ ଯେ, ଛୋଟ ପିଲାମାନେ ଶୋଇଥିବାବେଳେ ତାଙ୍କର ମୁଦିଲା ଆଖିର ପରଦା ତଳେ କଳା ଡୋଳା ଘୂରି ବୁଲୁଛି । ଏଥିରୁ ସେ ଗୋଟିଏ ତଥ୍ୟରେ ପହଞ୍ଚିଲେ ଯେ ଦିନବେଳେ ହେଉ ବା ରାତିବେଳେ ହେଉ ଡୋଳାର ତ୍ଵରାନ୍ଵିତ ଆନ୍ଦୋଳନ ଫଳରେ ସମସ୍ତେ ସ୍ଵପ୍ନ ଦେଖନ୍ତି । ଏହି ତଥ୍ୟ ଉପରେ ବର୍ତ୍ତମାନ ବିଭିନ୍ନ ଦେଶରେ ପରୀକ୍ଷାଚାଲିଛି । ସ୍ଵପ୍ନବେଳେ ଆଖିର କଳାଡୋଳା ଘୂରିବା ସଙ୍ଗେ ସଙ୍ଗେ ନିଃଶ୍ଵାସ ପ୍ରଶ୍ଵାସରେ ଅସ୍ଵାଭାବିକତା ଓ ଦୃଢ଼ତା ପରିଲକ୍ଷିତ ହୋଇଥାଏ । ହୃଦୟର ସ୍ପନ୍ଦନ କ୍ରିୟା ଓ ରକ୍ତଚାପ ମଧ୍ୟ ବଢ଼ିଯାଏ ଏବଂ ସ୍ଵପ୍ନଦେଖାଳୀ ସ୍ଵପ୍ନ ଦେଖୁଥିବା ପର୍ଯ୍ୟନ୍ତ ନିଶ୍ଚଳଭାବେ ପଡ଼ିରହେ । କେତେକ ସ୍ଵପ୍ନତତ୍ତ୍ୱବିଦ୍ ବିଲେଇଛୁଆ ତା’ର ଆଖି ଖୋଲିବା ପୂର୍ବ ମୁହୂର୍ତ୍ତ ପର୍ଯ୍ୟନ୍ତ ଏବଂ କୁକୁଡ଼ାଛୁଆ ଅଣ୍ଡା ଭିତରୁ ଠିକ୍ ବାହାରିବା ପୂର୍ବ ପର୍ଯ୍ୟନ୍ତ ସ୍ଵପ୍ନ ଦେଖୁଥାନ୍ତି କି ନାହିଁ, ତାହା ନିଧାର୍ଯ୍ୟଭାବେ ଜାଣିବା ଲାଗି ଲାଗିପଡ଼ିଛନ୍ତି ।

 

ତଥାପି ଆଜିପର୍ଯ୍ୟନ୍ତ ବି ସ୍ଵପ୍ନ ଏକ ରହସ୍ୟମୟ ଅଭିଜ୍ଞତା ହୋଇ ରହିଛି । ନିଦ୍ରାକୁ ଅନେକ ସମୟରେ ମୃତ୍ୟୁ ସଙ୍ଗେ ତୁଳନା କରାଯାଇଥାଏ । ମୃତ୍ୟୁର ପ୍ରହେଳିକା ସେପରି ମଣିଷ ନିକଟରେ ଉଦ୍‌ଘାଟିତ ହୋଇ ପାରୁନାହିଁ–ସ୍ଵପ୍ନ ମଧ୍ୟ ତଦ୍ରୂପ ଏକ ଦୁର୍ବୋଧ୍ୟ ରହସ୍ୟ ହୋଇରହିଛି ।

 

କିନ୍ତୁ ହଜାର ହଜାର ବର୍ଷ ଧରି ଭାରତ, ଗ୍ରୀସ୍ ଓ ମିଶର ଦେଶରେ ସ୍ଵପ୍ନର ବିଶ୍ଳେଷଣ ଓ ବ୍ୟାଖ୍ୟା ହୋଇ ଯାଇଛି । ପୁରାତନ ବିଶ୍ଵାସ ହେଉଛି–ଅମର ଲୋକରୁ ବା ସୂକ୍ଷ୍ମ ଜଗତରୁ ସୂକ୍ଷ୍ମ ଆତ୍ମା, ଦେବଦୂତ, ପରୀ ବା ସେହିପରି ସୂକ୍ଷ୍ମ ସତ୍ତାମାନେ ମଣିଷର ସ୍ଵପ୍ନ ଜଗତରେ ଉଭାହୋଇ ମଣିଷର ଆଗତ ଭବିଷ୍ୟ କଥାମାନ କହିଦିଅନ୍ତି–ତାହା ସୁଖକର ହେଉ ବା ଦୁଃଖକର ହେଉ । ପ୍ରସିଦ୍ଧ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାର ଏହିପରି ଗୋଟିଏ ସ୍ଵପ୍ନ ଦେଖି ତାୟାର ରାଜ୍ୟ ଆକ୍ରମଣ କରିଥିଲେ ଓ ବିଜୟୀ ହୋଇଥିଲେ । ବିଶିଷ୍ଟ କବି କଲେରିଜ ତାଙ୍କର ଏକ ସ୍ଵପ୍ନ ଅଭିଜ୍ଞତାରୁହିଁ “କୁବଲାଖାଁ’’ ଶୀର୍ଷକ ବିଖ୍ୟାତ କବିତାଟି ଲେଖିଥିଲେ । ଜୁଲିଅସ୍ ସିଜର ସ୍ଵପ୍ନ ଦେଖି ସିନେଟର ସଭ୍ୟ ବ୍ରୁଟସ ଓ ସିସେରୋ ଇତ୍ୟାଦିଙ୍କଦ୍ଵାରା ନିହତ ହୋଇଥିଲେ । ଇନ୍ଦ୍ରଜିତ ମହିଷିପୃଷ୍ଠରେ ଚଢ଼ି ଦକ୍ଷିଣ ଦିଗକୁ ଗମନ କରିଥିବା ସ୍ଵପ୍ନରେ ଦେଖି ଲକ୍ଷ୍ମଣ ଇନ୍ଦ୍ରଜିତଙ୍କୁ ବଧ କରିଥିଲେ । ଭରତ ମାମୁଁ ଘରେ ଥାଇ ଏପରି କେତେକ ସ୍ଵପ୍ନ ଦେଖିଥିଲେ–ଯେଉଁଥିରୁ କି ରାମଙ୍କର ବନବାସ ଓ ପିତାଙ୍କର ମୃତ୍ୟୁର ଇଙ୍ଗିତ ରହିଥିଲା । ମହାଭାରତରେ ତ ବହୁ ସ୍ଵପ୍ନର ବୃତ୍ତାନ୍ତ ରହିଅଛି । ଏପରି ମଧ୍ୟ ଆମର ଦୈନନ୍ଦିନ ଜୀବନରେ ଅନେକ ସ୍ଵପ୍ନ, ଆମେ ଦେଖୁ ଯାହାକି ଭବିଷ୍ୟତବାଣୀ ଭଳି କାର୍ଯ୍ୟକରେ । ତେଣୁ ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ–ସ୍ଵପ୍ନର ବିଷୟ ସତ୍ୟ ହୁଏ କି ? ଯୋଗବିଜ୍ଞାନୀମାନେ କହନ୍ତି–ସବୁ ପ୍ରକାର ସ୍ଵପ୍ନ ସତ୍ୟ ହୁଏନାହିଁ ।

 

ସ୍ଵପ୍ନ ସମ୍ପର୍କରେ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କର ମଧ୍ୟ କେତେକ ବିଶ୍ଳେଷଣ ଓ ବ୍ୟାଖ୍ୟା ରହିଛି । ଶ୍ରୀ ଅରବିନ୍ଦଙ୍କର ସ୍ଵପ୍ନତତ୍ତ୍ଵ ବିଶ୍ଳେଷଣ କରି ଶ୍ରୀମା ଲେଖିଛନ୍ତି–ଅଜୀର୍ଣ୍ଣ ହେତୁ, ଶଯ୍ୟାର ଅସୁବିଧା ହେତୁ ଏବଂ ବିଶେଷ ଧରଣର ଖାଦ୍ୟ ହେତୁ ଓ ଶୟନ ପରିବେଶରେ କିଛି ତ୍ରୁଟି ହେତୁ ଯେଉଁ ସ୍ଵପ୍ନ ସବୁ ହୁଏ–ସେଗୁଡ଼ିକର ବିଶେଷ କିଛି ଗୁରୁତ୍ଵ ନାହିଁ । ଏପରିକି ଅତ୍ୟଧିକ ପରିଶ୍ରମ, ସ୍ନାୟୁ ବା ମାଂସପେଶୀଜନିତ କିଛି ଅସ୍ଵାଭାବିକତା ଓ କେତେକ ମନସ୍ତାତ୍ତ୍ୱିକ କାରଣରୁ ଦେଖୁଥିବା ସ୍ଵପ୍ନଗୁଡ଼ିକର ହୁଏତ ସାଧାରଣ ମନର ସ୍ଵାସ୍ଥ୍ୟ ଓ ଅସ୍ଵାସ୍ଥ୍ୟ ଲାଗି କିଛି, ନିର୍ଦ୍ଦେଶ ଥାଇପାରେ । ମାତ୍ର ଦୈହିକ ଓ ମାନସିକ ସ୍ଵପ୍ନ, ସବୁ ତଥାପି ବାହ୍ୟସ୍ତରୀୟ । ଆଉରି ଗଭୀର ସ୍ତରର ସ୍ଵପ୍ନମାନ ରହିଛି । ସେହି ସବୁ ସ୍ଵପ୍ନଗୁଡ଼ିକ ଭବିଷ୍ୟଦ୍ୟୋତକ ହୋଇପାରେ । ଶ୍ରୀମା ଲେଖିଛନ୍ତି–ସ୍ଵପ୍ନ ଭିତରେ କେତେକ ବ୍ୟକ୍ତି ଅସହାୟ ଓ ଅଚେତନ ଭାବେ ଏବଂ କେତେକ ମଧ୍ୟ ସଚେତନଭାବେ ତାଙ୍କର ପ୍ରାଣସତ୍ତାରେ ଆମର ଏହି ବସ୍ତୁ ଜଗତ ବାହାରେ ଥିବା ବିଭନ୍ନ ସୂକ୍ଷ୍ମ ଜଗତକୁ ଚାଲି ଯାଆନ୍ତି ଓ ସେହି ସେହି ଜଗତର ଉପଯୋଗୀ କ୍ରିୟାକଳାପ ସଙ୍ଗେ ମାତି ରହନ୍ତି । ଆକାଶରେ ଉଡ଼ି ବୁଲିବା, ସମୁଦ୍ରରେ ପହଁରିବା ଓ ଦୂର ଦେଶକୁ ଚାଲିଯିବା ଆଦି କ୍ରିୟାମାନ ଆମେ ଜାଗ୍ରତ ଥିଲାବେଳେ କରି ପାରନ୍ତୁ ନାହିଁ । କାରଣ ଆମର ଦେହ ପ୍ରତିବନ୍ଧକ ହୁଅନ୍ତା । ମାତ୍ର ସ୍ଵପ୍ନ ଭିତରେ ଆମର ପ୍ରାଣସତ୍ତା ଅକ୍ଳେଶରେ ସେ ସବୁ ଅସାଧ୍ୟ ସାଧନ କରିପାରେ ।

 

ସ୍ଵପ୍ନ ବୃତ୍ତାନ୍ତ ମନେ ରହୁ ନ ରହୁ–ସୂକ୍ଷ୍ମ ପ୍ରାଣ ରାଜ୍ୟର ଅନେକ ଅନୁଭୂତି ଓ ଅଭିଜ୍ଞାତା ଆମର ଜାଗ୍ରତ ଜୀବନକୁ ଅନେକ ପରିମାଣରେ ପ୍ରଭାବିତ କରିଥାଏ ଓ ଜୀବନ ପ୍ରତି ମଧ୍ୟ ନିର୍ଦ୍ଦେଶ ଦେଇଥାଏ । ସ୍ଵପ୍ନରେ ଆମେ ଭବିଷ୍ୟତ ଘଟଣା କିପରି ଜାଣିପାରୁ–ସେ ସମ୍ପର୍କରେ କୁହାଯାଇଛି ଯେ ଆମର ଏହି ଭୌତିକ ଜଗତରେ ଯାହା ଘଟୁଛି ସେଗୁଡ଼ିକ ହୁଏତ ସୂକ୍ଷ୍ମ ଜଗତରେ ଆଗରୁ ଘଟି ଯାଇଛି ବା ଘଟି ଚାଲିଛି । ସ୍ଵପ୍ନ ଭିତରେ ଆମେ ସ୍ଵପ୍ନ ଜଗତକୁ ଆମ ପ୍ରାଣସତ୍ତାରେ ଯାଇ ପହଞ୍ଚୁ ଏବଂ ବାସ୍ତବ ଜଗତରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକୁ ସେଠାରେ ଆଗତୁରା ଦେଖି ନେଉ ।

 

ଆଚ୍ଛା, ସ୍ଵପ୍ନରେ ଭବିଷ୍ୟତ ଘଟଣାକୁ ଦେଖି ତାକୁ ନିୟନ୍ତ୍ରଣ କରିପାରିବା କି ? ଏହାର ଉତ୍ତରରେ କୁହାଯାଇଛି–ହଁ । ଯଦି ଆମେ ଯଥାର୍ଥ ସଂକଳ୍ପ ଓ ଜ୍ଞାନର ଅଧିକାରୀ ହେଉ, ତେବେ ଆମେ ସେହି ଜଗତରେ ଥାଇ ସେହି ସ୍ଵପ୍ନ ଭିତରେ ବି ବାସ୍ତବରେ ଘଟିବାକୁ ଯାଉଥିବା ଅନେକ ଅଘଟଣ ବା ଅମଙ୍ଗଳ ଘଟଣାର ଧାରାକୁ, ବଦଳାଇ ଦେଇ ପାରିବୁ । ତେବେ ଏହା ସବୁ ସମୟରେ କରାଯାଇ ନପାରେ । ମନେ ରଖିବାର ଅଛି ସେ ସୂକ୍ଷ୍ମ ଜଗତରେ ମଧ୍ୟ ନିମ୍ନରୁ ଉଚ୍ଚ ପର୍ଯ୍ୟନ୍ତ ବହୁ ସ୍ତର ଉପସ୍ତର ରହିଛି । ଆମ ବସ୍ତୁ ଜଗତର ପାଖା ପାଖି ଥିବା ସୂକ୍ଷ୍ମ ସ୍ତରଗୁଡ଼ିକରେ କେବଳ ଭବିଷ୍ୟତ ସମ୍ଭାବନାମାନଙ୍କର ଇଙ୍ଗିତ ମିଳିଥାଏ । ତାହା ପୁଣି ବଡ଼ ଗୋଳମାଳିଆ ଆକାରରେ ଦେଖାଦିଏ । ଯଦି ଭବିଷ୍ୟ ଘଟଣାଗୁଡ଼ିକ ପ୍ରାଣଜଗତରେ ବା ସୂକ୍ଷ୍ମତର ବସ୍ତୁ ଜଗତରେ ବିଭିନ୍ନ ଶକ୍ତିମାନଙ୍କର ଏକ ଖେଳା ରୂପେ ଦେଖା ପଡ଼େ, ତେବେ ସେଗୁଡ଼ିକୁ ନିଜର ସଚେତନ ସଂକଳ୍ପଦ୍ଵାରା ବା ଈଶ୍ଵରଙ୍କ କୃପାର ଆବାହନଦ୍ଵାରା ନିୟନ୍ତ୍ରିତ କରିହେବ । ମାତ୍ର କୌଣସି ଭବିଷ୍ୟ ଘଟଣା ଯଦି ବହୁ ଉଚ୍ଚତର ସ୍ତରରେ ଘଟିଯାଇଛି–ତେବେ ତାକୁ ନିୟନ୍ତ୍ରଣ କରିବା ସହଜ ନୁହେଁ । କିନ୍ତୁ ଯାହା ହେଲେ ବି ସ୍ଵପ୍ନଗୁଡ଼ିକ ଆମ ଜୀବନ ଲାଗି ବିଶେଷ ଆବଶ୍ୟକ ।

 

ଯୋଗ ବିଜ୍ଞାନର ତଥ୍ୟ ବ୍ୟତୀତ କେତେକ ମନୋବୈଜ୍ଞାନିକ ମଧ୍ୟ ସ୍ଵପ୍ନରେ ଭବିଷ୍ୟ ଦର୍ଶନ କଥାକୁ ସମର୍ଥନ କରୁଛନ୍ତି । ଡୁନୋ (J W. Dunne) ନାମକ ପ୍ରସିଦ୍ଧ ମନୋବୈଜ୍ଞାନିକ “ସମୟ ଉପରେ ପରୀକ୍ଷା’’ (An experiment with time) ନାମକ ଗ୍ରନ୍ଥରେ କହନ୍ତି ଯେ–ପ୍ରକୃତରେ ଭବିଷ୍ୟ ଘଟଣାବଳୀ ସ୍ଵପ୍ନରେ ଦେଖି ହେବ । ଅନେକ ସ୍ଵପ୍ନ ଦେଖାଳୀ ପୁଣି ତାଙ୍କ ସ୍ଵପ୍ନର ପ୍ରକୃତ ଅର୍ଥ ବା ଇଙ୍ଗିତ ଜାଣିବାକୁ ଚାହାନ୍ତି । ସତରେ ବି–ସବୁ ନିର୍ଭର କରେ ସ୍ଵପ୍ନର ବ୍ୟାଖ୍ୟା ବା ବିଚାର-ବିଶ୍ଳେଷଣ ପଦ୍ଧତି ଓ ତା’ର ସିଦ୍ଧାନ୍ତ ଉପରେ । କାରଣ ଆମର ପ୍ରତିଟି ସ୍ଵପ୍ନ ହେଉଚି–ବ୍ୟକ୍ତିଗତ ଗୋପନ ଚିଠିଟିଏ ଭଳି, ଯାହାକି ଇଙ୍ଗିତରେ ଲେଖା ଯାଇଛି । ଭାଷାରେ ନୁହେଁ ।

 

ସ୍ଵପ୍ନ ସମ୍ପର୍କରେ ମନୋବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ମତ ଦିଅନ୍ତି । କେତେକଙ୍କ ମତରେ–ଆମର ଜାଗ୍ରତ କ୍ରିୟାକଳାପ ଅଚେତନରେ ଯେଉଁ ସବୁ ଦୁଃସହ ପ୍ରତିକ୍ରିୟା ସୃଷ୍ଟି କରେ, ସ୍ଵପ୍ନ ଫଳରେ ଆମର ମନ ସେହି ପ୍ରତିକ୍ରିୟାର ଜ୍ଵାଳାରୁ ମୁକ୍ତି ପାଇଥାଏ । କେତେକ କହନ୍ତି ମନ ଭିତରେ ଚାପି ହୋଇ ରହିଥିବା ବହୁ ଚିନ୍ତା ସ୍ଵପ୍ନରେ ଖଲାସ ପାଇ ଯିବାରୁ ମଣିଷର ମୁଣ୍ଡ ହାଲୁକା ହୋଇଯାଏ l ବିଖ୍ୟାତ ମନୋବୈଜ୍ଞାନିକ ସିଗ୍‌ମଣ୍ଡ ଫ୍ରଏଡ଼ଙ୍କ ମତରେ, ସ୍ଵପ୍ନ ଆମର ସୁନିଦ୍ରାକୁ ରକ୍ଷା କରେ ଏବଂ ଆମର ଅତି ଗୂଢ଼ ଆଶା ଓ କାମନାକୁ ଆଂଶିକଭାବେ ପୂରଣ କରି ଆମର ମାନସିକ ସ୍ୱାସ୍ଥ୍ୟ ରକ୍ଷା କରେ । ତା’ ନହେଲେ ଆମେ ଆମର ଜାଗ୍ରତ ପ୍ରହରୀ ସଦୃଶ ସୁପରଇଗୋ ବା ଅହଂ ବିବେକର ଚାପରେ ପାଗଳ ହୋଇଯାଆନ୍ତୁ । ଆମେ ଜାଗ୍ରତ ଥିଲାବେଳେ ସେହି ବିବେକ ଆମର ମନ ଭିତରକୁ କୌଣସି ପ୍ରକାର ଅନୈତିକ ବା ସାମାଜିକ ଚିନ୍ତାକୁ ବାଟ ଛାଡ଼େ ନାହିଁ । ଯେ କୌଣସି ପ୍ରକାରେ ତାହା ମନ ଭିତରକୁ ପ୍ରବେଶ କରିଯାଏ, ତେବେ ସୁପରଇଗୋ ବା ଅହଂ ବିବେକ ତାକୁ ଚାପି ଦିଏ । ଏହି ଚାପ ଅବଦମନ ଆମକୁ ପାଗଳ–କରିଦିଅନ୍ତା, ଯଦି ଆମେ ସ୍ଵପ୍ନରେ ଆମର ଅସାମାଜିକ ଓ ଅନୈତିକ କାମନା ବାସନାଗୁଡ଼ିକ ସଫଳ ହେବାର ନ ଦେଖନ୍ତୁ ।

 

ଅନ୍ୟତମ ସୁଇସ୍ ମନୋବୈଜ୍ଞାନିକ ୟୁଙ୍ଗ୍ (C.G. Jung) କହନ୍ତି–ସ୍ଵପ୍ନ ଭିତର ଦେଇ ଆମେ ଏକ ଆଦିମ ସାମୁଦ୍ରିକ ଅବଚେତନ ରାଜ୍ୟକୁ ଚାଲିଯାଉ । ସେଠାରେ ଆମେ ସବୁ ଜାତି, ଧର୍ମ ଓ ପୁରାଣ କଳ୍ପନାର ପ୍ରତୀକମାନଙ୍କୁ ପ୍ରତ୍ୟକ୍ଷ କରୁ ଓ ସମାଜର ସାମୂହିକ ମୂଳ ଚେତନା ସଙ୍ଗେ ସଂଯୁକ୍ତ ହୋଇଯାଉ । ୟଙ୍ଗ୍‌ଙ୍କର ଏହି ସାମୂହିକ ଅବଚେତନାକୁ ଯୋଗୀମାନଙ୍କ ପ୍ରଦର୍ଶିତ ସୂକ୍ଷ୍ମ ଜଗତଗୁଡ଼ିକୁ ମିଳାଇ ଆହୁରି ଗମ୍ଭୀର ଭାବେ ପରୀକ୍ଷା କରାଯାଇପାରେ ।

 

ମୋଟ ଉପରେ ସ୍ଵପ୍ନ ପଛରେ ଯେତେ ଯାହା କାରଣ ଥାଉନା କାହିଁକି, ମନୁଷ୍ୟର ସୁସ୍ଥଭାବେ ବଞ୍ଚିବା ଲାଗି ସ୍ଵପ୍ନର ଆବଶ୍ୟକତାକୁ କେହି ଅସ୍ଵୀକାର କରିନାହାନ୍ତି । କେହି ଯଦି ନିଦ୍ରାବସ୍ଥାରେ ସ୍ଵପ୍ନ ନ ଦେଖି ପାରୁଛି–ତେବେ ସେ ନିଶ୍ଚୟ ଜାଗ୍ରତାବସ୍ଥାରେ ବାଟ ଚାଲୁ ଚାଲୁ ମଧ୍ୟ ସ୍ଵପ୍ନ ଦେଖୁଥିବ–କାହାଣୀ ବର୍ଣ୍ଣିତ ସେହି ତେଲ ବିକାଳୀ ବା ଅଣ୍ଡାବିକାଳୀଟି ଭଳି । ଆହୁରି ମଧ୍ୟ କୁହାଯାଇଛି ଯେ କେବେ କୌଣସି ପ୍ରକାର ସ୍ୱପ୍ନ ନ ଦେଖିବା ଖୁବ୍ ବେଶୀ ଭଲ ମାନସିକ ସ୍ୱାସ୍ଥ୍ୟର ପରିଚାୟକ ନୁହେଁ ।

 

ଏ କଥା ମଧ୍ୟ ଜଣା ପଡ଼ିଛି ସେ ସ୍ଵପ୍ନସବୁ ସୃଜନଶୀଳ ପ୍ରତିଭାକୁ କାର୍ଯ୍ୟକାରୀ ହେବାରେ ସାହାଯ୍ୟ କରନ୍ତି । ବହୁ ସାହିତ୍ୟିକ, କଳାବିତ୍, ସଙ୍ଗୀତଜ୍ଞ ଏପରିକି ବୈଜ୍ଞାନିକମାନଙ୍କର ଜୀବନେତିହାସ ପର୍ଯ୍ୟାଲୋଚନା କଲେ ଅନେକ ସ୍ଥଳରେ ଦେଖାଯାଏ ଯେ ଗୋଟିଏ ଗୋଟିଏ ସ୍ଵପ୍ନ ଭିତରୁହିଁ ସେମାନେ ସେମାନଙ୍କର ତତ୍ତ୍ଵ, ତଥ୍ୟ ବା ପ୍ରେରଣାର ଇଙ୍ଗିତ ପାଇଯାଇଛନ୍ତି ।

 

ଜଣେ ଆଧୁନିକ ରସିକ ମନୋବୈଜ୍ଞାନିକ ଶେଷରେ କହିବାର ଶୁଣାଯାଏ ଯେ–ଆମେ ସମସ୍ତେ ଏହି ସ୍ଵପ୍ନ ଯୋଗୁଁ ଅନ୍ତତଃ ପ୍ରତିରାତିରେ ସୁରୁଖୁରୁରେ ଓ ନିରାପଦରେ ପାଗଳ ହୋଇ ପାରୁଛୁ ଓ ସେଥିଲାଗି ଦିନରେ ଜାଗ୍ରତାବସ୍ଥାରେ ମୁଣ୍ଡ ଠିକ୍ ରଖି ଆତଯାତ ହୋଇ ପାରୁଛୁ ଓ କାର୍ଯ୍ୟକ୍ରମ କରିପାରୁଛୁ । ତା’ ମାନେ ଦିନରେ ସୁସ୍ଥ ମନଦେଇ କାର୍ଯ୍ୟ କରିବାପାଇଁ ରାତିର ସ୍ଵପ୍ନରେ ଆମର କିଛି ପାଗଳାମୀ ନିତାନ୍ତ ଆବଶ୍ୟକ । ନା କ’ଣ ?

 

ଶେଷରେ ଆମେ ଏ ପ୍ରବନ୍ଧଟିର ମୂଳ ଅବତରଣିକାକୁ ଫେରିଆସୁ । ସତରେ କ’ଣ ଗୋଟିଏ ବ୍ୟକ୍ତି ବା ଜାତିର ‘ସ୍ଵପ୍ନ’ ଉପରେ ସେ ବ୍ୟକ୍ତି ବା ଜାତିର ବୈଶିଷ୍ଟ୍ୟ ଏତେ ନିର୍ଭର କରୁଛି ? ଏହାର ଉତ୍ତର–‘ହଁ’–ନିଶ୍ଚିତ ଭାବରେ–‘ହଁ’ । କିନ୍ତୁ ଏଠି ‘ସ୍ଵପ୍ନ’ ଶବ୍ଦକୁ ଆହୁରି ବ୍ୟାପକ ଓ ଗଭୀର ଅର୍ଥରେ ବୁଝିବାକୁ ପଡ଼ିବ । ‘ସ୍ଵପ୍ନ’ ଏଠି ଏକ ଜୀବନ୍ତ ଆଦର୍ଶ । କ୍ରମବିକାଶ ପଥରେ ଆଗେଇ ଯିବା ଲାଗି ଏକ ଜୀବନ୍ତ ଲକ୍ଷ୍ୟ । ଆମେ କଅଣ ସ୍ଵପ୍ନ, ଦେଖୁଛୁ ? ମାନେ, ଆମର ଜୀବନ୍ତ ଲକ୍ଷ୍ୟ ବା ଆଦର୍ଶଟି କ’ଣ ? କାହା ପଛରେ ଆମେ ଧାଇଁଛୁ ? ବା ଧାଇଁବୁ ? ଆମର ଆନ୍ତରିକ ଅଭିଳାଷଟି କ’ଣ ? ଆମର ମନ ଭିତରେ ଗୋପନ ଇଚ୍ଛାଟି କ’ଣ ? କ’ଣ ପାଇବା ଲାଗି ଆମେ ସଂକଳ୍ପ କରିବା ? କ’ଣ ଅର୍ଜ୍ଜନ କରିବା ଲାଗି ଆମେ ଅକ୍ଳାନ୍ତ ଉଦ୍ୟମ କରିବା ? ସେହି ଅନଧିଗତ ବିଷୟଟି ଅଥଚ ସେହି ପ୍ରାପଣୀୟ ବିଷୟଟି ହିଁ ଆମର ସ୍ଵପ୍ନ । ଆମ ଜୀବନର ଏହି ସ୍ଵପ୍ନଟିହିଁ ଆମ ଜୀବନର ମୂଲ୍ୟାୟନ କରେ ଓ ବଞ୍ଚିବାଲାଗି ଏକ ସଫଳ ପ୍ରେରଣା ଦିଏ ।

 

ମନୁଷ୍ୟ ଯୁଗ ଯୁଗ ଧରି ଏକ ମହତ୍ତର ଜୀବନର, ଏକ ସୁଖତର ଜୀବନର ସ୍ଵପ୍ନ ଦେଖି ଆସିଛି ଓ ତାକୁ ସଫଳ କରିବାପାଇଁ ଲାଗି ପଡ଼ିଛି । ବ୍ୟକ୍ତି ଜୀବନରେ ଓ ସମାଜ ଜୀବନରେ ଏହି ଭଳି ଏକ ବିଶେଷ ସ୍ଵପ୍ନ ନଥିଲେ ସେ ବ୍ୟକ୍ତି ଓ ସେ ସମାଜର ସ୍ଥିତି ବୃଥା । ଏଭଳି ସ୍ଵପ୍ନ ଲାଗିଥିବା ଲୋକର ସ୍ଵପ୍ନଭଙ୍ଗ ହୁଏନାହିଁ । ଯେଉଁମାନେ “ସ୍ଵପ୍ନଭଙ୍ଗ” “ସ୍ଵପ୍ନଭଙ୍ଗ” ବୋଲି ଚିତ୍କାର ଛାଡ଼ନ୍ତି, ସେମାନେ ନୈରାଶ୍ୟବାଦୀ ଓ ଅନାସ୍ଥାବାଦୀ । ସ୍ଵପ୍ନ ଦେଖି ଓ ତା ପିଛା ଧାଇଁ ଧାଇଁ ମରିବାଠାରୁ ମୂଲ୍ୟବାନ ମୃତ୍ୟୁ ଅଭିଜ୍ଞତା ଆଉ ନଥାଇପାରେ ।

Image

 

ଗଛ, ଗଛ....ବହୁତ ଗଛ

 

ପଚିଶି ବର୍ଷର ଭେଣ୍ଡିଆ ପୁଅ, ଏକୋଇରବଳା ବିଶିକେଶନ ବିଦେଶକୁ ବାହାରିଲାବେଳେ ତା’ର ବିଧବା ମାଆକୁ ବିଦାୟକାଳୀନ ଶେଷ କଥାଟି କହିଲା–

 

“ମାଆଲୋ ! ସାତ ସମୁଦ୍ର ତେର ନଈ, ଛପନ ପାହାଡ଼, ତେପନ ବଣ ପାରି ହୋଇ ମୁଁ ବିଦେଶକୁ ଯାଉଛି–ନାନା ନଗର ଜନପଦ ଭ୍ରମଣ କରିବି–ନାନା ସୂତ୍ରରେ ଧନ ରତ୍ନ ସଂଗ୍ରହ କରି ବର୍ଷ ତିନିଟାରେ ପୁଣି ଫେରି ଆସିବି ତୋର ସ୍ନେହମୟ କୋଳକୁ । ତୁ କିଛି ଭାବିତ ହେବୁନାହିଁ ମୋ ପାଇଁ–ମୋର ଦେହ ମୁଣ୍ଡ ବିପଦ ଆପଦ ରିଷ୍ଟ ଅରିଷ୍ଟକୁ ପ୍ରଭୁ ଜଗନ୍ନାଥେ ଅଛନ୍ତି । ଅଗଣାରେ ଆପଣା ହାତରେ ଲଗେଇ ଦେଇଛି ଏଇ ଯେଉଁ ଚମ୍ପା ଗଛଟି–ଯାହା ମୂଳରେ ମୁଁ ସବୁ ଦିନେ ଗାଧୋଇ ସାରି ଆସି ପାତାଳେଶ୍ଵର ମହାଦେବଙ୍କ ପାଦୁକ ପାଣି ଢାଳେ, ଯାହା ଦେହରେ ଦେଖୁଛୁ ବର୍ଷକ ବାରମାସ ସୁନା ରଙ୍ଗର ଚମ୍ପାଫୁଲ ଛାଇ ହୋଇ ରହଛି; ସେଇ ଚମ୍ପାଗଛରୁ ପ୍ରତିଦିନ ସାତୋଟି ଚମ୍ପାଫୁଲ ତୋଳି ପାତାଳେଶ୍ଵର ମହାଦେବଙ୍କ ଶିରରେ ଚଢ଼େଇବୁ । ମୋର କିଛି ଅନିଷ୍ଟ ହେବନାହିଁ । ମୁଁ ତ କୁଆଡ଼େ କୁଆଡ଼େ କୋଉ ଗହନ ମୁଲକମାନଙ୍କରେ ବୁଲିବି । ତୋ’ ପାଖକୁ ସବୁଦିନେ ବାତେନୀ ଦେବା ସମ୍ଭବ ହେବ ନାହିଁ । ତେବେ ଏଇ ଚମ୍ପା ଗଛକୁ ସବୁଦିନେ ସେବା କରୁଥିବୁ–ତା’ଉପରେ ନିଘା ରଖିଥିବୁ । ଯୋଉଦିନ ଦେଖିବୁ ଏ ଗଛର କୋଉ ଡାଳରେ ପତ୍ରମାନେ ଝାଉଁଳି ପଡ଼ିଥିବେ–ସେଦିନ ବୁଝିବୁ ଯେ ମୋ ଉପରେ କିଛି ବିପଦ ପଡ଼ିଛି । ସେଦିନ ପାତାଳେଶ୍ଵର ମହାଦେବଙ୍କ ପାଖେ ସାତୋଟି ଘିଅ ଦୀପ ଜାଳିବୁ । ସାତୋଟି ନଡ଼ିଆ ଭାଙ୍ଗିବୁ । ସେଇ ପ୍ରସାଦୀ ଜଳ ଆଣି ଚମ୍ପା ଗଛମୂଳେ ଢାଳିବୁ । ଏ ଗଛର ପତ୍ର ସବୁ ପୁଣି ତାଜା ହୋଇ ଉଠିବେ । ଆଉ ସେଣେ ମୋର ବିପଦ ଆପଦ ବି କଟିଯିବ । ଆଉ, ଶୁଣ ମା ! ଯଦି କୋଉଦିନ ଦେଖିବୁ ଆମ କର୍ମ ବିପାକକୁ ଏ ଗଛଟି ମରିଯାଏ, ତେବେ ଜାଣିବୁ ଯେ ତୋ’ ପୁଅ ଆଉ ଏ ଇହଧାମରେ ନାହିଁ-।”

 

ଆଈମା’ କାହାଣୀରେ ପିଲାଦିନେ ଏ କଥା ଆମେ ଶୁଣିଥିଲେଇଁ । ଏ ଗପଟି ଆହୁରି ବହୁ ବାଟ ଯାଏ ଲମ୍ବିଥାଏ । ସତକୁସତ ଚମ୍ପା ଗଛଟି ମଧ୍ୟ ଗଳ୍ପ ମଝିରେ ଦୁଇ ଦୁଇଥର ଝାଉଁଳିଯାଇ ଥିଲା ଏବଂ ଦୁଇଥର ଜାକ ବିଦେଶରେ ସେହି ବିଧବାଟିର ଏକୋଇରବଳା ବିଶିକେଶନ ପୁଅଟି ସାଂଘାତିକ ବିପଦରେ ପଡ଼ିଥିଲା, ଏବଂ ପାତାଳେଶ୍ଵର ମହାଦେବଙ୍କ କୃପାରୁ, ଶ୍ରୀଜଗନ୍ନାଥଙ୍କ କରୁଣାରୁ ସେହି ଭୟଙ୍କର ବିପଦରୁ ସେ ମଧ୍ୟ ରକ୍ଷା ପାଇଯାଇଥିଲା । ଆଈମା’ ଗପରେ ଗଛବୃଛଙ୍କୁ ନେଇ ଏମିତି ବଡ଼ ଘଟଣା ଅଛି । ସେଇ ଯେଉଁ ପିଲାଟି ପଛରେ ଅସୁରୁଣୀ ବୁଢ଼ୀ ଗୋଡ଼ାଇଥିଲା ଓ ସେ ଦଉଡ଼ି ଦଉଡ଼ି ଯାଇ ଆକାଶଛୁଆଁ ଡେଙ୍ଗା ନଡ଼ିଆ ଗଛଟିକୁ କୁଣ୍ଢାଇ ଧରି କହିଲା–ହେ ବୃକ୍ଷ ମହାତ୍ମା ! ତୁମେ ଯଦି ସତକୁ ସତ ସତ୍ୟଯୁଗର ଗଛ ହୋଇଥିବ, ତେବେ ତଳକୁ ନଇଁ ଆସିବ, ମୁଁ ତୁମ ଉପରକୁ ଉଠିଯାଇ ସେଠି ଲୁଚି ଯିବି । ମୋ ପଛରେ ଅସୁରୁଣୀ ବୁଢ଼ୀ ଗୋଡ଼େଇଛି ମତେ ଖାଇବ ବୋଲି । ଆଉ, ମତେ ଗଛଚଢ଼ା ଆସେନାହିଁ । ସତକୁ ସତ ନଡ଼ିଆ ଗଛଟି ପିଲାଟିର ବିପଦରେ ସହାନୁଭୂତି ଦେଖାଇ ତଳକୁ ନଇଁ ଆସିଥିଲା ଓ ପିଲାଟି ତା’ଉପରେ ଉଠି ବାଉଁଗା ସନ୍ଧିରେ ଲୁଚି ବାଳକ ମାଂସ ଲୋଭୀ ଧାବମାନା ଅସୁରୁଣୀ ବୁଢ଼ୀ କବଳରୁ ରକ୍ଷା ପାଇଥିଲା ।

 

ଆପଣଙ୍କର ମନେଥିବ ସେହି ଅବୁଝାମଣା ରଜା କଥା–ଆଉ ମାମୁଁ ଘର କୁରାଢ଼ୀ କଥା-। ସେହି ଅବୁଝାମଣା ଦେଶର ବଦ୍‌ଖେୟାଲୀ ରାଜାର ବରାଦ ଅନୁଯାୟୀ ଗୋଟିଏ ଛୋଟ ଆମ୍ବଗଛ କିପରି ଅଦିନରେ ବଉଳ ହୋଇ ଆମ୍ବ ଫଳେଇଲା ଓ ପଚେଇଲା–ସେ କଥା ମଧ୍ୟ ଆପଣମାନଙ୍କର ବେଶ୍ ସ୍ମରଣ ଥିବ । ଯେଉଁ ନିରୀହ ଅଥଚ ପ୍ରଜ୍ଞାବାନ୍ ସାଧୁ ପ୍ରଜାଟି ଉପରେ ଏପରି ଅହେତୁକ ଆଦେଶ ହେଲା–ସେ ତା’ର ମୁଣ୍ଡଟି ନିଶ୍ଚୟ ତତ୍‌ପର ଦିନ ହରାଇ ଥାନ୍ତା । ମାତ୍ର ତା’ର ସତ୍ୟବ୍ରତ ହୃଦୟବାନ ବାଳକ ପୁତ୍ରଟି ତାକୁ ରକ୍ଷା କଲା । ବାଳକଟି ରାତିରେ ସେଇ ଛୋଟ ଆମ୍ବ ଗଛଟି ପାଖକୁ ଯାଇ ହୃଦୟର ସମସ୍ତ ଆବେଗ ଓ ବିଶ୍ଵାସ ସହିତ ଗଛଟିକୁ କୁଣ୍ଢାଇ ଧରି ଅନୁନୟ କରି କହିଲା–ହେ ଆମ୍ବବୃକ୍ଷ ! ମୁଁ ଜାଣେ ତୁମର ବଉଳିବା ସମୟ ଏହା ନୁହେଁ । ବର୍ତ୍ତମାନ ଆଷାଢ଼ ମାସ । ତଥାଶ୍ଚ ଏହି ଅବୁଝାମଣା ପ୍ରଜାପୀଡ଼କ ରାଜା ମୋର ସାଧୁ ଚରିତ୍ର ନିରୀହ ବାପାଙ୍କୁ ଏହି ଅସମ୍ଭବ ଆଦେଶ ଦେଇଅଛି ଯେ–କାଲି ସକାଳୁ ତୁମ ଦେହରେ ବଉଳ, କଞ୍ଚା ଆମ୍ବ ଓ ପାଚିଲା ଆମ୍ବ ଏକତ୍ର ଫଳିଥିବାର ସେ ଯଦି ରାଜାଙ୍କୁ ନ ଦେଖେଇ ପାରିବେ, ତେବେ ମୋ ବାପାଙ୍କର ମୁଣ୍ଡକାଟ ହେବ । ଦେଖ ! ଆମ୍ଭେମାନେ ଖୁବ୍ ଦରିଦ୍ର ଓ ସତ୍ୟ ପଥରେ ଜୀବନ ବଞ୍ଚୁ । ତୁମେ ଯଦି ସତକୁ ସତ ସତ୍ୟଯୁଗର ଆମ୍ବ ବୃକ୍ଷ ହୋଇଥାଅ–ତେବେ ନିଶ୍ଚୟ ଏହି ଅସମ୍ଭବକୁ ସମ୍ଭବ କରିବ । ନଚେତ ମୋ ବାପାଙ୍କର ଶିରଚ୍ଛେଦ ହେବା ସଙ୍ଗେ ସଙ୍ଗେ ମୁଁ ମୋର ମାମୁଁ ଘରୁ କୁରାଢ଼ୀଟି ଆଣି ତୁମକୁ ସମୂଳେ ଛେଦନ କରିବି–କରିବି–କରିବି । ଏହା ମୋର ତ୍ରିବାର ସତ୍ୟ–ତ୍ରିବାର ପ୍ରତିଜ୍ଞା ।

 

କହିବା ବାହୁଲ୍ୟ–ସେହି ଆଷାଢ଼ ମାସରେହିଁ ତତ୍‍ପରଦିନ ସକାଳୁ ସେହି ଛୋଟ ଆମ୍ବ ଗଛଟିରେ ଏକାଥରକେ ବଉଳ ସହିତ କଞ୍ଚା ଓ ପାକଲା ଆମ୍ବ ଫଳିଥିବାର ଅବୁଝାମଣା ଦେଶର ସେହି ଖିଆଲୀ ନୃଶଂସ ରାଜା, ତାଙ୍କର ପାଳବିଣ୍ଡା ମନ୍ତ୍ରୀ ଓ ପାରିଷଦମାନଙ୍କ ସହ ଦେଖି ଚମତ୍‍କୃତ ହୋଇଥିଲେ ।

 

ଏ ସବୁ ସେଦିନର ଆଈ ମା’ ଗଳ୍ପର କଥା । ମାତ୍ର ଗଛବୃଛମାନେ ସତକୁ ସତ, କେତେ ସମ୍ବେଦନଶୀଳ ଓ ମନୁଷ୍ୟାଦି ପ୍ରାଣୀମାନଙ୍କ ସଙ୍ଗେ ସେମାନଙ୍କର ସମ୍ପର୍କ କେତେ ଘନିଷ୍ଠ ଆଉ ଗଭୀର, ସେ କଥା ଆଜି ବୈଜ୍ଞାନିକମାନେ ପ୍ରମାଣ କରି ଦେଖେଇ ଦେଲେଣି । ବିଶ୍ଵବିଖ୍ୟାତ ବୈଜ୍ଞାନିକ ସ୍ଵର୍ଗତ ଆଚାର୍ଯ୍ୟ ଜଗଦୀଶ ବୋଷ ପ୍ରଥମ କରି ବୃକ୍ଷଲତାମାନଙ୍କର ଅଦ୍‍ଭୂତ ଅନୁଭବ ଶକ୍ତିର କଥା ଜଗତ ଆଗରେ ସପ୍ରମାଣ ପ୍ରଦର୍ଶନ କରିଥିଲେ ଏବଂ ଆଜି ବୃକ୍ଷ ଲତାଙ୍କର ବୋଧଶକ୍ତି ଓ ପ୍ରତିକ୍ରିୟା ସମ୍ବନ୍ଧେ ବର୍ତ୍ତମାନର ବୈଜ୍ଞାନିକଗଣ ବହୁତ୍‍ ଆବିଷ୍କାର କଲେଣି । ଆପଣ ଯଦି ଗୋଟିଏ ଗଛକୁ ହାଣିବା ଲାଗି କୁରାଢ଼ୀ ବା କଟୁରୀ ଉଞ୍ଚାନ୍ତି–ତେବେ ସେ ବୃକ୍ଷଟି ଠିକ୍ ମନୁଷ୍ୟାଦି ପ୍ରାଣୀଙ୍କ ଭଳି ଭୟରେ ସଂକୁଚି ଯାଉଛି । ଶହେ ମାଇଲ ଦୂରରେ ଯଦି ଗୃହକର୍ତ୍ତାଙ୍କ ପ୍ରତି କେହି ହିଂସା ଆଚରଣ କରେ ବା ସେ କିଛି ଦୁର୍ଘଟଣାର ସମ୍ମୁଖୀନ ହେଉଥାନ୍ତି–ତେବେ ତାଙ୍କ ଅଗଣାରେ ଲାଗିଥିବା ତାଙ୍କର ଅତିପ୍ରିୟ ଫଳ ଗଛଟି ବା କ୍ରୋଟନ୍ ଗଛଟି ଦେହରେ ତା’ର କମ୍ପନ ଜନିତ ପ୍ରତିକ୍ରିୟା ଦେଖା ଯାଉଛି । ଗଛମାନଙ୍କୁ ଗେଲ ଆଦର ବା ସୁଆଗ କଲେ, ସେମାନଙ୍କୁ ଆନ୍ତରିକଭାବେ ପ୍ରଶଂସା କଲେ ବା କୃତଜ୍ଞତା ଜଣାଇଲେ, ସେମାନଙ୍କ ଆଗରେ ମଧୁର ସଙ୍ଗୀତ ଗାନ କଲେ, ସେମାନେ ପୁଷ୍ପବତୀ ବା ଫଳବତୀ ହେଉଛନ୍ତି । କେତେକ ବୃକ୍ଷ ଅଛନ୍ତି, ଯେଉଁମାନେ ମେଘକୁ ଡାକି ଆଣନ୍ତି । କେତେକ ଗଛ ଅଛନ୍ତି, ଯେଉଁମାନେ ତୁଷାରକୁ ଡାକି ଆଣନ୍ତି । ସେହି ସେହି ଗଛ ଯଦି ବହୁ ପରିମାଣରେ ଗୋଟିଏ ସ୍ଥାନରେ ଲଗାଯାଏ, ତେବେ ସେମାନଙ୍କର ଆକର୍ଷଣ ଫଳରେ ବା ଆହ୍ଵାନ ଫଳରେ ବର୍ଷା ବା ତୁଷାର ନିଶ୍ଚୟ ସେ ଜାଗାରେ ଉପସ୍ଥିତ ହେବ । ଏମିତି ଏମିତି ଆହୁରି ବହୁ ଅଭିନବ ଆଶ୍ଚର୍ଯ୍ୟ କଥା ଗଛମାନଙ୍କ ସ୍ଵଭାବ ଓ କ୍ରିୟା ସମ୍ବନ୍ଧେ ବୈଜ୍ଞାନିକମାନେ ଆବିଷ୍କାର କଲେଣି ।

 

ଆମ ଦେଶରେ ମଧ୍ୟ ଆମର ଧର୍ମ ଶାସ୍ତ୍ରରେ ଗଛମାନଙ୍କର ବହୁ ପ୍ରଶସ୍ତିଗାନ କରାଯାଇଛି । ବେଲ, ନିମ୍ବ, ବର, ଅଶ୍ଵତ୍‌ଥ, ବରକୋଳି, କରଞ୍ଜ ଓ ବରୁଣ ଗଛ ଆଦି ବୃକ୍ଷମାନ ପ୍ରତି ଗ୍ରାମରେ ରହିବା ଉଚିତ ବୋଲି ଶାସ୍ତ୍ର ବିଧାନ ଦେଇଛି । ତା’ଛଡ଼ା ନଡ଼ିଆ, ତାଳ, ପଣସ, ତେନ୍ତୁଳି ଆଦିର ତୋଟା ମଧ୍ୟ ସବୁ ଗ୍ରାମରେ ରହିବା ଆବଶ୍ୟକ ଓ ଏ ସବୁ ଗଛ ନଥିଲେ ସେ ଗ୍ରାମ ରହିବା ଉପଯୋଗୀ ନୁହେଁ ବୋଲି ମଧ୍ୟ ଆମର ପରମ୍ପରାରେ ଚଳି ଆସିଛି । ଗଛ ବୃକ୍ଷଙ୍କୁ କେବଳ ଉପଯୋଗୀ ଦୃଷ୍ଟିରୁ ବିଚାର ନ କରି ସେମାନଙ୍କର ଉପକାର ପ୍ରତି ଆମ ଅନ୍ତରରେ ଯେପରି କୃତଜ୍ଞତା ଓ ସମ୍ଭ୍ରମ ଭାବ ରହେ, ସେଥିଲାଗି ଆମର ସଂହିତା ଓ ପୁରାଣମାନଙ୍କରେ ଖୁବ୍ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଗଛରୁ ଦାନ୍ତକାଠି ଲାଗି ଡାଳଟିଏ କାଟିବା ପୂର୍ବରୁ ସେହି ବୃକ୍ଷ ପାଖେ ପ୍ରାର୍ଥନା କରି ଓ ଅନୁମତି ନେଇ କାଟିବା ଲାଗି ସ୍ଵତନ୍ତ୍ର ମନ୍ତ୍ର ମଧ୍ୟ ରହିଛି । ସେହି ମନ୍ତ୍ରକୁ ନିଷ୍ଠାର ସହିତ ନମ୍ରଭାବେ ଉଚ୍ଚାରଣ ନକରି ଦାନ୍ତକାଠି ପରିମିତ ଡାଳଟିଏ କାଟିଲେ ମଧ୍ୟ ତାହା ଦୋଷାବହ ବୋଲି ଗଣ୍ୟ କରାଯିବ । ବୃକ୍ଷ ମଧ୍ୟରେ ଦାରୁବ୍ରହ୍ମ ବିଦ୍ୟମାନ ଏବଂ ଆମ ଜୀବନ ଉପରେ ବୃକ୍ଷ ଲତାଙ୍କର ପ୍ରଭାବ ଯେପରି ସ୍ଵାସ୍ଥ୍ୟକର, ସେହିପରି ଅନୁଭୂତିମୟ ଓ ପବିତ୍ର । ସେଥିଲାଗି ପ୍ରତ୍ୟେକ ବ୍ୟକ୍ତି ତା’ ଜୀବନରେ ଅନ୍ତତଃ ପାଞ୍ଚଟି ଗଛ ନ ଲଗାଇଲେ ସେ ବୃକ୍ଷମାନଙ୍କର ଅଭିଶାପରେ ଭାଗୀ ହେବ ବୋଲି ଆମର ଏକ ଲୋକ ପ୍ରଚଳର ବିଶ୍ଵାସ ଅଛି । କାରଣ ପ୍ରତ୍ୟେକ ବ୍ୟକ୍ତି ତା’ର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁ ବୃକ୍ଷର କାଠ ନାନାଦିଭାବେ ବ୍ୟବହାର କରି ବଞ୍ଚିଥାଏ । ବୃକ୍ଷମାନଙ୍କର ସେହି ଋଣ ଆମକୁ ନିଶ୍ଚିତ ଭାବେ ପରିଶୋଧ କରିବାକୁ ହେବ । ଜୀବନଜାକ ଆଦୌ ଗଛଟିଏ ନଲଗାଇ, କେବଳ ଗଛମାନଙ୍କୁ କାଟି ଚାଲିଥିବା ଲୋକର ବଂଶ ବୁଡ଼ିଯାଏ ବୋଲି ଆମର ଗୋଟିଏ ପାରମ୍ପରିକ ବିଶ୍ଵାସ ରହିଛି ।

 

ଆପଣ ଯଦି କେବେ ଗ୍ରୀଷ୍ମକାଳରେ ନିୟୁର୍କ କିମ୍ବା ଓ୍ୱାସିଙ୍ଗଟନରେ ରହିବାର ସୌଭାଗ୍ୟ ଲାଭ କରିଥାନ୍ତି–ତେବେ ଆପଣଙ୍କୁ ସେ ଦେଶରେ ପ୍ରତ୍ୟେକ ଦିନ ପ୍ରକାଶ ପାଉଥିବା ବାୟୁର ଗୁଣାତ୍ମକ ମାନ ସମ୍ପର୍କରେ ନିଶ୍ଚୟ ଜାଣି ରଖିବାକୁ ହେବ । ଯଦି କୋଉଦିନ ବାହାରେ ବାୟୁର ଗୁଣାତ୍ମକ ମାନ କ୍ରମଶଃ ହ୍ରାସପାଇ ବିପଦ ସଙ୍କେତ ସୀମାକୁ ଛୁଇଁଯାଏ–ତେବେ ସେଦିନ ଆପଣଙ୍କୁ ଘରେ ଅଟକି ରହିବାକୁ ପଡ଼ିବ । ସେ ସବୁ ନଗରମାନଙ୍କରେ ନଭଶ୍ଚୁମ୍ବୀ ଅଟ୍ଟାଳିକାଗୁଡ଼ିକ ମଥାଟେକି ଠିଆ ହୋଇଛନ୍ତି–ମାତ୍ର ସତେଜ ବାୟୁ ସଞ୍ଚାଳନ ଲାଗି ଗଛଟିଏ ବା ଲତାଟିଏ ଦେଖିବାକୁ ମିଳେ ନାହିଁ । ଅସଲ କଥା ହେଉଛି–ସେ ସବୁ ସ୍ଥାନରେ ଅତ୍ୟଧିକ ଯାନବାହନ ଚଳାଚଳ ହେତୁ ଓ ପାରିବେଶିକ (ecological) ଅସଂଗତି ହେତୁ ବାୟୁମଣ୍ଡଳ ଅଧିକାଂଶ ସମୟରେ ଦୂଷିତ ହୋଇଯାଏ ।

 

ଆମ ଦେଶରେ କଲିକତା କିମ୍ବା ବମ୍ବେ ପ୍ରଭୃତି ନଗରର ଅଧିବାସୀମାନେ ବାୟୁଜନିତ ଏପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହିଁ । କାରଣ ଏହି ନଗରଗୁଡ଼ିକରେ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କରାଯିବା ସଙ୍ଗେ ସଙ୍ଗେ ବୃକ୍ଷଲତାବହୁଳ ସାଧାରଣ ପାର୍କମାନ ଏବେ ମଧ୍ୟ ରହିଛି । ଏତଦ୍‌ବ୍ୟତୀତ ସେଠାକାର ଅଧିବାସୀମାନେ ନିଜ ନିଜର ଫୁଲ ଫଳ ବଗିଚା ମଧ୍ୟ ଆପଣା ଘର ପାଖେ କରିଥାନ୍ତି । କିନ୍ତୁ ସହରମାନଙ୍କରେ ଜନସଂଖ୍ୟା କ୍ରମଶଃ ବୃଦ୍ଧି ପାଇବା ଫଳରେ ଏବେ ପାର୍କ କିମ୍ବା ଫଳ ବଗିଚା କରିବା ନିମନ୍ତେ ଜାଗାର ଅଭାବ ପଡ଼ୁଛି । ଆମ ସହରମାନଙ୍କରେ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ବଡ଼ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏପରି କି, ବଡ଼ ବଡ଼ ଉଦ୍ୟାନବେଷ୍ଟିତ ବାସଗୃହ ବଦଳରେ ଉପରକୁ ଉପରକୁ ମହଲା ମହଲା ସୌଧମାନ ଗଢ଼ା ଚାଲିଛି । ପୁଣି ନୂତନ ଶିଳ୍ପାଞ୍ଚଳ ଗଢ଼ି ଉଠୁଥିବା ସ୍ଥାନମାନଙ୍କରେ ସମାନ୍ତର ଭାବେ ନୂଆ ନୂଆ ସହରମାନ ପାଖେ ପାଖେ ଗଢ଼ି ଉଠୁଛି । ସେସବୁ ସ୍ଥାନମାନଙ୍କୁ ସରକାର ବିଜୁଳୀ ଶକ୍ତି ଓ ପାନୀୟ ଜଳ ଯୋଗାଇ ଦେଉଛନ୍ତି ଓ ଜନସ୍ଵାସ୍ଥ୍ୟ ସମ୍ପର୍କୀୟ ସମସ୍ୟାଗୁଡ଼ିକୁ ମଧ୍ୟ ଯତ୍ନର ସହ ସମାଧାନ କରୁଛନ୍ତି । ଏସବୁ ସହରମାନଙ୍କରେ ସ୍ଵଳ୍ପ ବ୍ୟୟରେ ସୁନ୍ଦର ସୁନ୍ଦର ବାସଗୃହ ନିର୍ମାଣ କରିବା ନିମନ୍ତେ ସରକାର ଖୁବ୍ ତତ୍ପର ଅଛନ୍ତି । ମାତ୍ର ବାସଗୃହ ପାର୍ଶ୍ଵରେ ଚଳପ୍ରଚଳ ହେବା ନିମନ୍ତେ ଆବଶ୍ୟକୀୟ ଖାଲିସ୍ଥାନ ଛାଡ଼ି ରଖିବାପାଇଁ ବିହିତ ଦୃଷ୍ଟି ଦିଆଯାଉଥିବା ପରି ମନେ ହୁଏ ନାହିଁ । ଏପରିକି ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ, ସାଧାରଣ ପାର୍କ ଓ ଫୁଲ ଫଳ ବଗିଚା ପ୍ରସ୍ତୁତ କରିବା ନିମନ୍ତେ ବିଶେଷ ଭାବେ ସଚେତନ ଦୃଷ୍ଟି ଦିଆଯାଉ ନାହିଁ । ତେଣୁ ଫଳଫୁଲର ଅଯତ୍ନ ବର୍ଦ୍ଧିତ ବଗିଚାଟିଏ କାଁ ଭାଁ ଏଠି ସେଠି ହୁଏତ ଆଖିରେ ପଡ଼ୁଛି ।

 

ସ୍ଵାଧୀନତା ପାଇବା ପରେ ଆମ ଦେଶରେ ଚଣ୍ଡୀଗଡ଼ ଓ ଭୁବନେଶ୍ୱର–ଏ ଦୁଇଟି ନୂତନ ସହରର ନିର୍ମାଣ ହାତକୁ ନିଆ ଯାଇଥିଲା । ଚଣ୍ଡୀଗଡ଼ ସହରର ନିର୍ମାଣ କ୍ଷେତ୍ରରେ ବହୁ ଇଞ୍ଜିନିୟର, କାରିଗର ତଥା କଳାକାରମାନଙ୍କର ବିଶେଷ ଅବଦାନ ରହିଅଛି । କିନ୍ତୁ ଲି. କରବ୍ୟୁସରଙ୍କ ଭଳି ବିଖ୍ୟାତ ସ୍ଥାପତ୍ୟ-ଇଞ୍ଜିନିୟରଙ୍କ ଉତ୍ତମ ତଥା ସୁଚିନ୍ତିତ ଯୋଜନା ଫଳରେ ଚଣ୍ଡୀଗଡ଼ ସମଗ୍ର ପୃଥିବୀରେ କଳା ଓ ସ୍ଥାପତ୍ୟବିଦ୍ୟା ତଥା ନଗରନିର୍ମାଣ ବିଦ୍ୟାର ଛାତ୍ରମାନଙ୍କ ନିମନ୍ତେ ଏକ ଦର୍ଶନୀୟ ସ୍ଥାନରୂପେ ପରିଗଣିତ ହୋଇଛି । ଚଣ୍ଡୀଗଡ଼ ସହର ଏକ ସୁସଙ୍ଗଠିତ ସହରରୂପେ ବିଶେଷ ଖ୍ୟାତି ଲାଭ କରୁଅଛି । ଉକ୍ତ ସହରର ଆଭ୍ୟନ୍ତରୀଣ ତଥା ବାହ୍ୟ ଅଞ୍ଚଳ, କୋଠାବାଡ଼ି ଗଢ଼ି ଉଠୁଥିବା ଅଞ୍ଚଳ ଏବଂ ସମତଳ ଅଞ୍ଚଳ ଏ ସବୁକୁ ଗୋଟିଏ ଇଉନିଟ୍ ଭାବେ ଯୋଜନା କରାଯାଇ ଏକ ସଙ୍ଗରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୧୯୪୮ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓଡ଼ିଶାର ନୂତନ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେହି ପରିପ୍ରେକ୍ଷୀରେ ଭାରତର ତତ୍‌କାଳୀନ ସ୍ଵରାଷ୍ଟ୍ରମନ୍ତ୍ରୀ ଡକ୍ଟର କାଟ୍‌ଜୁ ମତ ପ୍ରକାଶକରି କହିଥିଲେ–

 

“ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଏକ ମହାନ ତଥା ସୌନ୍ଦର୍ଯ୍ୟମୟୀ ନଗରୀରେ ପରିଣତ ହେବ । ଏକ ପର୍ବତ ଅବା ମାଳଭୂମି ଉପରେ ଏହି ନୂତନ ଭୁବନେଶ୍ଵର ସହରକୁ ନିର୍ମାଣ କରାଯାଉଛି ଏବଂ ଏହାର ଚତୁପାର୍ଶ୍ଵରେ ମାଇଲ ମାଇଲ ବ୍ୟାପି ବହୁ ସଂଖ୍ୟକ ଗାଁ ଗଣ୍ଡା ଘେରି ରହିଛି । ଏହାଛଡ଼ା ଉକ୍ତ ସହରଟି ଘଞ୍ଚ ଅରଣ୍ୟ ବୃକ୍ଷଲତାରେ ଆବୃତ । ଏପରି ଏକ ସମ୍ଭାବନା ଯେତେବେଳେ ସଫଳ ହେବ–ତାହା ଯେ କେବଳ ନୟନପ୍ରୀତିକର ହେବ ତା’ ନୁହେଁ ଏହା ମଧ୍ୟ ମନୁଷ୍ୟର ମନ ଓ କଳ୍ପନାକୁ ପ୍ରସାରିତ କରିବାରେ ସାହାଯ୍ୟ କରିବ ।

 

କିନ୍ତୁ ହାୟ ! ଚଣ୍ଡୀଗଡ଼କୁ ଭାରତର ପାରିସ୍ ସହର କୁହାଯାଉଥିବା ସ୍ଥଳେ ଭୁବନେଶ୍ଵର ଅଦ୍ୟାବଧି ଏକ ନଗର ଭାବେ ମଧ୍ୟ ସୁପରିଗଣିତ ହୋଇ ପାରିନାହିଁ । ଭୁବନେଶ୍ୱରର ଅଧିବାସୀମାନେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଧନୀକ ସମ୍ପ୍ରଦାୟଙ୍କ ଖିଆଲି ବିଳାସର ବିଷୟ ବୋଲି ଭାବିଥାନ୍ତି । ବିଗତ ଅଠେଇଶି ବର୍ଷ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷଲତା ପ୍ରେମୀ ପ୍ରଶାସକମାନଙ୍କ ଦ୍ଵାରା ରୋପିତ ବୃକ୍ଷଗୁଡ଼ିକୁ ସୁରକ୍ଷା କରିବା ନିମନ୍ତେ କୌଣସି ବିଧିବଦ୍ଧ ଉଦ୍ୟମ ଗ୍ରହଣ କରାଯାଇ ନାହିଁ । ଜାଳେଣୀ ଉଦ୍ଦେଶ୍ୟରେ ରାସ୍ତା ପାର୍ଶ୍ଵସ୍ଥ ଗଛଗୁଡ଼ିକରୁ ପ୍ରତିଦିନ ଡାଳ କଟାହେବାରେ ଲାଗିଛି । ସହରର ଯେଉଁସବୁ ଅଞ୍ଚଳଗୁଡ଼ିକ ସାଧାରଣ ପାର୍କ ଓ ଫୁଲ ଫଳ ବଗିଚା ଉଦ୍ଦେଶ୍ୟରେ ସଂରକ୍ଷିତ କରି ରଖାଯାଇଛି–ସେ ସବୁ ଅଞ୍ଚଳରେ କ୍ଲବ କିମ୍ବା ଧର୍ମାନୁଷ୍ଠାନମାନ ଅବିଚାରିତ ଭାବେ ଗଢ଼ି ଉଠୁଛି । ଚିତ୍ତବିନୋଦନ ପାଇଁ ସହରର ଅଧିବାସୀମାନେ ପନ୍ଦର ଷୋଳ କିଲୋମିଟର ଦୂରରେ ଅବସ୍ଥିତ ନନ୍ଦନ କାନନକୁ ଯିବା ନିମନ୍ତେ ବାଧ୍ୟ ହୁଅନ୍ତି ।

 

ଭାରତ ଭଳି ଏକ ଜନବହୁଳ ଦେଶର ସର୍ବାଙ୍ଗୀନ ବିକାଶ ନିମନ୍ତେ କଳକାରଖାନା, ବାସଗୃହ ଓ ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟମାନ ଗଠନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଅବଶ୍ୟ ଅସଂଗତ ନୁହେଁ । କିନ୍ତୁ ସେଥିନିମନ୍ତେ ଏକ ସୁଚିନ୍ତିତ ସିଦ୍ଧାନ୍ତ ଗ୍ରହଣ କରିବା ଉଚିତ । ଯେତେବେଳେ ନୂଆ ନୂଆ ସହରମାନ ଗଢ଼ିବା ନିମନ୍ତେ ଯୋଜନାମାନ କରାଯାଉଛି–ସେତିକିବେଳେ ଘରୋଇ ଫୁଲ ଫଳ ବଗିଚା ତଥା ସାଧାରଣ ପାର୍କ ନିମନ୍ତେ ସ୍ଥାନ ସଂରକ୍ଷଣ କରାଯିବା ଦିଗରେ ବିହିତ ଧ୍ୟାନ ଦିଆଯିବା ଏକାନ୍ତ ଆବଶ୍ୟକ । ଜନବସତି ସ୍ଥଳରୁ ବହୁତ ଦୂରରେ ଶିଳ୍ପ କାରଖାନାଗୁଡ଼ିକ ପ୍ରତିଷ୍ଠା କରିବା ଆବଶ୍ୟକ । ଏତଦ୍‍ବ୍ୟତୀତ କଳକାରଖାନା ପ୍ରତିଷ୍ଠା ସଙ୍ଗେ ସଙ୍ଗେ, ଜନବସତି ଓ କାରଖାନା ମଝିରେ ସମାନ୍ତରଭାବେ ଛୋଟ ଛୋଟ ଜଙ୍ଗଲମାନ ସୃଷ୍ଟି କରିବା ମଧ୍ୟ ଆବଶ୍ୟକ । ଯେଉଁ ଅଞ୍ଚଳଗୁଡ଼ିକରେ ଜନବସତିମାନ ସ୍ଥାପନ କରାଯାଉଛି, ସେଠାରେ ଲୋକମାନେ ବସବାସ କରି କାର୍ଯ୍ୟ ଆରମ୍ଭ କରିବା ସମୟକୁ ଚିତ୍ତବିନୋଦନ ସ୍ଥାନମାନ ପ୍ରସ୍ତୁତ ହୋଇଥିବା ବାଞ୍ଛନୀୟ । ତା’ ଅର୍ଥ କୋଠାବାଡ଼ି ଗଢ଼ା ହେବା ସଙ୍ଗେ ସଙ୍ଗେ ପାଖାପାଖି ବଗିଚା ବା ପାର୍କମାନ ମଧ୍ୟ ତିଆରି ହୋଇ ଚାଲିବା ଉଚିତ ।

 

ଗ୍ରାମାଞ୍ଚଳର ସୁସ୍ଥ ଓ ସଜୀବ ବାତାବରଣ ମଧ୍ୟରେ ବଢ଼ି ଉଠିଥିବା ଲୋକମାନେ ଏହିସବୁ ବୃକ୍ଷଲତାହୀନ ନୂତନ ସହରାଞ୍ଚଳଗୁଡ଼ିକରେ ବସତି ସ୍ଥାପନ ହେଲାପରେ କାର୍ଯ୍ୟକରିବା ପାଇଁ ଉତ୍ସାହିତ ହୋଇ ପାରନ୍ତି ନାହିଁ । ଯଦି ଏଥିପ୍ରତି ଦୃଷ୍ଟି ଦିଆ ନ ଯାଏ, ତେବେ ସେମାନଙ୍କ ମଧ୍ୟରେ ମନସ୍ତାତ୍ତ୍ୱିକ ଉଦାସୀନତା ବୃଦ୍ଧି ପାଇବ । ମାନବିକ ସମ୍ପର୍କ ଉପରେ ଗବେଷଣାରତ ଆଧୁନିକ ମନସ୍ତାତ୍ତ୍ୱିକ ସମାଜତତ୍ତ୍ୱବିଦ୍‍ମାନେ କହିବେ–ଅଶାନ୍ତି, ଉଗ୍ର ସାମାଜିକ ଉତ୍ତେଜନା, ଦଙ୍ଗାହାଙ୍ଗାମା ଓ ନାନାବିଧ ଆଡ଼ପାଗଳାମୀର ମୁଖ୍ୟ କାରଣ ହେଲା ପାରିବେଶିକ (ecological) ଭାରସାମ୍ୟ ହରାଇଥିବା ଜନବହୁଳ ନଗରୀମାନଙ୍କର କଳୁଷିତ ବାତାବରଣ ।

 

ପାରିବେଶିକ ବିଜ୍ଞାନ (ecology) ଦୃଢ଼ ସ୍ତରରେ ସିଦ୍ଧାନ୍ତ ଦେଇଛି–ପ୍ରାଣୀଜଗତ ଓ ଉଦ୍ଭିଦଜଗତ ନିଜନିଜର ସ୍ଥିତିପାଇଁ ଉଭୟ ଉଭୟଙ୍କ ଉପରେ ନିର୍ଭର କରିଥାନ୍ତି । ପାରିବେଶିକ ଭାରସାମ୍ୟ ରକ୍ଷା କ୍ଷେତ୍ରରେ ଉଦ୍ଭିଦ ଜଗତର ଭୂମିକା ପୁଣି ଅତି ଗୁରୁତ୍ୱପୂର୍ଣ୍ଣ । ବୃକ୍ଷଲତାଦ୍ୱାରା କିଭଳି ମୃତ୍ତିକାକ୍ଷୟ ବନ୍ଦ ହୁଏ ଏବଂ ବେପରୁଆଭାବେ ଜଙ୍ଗଲ ନଷ୍ଟ କରିବା ଫଳରେ କିପରି ବନ୍ୟା ବିପତ୍ତି ଓ ବାତ୍ୟା ପ୍ରକୋପ ବୃଦ୍ଧି ପାଏ ସେ ସଂକ୍ରାନ୍ତରେ ଭୂଗୋଳ-ଛାତ୍ରମାନେ ନିଶ୍ଚୟ ଅବହିତ ଥିବେ । ବୃକ୍ଷଲତା ଗୁଳ୍ମାଦି ଉଦ୍ଭିଦମାନେ ଜଳୀୟ ବାଷ୍ପ ଗ୍ରହଣ କରି ନିଜ ଭିତରେ ସଂରକ୍ଷିତ କରିବା ଫଳରେ ବାୟୁମଣ୍ଡଳକୁ ଶୀତଳ ତଥା ଆର୍ଦ୍ର କରି ରଖିଥାନ୍ତି । ଏଗୁଡ଼ିକ ପୁଣି ଏତଦ୍ୱାରା ଭାସମାନ ମେଘଗୁଡ଼ିକୁ ତଳକୁ ଆକର୍ଷଣ କରି ବର୍ଷା କରାଇବାରେ ସାହାଯ୍ୟ କରନ୍ତି ଏବଂ ମରୁଡ଼ି ଆଶଙ୍କାରୁ ପୃଥିବୀକୁ ରକ୍ଷା କରନ୍ତି । ଫସଲ ସୁରକ୍ଷିତ ହୁଏ । ଏହି ବୃକ୍ଷଲତାଗୁଡ଼ିକ ବଣ୍ୟଜନ୍ତୁମାନଙ୍କୁ ଆଶ୍ରୟ ଦେଇଥାନ୍ତି ଏବଂ ଅନ୍ୟ ଦିଗରେ ଏହି ଜୀବଜନ୍ତୁଗୁଡ଼ିକ ଉଭୟ ମନୁଷ୍ୟ ଓ ଉଦ୍ଭିଦ ଜଗତକୁ ବଞ୍ଚିବାରେ ସାହାଯ୍ୟ କରନ୍ତି । ବୃକ୍ଷଲତାମାନେ ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ଓ ଭୂପୃଷ୍ଠରୁ ଜଳ ଆହରଣ କରିଥାନ୍ତି ଏବଂ ସେଗୁଡ଼ିକ ନିଜ ଭିତରେ ଆପଣାର ଖାଦ୍ୟରୂପେ ପ୍ରସ୍ତୁତ କରିବା ପ୍ରଣାଳୀରେ ବିଶୁଦ୍ଧ ଅମ୍ଳଜାନ ବାଷ୍ପ ଛାଆଁକୁ ଛାଆଁ ପ୍ରସ୍ତୁତ ହୋଇଯାଏ ଏବଂ ସେହି ବିଶୁଦ୍ଧ ପ୍ରାଣଦାୟକ ଅମ୍ଳଜାନ ବାଷ୍ପ ଗଛଲତାମାନଙ୍କ ଭିତରୁ ବାୟୁମଣ୍ଡଳକୁ ଉଦ୍‍ଗିରିତ ହୋଇଥାଏ । ସେଥିଲାଗି ଘନ ବୃକ୍ଷଲତା ଆଚ୍ଛାଦିତ ଅଞ୍ଚଳର ବାୟୁମଣ୍ଡଳରେ ଅମ୍ଳଜାନ ବାଷ୍ପ ଖୁବ୍‍ ଅଧିକ ଥାଏ ।

 

ଏହି ପ୍ରାଣଦାୟକ ବିଶୁଦ୍ଧ ଅମ୍ଳଜାନ ବାଷ୍ପଦ୍ୱାରା ବୃକ୍ଷଲତାମାନେ ବାୟୁମଣ୍ଡଳକୁ ଶୁଦ୍ଧ ରଖନ୍ତି ଓ ବାୟୁ ଦୂଷିତକରଣ ପ୍ରକ୍ରିୟାକୁ ପ୍ରତିରୋଧ କରନ୍ତି । ବୃକ୍ଷଲତା ଅଭାବରେ ବାୟୁମଣ୍ଡଳରେ ଅମ୍ଳଜାନ ପରିମାଣ କମିଯାଏ ଓ ପ୍ରାଣୀ ତଥା ମନୁଷ୍ୟମାନେ ଶ୍ୱାସରୁଦ୍ଧ ହେବାଭଳି ଅବସ୍ଥା ଭୋଗ କରନ୍ତି । ବଡ଼ ବଡ଼ ସହରରେ ଶ୍ୱାସକଷ୍ଟ, ହୃଦରୋଗ, ଯକ୍ଷ୍ମା, ପକ୍ଷାଘାତ ଆଦି ରୋଗ ଏହି କାରଣରୁ ଲୋକେ ଭୋଗ କରନ୍ତି । ଅହେତୁକ କ୍ଳାନ୍ତି ଓ ଅବସନ୍ନତା ମଧ୍ୟ ଏହି କାରଣରୁ ଲୋକେ ଅନୁଭୋଗ କରନ୍ତି ।

 

ବୃକ୍ଷଗୁଡ଼ିକର ଅନ୍ୟସବୁ ଉପଯୋଗିତା ହେଲା–କାଠଶିଳ୍ପ ଲାଗି କଞ୍ଚାମାଲ; ପୁଣି ନାନାଦି ଖାଦ୍ୟ ଉପଯୋଗୀ ଫଳ, ଫୁଲ, କୋଳି, ମହୁ, ଜାଳେଣୀ ଓ ଗୋଖାଦ୍ୟ ଆମେ ଏହି ବୃକ୍ଷଲତାଙ୍କଠାରୁହିଁ ପାଇଥାଉ । ବଡ଼ ବଡ଼ ସହରରେ ଯାନବାହାନାଦି ଜନିତ, କାରଖାନାମାନଙ୍କରୁ ଉଦ୍‌ଭୂତ ଓ ବହୁ ଜନସମାଗମ ଜନିତ ନାନାଦି ଶବ୍ଦମୁଖର କୋଳାହଳ ଜାତ ହୋଇଥାଏ । ଆମ ଅଜାଣତରେ ଏହି ସବୁ ତୁମୂଳ ଶବ୍ଦ ଆମର ଶ୍ରବଣଶକ୍ତି ଓ ସ୍ନାୟୁମଣ୍ଡଳୀ ଉପରେ ଆଘାତ ସୃଷ୍ଟିକରେ । ବୃକ୍ଷଲତାମାନେ ଅଦ୍ଭୁତଭାବେ ଏହି ଶବ୍ଦଗୁଡ଼ିକୁ ନିଜ ଭିତରକୁ ଟାଣିନେଇ ବହୁ ପରିମାଣରେ ଶବ୍ଦସାମ୍ୟ ରକ୍ଷା କରିପାରନ୍ତି । ଆଉ ମଧ୍ୟ ଧୂଳି ଓ ଧୂଆଁଗୁଡ଼ିକୁ ନିଜ ଆଡ଼କୁ ଟାଣି ନେବାର ଅଦ୍ଭୁତ କ୍ଷମତା ଗଛଲତାଙ୍କର ରହିଛି ।

 

ବୃକ୍ଷଲତାର ସବୁଜିମା ଆମର ଦୃଷ୍ଟି ଶକ୍ତି ବଢ଼ାଏ–ଆମର ମନକୁ ଆମ ଅଜାଣତରେ ଶାନ୍ତ ଓ ସ୍ନିଗ୍‌ଧ ରଖେ । ବୃକ୍ଷଲତାମାନଙ୍କର ସୌନ୍ଦର୍ଯ୍ୟ ଆବାଳବୃଦ୍ଧବନିତା, ଆମୂର୍ଖ ପଣ୍ଡିତ ସମସ୍ତଙ୍କ ଦୃଷ୍ଟିକୁ ଆକର୍ଷିତ କରିଥାଏ । ପ୍ରକୃତି ପ୍ରତି ଏହି ନିବିଡ଼ ମଧୁର ଆକର୍ଷଣ ଆମର ଏକ ଆଦିମ ଚିତ୍ତବୃତ୍ତି । ଏହି ଆକର୍ଷଣ କୌଣସି କାରଣରୁ ଲୋପ ହେଲେ ମଣିଷ ପ୍ରକୃତି-ଛଡ଼ା ହୋଇଯାଏ । ତା’ର ବୁଦ୍ଧି ବୃତ୍ତି ଉପରେ ଆଞ୍ଚ ଆସେ । ତା’ର ହୃଦୟ ବୃତ୍ତିର ସୁକୁମାରତା ନଷ୍ଟ ହୋଇଯାଏ ।

 

ଗୃହ ସାଜସଜା ବ୍ୟାପାରରେ ଯଦି ଆପଣ ଘର ପାଖରେ ଘାସର ଲଅନ୍, ବଣବୁଦା, ଲତାଚ୍ଛାଦିତ କୁଞ୍ଜ ଏବଂ ଗଛମାନ ରଖିବେ, ତେବେ ଗ୍ରୀଷ୍ମକାଳୀନ ଉଷ୍ଣବାୟୁ ଓ ଶୀତକାଳୀନ ଥଣ୍ଡାବାୟୁର ପ୍ରକୋପରୁ ଆପଣ ନିଶ୍ଚେ ରକ୍ଷା ପାଇବେ । ପ୍ରଚଣ୍ଡ ସୂର୍ଯ୍ୟ କିରଣ ଏବଂ ଜଳବାୟୁ ଜନିତ ଅନ୍ୟାନ୍ୟ ଅସହ୍ୟ ପ୍ରକୋପରୁ ମଧ୍ୟ ରକ୍ଷା ପାଇବେ । କେବଳ ଦୃଶ୍ୟ ଉପଭୋଗ ନିମନ୍ତେ ଘର ପାଖରେ ଯଥାତଥା ଉଦ୍ୟାନଟିଏ କରିଦେଲେ ଚଳିବ ନାହିଁ, ବରଂ ସୁସଂଗଠିତ ଏକ ଉଦ୍ୟାନମୟ ପରିବେଶ ଭିତରେ ନିଜର ବାସଗୃହ ନିର୍ମାଣ କରିବାର ଯଥାର୍ଥତା ସମସ୍ତେ ଅନୁଭବ କରିବା ଉଚିତ ।

 

ବୃକ୍ଷଲତାମାନେ ଯେପରି ସ୍ଥିର ଓ ଅଟଳ ଭାବେ ଦଣ୍ଡାୟମାନ ହୋଇ ରହିଥାନ୍ତି, ସେମାନଙ୍କର ସେହି ଅନ୍ତର୍ନିହିତ ସ୍ଥିରତା, ଦୃଢ଼ତା, ଅଟଳତା ଓ ବିସ୍ତାରମାନତା ଆମ୍ଭମାନଙ୍କ ମନ ଭିତରେ ଆମ ଅଜାଣତରେ ଅପୂର୍ବ ପ୍ରତ୍ୟୟଶୀଳ ଆନନ୍ଦଭାବ ସୃଷ୍ଟି କରିଥାଏ । ଗୋଟିଏ ବିଶାଳ ମହୀରୁହ ଆମ ମନ ଭିତରେ ସୃଷ୍ଟିକରେ ଏକ ପ୍ରଶାନ୍ତ ସ୍ଥିରତାର ଅନୁଭୂତି । ଏହାର ଦର୍ଶନ ମାତ୍ରକେ ଆମର ମନ ଭିତରୁ ନାନାବିଧ ଚଞ୍ଚଳତା ଓ ଉତ୍ତେଜନା ନଷ୍ଟ ହୋଇଯାଏ । ଏହାର ସୁଶୀତଳ ଛାୟା ଆମର ସ୍ନାୟୁଗୁଡ଼ିକୁ ସ୍ନିଗ୍‌ଧ ଓ ପୁଲକିତ କରିଥାଏ । କିନ୍ତୁ ଏଥିରୁ ମନେକରିବା ଉଚିତ ନୁହେଁ ଯେ ବୃକ୍ଷଲତାମାନେ ଆମ ଭିତରୁ ସକ୍ରିୟ ପ୍ରବୃତ୍ତିଗୁଡ଼ିକୁ ନଷ୍ଟ କରିଦିଅନ୍ତି । ସେପରି ତୁଳନା ଭଲ ନୁହେଁ । କଥାଟା ଏପରି ନୁହେଁ ଯେ–ଆମେ ଯଦି ଗୋଟିଏ ଦ୍ରୁତଗାମୀ ଟ୍ରେନ୍ ଦେଖୁଁ, ତେବେ ଆମ ଭିତରେ ଗତି ଓ ଶକ୍ତି ବୃତ୍ତିମାନ ଜାଗି ଉଠିବ ଓ ଆମେ ଯଦି ଗୋଟିଏ ବିଶାଳ ବଟବୃକ୍ଷ ଦେଖୁଁ, ତେବେ ଆମ ଭିତରେ ଗୋଟାଏ ନିରୁଦ୍ୟମ ଜନିତ ସ୍ଥାଣୁତାର ଭାବ ଘୋଟିଯିବ । ବରଂ କଥାଟା ଠିକ୍‌ ଓଲଟା । ଗୋଟିଏ ବିଶାଳ ବଟବୃକ୍ଷ ତଳେ କିଛି ସମୟ ବସନ୍ତୁ । ଆପଣ ଅନୁଭବ କରିବେ–ଖୁବ୍ ଶାନ୍ତ ଏବଂ ଅଟଳତା ଏବଂ କ୍ରିୟାକ୍ଷମ ଏକ ଶକ୍ତିମୟ ଦୃଢ଼ତା ଆପଣଙ୍କ ମନ ଭିତରେ ଧୀରେ ଧୀରେ ସଂଚରିତ ହୋଇ ଯାଉଛି । ବିଷୟଟିକୁ ଏପରି ଭାବେ ବୁଝିବାକୁ ହେବ । ଆଉ ମଧ୍ୟ ଗୋଟିଏ ପ୍ରାକୃତିକ ମନୋରମ ସବୁଜ ଛାୟା-ଘେରା ପରିବେଶ ଆମକୁ ଧୀରସ୍ଥିର ଭାବେ କିଛି ଚିନ୍ତା କରିବାକୁ ବା କଳ୍ପନା କରିବାକୁ ସାହାଯ୍ୟ କରିଥାଏ ।

 

ଉଦ୍ଭିଦବିତ୍‍ମାନେ କହନ୍ତି–ଗଛ ଗଛ ଭିତରେ ବି ନାନାବିଧ ଭାବର ଆଦାନପ୍ରଦାନ ଚାଲିଥାଏ, ଅଦ୍ଭୁତ ନୀରବତା ଭିତରେ, ଅତ୍ୟନ୍ତ ସଂଗୋପନରେ । ସୂର୍ଯ୍ୟାତପର ସମ୍ପାତରେ ନାନାବିଧ ଛାୟାଲୋକର ମୁହୁର୍ମୁହୁଃ ଖେଳ ଭିତରେ ସେମାନଙ୍କର ରଙ୍ଗ ବଦଳେ ଏବଂ ସେମାନଙ୍କ ଭିତରେ କ’ଣ ସବୁ ସମ୍ବେଦନତାର ଆଦାନପ୍ରଦାନ ଘଟିଯାଏ ସବୁରି ଅଲକ୍ଷ୍ୟରେ । ସେଇ ସବୁ ଅକଥନୀୟ ଦୃଶ୍ୟ ଦର୍ଶକର କଳ୍ପନାକୁ ଅନୁରଂଜିତ କରିଦିଏ । କବି ନ ହେଲେ ବି ସାଧାରଣ ଲୋକର ମନ ଭିତରେ ନାନାଦି ସୁନ୍ଦର ସୁନ୍ଦର ଅଥବା ରୋମାଣ୍ଟିକ ଅନୁଭୂତିମାନ ଜାଗିଉଠେ । ଫଳରେ ମନୁଷ୍ୟର ସ୍ଵଭାବ ହୋଇଉଠେ ସହଜ, ସଂଗତିପୂର୍ଣ୍ଣ ଓ ପ୍ରାଣବନ୍ତ ।

 

ସାରା ଦିବସର କର୍ମକ୍ଳାନ୍ତ ଜୀବନର ଅବସାନ ପରେ କିମ୍ବା ଦୀର୍ଘ ଯାତ୍ରାର ବିରାମ କାଳରେ, ନିଜ ଘରର ଲତାବିମଣ୍ଡିତ ଛାତ ବା ଚନ୍ଦ୍ରଶାଳା ଉପରେ ବସି କିମ୍ବା କୌଣସି ଅବସର ବିନୋଦନ ସ୍ଥଳିରେ କିମ୍ବା କୌଣସି ପର୍ଯ୍ୟଟକ ଶିବିର ସଂଲଗ୍ନ ଉଦ୍ୟାନରେ ବସି ଜଣେ ଏହି ବୃକ୍ଷଲତାଙ୍କ ସାନ୍ନିଧ୍ୟରେ ଆସି ତା’ର ଦୈହିକ ଓ ମାନସିକ କ୍ଳାନ୍ତି ବା ଅବସାଦ ନିଶ୍ଚୟ ମେଣ୍ଟାଇ ପାରିବ । ତେଣୁ ଏହି ଗୁରୁତ୍ଵପୂର୍ଣ୍ଣ ଦୃଷ୍ଟିରୁ ସମଗ୍ର ପରିବେଶ ଏବଂ ଚାଷୋପଯୋଗୀ ସ୍ଥାନକୁ ଗୋଟିଏ ଇଉନିଟ୍ ରୂପେ ବିଚାରକୁ ନେଇ ଆଧୁନିକ ନଗର ନିର୍ମାଣ କରିବା ବା ସ୍ଥପତିମାନେ ନିର୍ମାଣ-ନକ୍‌ସା ପ୍ରସ୍ତୁତ କରିବା ଉଚିତ ନୁହେଁ କି ?

 

ପାରିବେଶିକ ଭାରସାମ୍ୟ ହରାଇଥିବା ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକା ଭଳି ଦେଶମାନଙ୍କରେ ଯେଉଁ ଦୂଷିତ ବାୟୁ ସମସ୍ୟା ଦେଖାଦେଇଛି, ସେ ସବୁ ଦେଶମାନ ତା’ର ନିରାକରଣ ଦିଗରେ ବହୁ ଚେଷ୍ଟା ଚଳାଇଛନ୍ତି । ସେମାନେ ସେମାନଙ୍କର ସହରତଳି ଅଞ୍ଚଳମାନଙ୍କରେ ପାର୍କ ଓ ଜଙ୍ଗଲ ପ୍ରଭୃତି ସୃଷ୍ଟି କରୁଛନ୍ତି । କର୍ମବ୍ୟସ୍ତ ସପ୍ତାହଟି ଶେଷରେ ସେଠାର ଅଧିବାସୀମାନେ ସେ ସବୁ ସ୍ଥାନକୁ ଚିତ୍ତବିନୋଦନ ଲାଗି ଛୁଟିଯାନ୍ତି ଓ ସମୟ ଅତିବାହିତ କରନ୍ତି । ମାତ୍ର ନିୟୁତ ନିୟୁତମୁଦ୍ରା ବ୍ୟୟରେ କରାଯାଉଥିବା ଏ ଧରଣର ପରିକଳ୍ପନା ଆମ ଦେଶରେ କାର୍ଯ୍ୟକାରୀ ହୋଇ ପାରିବା ସହଜ ନୁହେଁ । ତଥାପି ବର୍ତ୍ତମାନଠାରୁ ମଧ୍ୟ ଏ ଦିଗରେ କିଛି ମୌଳିକ କାର୍ଯ୍ୟ ଆରମ୍ଭ କରାଯାଇପାରେ ।

 

୧୯୫୦ ମସିହାଠାରୁ ଜନସାଧାରଣ ବନମହୋତ୍ସବ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଏକ ଜାତୀୟ ପର୍ବରୂପେ ପାଳନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମ ଏକ ଆନ୍ଦୋଳନର ରୂପରେଖ ନେବା ସଙ୍ଗେ ସଙ୍ଗେ ସେହି ବର୍ଷାବଧି ପ୍ରତିବର୍ଷ ହଜାର ହଜାର ଫଳ ଓ ଫୁଲଗଛମାନ ରୋପଣ କରାଯାଉଛି । କିନ୍ତୁ ଏହି ସବୁ ଗଛର ରକ୍ଷଣାବେକ୍ଷଣ ଦାୟିତ୍ଵ ସୁଚାରୁରୂପେ ନିଆଯାଇ ପାରୁନଥିବା ହେତୁ, କେତେକ ବୃକ୍ଷକଟାଳୀ ଏହାର ସୁଯୋଗ ନେଇ ଜାଳେଣୀ କାଠ ପାଇଁ ବହୁତ ଗଛ କାଟି ଚାଲିଛନ୍ତି । ବୃକ୍ଷ କର୍ତ୍ତନ ଏକ ଧର୍ତ୍ତବ୍ୟ ଅପରାଧ ବୋଲି ଆମର ସରକାର ବାରମ୍ବାର କହୁଛନ୍ତି । ମାତ୍ର ଏହି ଅପରାଧୀମାନଙ୍କୁ ଧରି ଜେଲରେ ଠୁଙ୍କିବା, ଜରିମାନା କରିବା ଭଳି କୌଣସି ବ୍ୟବସ୍ଥା କରାଯାଉଛି ବୋଲି ଆମେ ଜାଣି ନାହୁଁ ।

 

ଏହା ଗୋଟିଏ ଜଣାଶୁଣା କଥା ଯେ, ଓଡ଼ିଶାରେ ଆଦିବାସୀମାନେ ପୋଡ଼ୁଚାଷ କରିବା ନିମନ୍ତେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବରାବର ସ୍ଥାନ ପରବର୍ତ୍ତନ କରିଥାନ୍ତି । ପୋଡ଼ୁଚାଷ କରିବା ଫଳରେ ଜଙ୍ଗଲମାନ ନଷ୍ଟ ହୋଇଥାଏ । ଏବେ ଅବଶ୍ୟ ଏହା ଉପରେ ସରକାର ତୀକ୍ଷ୍‌ଣ ଦୃଷ୍ଟି ରଖିଲେଣି । ଏବେ ଆଇନ୍ ପ୍ରଣୟନ ରାରିଯାଇଛି କି–ଯେଉଁ ଠିକାଦାରମାନେ ଜଙ୍ଗଲରୁ ଗଛ କାଟିବା ସକାଶେ ଠିକା ଧାରିଥାନ୍ତି–ସେମାନେ ଗଛ କାଟିବା ସଙ୍ଗେ ସଙ୍ଗେ ଯେପରି ହେଲେ ସେହି ସ୍ଥାନରେ ନୂଆ ଗଛ ରୋପଣ କରି ବୃକ୍ଷ ସଂଖ୍ୟାର ଭାରସାମ୍ୟ ରକ୍ଷା କରିବେ । ନୂଆ ଗଛ ଲଗାଇବା ଫଳରେ ମୃତ୍ତିକାକ୍ଷୟକୁ ରୋକାଯାଇ ପାରିବ । ପ୍ରଧାନ ପ୍ରଧାନ ସହରମାନଙ୍କ ସକାଶେ ଯେଉଁ ନଗର ଉନ୍ନୟନ ସଂସ୍ଥାମାନ ଗଠନ କରାଯାଇଛି, ସେସବୁ ସହରମାନଙ୍କରେ ଚିତ୍ତବିନୋଦନ ସ୍ଥଳି ଓ ପାର୍କ ନିର୍ମାଣ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଇଛି । ଆମ ରାଜଧାନୀରେ ବୃହତ୍ତର ଭୁବନେଶ୍ୱର ଉନ୍ନୟନ ସଂସ୍ଥା ପ୍ରଥମେ ତିନିଶହ ବୃକ୍ଷ ରୋପଣ କରିସାରି ତା’ପରେ ଯାଇ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାର ସିଦ୍ଧାନ୍ତ ନେଇଛନ୍ତି ।

 

ଏଣେ ମହାରାଷ୍ଟ୍ରରେ ଛୋଟ ଛୋଟ ଜଙ୍ଗଲ ଓ ସାଧାରଣ ପାର୍କମାନ ପ୍ରାୟ ସବୁ ସାନ ବଡ଼ ସହର ଓ ସହରତଳି ଅଞ୍ଚଳମାନଙ୍କରେ ନୂତନଭାବେ ସୃଷ୍ଟି କରାଗଲାଣି । ଯାହା ଫଳରେ କି ନଗରବାସୀମାନେ ଦୂଷିତ ବାୟୁ ପ୍ରକୋପରୁ ମୁକ୍ତ ହୋଇ ସେହି ଜାଗାରେ ଯାଇ ମୁକ୍ତ ଓ ସତେଜ ବାୟୁ ସେବନ କରିପାରିବେ । ପଶ୍ଚିମବଙ୍ଗ ସରକାର କଡ଼ା ନିର୍ଦ୍ଦେଶନାମା ଦେଇଛନ୍ତି–କୌଣସି ବ୍ୟକ୍ତି ମୁକ୍ତ ବାୟୁ ଓ ଛାୟାଶ୍ରୟ ଯୋଗାଉଥିବା ଗଛଗୁଡ଼ିକୁ କାଟି ପାରିବେନାହିଁ । ପଶ୍ଚିମବଙ୍ଗ ସରକାରଙ୍କ ଜଙ୍ଗଲ ବିଭାଗ କଲିକତାର ପ୍ରଧାନ ରାସ୍ତା କଡ଼େ କଡ଼େ କେନାଲ କୂଳେ କୂଳେ ଦଶ କିଲୋମିଟର ଲମ୍ବର ଏକ ମନୋରମ ଉଦ୍ୟାନ ସୃଷ୍ଟି କରିଛନ୍ତି । ଏ ସମ୍ପର୍କରେ ‘‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼” ପତ୍ରିକା ଉଦ୍ୟାନଟିର ପ୍ରଶଂସା କରି ଲେଖିଛନ୍ତି–“ଏହି ଉଦ୍ୟାନଟି ବର୍ଷକ ଭିତରେ କି ଚମତ୍‌କାର ରୂପ ଧାରଣ ନ କରିଛି ! ଏଥିରେ ଲଗା ଯାଇଥିବା ଝାଉଁ ଗଛଗୁଡ଼ିକ ଇତିମଧ୍ୟରେ ପନ୍ଦରଫୁଟ ପର୍ଯ୍ୟନ୍ତ ବଢ଼ିଗଲାଣି । ବୁଗେନ୍ ଭଳିଆ ଓ ଆକାଶିଆ ଗଛଗୁଡ଼ିକ ପରସ୍ପର ସଙ୍ଗେ ସ୍ପର୍ଦ୍ଧାକରି ବଢ଼ୁଥିବା ଭଳି ଲାଗୁଛି । ପୋପଲାର ଗଛଗୁଡ଼ିକ ତ ବିନା ବାଧାରେ ଉପରକୁ ବଢ଼ିଯାଉଛନ୍ତି । ପାଣି କୂଳେ କୂଳେ ଲିଲି ଫୁଲଗୁଡ଼ିକ ଫୁଟି ଉଠିଲେଣି । ଘାସ ସରୁ ଏମିତି ଘଞ୍ଚ ଓ ସବୁଜ ହୋଇ ଉଠିଛି ଯେ, ମନେ ହୁଏ ସତେ କି ରାସ୍ତା କଡ଼େ କଡ଼େ କିଏ କାର୍ପେଟ ବିଛେଇ ଦେଇ ଯାଇଛି ! କେବଳ କେନାଲ ଭିତରୁ ମାଇଲ ମାଇଲ ଧରି ଯେଉଁ ବିଲାତିଦଳ ଗୁଡ଼ାକ ଭର୍ତ୍ତି ହୋଇଛି ସେଗୁଡ଼ିକୁ ସଫା କରିଦେଲେ ଏହା ଖୁବ୍ ସୁନ୍ଦର ଦର୍ଶନୀୟ ଜାଗାଟିଏ ହେବ’’ । କୁହାଯାଇଛି–ସମଗ୍ର ଦେଶରେ ଏହା ସବୁଠାରୁ ବୃହତ୍ତମ ଉଦ୍ୟାନ ।

 

ଏହିପରି ବହୁ ଅଞ୍ଚଳକୁ ଯୋଜନା କରି ଉଦ୍ୟାନ ବା ବନରେ ପରିଣତ କରି ବାୟୁମଣ୍ଡଳକୁ ଦୂଷିତ ହୋଇଯିବା ବିପଦରୁ ରକ୍ଷା କରାଯାଉଛି । ବର୍ତ୍ତମାନହିଁ ଉପଯୁକ୍ତ ସମୟ ଯେତେବେଳେ କି ସରକାର, କର୍ପୋରେସନ୍, ମ୍ୟୁନିସିପାଲଟି, ନଗର ଯୋଜନା ସଂସ୍ଥା, ଉଦ୍ୟାନ ନିର୍ମାଣ ସଂସ୍ଥା ଓ ସାଧାରଣ ବୃକ୍ଷଲତାପ୍ରିୟ ନାଗରିକମାନେ ସହର ବା କୋଠାବାଡ଼ିମାନ ଗଢ଼ି ଉଠିବା ପୂର୍ବରୁ ତା’ ସଙ୍ଗେ ସଙ୍ଗେ ଉଦ୍ୟାନମାନ ସୃଷ୍ଟିକରି ଚାଲିବେ । ଏଠି ମନେରଖିବାର ଅଛି–ଆମର ବଂଶଧରମାନେ ଯେପରି ଆମର ଅସାବଧାନତା ବା ଅବିବେଚନା ଫଳରେ ରୁଗ୍‍ଣ ଓ ଅଳ୍ପଜୀବୀ ନ ହୋଇଯାନ୍ତି । ମନୁଷ୍ୟ ତା’ର ଜୀବନରେ ବୃକ୍ଷ ଲତାଗୁଡ଼ିକର ଗୁରୁତ୍ଵ କେତେ ଅଧିକ ତାହା ଅନୁଭବ କରୁ । ଗଛଗୁଡ଼ିକୁ ସ୍ନେହର ସହିତ, ସତର୍କତାର ସହିତ ରକ୍ଷଣ ଓ ପାଳନ କରିଯାଉ-। ସମସ୍ତେ ମନେ ରଖନ୍ତୁ–ଗଛଲତାଙ୍କ ବଂଶ ସୁରକ୍ଷିତ ହେଲେ ମାନବ ସମାଜ ସୁରକ୍ଷିତ ହେବ ।

Image

 

ଫୁଲ, ଫୁଲ...ଆହୁରି ଫୁଲ

 

ଥରେ ଜଣେ ବ୍ୟକ୍ତି ଟ୍ରେନରେ ଯାଉଥିଲେ । ଷ୍ଟେସନ ଛାଡ଼ି ଟ୍ରେନଟି କେତେଦୂର ଯିବାପରେ ସେ ଦେଖିଲେ ସେ ରାସ୍ତାର ଦୁଇଧାର ଅତି ରୁକ୍ଷ ଓ ଅସୁନ୍ଦର ଦେଖାଯାଉଛି । ତାଙ୍କ ମନରେ ଗୋଟିଏ ଖିଆଲ ହେଲା । ସେ ଯୋଉଦିନ ସେହି ଟ୍ରେନରେ ଆପଣା ଜାଗାକୁ ପୁଣି ଫେରି ଆସିଲେ, ସେଦିନ ସେ ତାଙ୍କ ସାଙ୍ଗରେ କିଛି ମଞ୍ଜି ଆଣିଥିଲେ ଏବଂ ଟ୍ରେନ୍ ଝରକାବାଟେ ହାତ ଗଳାଇ ସେ କେବେ ଏପଟ ଓ କେବେ ସେପଟ ସେହି ମଞ୍ଜିତକ ବିଞ୍ଚି ବଞ୍ଚିକା ଗଲେ । ଏହି ଘଟଣାର ବର୍ଷକ ପରେ ସେହି ବ୍ୟକ୍ତି ପୁନର୍ବାର ଯେତେବେଳେ ସେ ଟ୍ରେନରେ ଗଲେ–ସେ ଦେଖିଲେ ଟ୍ରେନ୍ ରାସ୍ତାର ଦୁଇପଟେ ନାଲି ଓ ହଳଦିଆ ରଙ୍ଗର ବହୁ ଫୁଲ ଫୁଟିଛି ଏବଂ ଧୀର ପବନରେ ସେହି ବନ୍ୟ ଫୁଲଗଛଗୁଡ଼ିକ ମୁଣ୍ଡ ହଲାଇ ହସି ହସି ସତେକି ଯାତ୍ରୀମାନଙ୍କୁ ଅଭିବାଦନ କରୁଛନ୍ତି । ପ୍ରକୃତରେ ସେହି ଟ୍ରେନରେ ଆରୋହୀ ବହୁଯାତ୍ରୀ ବାହାରକୁ ଚାହିଁ ରହି ସେହି ନାଲି ଓ ହଳଦିଆ ରଙ୍ଗର ଫୁଲଗୁଡ଼ିକୁ ଦେଖି ଖୁବ୍ ପ୍ରଫୁଲ୍ଲିତ ହେଉଥିଲେ, ଏବଂ ଆଜି ମଧ୍ୟ ସେହି ରାସ୍ତାର ଦୁଇଧାରରେ ବିଭିନ୍ନ ବୁଦା ଓ ଇଟାଭିତରେ ଏହି ଜାତୀୟ ନାଲି ଓ ହଳଦିଆ ବନଫୁଲଗୁଡ଼ିକ ପ୍ରାୟ ସବୁଦିନେ ଫୁଟି ଉଠି ଯାତ୍ରୀମାନଙ୍କର ନୟନ ମନ ହରଣ କରିଥାନ୍ତି । କାରଣ ସେହି ଫୁଲଗୁଡ଼ିକ ଥିଲା ସାରାବର୍ଷ ଫୁଟିବା ଭଳି ଆରଣ୍ୟକ ଫୁଲ ।

 

ଗାଁ ଗହଳରେ ଆମର ଘର । ଆମ ଠାକୁର ମନ୍ଦିର ପାଖେ କନିଅରବଣ ସବୁଦିନେ ହଳଦିଆ ଫୁଲରେ ନଦି ହୋଇଥାଏ । ମହୁମାଛିମାନେ ତା’ ଭିତରେ ପଶି ଗୁଣୁଗୁଣୁ ହୋଇ ମହୁ ପିଉଥାନ୍ତି । ତା ପାଖରେ ଥାଏ ଗଙ୍ଗଶିଉଳୀ ଗଛଟିଏ । ଖୁବ୍ ସୁନ୍ଦର ମନମତାଣିଆ ବାସ୍ନା । ନାଲିଡେମ୍ପରେ ଧଳା ଧଳା ଫୁଲ । ଶରତ ଋତୁ ଆଉ ଶୀତ ଋତୁର ସକାଳ ଏ ଫୁଲର ବାସ୍ନାରେ ଖୁବ୍ ଆମୋଦିତ ହୋଇଯାଏ । ଭାରି ପବିତ୍ର ଲାଗେ ବାୟୁମଣ୍ଡଳ । କିନ୍ତୁ ସୂର୍ଯ୍ୟ ଉଠୁ ଉଠୁ ଗଙ୍ଗଶିଉଳୀ ଫୁଲମାନେ ତଳେ ଝରିପଡ଼ନ୍ତି । କବି ଭକ୍ତଚରଣଙ୍କ ଭାଷାରେ–“ତପନ କିରଣ ଲାଗିଲେ ଯେସନ ଝରିପଡ଼େ ଗଙ୍ଗଶିଉଳୀ ।” କବି କୁନ୍ତଳାକୁମାରୀ ଆବେଗପୂର୍ଣ୍ଣ କଣ୍ଠରେ ଗାଇଛନ୍ତି–“ନିତିପ୍ରାତେ ଦେଖେ ପଡ଼ିଅଛୁ ତରୁମୂଳରେ–ଢଳ ଢଳ ହିମବିନ୍ଦୁ ଶୋଭେ ଶୁଭ୍ର ଦଳରେ... ମନୋନ୍ମଦକର ତହିଁ ପୁରିଅଛି ସୁବାସ–କି କୋମଳ କି ମୋହନ କି ଲଳିତ ବିକାଶ ।” କନିଅର ଫୁଲକୁ ଦେଖି କବିବର ରାଧାନାଥ ଗାଇଛନ୍ତି–‘‘ଶିବାଳୟ ଉପକଣ୍ଠେ କନିଅର–ସୁବର୍ଣ୍ଣ ଚଷକଧର ମଧୁପୁର ।’’ କବି ରାଧାମୋହନ କନିଅର ଫୁଲକୁ ଅତି କୋମଳ ସମ୍ବେଦନଶୀଳ ହୋଇ ପ୍ରଶଂସା କରନ୍ତି–“ଉଷା ଶିଶିର ସ୍ନାହାନେ ଛଳ ଛଳ, ହେମ ଗଉର ତନୁଟି ଢଳ ଢଳ । ତାର ହୃଦୟେ ଅଛି କି ଅଭିଳାଷ, ଉଭା ଦେଉଳ ଦୁଆରେ ବାରମାସ ।”

 

ଠିକ୍ ପାଚେରୀକୁ ଲାଗି ଚମ୍ପା ଆଉ କାଠଚମ୍ପା । ଶିବ ଠାକୁରଙ୍କର ଅତ୍ୟନ୍ତ ପ୍ରିୟ । ଆମ ଠାକୁରାଣୀ ମନ୍ଦିର ପାଖେ ଦୁଇଟି ମନ୍ଦାର ଗଛ । ନାଲି ନାଲି ଫୁଲରେ ଭର୍ତ୍ତି ହୋଇଥାଏ । ରାଧାକାନ୍ତଙ୍କ ମନ୍ଦିରକୁ ଲାଗିକରି ବଉଳ ଗଛଟିଏ । ତା’ ପାଖକୁ ତମାଳଗଛ ଦୁଇଟା । ପାଚେରୀ ଆରପଟେ ଡେଙ୍ଗା ଆଉ ବୃଷାଳ କଦମ୍ବଗଛ ଠିଆ ହୋଇଥାଏ । ଆଷାଢ଼ ମାସ ଆରମ୍ଭରୁ ଗଛଯାକ କଦମ୍ବ ଫୁଲ ଫୁଟେ–କି ସୁନ୍ଦର ପେଣ୍ଡୁଭଳି ଫୁଲଗୁଡ଼ିକ ତା’ ଉପରଯାକ କେଶର । ସତେକି ରୁମ ଟାଙ୍କୁରି ଉଠିଛି କଦମ୍ବ ଗଛଟିର । ବାସ୍ନାରେ ପାଏ ବାଟ ମହକେ । ତା’ପରେ ଗାଁ ଶେଷ ମୁଣ୍ଡ ପୋଖରୀ । ଇସ୍–ଭର୍ତ୍ତି ହୋଇଥାଏ ନାଲି, ଧଳା ଓ ନୀଳ କଇଁଫୁଲରେ । ସତେକି ପୃଥିବୀମାତାର ଏହି ସୁନ୍ଦର କଇଁଫୁଲଗୁଡ଼ିକ ହେଲେ ଆକ୍ଷି । ପୋଖରୀ ଭିତରୁ ଗୋଟାଏ ପ୍ରଶାନ୍ତ ଓ ପବିତ୍ର ବାସ୍ନା ଭାସି ଆସୁଥାଏ ସକାଳୁ ସକାଳୁ । ଗଭୀର ଭିତରେ ଯୋଉ ବିରାଟ ଦହ–ଯୋଉଟା ଖରାଦିନେ ବି ଶୁଖେ ନାହିଁ–ତା’ ଭିତରେ ତ ପଦ୍ମଫୁଲ ଭର୍ତ୍ତି ହୋଇଥାଏ । ଯାହାକୁ ଦେଖି ଭକ୍ତକବି ମଧୁସୂଦନ ଗାଇ ଉଠିଥିଲେ–“କୋଟି ଲାବଣ୍ୟନିଧିରେ ପଦ୍ମ ତୁହି–କି ଅମୃତେ ତୋ’ ତନୁ ଗଢ଼ିଲା ବିହି ।” ଏହି ପଦ୍ମ ହେଲା ଆମର ଜାତୀୟ ପୁଷ୍ପ । ଯେମିତି ଆମର ଜାତୀୟ ପକ୍ଷୀ ମୟୂର ଓ ଜାତୀୟ ପଶୁ ବାଘ-। ପଦ୍ମ ଫୁଲକୁ ଦିବ୍ୟ ପୁଷ୍ପ ବୋଲି ଆଖ୍ୟାତ କରାଯାଇଛି । ସୂର୍ଯ୍ୟ ଉଇଁଲେ ପଦ୍ମଫୁଲ ଫୁଟେ–ଯେମିତି ରାତିହେଲେ ଫୁଟେ କଇଁଫୁଲ । ପଦ୍ମ ଫୁଲକୁ ଭକ୍ତମାନେ ଭଗବାନଙ୍କର ମହିମ୍ନ ପବିତ୍ର ସୌନ୍ଦର୍ଯ୍ୟର ପ୍ରତୀକ ବୋଲି ମନେକରନ୍ତି । ପଦ୍ମର ଜନ୍ମ ଗଭୀର ପଙ୍କ ଭିତରୁ । ମଣିଷ ଓ ଭଗବାନଙ୍କ ମଧ୍ୟରେ ଯେଉଁ ସମ୍ପର୍କ ରହିଛି ପଦ୍ମ ତା’ର ଏକ ପ୍ରତୀକ । ମଧୁସୂଦନ ଗାଇଛନ୍ତି–

 

କଳୁଷ ପଙ୍କେ ମୁହିଁ କେଡ଼େ ମଳିନ

କେମନ୍ତେ ସରି ତୋର ହେବି ନଳିନ

ପଙ୍କଜ ଅଟୁ ତୁହି ତେଣୁ ଭରସା

ତୋ’ପରି ଶୁଭ୍ର ହେବି ଲଭି ସୁଦଶା ।

 

ଏଣେ ଆମ ବାଡ଼ିରେ ବୋଉ ପୋତିଥାଏ କଖାରୁ ମଞ୍ଜିଟିଏ । ତା’ର ଡଙ୍କ ମାଡ଼ିଯାଏ ଆମ ଚାଳଯାକ । ସକାଳୁ ଉଠି ଆମେ ଦେଖୁ ଆମ ଚାଳଯାକ ଅସଂଖ୍ୟ ସୁନ୍ଦର ହଳଦିଆ ଫୁଲରେ ସ୍ଵର୍ଣ୍ଣବର୍ଣ୍ଣ ହୋଇଉଠିଛି । ସେମିତି ବର୍ଷାକାଳରେ ସନ୍ଧ୍ୟାବେଳେ ବାଡ଼ିରେ ରଞ୍ଜା ଉପରେ ହଳଦିଆ ଜହ୍ନି ଫୁଲମାନେ ଅସ୍ତ ସୂର୍ଯ୍ୟଙ୍କ ସୁନେଲି ରଙ୍ଗରେ ଝଟକି ଉଠନ୍ତି । ଆମ ମନ ଉଚ୍ଚାଟନାରେ ଭରିଯାଏ । ଘରର ସାନ ଝିଅଟି ଆନନ୍ଦରେ କୁରୁଳି ଉଠି ଗାଇପକାଏ–“ଜହ୍ନି ଫୁଲ ଠୋ ଠା–କାକୁଡ଼ି ଫୁଲ ଠୋ ଠା–ଗୁଣ୍ଡୁଚିମୂଷା କହି ଯାଇଛି ଚାଉଳ ମୁଠେ ଥୋଇଥା ।” ଏଣେ ଶୀତଦିନ ସ୍କୁଲ ବଗିଚାରେ ଗେଣ୍ଡୁଫୁଲ ଭର୍ତ୍ତି ହୋଇଯାଏ । ଧଳା, ନାଲି ମଣ୍ଡା ଫୁଲଗୁଡ଼ିକ ଦେଖିବାମାତ୍ରେ ମନ ଏକ ଅଜଣା ଆନନ୍ଦରେ ପୂରିଉଠେ । ମଣ୍ଡା ଫୁଲର ମାଳା ଗୁନ୍ଥି ପିଲାମାନେ ସରସ୍ଵତୀଙ୍କ ଗଳାରେ ଲମ୍ବାଇ ଦିଅନ୍ତି । ଶ୍ଵେତପଦ୍ମାସନା କୁନ୍ଦେନ୍ଦୁ-ତୁଷାର-ହାର-ଧବଳା ମା’ ସରସ୍ଵତୀ ଗେଣ୍ଡୁ ଫୁଲର ମାଳା ପିନ୍ଧି ଭାରି ଖୁସି ଦିଶୁଥାନ୍ତି ।

 

ଏମିତି ଏମିତି ବିଭିନ୍ନ ଋତୁରେ ହରେକ ରଙ୍ଗର ହରେକ ଫୁଲ ଫୁଟନ୍ତି । ସେଇ ସେଇ ଫୁଲଙ୍କ ବର୍ଣ୍ଣ ଆଉ ଗନ୍ଧଦ୍ଵାରା ସତେକି ସେଇ ସେହି ଋତୁର ଆଗମନୀ ଜାଣି ହୁଏ ! ଫୁଲମାନଙ୍କ ଗନ୍ଧ ସତେକି ଋତୁମାନଙ୍କର ନିଜ ଦେହର ଗନ୍ଧ ! କଇଁ, ଗଙ୍ଗଶିଉଳୀ, କାମିନୀ, ହେନା, ଚମ୍ପା, ମଲ୍ଲି, ଯୁଈ, ମାଧବୀ ଆଦି ଫୁଲର ବାସ୍ନା ସତେକି ଶରତ ଋତୁ–ଲକ୍ଷ୍ମୀଙ୍କର ସ୍ଵଦେହର ସୌରଭ ! ସେମିତି ମଧ୍ୟ କଖାରୁଫୁଲ, ଜହ୍ନିଫୁଲ ଆଉ ହରଗଉରା ଫୁଲ !

 

ହରଗଉରା ଫୁଲକୁ ଶୁଙ୍ଘିଲାମାତ୍ରେ ବର୍ଷାଋତୁର ଦେହ ବାସ୍ନାକୁ ବୁଝିହୁଏ । କାଠଚମ୍ପା, ମଲ୍ଲି, ବଉଳ ଆଦି ଫୁଲର ବାସ୍ନାରେ ମିଶିଥାଏ ଗ୍ରୀଷ୍ମଋତୁର ଶବ୍ଦର-ସୌରଭ । ଆଉ ବସନ୍ତଋତୁ ? ସେ ତ ଋତୁମାନଙ୍କର ରାଜା, ସମ୍ରାଟ । ବହୁରଙ୍ଗୀ ଫୁଲର ପୋଷାକ ପିନ୍ଧି ସେ ଆସନ୍ତି ଆମ ପୃଥିବୀ ଉପରକୁ । ବହୁ ସୁଗନ୍ଧ ପୁଷ୍ପର ସୌରଭରେ ସୁରଭିତ ତାଙ୍କ ଯାତ୍ରା ପଥ । ଋତୁରାଜ ବସନ୍ତ ଆସିଲେ–ଆମ୍ର ବୃକ୍ଷମାନେ ବକୁଳିତ ହୋଇ ପଥ ପାର୍ଶ୍ଵରେ ଅଭ୍ୟର୍ଥନାର ଅର୍ଘ୍ୟ ଧରି ଠିଆ ହୋଇଥାନ୍ତି ଋତୁରାଜଙ୍କ ଉଦ୍ଦେଶ୍ୟରେ । କଞ୍ଚନ ଗଛମାନେ ଶୁଭ୍ର ପୁଷ୍ପର ଉଷ୍ଣୀଷ ପିନ୍ଧୁଥାନ୍ତି । ପଳାଶ ବଣରେ ନାଲି ନାଲି ଫୁଲ ସତେକି ଅଗ୍ନ୍ୟୁତ୍ସବରେ ମତୁଆଲ ହୋଇ ବସନ୍ତ ରାଜାଙ୍କୁ ଅଭିନନ୍ଦନ ଜଣାଉଥାନ୍ତି । ଶିମିଳି ଗଛରେ ନାଲି ନାଲି ଫୁଲ ଆକାଶରେ ଆତଶବାଜୀ ଜାଳେ । ବଣ କଡ଼େ କଡ଼େ ସୁବାସିତ ଦାଶକେରଣ୍ଡା ଫୁଲରେ ଭର୍ତ୍ତି ହୋଇଯାଏ–ବନ ପଥକୁ ପୁଷ୍ପିତ କରି ଋତୁରାଜଙ୍କ ଆଗମନ ଉପଲକ୍ଷେ । କୋବିଦାର ଓ ନାଗକେଶର ବୃକ୍ଷମାନେ ପୁଷ୍ପ ମଣ୍ଡିତ ହୋଇ ଆଗନ୍ତୁକ ଗ୍ରୀଷ୍ମର ବାୟୁମଣ୍ଡଳକୁ ସୁଶୀତଳ ସୁଗନ୍ଧରେ ଭରି ଦିଅନ୍ତି । ମୋଟ ଉପରେ ଫୁଲ ସହିତ ଆମର ଜୀବନ ଓତଃପ୍ରୋତ ଭାବେ ଜଡ଼ିତ ।

 

ମଣିଷର ସୌନ୍ଦର୍ଯ୍ୟ ଜ୍ଞାନ ଜାତ ହେଲାଦିନୁ ଫୁଲ ପ୍ରତି ତା’ର ମମତା ବଢ଼ିଆସିଛି ସିନା, କମିନାହିଁ । ଫୁଲଟିଏ ମଣିଷର ମନରେ କୋମଳତା, ସୁକୁମାରତା, ଯୁବୋଚିତ ଉନ୍ମାଦନା, ସୌନ୍ଦର୍ଯ୍ୟବୋଧ, ସଜୀବତା, ସତେଜତା, ପବିତ୍ରତା ଓ ଘ୍ରାଣପ୍ରବଣତା ସୃଷ୍ଟିକରେ । ସେଥିପାଇଁ କବିମାନେ ଫୁଲକୁ ସୁନ୍ଦର ଓ ପବିତ୍ର ବସ୍ତୁର ବର୍ଣ୍ଣନାରେ ଉପମାନ ରୂପେ ବ୍ୟବହାର କରି ଆସିଛନ୍ତି-। ପଦ୍ମ-ପଳାଶ-ଲୋଚନ ଭଗବାନ ରାମଚନ୍ଦ୍ର କିମ୍ବା ବିକଚ-କମଳ ନୟନ ଭଗବାନ ଶ୍ରୀକୃଷ୍ଣଙ୍କ ବର୍ଣ୍ଣନାଠାରୁ ଆରମ୍ଭ କରି ରୂପବତୀ ରମଣୀର ସୁନ୍ଦର ଶୁଭ୍ର ଦନ୍ତପନ୍ତିକୁ କୁନ୍ଦଫୁଲ ସଙ୍ଗେ, କୌଣସି ଲଳିତାଙ୍ଗୀର କରାଙ୍ଗୁଳିଗୁଡ଼ିକୁ ଚମ୍ପକ କଳି ସଙ୍ଗେ, କେହି ସୁହାସିନୀ ନାରୀର ହସକୁ ମଲ୍ଲିଫୁଲ ସଙ୍ଗେ, କୌଣସି ସୁନୟନା ରମଣୀର ଚକ୍ଷୁ ଦୁଇଟିକୁ ନୀଳକଇଁ ସଙ୍ଗେ ଏବଂ କୌଣସି ଚନ୍ଦ୍ରମୁଖୀ ବରବର୍ଣ୍ଣନୀର ନାସିକାକୁ ତିଳପୁଷ୍ପ ସଙ୍ଗେ ତୁଳନା କରି କବିମାନେ ବିଭିନ୍ନ ଭାଷାରେ ବହୁ ରମଣୀୟ କବିତା ରଚନା କରିଛନ୍ତି । ଅନିନ୍ଦ୍ୟସୁନ୍ଦରୀ ନାରୀର ମୁଖକୁ କେବେ ପଦ୍ମ, କେବେ ବା ଗୋଲାପ ଫୁଲ ସଙ୍ଗେ ମଧ୍ୟ ଉପମା ଦିଆଯାଇଥାଏ । ଅଥଚ କ୍ରୁଦ୍ଧ ଦୁର୍ଦ୍ଦାନ୍ତ ବ୍ୟକ୍ତିମାନଙ୍କ ରକ୍ତିମ ଚକ୍ଷୁକୁ ମନ୍ଦାର ଫୁଲ ସଙ୍ଗେ ତୁଳନା ଦିଆଯାଏ । ଏମିତି ଦେଖିଲେ ଫୁଲ ସଙ୍ଗେ ଆମେ ଏତେ ସମ୍ପର୍କିତ ଯେ ଫୁଲ ନଥିବା ରାଜ୍ୟ ଆମେ କଳ୍ପନାଇ କରିପାରୁନାହିଁ ।

 

ସବୁ ଧର୍ମରେ ଫୁଲକୁ ଭକ୍ତମାନେ ଦେବଦେବୀଙ୍କ ଉଦ୍ଦେଶ୍ୟରେ ଏକ ପବିତ୍ର ସରଳ ଉପହାର ରୂପେ ବ୍ୟବହାର କରନ୍ତି । ଆମ କନ୍ଦର୍ପ ଦେବତାଙ୍କ ଧନୁଶର ତ ଫୁଲରେଇ ତିଆରି । ଅଶୋକ, ଅରବିନ୍ଦ, ଆମ୍ରମୁକୁଳ, ନବମଲ୍ଲିକା ଓ ନୀଳୋତ୍ପଳ–ଏହି ପାଞ୍ଚଟି ଫୁଲ ହେଲେ କନ୍ଦର୍ପ ଦେବତାଙ୍କ ପାଞ୍ଚୋଟି ଶର । ଏଥିରୁ ଗୋଟିଏ ଗୋଟିଏ ଫୁଲ ଶରର ଗୋଟିଏ ଗୋଟିଏ ପ୍ରଭାବ ବା ପ୍ରତିକ୍ରିୟା ରହିଛି । ଅରବିନ୍ଦ ବା ପଦ୍ମଫୁଲ ବିରହୀକୁ ଉନ୍ମାଦିତ କରେ । ଆମ୍ବ ବଉଳ ଦୁଃଖ ଦିଏ-। ନୀଳୋତ୍ପଳ ବୀରହୀ ବିରହିଣୀଙ୍କ ଦେହରେ ଦାହ ସୃଷ୍ଟିକରେ । ନବ ମଲ୍ଲିକା ସୃଷ୍ଟକରେ ଶୋକଭାବ ଓ ଅଶୋଳ ଫୁଲ ଉଚ୍ଚାଟନ କରିଥାଏ । ଆମର ସୃଜନ ଦେବତା ବ୍ରହ୍ମା ପଦ୍ମ ଭିତରୁ ଜନ୍ମ ହୋଇଛନ୍ତି । ବିଷ୍ଣୁଙ୍କ ନାଭି କମଳରୁ ସେ ଜାତ । ଆମର ଶ୍ରୀ, ସମ୍ପଦ, ସଙ୍ଗତି, ପ୍ରେମ ଓ ପବିତ୍ରତା ଇତ୍ୟାଦିର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀ ସର୍ବଦା କମଳାସନା । ବଶିଷ୍ଟ ବ୍ୟକ୍ତିମାନଙ୍କୁ ପୁଷ୍ପମାଲ୍ୟ ଦେଇ ଆମେ ବରଣ କରୁ । ଆମର ସାମାଜିକ ବିଧି ପରମ୍ପରାରେ ଏବଂ ସୌନ୍ଦର୍ଯ୍ୟ-ସଂରକ୍ଷଣ-ପରମ୍ପରାରେ ପୁରୁଷମାନେ ବିଶେଷ ବିଶେଷ ଅନୁଷ୍ଠାନରେ ଗଳାରେ ମାଲ୍ୟ ଧାରଣ କରିବା ଓ ନାରୀମାନେ ଗଭାରେ ପୁଷ୍ପ ମଣ୍ଡନ କରିବା ଏକ ଅବଶ୍ୟ ଆଚରଣୀୟ ଶୁଭ ବିଧାନ । ଆଧୁନିକ ଯୁଗରେ ସୁଟ୍ ପିନ୍ଧା ଭଦ୍ର ବ୍ୟକ୍ତିମାନେ କୋଟରେ ସୁଦ୍ଧା ଫୁଲଟିଏ ଖୋଷି ଆପଣାର ପୁଷ୍ପାନୁରାଗ ଚରିତାର୍ଥ କରନ୍ତି । ଅନେକେ ମୁଣ୍ଡର ଟୋପି ବା ପଗଡ଼ିରେ ମଧ୍ୟ ଫୁଲ ଖୋଷିବା ଦେଖାଯାଇଥାଏ । ଫୁଲ ପ୍ରତି ଆମର ଏତେ ଶ୍ରଦ୍ଧା ଯେ ଆମେ ଆମ ଘରର କବାଟ, ଦ୍ଵାରବନ୍ଧ, ଆଲମିରା ଇତ୍ୟାଦିରେ ଫୁଲ ଡିଜାଇନମାନ ଖୋଦନ କରିଥାଉ । ଫୁଲପକା ଧଡ଼ିର ଶାଢ଼ୀ ଭାରି ଆଦର ପାଏ । ଛିଟ ଶାଢ଼ୀର ଦେହସାରା ନାନାଦି କଳ୍ପିତ ଫୁଲ ଛାପାରେ ବିଚିତ୍ର ଦିଶେ । ଟେବୁଲ୍ କ୍ଳଥ, କାରପେଟ, ସବୁଥିରେ ନାନାଦି କାଳ୍ପନିକ ଫୁଲର ଡିଜାଇନ ଆମ ଘରକୁ ଏକ ମନୋହର ଢଙ୍ଗ ଦିଏ । ବହୁ ସୁରୁଚିସମ୍ପନ୍ନ ବ୍ୟକ୍ତି ତାଙ୍କ ଖାଇବା ଟେବୁଲ ଉପରେ ଯେମିତି ଫଳଝୁଡ଼ିଟିଏ ରଖିଥାନ୍ତି, ସେମିତି ତାଙ୍କ ଡ୍ରଇଁରୁମ୍ ବା ବେଡ୍‌ରୁମରେ ଫୁଲର ଦାନୀଟିଏ ସଜାଇ ରଖନ୍ତି । ଏହା ଗୃହକୁ ଅପୂର୍ବ ସୌନ୍ଦର୍ଯ୍ୟ ଓ ସଜୀବତାରେ ଭରିଦିଏ–ମନକୁ ସମ୍ବେଦନଶୀଳ ଓ ଶାନ୍ତ କରିଦିଏ ।

 

ଅଷ୍ଟାଦଶ ଶତାବ୍ଦୀରେ ଇୟୁରୋପରେ ଶିଳ୍ପବିପ୍ଳବ ଯୁଗରେ ଯେତେବେଳେ ଭାରୀ ଶିଳ୍ପ ଓ କଳକାରଖାନାର ବିସ୍ତାର ଫଳରେ ପ୍ରାକୃତିକ ପରିବେଶ ନଷ୍ଟ ହୋଇଗଲା ଓ କେବଳ ଧୂଳି, ଧୂଆଁ, କୋଇଲା, ଲୁହା ଓ ନାନାଦି ପ୍ରକାର ରୁକ୍ଷ ରୂଢ଼ କୋଳାହଳରେ ଚତୁର୍ଦ୍ଦିଗ ପୂର୍ଣ୍ଣହୋଇ ଲୋକମାନଙ୍କର ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧ ଓ ସୁକୁମାର ଭାବପ୍ରବଣତାରେ ବାଧା ସୃଷ୍ଟିକଲା–ସେତେବେଳେ ସମାଜର ଶୁଭଦର୍ଶୀମାନେ ଲକ୍ଷ୍ୟ କଲେ ଯେ ଯନ୍ତ୍ର ସଭ୍ୟତା ଲୋକଙ୍କ ଚେତନାକୁ ଯାନ୍ତ୍ରିକତାରେ ପରିଣତ କରିଦେଲାଣି । ଲୋକେ କ୍ରମଶଃ ପ୍ରକୃତିଛଡ଼ା ହୋଇଯାଉଛନ୍ତି । ସେତେବେଳେ ଏ ଦୃଷ୍ଟିରୁ “ଆର୍ଟ ଇନ୍‌ ଇଣ୍ଡଷ୍ଟ୍ରି” ଓ “ନେଚର ଇନ୍ ଇଣ୍ଡଷ୍ଟ୍ରି” ବୋଲି ଦୁଇଟି ଆନ୍ଦୋଳନ ଦେଖାଗଲା । ଦାବୀ ହେଲା ଯେ ସବୁ କଳକାରଖାନା ଚାରିପଟେ କୃତ୍ରିମ ବନ, ପାହାଡ଼ ଓ ପୁଷ୍ପିତ ଉପବନମାନ ତିଆରି ହେବ ଏବଂ ପ୍ରତିଟି ଯନ୍ତ୍ର ବା କଳ ଇତ୍ୟାଦିରେ ପୁଷ୍ପ ଲତା ଇତ୍ୟାଦି ଖୋଦେଇ ହେବ । ପ୍ରକୃତରେ ତାହାହିଁ ଘଟିଥିଲା । ଗୋଟିଏ ସାମାନ୍ୟ ରେଞ୍ଚିଠାରୁ ଆରମ୍ଭ କରି ଇଞ୍ଜିନର ମୁହଁ ପର୍ଯ୍ୟନ୍ତ ସର୍ବତ୍ର ଲତା ଓ ଫୁଲର ଡିଜାଇନମାନ ଢଳେଇ ହୋଇଥିଲା ।

 

ଏ ସବୁ ଦେଖି ମନରେ ପ୍ରଶ୍ନଉଠେ–କାହିଁକି ମଣିଷ ମନରେ ଏତେ ଅଧିକ ପୁଷ୍ପାନୁରାଗ-? ଫୁଲ ପ୍ରତି ମାୟା ମମତା ଆଉ ଏତେ ସମ୍ମାନବୋଧର ହେତୁ ବା କ’ଣ ?

 

ଇଂରେଜୀ କବି ୱାର୍ଡ଼ସୱାର୍ଥ କହନ୍ତି–ସାମାନ୍ୟ ଆଉ ନଗଣ୍ୟ ଗୋଟାଏ ଘାସଫୁଲ–କିନ୍ତୁ ସେ ଫୁଲଟି ତାଙ୍କ ମନରେ ଲଦିଦିଏ ଯୁଗାନ୍ତ ବେଦନାର ଗୁରୁଭାର । କାଇଁକି କେଜାଣି ତାଙ୍କ ଆଖିରୁ ଲୋତକର ସ୍ରୋତ ଛୁଟେ । ନଦୀଧାରରେ ଡଫୋଡ଼ିଲ ଫୁଲ ଫୁଟି ତାଙ୍କ ମନକୁ ଏକ ଅପୂର୍ବ ଭାବରେ ବୁଡ଼ାଇ ଦେଇଥିଲା । ସେ କହନ୍ତି–ଫୁଲମାନେ କେବଳ ରୂପ ରସ, ବାସ ଯୋଗୁଁ ଆମର ଇନ୍ଦ୍ରିୟ ତୋଷଣ କରନ୍ତି ନାହିଁ ସେମାନେ ଆମର ସୃଜନୀ କଳ୍ପନାରେ ଡେଣା ଲଗାଇଦିଅନ୍ତି–ଏବଂ ତଦ୍ୱାରା ଏକ ପରମ ରହସ୍ୟମୟ ଗୂଢ଼ ଅଭିବ୍ୟକ୍ତିର ବ୍ୟଞ୍ଜନା ଫୁଲମାନଙ୍କ ଭିତରେ ଫୁଟି ଦିଶେ । କବି ଥମାସ୍ ଗ୍ରେ କହନ୍ତି–କେଉଁ ସ୍ଵର୍ଗରାଜ୍ୟର ନନ୍ଦନକାନନର ଆନନ୍ଦମୟ ବାର୍ତ୍ତା ମୋର ଦୃଷ୍ଟି ପଥରେ ଖୋଲିଦିଏ ମୋ ବଗିଚାର ଛୋଟ ଗୋଟିଏ ଫୁଲ ।

 

ଫୁଲ ହୋଇଉଠିଛି ମଣିଷ ପକ୍ଷରେ ଏକ ମାନବୀୟ ପ୍ରତୀକ । ଝିଅଟିଏ ଋତୁମତୀ ହେଲେ ଆମେ କହୁ ଝିଅଟି ପୁଷ୍ପବତୀ ହେଲା । ଯେଉଁମାନେ ଯୋଗ ସାଧନା କରନ୍ତି, ସେମାନେ ମଣିଷର ଦେହ ଭିତରେ ଛଅଟି ଚକ୍ର ବା ଛଅଟି ପଦ୍ମର ନାଡ଼ୀକେନ୍ଦ୍ର କଳ୍ପନା କରିଥାନ୍ତି । ସେଗୁଡ଼ିକ ହେଲା–ଗୁହ୍ୟ ପଦ୍ମ, ନାଭି ପଦ୍ମ, ହୃଦ ପଦ୍ମ, କଣ୍ଠ ପଦ୍ମ, ଲଲାଟ ପଦ୍ମ ଓ ସର୍ବ ଶୀର୍ଷରେ ମସ୍ତିଷ୍କ ପଦ୍ମ–ଯାହାକି ସହସ୍ରଦଳ ପଦ୍ମ ରୂପେ ଆଖ୍ୟାତ । ସାଧକ ନିମ୍ନ ଚେତନାର ଉନ୍ମେଷରୁ ଅର୍ଥାତ୍ ଗୁହ୍ୟ ପଦ୍ମର ଉନ୍ମେଷଠାରୁ କ୍ରମଶଃ ଚେତନା ବିକଶିତ କରି କରି ଶେଷରେ ଉଚ୍ଚତମ ଚେତନାର ଉନ୍ମେଷ କରିଥାଏ । ପଦ୍ମର କ୍ରମ ପ୍ରସ୍ଫୁଟନ ସଙ୍ଗେ ମଣିଷଚେତନାର ଉନ୍ମେଷକୁ ତୁଳନା କରାଯାଇଛି । ଭାରତର ଦାର୍ଶନିକଗଣ ପଦ୍ମ ଭିତରେହିଁ ଜଗତର କ୍ରମବିକାଶକୁ ଲକ୍ଷ୍ୟ କରିଛନ୍ତି । ଏହି ପଦ୍ମ ଫୁଲଟି ଜଗତର ଯାବତୀୟ ପାପ ଓ ପୁଣ୍ୟର ଇତିହାସକୁ ପ୍ରତୀକୀତ କରିଥାଏ । ପଦ୍ମ ତେଣୁ ଭାରତୀୟ ଚେତନାରେ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନୁହଁ–ଶାନ୍ତି, ସମୃଦ୍ଧି ଓ ଜ୍ୟୋତିର୍ମୟ ଆନନ୍ଦର ମଧ୍ୟ ପ୍ରତୀକ । କେବଳ ପଦ୍ମ ନୁହଁ–ଫୁଲ ମାତ୍ରେଇ ଆସ୍ତିକତା ଓ ଦିବ୍ୟ ପ୍ରଭାବର ସୂଚକ ଏବଂ ନୈତିକ ବ୍ୟଞ୍ଜନାର ପ୍ରବର୍ତ୍ତକ । ପ୍ରକୃତି ମାତାର ବିଚିତ୍ର ସନ୍ଦେଶର ବାର୍ତ୍ତାବହ ଏଇ ଫୁଲମାନେ । ପ୍ରକୃତିର ଅଫୁରନ୍ତ ସୃଷ୍ଟି ଏହି ଫୁଲ ଜଗତ । ଗୋଟିଏ ଫୁଲ ତିଆରି କରିବାକୁ ପ୍ରକୃତିକୁ କି ଛନ୍ଦ ଆଉ ସଙ୍ଗତି ରକ୍ଷା କରିବାକୁ ନ ପଡ଼େ ! ସମଗ୍ର ଜଗତରେ ଫୁଲମାନଙ୍କୁ ସୃଷ୍ଟି କରିବାକୁ ପ୍ରକୃତିମାତାକୁ କେତେ ରଙ୍ଗ, କେତେ ସୁବାସ ଆଉ କେତେ ମଧୁ ବ୍ୟୟ କରିବାକୁ ପଡ଼େ, ତା’ କିଏ କଳନା କରିପାରିବ ? ଏଇ ଫୁଲମାନଙ୍କ ଯୋଗୁଁ ଆମେ ମହୁ ଭଳି ପଦାର୍ଥ ପାଉ ଅତର ତିଆରି କରୁ–ଆଉ ବହୁ ଫୁଲରୁ ନାନାଦି ଔଷଧ ମଧ୍ୟ ତିଆରି ହୁଏ ।

 

ଫୁଲମାନଙ୍କର ଏତେ ମୂଲ୍ୟ, ଏତେ ମର୍ଯ୍ୟାଦା । ଏତେ ଆଦରଣୀୟା ଆଉ ବରଣୀୟ ସେମାନେ ! କିନ୍ତୁ ଫୁଲଗୁଡ଼ିକ ଆଡ଼େ ଚାହିଁ ଦେଖନ୍ତୁ ତ ! କେଡ଼େ ନିରୀହା ଆଉ ନଷ୍ପାପା, ପୁଣି କେଡ଼େ ବିନୀତା ! ନିଜକୁ ଦେଇ ଦେବାରେ ସେମାନେ କେଡ଼େ ଅକୁଣ୍ଠିତା । ଗଛରୁ ଛିଡ଼ାଇ ଫୁଲଟିକୁ କିଏ ଗଭାରେ ଖୋଷୁ–କିମ୍ବା ଡାଲାଏ ଫୁଲ ତୋଳି ମାଳା ଗୁନ୍ଥି କିଏ କାହା ଗଳାରେ ବରଣମାଳା ପକାଉ–ଦେବତାଙ୍କ ଶିରରେ ଶୋଭିତ ହୁଅନ୍ତୁ ବା କାହା ଚଲାପଥରେ ବିଞ୍ଚା ହେଉନ୍ତୁ ଶିବ ଶିରରେ ଲାଗନ୍ତୁ ବା ଶବ ଉପରେ ଆଚ୍ଛାଦିତ ହୁଅନ୍ତୁ–ଆକାଶରୁ ବୃଷ୍ଟି ହୁଅନ୍ତୁ ବା ବଣରେ ଫୁଟି ସେହି ବଣରେଇ ଝଡ଼ି ମଉଳି ଯାଆନ୍ତୁ–ଫୁଲଙ୍କର କୋଉଥିରେ କିଛି ଓଜର ନାହିଁ କି ଆପତ୍ତି ନାହିଁ । କୋଉଥିରେ ଲଜ୍ଜ୍ୟା ନାହିଁ କି ସଙ୍କୋଚ ନାହିଁ । ମାନ ନାହିଁ କି ଅପମାନ ନାହିଁ । ଭକ୍ତଟିଏ ତାକୁ ଅତି ନମ୍ର ଆଉ ଭଦ୍ରଭାବେ ଗଛରୁ ଚୟନ କରେ । ପ୍ରେମିକାଟିଏ ତାକୁ ଅତି ଯତ୍ନରେ ଅତି ସ୍ନେହରେ ଆହରଣ କରି ଗୁନ୍ଥନ କରେ । ହୁଣ୍ଡା ଲୋକଟିଏ ଅତି ନିଷ୍ଠୁରଭାବେ ତାକୁ ଡାଳସୁଦ୍ଧା ଭାଙ୍ଗି ଆଣି ଅତି ରୁକ୍ଷଭାବେ କୁତୁକୁତା କରି ଛିଡ଼ାଇ ଫୋପାଡ଼ି ଦିଏ । କିନ୍ତୁ ଆପଣ କେତେବେଳେ ବଗିଚାରେ ଫୁଲଗଛଟିକୁ ଚାହାନ୍ତୁ–ଦେଖିବେ, ବ୍ରୀଡ଼ାବତୀ ପ୍ରେମଶୀଳା ରମଣୀର ମନୋହର ମୁଖ ଭଳି ସେମାନେ ଡାଳରେ ଫୁଟି ରହିଥିବେ–ହସୁଥିବେ–ସ୍ଵାଗତ କରୁଥିବେ–କିନ୍ତୁ ନ ଥିବ ସେଥିରେ ରୁକ୍ଷ କୋଳାହଳ ବା ପ୍ରଦର୍ଶନୀପ୍ରବଣତା । ନୀରବରେ ସେମାନେ ଫୁଟନ୍ତି–ନୀରବରେ ସେମାନେ ହସନ୍ତି–ଆଉ ଅତି ନୀରବରେ ସେମାନେ ଅନ୍ୟକୁ ଅଭ୍ୟର୍ଥନା କରନ୍ତି । ଶେଷରେ–କେହି ଆହରଣ ନ କରିଥିଲେ ନୀରବରେ ଭୂଇଁ ଉପରେ ଖସିପଡ଼ି ନୀରବରେ ମିଳେଇଯାନ୍ତି ମାଟିରେ । ଫୁଲ ମାତ୍ରେଇ ସତେକି ଈଶ୍ଵରଙ୍କର ଏକ ପରମ ରମଣୀୟ ନୀରବତାର ଅଭିବ୍ୟକ୍ତି !

 

ପ୍ରଥମେ ଗଛର ଡାଳରେ ଦେଖାଦିଏ କଳିଟିଏ । ମାତ୍ର ଧୀରେ ଧୀରେ ସମସ୍ତଙ୍କ ଅଜାଣତରେ କେଡ଼େ ନୀରବ, ଧୀର ଆଉ ଭଦ୍ର ରୀତିରେ ସେଇ କଳିକାଟି ପାଖୁଡ଼ା ମେଲାଇ କେତେବେଳେ ଫୁଟିଯାଏ–ଫୁଟିଲାମାତ୍ରେଇ ପ୍ରାଣଶକ୍ତିର ପ୍ରସ୍ଫୁରଣ ହୋଇଯାଏ–ମନେହୁଏ ସୁନ୍ଦର ଆହ୍ଲାଦିତ ଦିବ୍ୟ ମୁହଁଟିଏ ଫୁଟି ଉଠିଲା–ହସି ଉଠିଲା । ଚାରିଆଡ଼େ ତା’ର ବାସନା ବିଚ୍ଛୁରିଯାଏ । କୋଉ କୋଉ ଅଜଣା ଥାନରୁ ଉଡ଼ିଆସନ୍ତି ଉଚ୍ଚାଟିତ ହୋଇ ସେମାନେ–ମହୁମାଛି, ଭଅଁର, ପ୍ରଜାପତି ଆଉ ହରେକ କିସମର କୀଟ ପତଙ୍ଗ । ସମସ୍ତେ ଆସି ବସି ପଡ଼ନ୍ତି ଫୁଲଟି ଉପରେ । ସମସ୍ତେ ଚୁମିଲାଗନ୍ତି ସେହି ସୁନ୍ଦର ସତେଜ ସଲ୍ଲଜ ମୁହଁଟିକୁ । ପାଖରେ ଯାଉଥିବା ଲୋକଟିର ଆକ୍ଷରେ ପଡ଼େ–ପୃଥିବୀ ହସି ଉଠୁଛି କି ! ମନରେ ପ୍ରଶ୍ନ ଆସେ–ଫୁଲର ଜୀବନ କ’ଣ ତା’ହେଲେ ଏଇଆ ? ଅନ୍ୟର ସୁଖ ପାଇଁ ନିଜକୁ ସମର୍ପି ଦେବା ? ତା’ପରେ ଯେତେବେଳେ ଫୁଲଟି ମଉଳି ଯାଇ ଭୂଇଁ ଉପରେ ଖସିପଡ଼େ, ସେତେବେଳେ ସେ ଛାଡ଼ିଯାଏ ଫଳଟିଏ । ମନେ ପଡ଼େ–ଘର ଚାଳ ଉପରେ ମାଡ଼ିଥାଏ କଖାରୁ ଲଟା, ଲାଉ ଲଟା, ପାଣିକଖାରୁ ଲଟା । ଫୁଲଟି ମଉଳି ଯାଉଥାଏ ଆସ୍ତେ ଆସ୍ତେ–କିନ୍ତୁ ତା’ତଳକୁ ଫଳଟିଏ ବଢ଼ି ଉଠୁଥାଏ କେତେଖିଣିକା । ଗୋଟିଏ ଗୋଟିଏ ଫୁଲ ନୁହଁ ତ ଆଉ କ’ଣ ? ଏହି ଆମ ପୃଥିବୀରେ କୋଟି କୋଟି ପ୍ରାଣୀ ସମସ୍ତେ ଗୋଟିଏ ଗୋଟିଏ ଫୁଲ ନୁହନ୍ତି କି ପାର୍ଥିବ ଉଦ୍ୟାନରେ ?

 

ସେଥିପାଇଁ ଫୁଲକୁ ଦେଖିଲାବେଳେ, ବା ଫୁଲଙ୍କ କଥା ଭାବିଲାବେଳେ, ମନରେ ସ୍ଵତଃ ଏକ ପ୍ରାର୍ଥନା ଜାଗିଉଠେ–ହେ ଈଶ୍ଵର ଆମର ମନକୁ ଫୁଲ ଭଳି ନିର୍ମଳ କର ଆମର ହୃଦୟକୁ ଫୁଲ ଭଳି କୋମଳ ଆଉ ସୁକୁମାର କର–ଏବଂ ଆମର ଆତ୍ମାକୁ ଗଢ଼ିତୋଳ ପବିତ୍ର ଆଉ ଉତ୍ସର୍ଗୀକୃତ ଫୁଲଟିଏ ଭଳି ।

 

ହେ ବିଶ୍ଵବିଧାତା ! ପୃଥିବୀରେ ସବୁ ଉଦ୍ୟାନ ପୁଷ୍ପିତ ହୁଅନ୍ତୁ ଲକ୍ଷ ଲକ୍ଷ ଫୁଲରେ ଭରିଯାଉ ସବୁରି ମନର ଉପବନ । ସବୁ କଳିକା ପ୍ରସ୍ଫୁଟିତ ହେଉନ୍ତୁ ! ଆଉ ପ୍ରଭୁ ! ଯଦି କୌଣସି କଳିକା ଫୁଟିବା ପୂର୍ବରୁ ଅକାଳରେ ଭୂଇଁରେ ଝଡ଼ିପଡ଼େ, ତେବେ ତାହା ଯେପରି ପୁନଶ୍ଚ ଆପଣଙ୍କ ଉଦ୍ୟାନରେ ସମ୍ପୂର୍ଣ୍ଣଭାବେ ଫୁଟିଉଠୁ ।

 

ହେ ଜୀବନଧାତା ! ଆମର ଚରମ ନିରାଶ ମୁହୂର୍ତ୍ତରେ, କିମ୍ବା ଆମର ଚରମ ନିଃଶ୍ଵାସ ତ୍ୟାଗର ପ୍ରାକ୍‌କାଳରେ, କବି କୁନ୍ତଳାକୁମାରୀଙ୍କର ସେହି ଗଭୀର ପଦଟି ଯେପରି ଆମର ମନରେ ସ୍ମରଣ କରାଇ ଦିଅ–

 

ଶେଷଗତି ନୁହେଁ ମୋର ମୃତ୍ୟୁ କେଉଁ କାଳରେ

ମରିବାକୁ ଫୁଟିନାହିଁ ଭବତରୁ ଡାଳରେ

ଅଛି ରମ୍ୟ ଉପବନ–ଯହିଁ ଫୁଟି ଚିରଦିନ

ମୋହିବି ମୋ ପ୍ରାଣପ୍ରିୟ ଦେବତାଙ୍କୁ ଉଲ୍ଲାସେ

ଅନନ୍ତ ଅମୃତ ପ୍ରେମ ସୁଧାମୟ ସୁବାସେ ।

 

ସବୁରି ବଗିଚାରେ ସବୁ ଋତୁରେ ସବୁ ଫୁଲ ଫୁଟୁ । ସବୁରି ବାଡ଼ି ଆଉ ବାଡ଼ରେ ଫୁଲମାନେ ଫୁଟନ୍ତୁ । ସବୁ ବଣ ପୁଷ୍ପବତୀ ହେଉ ଓ ସବୁ ଫୁଲ ହେଉନ୍ତୁ ଫଳସମ୍ଭବା ।

Image

 

ଓଷଦ, ଓଷଦ..... ଓଷଦ

 

ଆଧୁନିକ ଯୁଗକୁ କିଏ କେତେ ପ୍ରକାର ନାମ ଦେଇ ଡାକୁଛନ୍ତି–କିଏ କହୁଛନ୍ତି ବିଜ୍ଞାପନର ଯୁଗ–କିଏ କହୁଛନ୍ତି ଟେଲିଭିଜନ୍‌ର ଯୁଗ–କିଏ ପୁଣି କହୁଛି ରାଜନୀତିର ଯୁଗ–କେହି କେହି ଏହାକୁ ଯୌନ ବିଳାସର ଯୁଗ–କେହିବା ଏହାକୁ ଲଙ୍ଗୁଳି ଯୁଗ ବୋଲି ଗାଳି ଦେଇ ଆତ୍ମସନ୍ତୋଷ ଲାଭ କରନ୍ତି । କିନ୍ତୁ ମୁଁ କେନ୍ଦ୍ରୀୟ ଭେଷଜ ଗବେଷଣା ପ୍ରତିଷ୍ଠାନର ପ୍ରାକ୍ତନ ଅଧିକର୍ତ୍ତା ଡାକ୍ତର ବିଷ୍ଣୁ ମୁଖୋପାଧ୍ୟାୟଙ୍କର ଗୋଟିଏ ପ୍ରବନ୍ଧ ପଢ଼ିସାରି ଭାବୁଛି–ଏ ଯୁଗକୁ ଔଷଧ ସେବନର ଯୁଗ ବୋଲି ନାମିତ କରିବି । ଆପଣ ପଚାରୁଛନ୍ତି–କାହିଁକି କରିବି ? ଶୁଣନ୍ତୁ । ଆଜିକାଲି କଥା କଥାକେ ବଟିକାଟିଏ ଗିଳିଦେବା ବା ଇଂଜେକ୍‍ସନଟିଏ ଫୋଡ଼ି ହୋଇଯିବା ଗୋଟିଏ ବାତିକ ବା ପାଗଳାମୀରେ ପରିଣତ ହୋଇଗଲାଣି l ମୁଣ୍ଡ ଟିକିଏ ବିନ୍ଧିଲା ତ ଚଲାଓ ଗୋଟିଏ ବଟିକା–ଛିଙ୍କ ଦୁଇ ଚାରିଟା ହୋଇଗଲା ତ ଗିଳିନିଅ ଲାଗ ଲାଗ ଦୁଇଟା ବଟିକା–ପେଟ ଟିକିଏ ଓଜନ ଲାଗିଲାତ ଖାଅ ଦି’ ଦି’ଟା ବଟିକା ଘଣ୍ଟାକ ଅନ୍ତରରେ । ବଜାରରେ ଏ ସବୁ ଲାଗି ଦେଢ଼ ହଜାର ପ୍ରକାର ବଟିକା ବିକ୍ରୀ ହେଉଛି ବିଜ୍ଞାପନ ମଧ୍ୟ ବିଚିତ୍ର ମାର୍ଗରେ ଆମକୁ ସେଇ ପରାମର୍ଶ ଦେଇ ଚାଲିଛି । ଏବେ ପୁଣି ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଓ ପ୍ରୌଢ଼ ପ୍ରୌଢ଼ାମାନଙ୍କର ଆଉ ଏକ ପ୍ରକାର ଅଲକ୍ଷଣା ରୋଗ ବାହାରିଛି । କେତେକଙ୍କୁ କୁଆଡ଼େ ଭାରି ଅବସାଦ ବା ଅବସନ୍ନ ଲାଗୁଛି ଅକାରଣଟାରେ । ଦେହରେ ରକ୍ତ ମଳ ମୂତ୍ର ଇତ୍ୟାଦିରେ କିଛି ବେରାମ ନାହିଁ–ଅଥଚ କେମିତି ଗୋଟେ କ୍ଳାନ୍ତି ଘୋଟି ଆସୁଛି ମୁଣ୍ଡକୁ–ଦେହ ହାତ ଘୋଳା ବିନ୍ଧା ହେଉଛି–ମୁଣ୍ଡ କରୁଛି ଝିମ୍‌ଝିମ୍‌ ବେଳେ ବେଳେ । କୋଉ କଥାରେ ଆସ୍ଥା ରହୁନାହିଁ–କୋଉ କାମ କରିବାକୁ ମନ ଲାଗୁ ନାହିଁ । ବରଂ ବିରକ୍ତ ଲାଗୁଛି–କିଛି ବି ମନେରହୁ ନାହିଁ । ଅପର ପକ୍ଷରେ ଠିକ୍ ଏହାର ବିପରୀତ ଉପସର୍ଗ ବି କେତେକଙ୍କୁ ଘାରୁଛି । ସେମାନେ କୁଆଡ଼େ କଥା କଥାକେ ଉତ୍ତେଜିତ ହୋଇ ପଡ଼ୁଛନ୍ତି–ହଠାତ୍ ଚିଡ଼ି ଯାଉଛନ୍ତି–ଛାତି ଧଡ଼ପଡ଼ ହେଉଛି–ସମସ୍ତଙ୍କ ପ୍ରତି ସନ୍ଦେହ, ଅବିଶ୍ଵାସ, ଘୃଣା ଜାତ ହେଉଛି ମନ ଭିତରେ । ବେଳେ ବେଳେ ଭୟ ଲାଗୁଛି–କେଜାଣି କି ପ୍ରକାର ଅଚିହ୍ନା ବ୍ୟାଧି ଘୋଟି ଗଲାଣି–ଡାକ୍ତରମାନେ ଚିହ୍ନିପାରୁ ନାହାନ୍ତି–ଖୁବ୍ ଶୀଘ୍ର ବୋଧେ ଯମଦୂତମାନେ ପହୁଁଚି ଯାଇ ପାରନ୍ତି, ଇତ୍ୟାଦି ଇତ୍ୟାଦି । କିନ୍ତୁ ବଡ଼ ଡାକ୍ତରମାନେ ମତ ଦେଉଛନ୍ତି–ଏ ସବୁ ରୋଗ ନୁହେଁ–ତେବେ କେତେକ ଅକାରଣ ଉପସର୍ଗର ଯନ୍ତ୍ରଣା ନିଶ୍ଚୟ ସେମାନେ ଭୋଗୁଛନ୍ତି । କେତେକ ଏ ସବୁକୁ ବାୟୁରୋଗ, ପିତିପାଙ୍ଗୁଳିଆ ରୋଗ, ଆଡ଼ବାଇଆ ରୋଗ ଇତ୍ୟାଦି ନାମ ଦେଉଛନ୍ତି । ଇଂରାଜୀରେ କହୁଛନ୍ତି ନିଓରୋଟିକ୍ ରୋଗ । ଏ ରୋଗ ଆପଣା ମନରୁ ଜାତ । ମନର ମୂଳେ ଏ ଜଗତ । ଜଣକର ମନରେ ଯଦି କୌଣସି ପ୍ରକାରେ ପ୍ରବେଶ କରି ଗଲା ଯେ ତାକୁ ନିଦ ହେଉନାହିଁ–ତେବେ ଚାଲିଲା ରାତି ରାତି ସେ ବିଚାର-। ଆଉ ଶୋଇ ପାରିବ ନାହିଁ ଯେତେ ଚେଷ୍ଟା ବିଚେଷ୍ଟା କଲେ ମଧ୍ୟ । ଏ ପ୍ରକାର ମାନସିକ ବା ସ୍ନାୟୁଗତ ରୋଗକୁ ଭଲ କରିବା ଲାଗି ମନସ୍ତାତ୍ତ୍ୱିକ ଡାକ୍ତରମାନେ ଓ ଯୋଗୀ ପୁରୁଷମାନେ ବହୁ ପ୍ରକାର ଉପାୟ ବାହାର କଲେଣି ।

 

କିନ୍ତୁ ଏଇସବୁ ମାନସିକ ଦୂରବସ୍ଥାରୁ ରକ୍ଷା କରିବା ଲାଗି ଓଷଦ ଗବେଷକ ଓ ଓଷଦ ବିକ୍ରିକରି ପୁଞ୍ଜି ବଢ଼ାଉଥିବା ବ୍ୟବସାୟୀମାନେ ନାନାଦି ବିଚିତ୍ର କ୍ଷତିକାରକ ଓଷଦମାନ ଆବିଷ୍କାର କରି ବିକ୍ରି କରିବାରେ ଲାଗିଛନ୍ତି ପୃଥିବୀ ସାରା ଓ ଆମ ଦେଶରେ ମଧ୍ୟ ତାହା ଦିନୁଦିନ ବଢ଼ି ଚାଲିଛି-

 

ସେଥିରୁ କେତେକ ହେଲା ଅଫିମ ଓ କୋକେନ୍‍ ଜାତୀୟ ଓଷଦ । ଅଫିମ ତିଆରି ଓଷଦ କଥା ଶୁଣିବେ ? ଖ୍ରୀ: ପୂ: ୭ମ ଶତାବ୍ଦୀରେ ଆସିରୀୟ ଡାକ୍ତରୀ ବହିରେ ଏବଂ ଖ୍ରୀ: ପୂ: ୧୬ଶ ଶତାବ୍ଦୀର ମିଶର ଦେଶର ଓଷଦ ତାଲିକାରେ ଏହାର ଉଲ୍ଲେଖ ଦେଖାଯାଏ । ତା’ ଆଗରୁ ପ୍ରାୟ ଛ ହଜାର ବର୍ଷ ପୂର୍ବରୁ ସୁମେରୀୟମାନଙ୍କ ମଧ୍ୟରେ ବି ଅଫିମର ଗୋଟିଏ ପ୍ରତିଶବ୍ଦ ଥିଲା । ପୁଣି ଆମର ଏହି ଶତାବ୍ଦୀର ଚମକପ୍ରଦ ବୈଜ୍ଞାନିକ ଆବିଷ୍କାର ପୂର୍ବରୁ ଅଫିମ ଓ ସେଥିରୁ ଉତ୍ପନ୍ନ ଭେଷଜଗୁଡ଼ିକ ମନୁଷ୍ୟର ପ୍ରଧାନ ଓଷଦ ଥିଲା । ସେତେବେଳେ ରୋଗର କାରଣମାନ ସମ୍ପର୍କରେ ସେତେଦୂର ଜ୍ଞାନ ନ ଥିଲା ଆମ ଡାକ୍ତରମାନଙ୍କର । ତେଣୁ ରୋଗର ଯନ୍ତ୍ରଣା ଉପଶମ ଲାଗି ଡାକ୍ତରମାନେ ଏସବୁ ଓଷଦର ବ୍ୟବହାର କରୁଥିଲେ । କିନ୍ତୁ କ୍ରମେ ପ୍ରମାଣିତ ହେଲା–ଅଫିମ ଗୋଟିଏ ପ୍ରକାର ଯନ୍ତ୍ରଣା କମାଉଛି ସିନା, ମାତ୍ର ଅନ୍ୟ ପ୍ରକାର ଯନ୍ତ୍ରଣା ସୃଷ୍ଟି କରି ଦେଉଛି । ମାଦକ ଆସକ୍ତିର ଯନ୍ତ୍ରଣା କିଛି କମ୍ ନୁହେଁ ।

 

ଅଫିମ ଭଳି ମର୍ଫିନ୍, ହିରୋଇନ୍ ଓ କୋଡ଼ିନ୍ ମଧ୍ୟ ବର୍ତ୍ତମାନ ଖୁବ୍ ପ୍ରଚଳିତ ମାଦକ ଓଷଦ । ଏଗୁଡ଼ିକ ଖାଇବାରେ ଅଭ୍ୟସ୍ତ ଥିବା ବ୍ୟକ୍ତିର ଦିନେ ଯଦି ବନ୍ଦ ହୋଇଯାଏ ତେବେ ମ୍ୟାଲେରିଆ ବା ବାତଜରର କମ୍ପ ବେଦନାରେ ଶରୀର ଫାଟି ପଡ଼େ । ଊନବିଂଶ ଶତାବ୍ଦୀରେ ବି ଏହି ମାଦକ ଓଷଦର ଖୁବ୍ ଅପବ୍ୟବହାର ହେଉଥିଲା । ସେତେବେଳେ କୋକେନ୍ ଥିଲା ଏକ କଡ଼ା ଉତ୍ତେଜକ ଓଷଦ । ବର୍ତ୍ତମାନ କାଳରେ ଏହି ସବୁ ନିଶା ଓଷଦର ସାମାଜିକ ଓ ଅର୍ଥନୈତିକ ଦିଗରୁ ଯେ କେତେଦୂର ବିପଜ୍ଜନକ ପ୍ରସାର ହୋଇ ଚାଲିଛି, ତାହା ଜାଣିଲେ ମୁଣ୍ଡ ଘୂରି ଯିବ । ବର୍ତ୍ତମାନ ହିରୋଇନ୍ ବୋଲି ଗୋଟିଏ ମାଦକ ଓଷଦ ବାହାରିଛି–ଯାହାକୁ ଆମର ଯୁବକ ଯୁବତୀମାନେ ବେଶି ଖାଉଛନ୍ତି । ଆମେରିକାରେ କେତେକ ସ୍ତରରେ ଏହାର ଅପବ୍ୟବହାର ଚରମକୁ ଉଠିଲାଣି । ଏଇ ହିରୋଇନ୍ ହେଲା ଖୁବ୍ କଡ଼ା ମାଦକ । କିନ୍ତୁ କେତେକ ଅମାଦକ ଓଷଦର ମଧ୍ୟ ପ୍ରସାର ବଢ଼ି ବଢ଼ି ଚାଲିଛି । ଏଗୁଡ଼ିକର ମଧ୍ୟ ବହୁ କ୍ଷତିକର ଅପବ୍ୟବହାର ହୋଇ ଚାଲିଛି ।

 

ଏଲ୍. ଏସ୍. ଡି. ନାମରେ ଗୋଟିଏ ଓଷଦ ବାହାରିଛି । ଏ ଓଷଦ ସେବନକାରୀର ମାନସିକ ବିଭ୍ରମ ଉତ୍ପାଦନ କରେ । ସେହିଭଳି ଏଫେଡ୍ରିନ୍, ବେଥେଡ୍ରିନ୍, କୋକେନ୍ ପ୍ରଭୃତି ମନରେ ଭୟଙ୍କର ଉତ୍ତେଜନା ସୃଷ୍ଟି କରେ । ପୁଣି ବାରବିଟୁରେଟ୍, ହେଶ୍ ପ୍ରଭୃତି ଓଷଦ ଖାଇଲେ ଖୁବ୍ ଉତ୍ତେଜିତ ମନ ମଧ୍ୟ ଖୁବ୍ ଶାନ୍ତ ଓ ନିସ୍ତେଜ ହୋଇ ପଡ଼େ । ଆମ ଦେଶରେ ଏହା ହେଶ୍ ଜାତୀୟ ଓଷଦର ପ୍ରଚଳନ ମଧ୍ୟ ବଢ଼ି ଚାଲିଛି ।

 

ଆଧୁନିକ ସଭ୍ୟତା ଓ ସମାଜ କୁଆଡ଼େ ଆମ ଯୁବକ ଯୁବତୀ ଓ ପ୍ରୌଢ଼ ପ୍ରୌଢ଼ାମାନଙ୍କ ମନ ଭିତରେ ଅତି ଗୁରୁତରଭାବେ ଉଦବେଗ, ଆଶଙ୍କା, ଏକୁଟିଆ ଭାବ ଓ ଅସ୍ଥିରତା ଆଦି ସୃଷ୍ଟି କରୁଛି । ତେଣୁ ସେଥିରୁ ରକ୍ଷା ପାଇବା ଲାଗି ଅର୍ଥାତ୍‌ ନାନା ମାନସିକ ଚାପ ଓ ଯନ୍ତ୍ରଣାରୁ ମୁକ୍ତି ପାଇବା ଲାଗି କୁଆଡ଼େ ଏହି ଅପୂର୍ବ ଓଷଦମାନଙ୍କର ଅପବ୍ୟବହାର ନିତାନ୍ତ କାମ୍ୟ–ଏପରି ଦାୟିତ୍ଵହୀନ ସିଦ୍ଧାନ୍ତ ଦେବା ଲାଗି ମଧ୍ୟ ଆମ ଦେଶରେ କେତେକ ବୁଦ୍ଧିଜୀବୀ ଓ ଚିକିତ୍ସକ ଲାଗିପଡ଼ିଥିବାର ଶୁଣାଯାଏ । ଡାକ୍ତର ବିଷ୍ଣୁ ମୁଖୋପାଧ୍ୟାୟ ଏହି ମାରାତ୍ମକ ତଥାକଥିତ ଓଷଦଗୁଡ଼ିକ ସମ୍ପର୍କରେ ଆଲୋଚନା କରି କହନ୍ତି–

 

ଏଲ୍. ଏସ୍. ଡି. ବା ଲାଇସାରଜିକ୍ ଏସିଡ୍‍ ଡାଇଥେଲାମାଇଡ଼୍ ଔଷଧଟି ଖାଇଲେ ମାନସିକ ବିଭ୍ରମ ସୃଷ୍ଟି ହୁଏ । ଏହାର ବ୍ୟବହାରରେ ଆବେଗ, ଆତ୍ମଅନୁଭୂତି ଚିନ୍ତା ଓ ଶାରୀରିକ ଅନୁଭୂତିର ହଠାତ୍ ପରିବର୍ତ୍ତନ ହୋଇଯାଏ । ସମୟ ଓ ସ୍ଥାନ ସମ୍ପର୍କିତ ଜ୍ଞାନ ଲୋପପାଇ ଭ୍ରମାତ୍ମକ ଧାରଣା ଓ ବିଭ୍ରମ ଆଦି ହୁଏତ କମିଯାଏ ବା ଖୁବ୍ ବଢ଼ିଯାଏ ।

 

ସ୍ପିଡ୍ ବା ବ୍ରିଷ୍ଟାଲ୍ ଜାତୀୟ ଓଷଦଗୁଡ଼ିକର ସମ୍ପର୍କ ହେଉଛି କୋକେନ୍, କାଫେଇନ ଓ ଆମ୍‌ଫେଟାଇନ୍ ସଙ୍ଗେ । ଏଗୁଡ଼ିକର କାର୍ଯ୍ୟ ହେଲା ସେବନକାରୀକୁ ଉତ୍ତେଜିତ କରିଦେବା । ଏହା ସାମାନ୍ୟ ଭାବେ କ୍ଷୁଧା ନିବୃତ୍ତି କରେ ଏବଂ କ୍ଳାନ୍ତି ଓ ସ୍ଵଳ୍ପ ବିଷଣ୍ଣତା ଲାଘବ କରେ ।

 

କୋକେନ୍‌କୁ ସ୍ଥାନୀୟ ସ୍ପର୍ଶହୀନତା (Local Anaesthesia) ହିସାବରେ ସାଧାରଣତଃ ବ୍ୟବହାର କରାଯାଏ । ଅଳ୍ପମାତ୍ରାରେ ମୃଦୁ ଉତ୍ତେଜନା ଓ ଉଚ୍ଛ୍ୱାସ ହୁଏ ଏବଂ ବେଶି ବ୍ୟବହାରରେ ଭୀଷଣ ଉତ୍ତେଜନା, ମାନସିକ ବିଭ୍ରମ ଓ ଉଲ୍ଲାସ ଦେଖାଦିଏ ।

 

ଅଫିମ, ମରଫିନ୍ ଓ କୋଡ଼ିନ୍‌ ଏବଂ ମେଥାଡ଼େନେ, ହିରୋଇନ୍ ଆଦି ମାଦକ ଓଷଦଗୁଡ଼ିକ ମାଦକ ନିଶା ସୃଷ୍ଟି କରି ବ୍ୟବହାରକାରୀକୁ ସର୍ବଦା ତନ୍ଦ୍ରା ବା ନିଦ୍ରାଚ୍ଛନ୍ନ କରି ରଖେ ।

 

ତା’ପରେ ମାରିଜୁଆନା (ଗଞ୍ଜେଇ, ଭାଙ୍ଗ, ଚରସ ଆଦି) । ମାରିଜୁଆନା ହେଲା ଭାରତବର୍ଷର ହେଶ୍ ଗଛରୁ ବହିର୍ଗତ ଅଠା, ଫୁଲ ଓ ପତ୍ର ପ୍ରଭୃତି ବିଭିନ୍ନ ଅଂଶର ସାଧାରଣ ନାମ । ସାଂପ୍ରତିକ ଗବେଷଣା ଫଳରେ ଜଣାପଡ଼ିଛି ଯେ ମାରିଜୁଆନା ମଧ୍ୟରେ ମାନସିକ ଶକ୍ତିର ପରିବର୍ଦ୍ଧକ ହିସାବରେ କିଛି ରାସାୟନିକ ପଦାର୍ଥ ରହିଛି । ଏହାର ମାନସିକ ପ୍ରତିକ୍ରିୟା ଖୁବ୍ ପରିବର୍ତ୍ତନଶୀଳ । ଏହାର ସେବନରେ ଚିନ୍ତା ହୋଇ ଉଠେ ସ୍ଵପ୍ନମୟ । ବେଳେ ବେଳେ ଚିନ୍ତାର କ୍ଷମତା ମଧ୍ୟ ବଢ଼ିପାରେ । ପୁଣି ମାନସିକ କର୍ମକ୍ଷମତା ଅପରିବର୍ତ୍ତିତ ବା ବାଧାପ୍ରାପ୍ତ ମଧ୍ୟ ହୋଇପାରେ । ପ୍ରାୟତଃ ଭ୍ରମାତ୍ମକ ଅନୁଭୂତି ବା ଅନୁଭୂତିଗୁଡ଼ିକର ଭୁଲ୍‍ ଅର୍ଥ ମନକୁ ଛାଇ ଛାଇ ହୋଇ ଆସେ । ଭ୍ରାନ୍ତ ବିଶ୍ଵାସଗୁଡ଼ାଏ ମଧ୍ୟ ହୋଇ ଯାଇପାରେ । ବେଳେ ବେଳେ ନିଜ ସ୍ତ୍ରୀ, ଭଉଣୀ, ମା, ବାପା ବା ବନ୍ଧୁମାନଙ୍କ ଚରିତ୍ର ସମ୍ପର୍କରେ ମଧ୍ୟ ଅଳୀକ ସନ୍ଦେହ ଜାତ ହୋଇ ସେବନକାରୀର ମାନସିକ ଉଦବେଗକୁ ଆହୁରି ବଢ଼ାଇ ଦେଇଥାଏ ।

 

ମୋଟାମୋଟି ଏହିସବୁ ଓଷଦଗୁଡ଼ିକ ଚିକିତ୍ସା ପଦ୍ଧତିରେ ମଧ୍ୟେ ମଧ୍ୟେ ଅଭିଜ୍ଞ ଭେଷଜବିଦ୍‌ମାନଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ ପରିମାଣରେ ବ୍ୟବହୃତ ହେବାର ସମର୍ଥନ ପାଇଲେ ବି ଏଗୁଡ଼ିକର ବୃଥା ବ୍ୟବହାର ବା ଅପବ୍ୟବହାର ଆମ୍ଭମାନଙ୍କୁ ଯେ କି ପ୍ରକାର ମାନସିକ ଓ ଦୈହିକ ଅସ୍ଵାସ୍ଥ୍ୟକର ଦୁରବସ୍ଥାରେ ପକାଇ ଦେବ ତା’ର ବର୍ଣ୍ଣନା ବଡ଼ ଭୟାବହ ବ୍ୟାପାର । ଏଥିପାଇଁ ଯୁବକ ଯୁବତୀ ଓ ପ୍ରୌଢ଼ ପୌଢ଼ାମାନେ ଖୁବ୍ ସାବଧାନ ରହିବା ଉଚିତ୍ ।

Image

 

ସୁନା, ସୁନା....ଖାଆଲି ସୁନା

 

ବିଷ୍ଣୁପୁରର ଜମିଦାର ବିଘ୍ନରାଜ ଚୌଧୁରୀଙ୍କ ବଡ଼ ଝିଅ ଯେତେବେଳେ ବାହା ହୋଇଥିଲା–ସେତେବେଳେ ତାକୁ ଶହେ ଭରି ସୁନାର ଅଳଙ୍କାରରେ ବିଭୂଷିତ କରି ବେଦିକୁ ଅଣାଯାଇଥିଲା । ତା’ର ପିନ୍ଧା ପାଟରେ ମଧ୍ୟ ସୁନାର ଜରୀକାମ ହୋଇଥିଲା ବୋଲି ଜନରବ ଆଜି ବି ରହିଛି । ଚଉଧୁରୀ ତାଙ୍କ ଜ୍ଵାଇଁକୁ ମଧ୍ୟ ସୁନା ଚଷମା, ସୁନାଘଡ଼ି, ସୁନା ଚେନ୍ ଓ ଦଶ ଆଙ୍ଗୁଠିକୁ ଦଶଟି ସୁନାମୁଦି ଉପହାର ଦେଇଥିଲେ ।

 

ରାଧାଶ୍ୟାମ ପାଟଣାର ରାଜକିଶୋର ପଟ୍ଟନାୟକଙ୍କ ସାନବୋହୂ କୁଆଡ଼େ ସୁନାର ଖୋଳ ଭିତରେ ପଶିକରି ଆସିଥିଲା । ବୋହୂର ସ୍ଵର୍ଣ୍ଣାଳଙ୍କାରମାନ ପେଟ୍ରୋମାକସ ଓ ଗ୍ୟାସ୍‌ ଆଲୁଅରେ ଏତେ ଜାଜ୍ଵଲ୍ୟମାନ ହୋଇ ଉଠିଥିଲା ଯେ, ସେ ରାତିରେ ନିଜେ ଶଶୁର ମଧ୍ୟ ବୋହୂର ମୁଖ ଚନ୍ଦ୍ରମାଟିକୁ ଭଲ କରି ଦେଖି ପାରିନଥିଲେ । ଦେଖଣାହାରୀଙ୍କ ଆକ୍ଷି ଜଳକା ହୋଇ ଯାଇଥିଲା । ଲୋକେ କହିଲେ–ରାଜୁବାବୁଙ୍କ ସାନବୋହୂ ସୁନାଖଣିରେ ଜନ୍ମ ହୋଇଥିଲା ।

 

ସେକାଳେ ଚଉଧୁରୀଙ୍କ ବଡ଼ ଝିଅ ଏବଂ ପଟ୍ଟନାୟକଙ୍କ ସାନବୋହୂମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଗାଁ ଗହଳରେ ଲୋକଙ୍କ ମନ ଭିତରେ ସ୍ଵର୍ଣ୍ଣାଢ଼୍ୟ ସ୍ମୃତି ହୋଇ ରହିଛନ୍ତି । ସେମିତି ମଧ୍ୟ-ଯୁଗର ରାଜକୁମାରୀମାନେ ସୁନାର ଲୀଳାପଦ୍ମ ଅଥବା ସ୍ଵର୍ଣ୍ଣକନ୍ଦୁକ ନେଇ ରମଣୀୟ କ୍ରୀଡ଼ା କରିବା ବିଷୟଟି ସମସ୍ତଙ୍କ ରୋମାଣ୍ଟିକ୍ ଚେତନାରେ ଲାଖି ରହିଛି ।

 

କିଛି ବର୍ଷ ତଳର ଘଟଣା । ଦକ୍ଷିଣ ଓଡ଼ଶାର ଗୋଟିଏ କ୍ଷୁଦ୍ର ସହର । ଦିନେ ଗୋଟିଏ ନଅବର୍ଷର ଝିଅ ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ପରିବାରର ଲୋକେ ଚିନ୍ତିତ ଓ ବ୍ୟସ୍ତ ବିବ୍ରତ ହୋଇ ପଡ଼ିଥିଲେ । ରାତି ପ୍ରାୟ ବାରଟା ବେଳକୁ ଲୋକେ ଆଲୁଅ ଧରି ଝିଅଟିକୁ ଖୋଜୁ ଖୋଜୁ ଗୋଟିଏ ବଡ଼ ପୋଖରୀ ହୁଡ଼ା ଉପରେ ଘଞ୍ଚ ବୁଦା ଆଢ଼ୁଆଳରେ କେତୋଟି ବିଲୁଆଙ୍କୁ ଏକତ୍ର ଦେଖି ସେ ସ୍ଥାନରେ ପହୁଁଚି ଦେଖିଲେ–ସେଇ ଝିଅଟିର ଶବ, ଅତି କରୁଣ ଓ ବୀଭତ୍ସ ଭାବେ ସେଠି ପଡ଼ିଛି । ପିଲାଟି ଥିଲା ଖୁବ୍ ସୁନ୍ଦର ଆଉ ସୁଧାର । ପରେ ଜଣା ପଡ଼ିଲା ଜଣେ ଦୁର୍ବୃତ୍ତ ଝିଅଟିର ବେକରୁ ଦେଢ଼ଭରି ଓଜନର ସୁନାହାରଟି ଜବରଦସ୍ତି ଛଡ଼ାଇ ତା’ର ତଣ୍ଟି ଚିପି ମାରି ସେଠି ପକାଇ ଦେଇଛି । ଯୋଉ ଲୋକଟି ଏଇ ନୃଶଂସ କାର୍ଯ୍ୟ କରିଥିଲା ସେ ଧରାପଡ଼ିଲା ଓ ଏ ଅପକର୍ମ ମଧ୍ୟ ସ୍ଵୀକାର କରିଥିଲା । ଲୋକଟି ଝିଅର ପରିଚିତ ହୋଇଥିବା ହେତୁ ସୁନାଲୋଭ ଓ ପ୍ରାଣଭୟରେ ସେ ଝିଅଟିକୁ ମାରି ପକାଇଥିଲା । ପ୍ରକାଶ ଥାଉକି, ସେତେବେଳେ ସୁନା ଦର ଭରି ମାତ୍ର ଦେଢ଼ଶହ ଟଙ୍କା ଥିଲା ।

 

ଦେଢ଼ଭରି ସୁନା ଲାଗି ଗୋଟିଏ ନିରୀହ ନିସ୍ପାପ ମଣିଷ ପିଲାର ପ୍ରାଣ ଗଲା । କେବଳ ଏଇ ଘଟଣାଟି ନୁହେଁ–ସାମାନ୍ୟ ସୁନା ପାଇଁ ବହୁ ପିଲାଙ୍କର ପ୍ରାଣ ଯିବା କଥା ସଂଖ୍ୟାରେ ନିତାନ୍ତ ନଗଣ୍ୟ ନୁହେଁ । ତେଣୁ ମନେହୁଏ ସ୍ଵର୍ଣ୍ଣ ଧାତୁଟି ବର୍ଣ୍ଣରେ ଯେତେ ଉଜ୍ଜ୍ୱଳ, ପବିତ୍ର ଓ ମନୋରମ ହେଉନା କାହିଁକି, ମନୁଷ୍ୟର ସ୍ଵର୍ଣ୍ଣ-ଲୋଭ ଠାରୁ ବଳି ବୀଭତ୍ସ ପାଷଣ୍ଡତା ଆଉ ନାହିଁ ।

 

ଏବଂ ସୁନା ପ୍ରତି ଏହା ଲୋଭ ଏକ ସାର୍ବଜନୀନ ବ୍ୟାପାର । ସେଥିପାଇଁ ସୁନ୍ଦରୀ ନାରୀର ଦେହର ରଙ୍ଗକୁ ଆଉଟା ସୁନା ସଙ୍ଗେ, ଭଲ ପିଲାର ଚରିତ୍ରକୁ ସୁନା ସଙ୍ଗେ, ଆମେ ଉପମା ଦେଇ ଆସିଛୁ । ସେଇଥିପାଇଁ ତ ଆମ ସ୍ଵପ୍ନ ଜଗତର ପାହାଡ଼ଗୁଡ଼ିକ ସୁନା ପାହାଡ଼, ମେଘମାନେ ସ୍ଵର୍ଣ୍ଣ ମେଘ, ଆମ ସ୍ଵପ୍ନର ଅଲିଅଳି ରାଜକୁମାରୀ ଭୋଜନ କରନ୍ତି ସୁନା ଥାଳୀରେ । ଆମ ସାଧବ ଘରର ଏକମାତ୍ର ଝିଅ ତଅପୋଇ ଅଳିକରି କାନ୍ଦେ–ସୁନା ଚାନ୍ଦଟିଏ ଧରି ଖେଳିବ ବୋଲି । ପ୍ରେମିକ ପ୍ରେମିକାଙ୍କର ଆଦ୍ୟ ପ୍ରଣୟର ଦିନଗୁଡ଼ିକ ହେଉଛି ‘ସୁନାର ସପନ’ । ଇତିହାସର ସବୁଠାରୁ ଭଲ ସମୟଟି ହେଉଛି କୁଆଡ଼େ ‘ସ୍ଵର୍ଣ୍ଣଯୁଗ’ । ରମଣୀୟ ପ୍ରଭାତ ମାତ୍ରେଇ ସ୍ଵର୍ଣ୍ଣାଭ ସକାଳ । କୀର୍ତ୍ତିମାନ ବ୍ୟକ୍ତିଙ୍କ ନାମମାନ ଇତିହାସର ପୃଷ୍ଠାରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥାଏ । ବୁଢ଼ୀମା କାହାଣୀର ନାୟକ ଅମୁକ ରାଜପୁତ୍ର ସର୍ବଦା ସୁବର୍ଣ୍ଣପୁର ରାଜ୍ୟର ରାଜାଙ୍କର ଜ୍ୟେଷ୍ଠ କୁମର । ଆଉ ସେ ଯାହା ପ୍ରେମରେ ପାଗଳ ହୁଅନ୍ତି ସେ ହେଉଛନ୍ତି କୁଆଡ଼େ କନକପୁର ରାଜା ସୁବର୍ଣ୍ଣକେଶରୀଙ୍କର ଅତି ଅଲିଅଳି ସୁନାନାକୀ ଜେମା କାଞ୍ଚନକୁମାରୀ ।

 

ଏସବୁ ଦେଖି ମନରେ ପ୍ରଶ୍ନ ଉଠେ–ଯୁଗ ଯୁଗ ଧରି ସୁନାପରି ଏକ ପାର୍ଥିବ ଧାତୁ ମନୁଷ୍ୟ ମନରେ କାହିଁକି ଏପରି ପ୍ରଚଣ୍ଡ ପ୍ରଭାବ ବିସ୍ତାର କରି ଆସିଛି ? ପ୍ରକୃତରେ ବଡ଼ ଆଶ୍ଚର୍ଯ୍ୟ କଥା ! ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଆମର ଅନୁସନ୍ଧିତ୍ସୁ ମନରେ ସେହି ସ୍ଵର୍ଣ୍ଣୋଜ୍ଵଳ ଦିନଟି ପ୍ରତିଭାତ ହୋଇଯାଏ । ଧରାପୃଷ୍ଠରେ ମାନବର ଅବତୀର୍ଣ୍ଣ ଯୁଗର ସେ ଥିଲା ବାସ୍ତବରେ ସ୍ଵର୍ଣ୍ଣଯୁଗର ଦିନ । ଏକ ଅଜଣା ରହସ୍ୟମୟ ଭୌଗୋଳିକ ପରିସ୍ଥିତି ସହ ଖାପ ଖୁଆଇ ବଞ୍ଚିବା ପାଇଁ ମଣିଷ ଅହରହ ସଂଗ୍ରାମ କରୁଥିଲା । ଖାଦ୍ୟ ଅନ୍ୱେଷଣରେ ଗିରି ବନ, କାନ୍ତର, ନଦୀ, ସମୁଦ୍ର ସର୍ବତ୍ର ସେ ଘୂରି ବୁଲିଲା । ଏହିପରି ସ୍ଵାଭାବିକ ଭାବେ ତା’ର ଜୀବନଧାରା ବହି ଚାଲିଥାଏ ଦିନୁଁ ଦିନ । ଖାଦ୍ୟ ଅନ୍ଵେଷଣ କରୁ କରୁ ତା’ର ଅନୁସନ୍ଧିତ୍ସୁ ମନ ଆହୁରି ବହୁକଥା ଖୋଜି ବୁଲୁଥାଏ । ତା’ର ଦୃଷ୍ଟି ପ୍ରକୃତିର ବିଭିନ୍ନ ରୂପ-ରାଗ-ରଞ୍ଜିତ ବିଷୟ ପ୍ରତି ଆକୃଷ୍ଟ ହୋଇ ଯାଉଥାଏ । କେବଳ ଖାଦ୍ୟାନ୍ୱେଷଣ ନୁହେଁ–ମଣିଷର ଚିତ୍ତବୃତ୍ତି ତା’ର ମନର ଲାଗି, ତା’ର ଅନୁଭବ ଲାଗି, ପ୍ରକୃତିର ବିଭିନ୍ନ ଅନ୍ଧି ସନ୍ଧି ଖୋଜି ବୁଲି ଦେଖୁଥାଏ । ତା’ ଜୀବନର ବୃହତ୍ତର ଉପଯୋଗିତା ଲାଗି–ତା’ର ଜ୍ଞାନ ବୁଦ୍ଧିର ସହାୟକ ହେବା ଲାଗି ତା’ର ଦୈନନ୍ଦିନ ଜୀବନ ଯାତ୍ରାକୁ ସହଜ, ସରଳ ଓ ସୁନ୍ଦର କରିବା ଲାଗି ସେ ପ୍ରକୃତିରୁ ବିଭିନ୍ନ ଉପାଦାନ ଖୋଜି ଆବିଷ୍କାର କରୁଥାଏ । ଏମିତି ବହୁ ବହୁ ପଦାର୍ଥ ଆବିଷ୍କାର କରୁ କରୁ ସେ ହୁଏତ ଦିନେ କୌଣସି କୌଣସି ନଦୀର ଅବବାହିକା, କିମ୍ବା ପାହାଡ଼ ପର୍ବତରୁ ସ୍ଖଳିତ ପ୍ରସ୍ତର ଖଣ୍ଡର ବିକ୍ଷିପ୍ତ ସ୍ତୂପ ଭିତରେ ପ୍ରଥମ ଥର ପାଇଁ ଏକ ଅତ୍ୟନ୍ତ ଉଜ୍ଜ୍ୱଳ ଧାତୁ, ପ୍ରସ୍ତର ବା ବାଲିକଣା ସଙ୍ଗେ ମିଶି ରହିଥିବାର ଦେଖି ପାରିଲା । ମାନବ ସଭ୍ୟତା ଇତିହାସରେ ସେ ଥିଲା ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସ୍ଵର୍ଣ୍ଣୋଜ୍ଵଳ ମୁହୂର୍ତ୍ତ । ଏହି ଦେଦୀପ୍ୟମାନ ଧାତୁର ଔଜଲ୍ୟ ତା’ର ଦୃଷ୍ଟିକୁ ଉଦ୍‌ଭାସିତ କରିବା ସଙ୍ଗେ ସଙ୍ଗେ, ତା’ର ମନକୁ ମଧ୍ୟ ଏକ ଅଜଣା ମୋହରେ ବିମୋହିତ କରିଦେଲା । ସେହିଦିନ ସେ ସୁନାକୁ ନିଜର ଏକ ବହୁମୂଲ୍ୟ ଆକାଂକ୍ଷିତ ବସ୍ତୁ ରୂପେ ଗ୍ରହଣ କଲା ଓ ପୃଥିବୀରେ ଏକ ଯୁଗାନ୍ତକାରୀ ସ୍ଵର୍ଣ୍ଣ ଯୁଗର ଆରମ୍ଭ ହୋଇଗଲା ।

 

ମହାମତି ବ୍ୟାସଦେବ ସୁନା କିପରି ଜନ୍ମ ହେଲା ସେ କଥା ଅତି ଚମତ୍କାର ଭାବେ ମହାଭାରତରେ ବର୍ଣ୍ଣନା କରିଛନ୍ତି । ଅନୁଶାସନ ପର୍ବରେ ଶର ଶଯ୍ୟାରେ ଶାୟିତ ଭୀଷ୍ମଦେବ ଧର୍ମରାଜ ଯୁଧିଷ୍ଠିରଙ୍କୁ ସୁନାର ମହିମା ଓ ଜନ୍ମ ସମ୍ପର୍କରେ ଏକାଧିକ କିମ୍ବଦନ୍ତି ଶୁଣାଇଛନ୍ତି । ସେଥିରୁ ଗୋଟିଏ କିମ୍ବଦନ୍ତୀ ହେଲା–ବହୁକଳ୍ପ ପୂର୍ବେ ତାରକାସୁରର ପ୍ରତାପରେ ତ୍ରିପୁର ଥରହର ହେବାରୁ ଦେବଗଣ ଅଗ୍ନି ଦେବଙ୍କୁ ଏହାର ପ୍ରତିକାର ପାଇଁ ଅନୁରୋଧ କଲେ । କାରଣ ଅଗ୍ନିଦେବ ମହାଯୋଗୀ ମହାଦେବଙ୍କର ତେଜୋମୟ ବୀର୍ଯ୍ୟ ଧାରଣ କରିଥିଲେ । ଏକଦା ଅଗ୍ନି ଗଙ୍ଗା ଦେବୀଙ୍କ ରୂପ-ଯୌବନରେ ମୋହିତ ହୋଇ ତାଙ୍କ ସହ ରମଣ କଲେ । ମାତ୍ର ରମଣାନ୍ତେ ଗଙ୍ଗା ଦେବୀ ଅଗ୍ନିଙ୍କ ବୀର୍ଯ୍ୟକୁ ନିଜ ଗର୍ଭରେ ରଖି ନ ପାରି ଗର୍ଭ ବିମୋଚନ କରିଦେଲେ । ଏବଂ ଆଶ୍ଚର୍ଯ୍ୟ କଥା–ଗଙ୍ଗା ଗର୍ଭ ବିମୋଚିତ ସେହି ଅଗ୍ନି-ବୀର୍ଯ୍ୟ ଚତୁର୍ଦ୍ଦିଗକୁ ବିସ୍ତାରିତ ହୋଇ ସମଗ୍ର ପୃଥିବୀକୁ ବର୍ଣ୍ଣବିଭାରେ ଉଦ୍‌ଭାସିତ କରିଦେଲା । ତାହା ଥିଲା ଅତ୍ୟନ୍ତ ବିମଳ, ଏବଂ ତେଜରେ ସୂର୍ଯ୍ୟ ଓ ବୈଶ୍ଵାନର ସଦୃଶ ଓ କାନ୍ତିରେ ଦ୍ଵିତୀୟ ଚନ୍ଦ୍ରମା ସଦୃଶ । ସେହିଦିନୁ ଅଗ୍ନିଦେବ ମଧ୍ୟ ହିରଣ୍ୟରେତା ରୂପେ ପ୍ରସିଦ୍ଧି ଲାଭ କଲେ ଏବଂ ପୃଥିବୀ ବସୁମତୀ ନାମରେ ଆଖ୍ୟାୟିତା ହେଲେ । ଏହି ସୁବର୍ଣ୍ଣ ତେଣୁ ଅଗ୍ନିଙ୍କର ଅପତ୍ୟ ଅଟେ । ନାନାବିଧ ସୁବର୍ଣ୍ଣ ଭିତରେ ଜମ୍ବୁନଦ ସୁବର୍ଣ୍ଣ ହିଁ ଉତ୍‌କୃଷ୍ଟତମ । ଏହି ଜମ୍ବୁନଦ ସୁବର୍ଣ୍ଣ ଦେବତାମାନଙ୍କର ଭୂଷଣ ଅଟେ ଓ ସେଥିଯୋଗୁଁ ସୁନାର ଅପର ନାମ ଜାତବେଦ । ଏହା ରତ୍ନମାନଙ୍କ ମଧ୍ୟରେ ସର୍ବୋତ୍ତମ–ଭୂଷଣମାନଙ୍କ ମଧ୍ୟରେ ବି ସର୍ବୋତ୍ତମ । ଏହା ପବିତ୍ର ବସ୍ତୁମାନଙ୍କ ମଧ୍ୟରେ ପବିତ୍ରତମ ଏବଂ ସର୍ବ ମଙ୍ଗଳମୟ ପଦାର୍ଥ ସମୂହର ମଙ୍ଗଳ ସ୍ୱରୂପ । ଏହି ସୁବର୍ଣ୍ଣ, ଭଗବାନ, ଅଗ୍ନି, ଈଶ ଓ ପ୍ରଜାପତିଙ୍କ ସ୍ଵରୂପ ଅଟେ । ଏହା ଜାତରୂପ ଓ ଅଗ୍ନିସୋମାତ୍ମକ ରୂପେ ଉଦାହୃତ ହୋଇଥାଏ ।

 

ଭୀଷ୍ମଦେବ ସୁନାର ଉତ୍ପତ୍ତି ସମ୍ବନ୍ଧେ ଆଉ ଗୋଟିଏ ପ୍ରସିଦ୍ଧ ପୌରାଣିକ କିମ୍ବଦନ୍ତୀ ଯୁଧିଷ୍ଠିରଙ୍କୁ କହିଥିଲେ । ତା’ ହେଉଛି–ଥରେ ପଶୁପତିଙ୍କ ବିରାଟ ଯଜ୍ଞରେ ଦେବକନ୍ୟାଗଣଙ୍କୁ ଦେଖି ସ୍ଵୟମ୍ଭୁଙ୍କ ରେତ ସ୍ଖଳିତ ହୋଇ ଭୂତଳରେ ପଡ଼ିଲା । ପୁଷା ତାହାଙ୍କ ଶୁକ୍ରର ବିସ୍ପନ୍ଦବଶରୁ ପାଣିଯୁଗଳଦ୍ଵାରା ରେତକଣା ସହିତ ପାଂଶୁ ସଂଗ୍ରହ କରି ସେହି ହୁତାଶନରେ ନିକ୍ଷେପ କଲେ । ପ୍ରଜ୍ଵଳିତ ପାବନ ସମନ୍ଵିତ ସେହି ମନ୍ତ୍ର ସମ୍ପନ୍ନ ହେଉଥିବା ସମୟରେ ହୋମକର୍ତ୍ତା ପ୍ରଜାପତିଙ୍କଠାରୁ ପରମ ଉତ୍କୃଷ୍ଟ ଧାତୁର ପ୍ରାଦୁର୍ଭାବ ହେଲା । ଧାତୁ ସ୍ଖଳିତ ହେବା ମାତ୍ରେ, ସେ ତାହା ସ୍ରୁବଦ୍ଵାରା ଗ୍ରହଣ କରି ମନ୍ତ୍ରୋଚ୍ଚାରଣ ପୂର୍ବକ ଆଜ୍ୟ ସଦୃଶ ହୋମ କଲେ । ସେଥିରୁ ଉତ୍ପନ୍ନ ହେଲା ଏହି ଉଜ୍ଜ୍ୱଳତମ ଧାତୁ ସୁବର୍ଣ୍ଣ । ଭୀଷ୍ମ କହିଲେ–ହେ ଯୁଧିଷ୍ଠିର ! ବ୍ରାହ୍ମଣମାନଙ୍କୁ ସୁବର୍ଣ୍ଣ ଦାନ କଲେ ମହାଫଳ ମିଳିଥାଏ । ସୁବର୍ଣ୍ଣ ଦାନଠାରୁ ବଳି ଦାନ ଆଉ ନାହିଁ ।

 

ସତ କଥା–ପୁରାଣ ଉପନିଷଦାଦିରେ ବର୍ଣ୍ଣିତ ଅଛି ଯେ ପୂର୍ବେ ରାଜାମାନେ ମହା ମହା ଯଜ୍ଞ ସମ୍ପନ୍ନ କରିସାରି ବ୍ରାହ୍ମଣ ଓ ଋଷିମାନଙ୍କୁ ସହସ୍ର ସହସ୍ର ଦୁଗ୍‌ଧବତୀ ଗାଭୀ ଦାନ କରୁଥିଲେ । ଏବଂ ପ୍ରତି ଗାଭୀର ଶିଙ୍ଗ ଯୁଗଳ ସ୍ଵର୍ଣ୍ଣ ଖୋଳରେ ବିଭୂଷିତ ହେଉଥିଲା । ବିଶ୍ଵାମିତ୍ର, ଯଜ୍ଞବଳ୍‌କ ଆଦି ବୈଦିକ ଋଷିମାନେ ଏହିପରି ବହୁ ଗାଭୀ ଲାଭ କରି ଅଭିନନ୍ଦିତ ହୋଇଥିଲେ ।

 

ରାମାୟଣରେ ବର୍ଣ୍ଣିତ ଅଛି–ଶ୍ରୀରାମଚନ୍ଦ୍ର ଅଶ୍ଵମେଧ ଯଜ୍ଞ କାଳରେ ନିଜ ବାମ ପାର୍ଶ୍ଵରେ ପତ୍ନୀ ସୀତାଙ୍କର ଏକ ସୁବର୍ଣ୍ଣ ପ୍ରତିମା ନିର୍ମାଣ କରି ବସାଇ ଯଜ୍ଞ ସମାପନ କରିଥିଲେ । ସେଇ ସୀତା ପୁଣି ଅସମ୍ଭବ ସୁନା ମୃଗକୁ ଦେଖି ତା’ ଚମଡ଼ା ଲୋଭରେ ରାମଙ୍କୁ ତାକୁ ବଧ କରିବାକୁ ପଠାଇ ଶେଷ ପର୍ଯ୍ୟନ୍ତ ରାବଣଦ୍ଵାରା ଅପହୃତା ହୋଇଥିଲେ । ଏତଦ୍‍ବ୍ୟତୀତ ଆମ ପୁରାଣ, କିମ୍ବଦନ୍ତୀ ଓ କାହାଣୀଗୁଡ଼ିକ ସୁନା ମୟୂର, ସୁନା ନେଉଳ, ସୁନା ମିରିଗ, ସୁନା ନାଗ, ସୁନା ସିଂହ, ସୁନା ଦେଉଳ, ସୁନା ମାଛ, ସୁନା ଫରୁଆ, ସୁନା ପାହାଡ଼ ଆଦି ସ୍ଵର୍ଣ୍ଣ କଳ୍ପନାରେ ପରିପୂର୍ଣ୍ଣ ହୋଇଛି-। ପ୍ରିୟ ବ୍ୟକ୍ତିକୁ ସୁନାର ପ୍ରତିମାରୂପେ ଭାବିବା ଏକ ପ୍ରେମିଜନୋଚିତ ଅନୁଭୂତି । ଏଣେ କିନ୍ତୁ ଶାସ୍ତ୍ର କହେ–ଯଥାର୍ଥ ସତ୍ୟକୁ ଏକ ସୁନାର ଢାଙ୍କୁଣୀ ଆଚ୍ଛାଦନ କରି ରଖିଛି । ତା’ର ଅର୍ଥ ହେଲା–ଯାହାକିଛି ଜକ୍ ଜକ୍ କରେ ସବୁ ଅବଶ୍ୟ ସୁନା ନୁହେଁ । ସର୍ବଦା ବାହ୍ୟ ଔଜଲ୍ୟ ଭିତରେ ସତ୍ୟ ଲୁଚିକରି ଥାଏ । କିନ୍ତୁ ସୁନା ନିର୍ମିତ ବାକ୍‌ସରେ ଯଦି ସୁନା ରଖାଯାଇଥାଏ, ତେବେ କୋଉ ସୁନାଟି ଅଧିକ ସତ୍ୟ ? ସେମିତି ସୁନାର ହାତରେ ସୁନାର ଚୁଡ଼ି ପିନ୍ଧୁଥିଲେ–ଭଲା କିଏ କାହାର ଅଳଙ୍କାର-? ତେବେ ବୈଜ୍ଞାନିକ ଦୃଷ୍ଟିରୁ ଗୋଟିଏ ଧାତୁ ହିସାବରେ ସୁନାର ମୌଳିକତା ଖୁବ୍ ଆକର୍ଷଣୀୟ । ଏହାକୁ ଖୁବ୍ ସହଜରେ ସଂପ୍ରସାରିତ ଓ ସଙ୍କୁଚିତ କରାଯାଇ ପାରିବ । କିନ୍ତୁ ଏହା ଦ୍ରବଣୀୟ ନୁହେଁ-। ଯେକୌଣସି ଅବସ୍ଥାରେ ରହିଲେ ବି ଓଜନରେ ଏହା ବିଶେଷ ହ୍ରାସ ପାଏ ନାହିଁ-। ପରୀକ୍ଷା ସ୍ଵରୂପ ଦେଖା ଯାଇଛି–ଭରିଏ ଓଜନର ସୁନାରେ ଖୁବ୍ ସୁନ୍ଦର ସୂକ୍ଷ୍ମ ସାମଗ୍ରୀମାନ ନିର୍ମିତ ହୋଇ ପାରିବ । ଅଧିକନ୍ତୁ ଆଉନସେ ଓଜନର ସୁନାରେ ଦୀର୍ଘ ଦୁଇ ମାଇଲ ଲମ୍ବର ତା’ର ପ୍ରସ୍ତୁତ କରାଯାଇ ପାରିବ ।

 

ପ୍ରାରମ୍ଭରେ ସୁନା ବିଭିନ୍ନ ଧାତୁ ସଙ୍ଗେ ମିଶ୍ରିତଭାବେ ଥାଏ । ପୃଥିବୀର ବହିରାଭରଣରେ ଏହା ପର୍ଯ୍ୟାପ୍ତ ପରିମାଣରେ ସୁପ୍ତ ଅବସ୍ଥାରେ ଥାଏ । ମୃତ୍ତିକାର କ୍ରମ ବର୍ଦ୍ଧମାନ କ୍ଷୟ ଘଟିଲେ ନଦୀ ଓ ଝରଣାମାନଙ୍କ ଶଯ୍ୟାରେ ସୁନାର ରେଣୁଗୁଡ଼ିକ ଚକ୍ ଚିକ୍ କରନ୍ତି । ବିଶୁଦ୍ଧ ସୁନା ପାଇବା ନିମିତ୍ତ ବିଭିନ୍ନ ବୈଜ୍ଞାନିକ ପଦ୍ଧତି ରହିଛି । ସୁନାକୁ ତରଳ ଅବସ୍ଥାରେ କୋରାଇନ୍ ଗ୍ୟାସରେ ବିଶୋଧିତ କରି ବୈଦ୍ୟୁତିକ ଶକ୍ତି ପ୍ରୟୋଗଦ୍ଵାରା ବିଶୁଦ୍ଧ ସୁନାରେ ପରିଣତ କରାଯାଏ । ମିଶ୍ରିତ ସୁନାକୁ ସୋଡ଼ିୟମ୍ ସାଇନାଇଡରେ ଦ୍ରବୀଭୂତ କରି ଏହାର ରାସାୟନିକ ପ୍ରକ୍ରିୟା ଘଟାଇ ବିଶୁଦ୍ଧ କରାଯାଏ । ସ୍ଵର୍ଣ୍ଣତଥ୍ୟବିଦ୍‌ମାନେ କହୁଛନ୍ତି, ସମୁଦ୍ର ଗର୍ଭରେ ବହୁ ସୁନା ଗଚ୍ଛିତ ଅଛି । କିନ୍ତୁ ସମୁଦ୍ର ଭିତରୁ ଏହାକୁ ଆହରଣ କରିବାର ପନ୍ଥା ଏଯାବତ ବାହାର କରାଯାଇ ନାହିଁ । ସୁନାକୁ ରାସାୟନିକ ପ୍ରକ୍ରିୟାରେ ରୂପା, ତମ୍ବା ଓ ନିକେଲର ଦ୍ରବଣରେ ଦ୍ରବୀଭୂତ କରାଗଲେ ସୁନାର ରଙ୍ଗ ସବୁଜ, ଲାଲ ଓ ଶୁଭ୍ରରଙ୍ଗ ସଙ୍ଗେ ମିଶି ଏକ ବିଶେଷ ରଙ୍ଗ ଧାରଣ କରେ ।

 

ସୁନାର ଉପଯୋଗିତା ବାସ୍ତବରେ ବହୁବିଧ । ଏହାଦ୍ଵାରା ବିଭିନ୍ନ ପ୍ରକାରର ସୌଖୀନ ସାମଗ୍ରୀମାନ ପ୍ରସ୍ତୁତ କରାଯାଇ ପାରିବ । ସେଗୁଡ଼ିକ ମଧ୍ୟରେ ବହୁବିଧ ଅଳଙ୍କାର, ସିଂହାସନ, ପଦକ, ବିଜୟ-କପ୍ ପ୍ରଭୃତି ଅନ୍ତର୍ଭୁକ୍ତ । ସାଜସଜ୍ଜା ଉଦ୍ଦେଶ୍ୟରେ ସୁନାକୁ ମଧ୍ୟ ବିଭିନ୍ନ ସାମଗ୍ରୀରେ ବ୍ୟବହୃତ କରାଯାଇ ପାରୁଛି । ଏହା ମଧ୍ୟ ଏକ ଉତ୍ତମ ଧରଣର ବୈଦ୍ୟୁତିକ ପ୍ରବାହକ । ଗ୍ରହ ଉପଗ୍ରହ ସମ୍ପର୍କୀୟ ଗବେଷଣା କାର୍ଯ୍ୟରେ ସୁନାର ବ୍ୟବହାର ଅପରିହାର୍ଯ୍ୟ । ଜେଟ୍ ବିମାନର ଗତିପଥକୁ ସୁନିୟନ୍ତ୍ରିତ କରିବା ନିମନ୍ତେ, ଇଞ୍ଜିନରେ ସ୍ଵଳ୍ପ ପରିମାଣରେ ସୁନା ଛାଉଣୀ କରାଯାଏ । ଏହା ଛଡ଼ା ସୂର୍ଯ୍ୟତାପର ହ୍ରାସ ନିମିତ୍ତ ମଧ୍ୟ ସୁନାର ଆଚ୍ଛାଦନ ଦିଆଯାଏ । ପାଶ୍ଚାତ୍ୟ ଦେଶମାନଙ୍କରେ ଯୋଗାଯୋଗ ବ୍ୟବସ୍ଥାର ସୂକ୍ଷ୍ମ ଉନ୍ନତି ଲାଗି ଟେଲିଫୋନ ତା’ର ଓ ଟେଲିକମ୍ୟୁନିକେଶନ୍ ଯନ୍ତ୍ରପାତିରେ କିଞ୍ଚିତ ସୁନା ବ୍ୟବହାର କରାଯାଉଛି ।

 

ତିନି ହଜାର ବର୍ଷ ପୂର୍ବେ ସିରାକସ୍‌ର ରାଜା ହିରୋଙ୍କ ମୁକୁଟରେ ଲାଗିଥିବା ସୁନାର ଓଜନ ମାପିବା ଲାଗି ବୈଜ୍ଞାନିକ ଆର୍କିମେଡ଼ିସ୍‌ଙ୍କ ମୁଣ୍ଡ ଘୂରିଯାଇଥିଲା । ଅବଶେଷରେ ସେ ଗାଧୁଆଘରେ ପାଣି କୁଣ୍ଡରେ ବସି ସ୍ନାନ କରୁଥିଲାବେଳେ, ଉପାୟଟି ତାଙ୍କ ମୁଣ୍ଡରେ ଢୁକିଗଲା । ସେ “ଇଉରେକା” “ଇଉରେକା” (ପାଇଛି ପାଇଛି) ବୋଲି ଚିତ୍କାର କରି କରି ପଦାକୁ ବାହାରି ଆସିଲେ । ସୁନାର ଓଜନ ସମ୍ପର୍କରେ ଆର୍କିମେଡ଼ିସ୍‌ଙ୍କର ଥିଓରଟି ହେଲା–ଆପେକ୍ଷିକ ଓଜନ ତତ୍ତ୍ଵ ।

 

ଚତୁର୍ଦ୍ଦଶ–ପଞ୍ଚଦଶ ଶତାବ୍ଦୀରେ ୟୁରୋପରେ ଦଳେ ନକଲି ବୈଜ୍ଞାନିକ ନିଜକୁ ଆଲ୍‌କେମିଷ୍ଟ ବୋଲି ପରିଚୟ ଦେଉଥିଲେ । ସେମାନେ ଥିଲେ ଖୁବ୍‌ ଧନଲୋଭୀ ଏବଂ ଉଚ୍ଚାଭିଳାଷୀ । ସେମାନଙ୍କ ମୁଣ୍ଡରେ ସୁନା ପ୍ରତି ପ୍ରଚଣ୍ଡ ଲୋଭ ସେମାନଙ୍କୁ ପ୍ରାୟ ଉନ୍ମାଦ କରି ଦେଇଥିଲା । ସେମାନେ ଘୋଷଣା କଲେ କି ସ୍ପର୍ଶମଣି ବା ପରଶୁପଥର ସାହାଯ୍ୟରେ ସେମାନେ ଯେକୌଣସି ଶସ୍ତା ସାଧାରଣ ଧାତୁକୁ ମଧ୍ୟ ସୁନାରେ ପରିଣତ କରିଦେଇ ପାରିବେ । କେତେକ ଆଲକେମିଷ୍ଟ ପାଗଳଙ୍କ ଭଳି ନାନାଦି ରସ ରସାୟନ, ଜାରଣ, ମାରଣ ପ୍ରକ୍ରିୟାଦ୍ଵାରା ସ୍ପର୍ଶମଣି ଅଥବା ସୁନା ତିଆରି କରିବା ପାଇଁ ଲାଗି ପଡ଼ିଲେ ଓ ସର୍ବସ୍ଵ ହରାଇଲେ । ଲୋକେ ଏହି ସୁନା ପାଗଳଙ୍କ ଉପରେ ଚିଡ଼ିଯାଇ କେତେକଙ୍କୁ ଧରି ନିଆଁରେ ପୋଡ଼ି ମାରିଦେଲେ । କାରଣ ସେମାନେ ତାଙ୍କର ପ୍ରତିଜ୍ଞା ପୂରଣକରି ପାରିଲେ ନାହିଁ । ସେତେବେଳେ ସାରା ୟୁରୋପ ମଧ୍ୟ ସୁନା ପାଇଁ ପାଗଳ ହୋଇ ଯାଇଥିଲା । ଉର୍ଜବର୍ଗର ରାଜା ଫ୍ରେଡ଼େରିକ ସୁନେଲୀ ରଙ୍ଗର ଶୂଳୀରେ ଚଢ଼ାଇ ବହୁ ଆଲ୍‌କେମିଷ୍ଟଙ୍କୁ ଶୂଳୀ ଦେଇଥିଲେ । କିନ୍ତୁ ଏତେ ନୈରାଶ୍ୟ ଭିତରେ ବି ଆଶାର କଥା ହେଲା–ସୁନାର ଆବିଷ୍କାର କରିବାକୁ ଯାଇ ସେମାନଙ୍କର ସ୍ଵର୍ଣ୍ଣ ଆଶା ଚୂର୍ଣ୍ଣ ହେଲା ସିନା, ମାତ୍ର ସେମାନେ ଆବିଷ୍କାର କରିପାରିଥିଲେ ଫସ୍‌ଫରସ୍, ନାଲି ସୀସା, ପାରିସ୍ ପ୍ଳାଷ୍ଟର, ଇଥର ଆରସେନିକ୍, ନାଇଟ୍ରିକ୍ ଓ ସଲଫେରିକ୍ ଏସିଡ୍ ଏବଂ ଏମିତି କେତେ ଆବଶ୍ୟକୀୟ ଜିନିଷ । କେତେକ ଲାବରେଟରୀ ସରଞ୍ଜାମ ମଧ୍ୟ ସେମାନେ ଆବିଷ୍କାର କରିପାରିଥିଲେ । ସେମାନଙ୍କୁ ଅବଶ୍ୟ ପ୍ରଥମ ଯୁଗର ଶିଳ୍ପ-ରସାୟନବିଦ୍ ବୋଲି କୁହାଯାଇପାରେ ।

 

ଆବହମାନକାଳରୁ ପଣ୍ୟ ଦ୍ରବ୍ୟର କ୍ରୟ ବିକ୍ରୟର ମାଧ୍ୟମ ରୂପେ ସୁନା ମୋହର ବ୍ୟବହୃତ ହୋଇ ଆସିଛି । ବର୍ତ୍ତମାନ ମଧ୍ୟ ଆନ୍ତର୍ଜାତିକ ବଣିଜବେପାରରେ ସୁନାର ମୂଲ୍ୟକୁ କ୍ରୟବିକ୍ରୟର ମାଧ୍ୟମ ବୋଲି ଧରାଯାଏ । ୧୮୦୦ ଶତାବ୍ଦୀରେ ଭାରତୀୟ ସ୍ୱର୍ଣ୍ଣମୋହରଗୁଡ଼ିକ ତତ୍କାଳୀନ ୟୁରୋପୀୟ ସୁନା ମୋହରର ଦୁଇଗୁଣ ଥିଲା । ଆମ ଦେଶରେ ସୁନା ମୋହର ସହିତ ଅସରପୀ ନାମକ ସ୍ଵର୍ଣ୍ଣ ମୁଦ୍ରା ପ୍ରଚଳିତ ଥିଲା ।

 

ଯେତେବେଳେ କଲମ୍ବସ୍ ପ୍ରଥମେ କ୍ୟୁବାରେ ପାଦ ଦେଲେ, ସେତେବେଳେ ସେ ଦେଖିଲେ ଯେ, ସେଠାରେ ପ୍ରଚୁର ପରିମାଣ ସୁନା ରହିଛି । କିନ୍ତୁ ସ୍ଥାନୀୟ ଅଧିବାସୀଗଣ ତାକୁ ମାଟି ଗୋଡ଼ି ଭଳି ମଣୁଛନ୍ତି ଓ ବ୍ୟବହାର କରୁଛନ୍ତି । କେତେକ ପୁଣି ସୁନାକୁ ବନ୍‌ସୀ କଣ୍ଟା ରୂପେ ବ୍ୟବହାର କରୁଛନ୍ତି । ପଶ୍ଚିମ ଭାରତୀୟ ଦ୍ଵୀପପୁଞ୍ଜ ମେକ୍‌ସିକୋ ଓ ପେରୁ ଅଞ୍ଚଳରେ ଆଦିମ ଅଧିବାସୀମାନେ ପ୍ରଥମେ ଆଶ୍ଚର୍ଯ୍ୟ ହେଉଥିଲେ, କାହିଁକି ସଭ୍ୟ ଦେଶର ଲୋକେ ସୁନାଭଳି ଗୋଟିଏ ତୁଚ୍ଛ (ହେଲା ବା ଟିକିଏ ଜକ୍ ମକ–ମାଟି ପଥରତ !) ଜିନିଷ ପାଇଁ ଏତେ ପାଗଳ ଆଉ ଆପଣା ଭିତରେ ଏତେ ହାଣକଟା ହେଉଛନ୍ତି । ସେମାନେ କ’ଣ ଜାଣନ୍ତି, ସଭ୍ୟ ମଣିଷର ସୌନ୍ଦର୍ଯ୍ୟବୋଧ ଓ ବଞ୍ଚିବାର ଅର୍ଥନୀତି ସଙ୍ଗେ ଏଇ ଉଜ୍ଜ୍ୱଳ ଗୋଡ଼ିମାଟିଟିର କି ଘନିଷ୍ଠ ଅପରିହାର୍ଯ୍ୟ ସମ୍ପର୍କ ?

 

ସୁନାର କିନ୍ତୁ ଏହି ସାର୍ବଜନୀନ ସମ୍ମାନଜନକ ଆଦର ଯୋଗୁଁ ସମାଜରେ ଆପଣାକୁ ଜଣେ ବିଶିଷ୍ଟ ବା ସମ୍ଭ୍ରାନ୍ତ ବୋଲି ଦେଖାଇବା ପାଇଁ ସମସ୍ତେ ନିଜ ହାତରେ, ବାହୁରେ, କାନରେ, ପଗଡ଼ିରେ, ମୁକୁଟରେ, କିଛି ନ ହେଲେ ଆପଣା ଦାନ୍ତରେ ସୁନା ଲଗାଇବାକୁ ଆରମ୍ଭ କରନ୍ତି । ସୈନ୍ୟ ବିଭାଗରେ ମଧ୍ୟ ପୂର୍ବ ଓ ମଧ୍ୟଯୁଗରେ ଅସ୍ତ୍ର ଶସ୍ତ୍ରରେ ସୁନା ଲଗାଇବା ଗୋଟିଏ ଫେସନ ହୋଇ ଯାଇଥିଲା । ଯୋଦ୍ଧାମାନେ ଖଣ୍ଡାର ମୁଠିକୁ ସୁନା ଛାଉଣୀ କରୁଥିଲେ । ସୁନା ହେଲା ଗୋଟିଏ ଆଭିଜାତ୍ୟ ବା ମାନ ସମ୍ମାନର ଚିହ୍ନ । ଏହାର ଔଜଲ୍ୟ ବା ଶକ୍ତି ଯୋଗୁଁ ଏହାକୁ ସୂର୍ଯ୍ୟ ଓ ଶକ୍ତିର ପ୍ରତୀକ ରୂପେ ମଧ୍ୟ ଗ୍ରହଣ କରାଗଲା । ଆମ ଦେଶରେ ସୁନାକୁ ଲକ୍ଷ୍ମୀଙ୍କ ପ୍ରତୀକ ଭାବେ ପୂଜା ମଧ୍ୟ କରାଯାଏ । ଠାକୁରମାନଙ୍କର ସୁନା ବେଶ ହେଉଛି, ସବୁଠାରୁ ବଡ଼ ବେଶ । ସେଥିପାଇଁ ଏପର୍ଯ୍ୟନ୍ତ ବି ସୁନା ହଜିଲେ ବା କେଉଁଠୁ ସୁନା ପାଇଲେ ତାହା ଅଶୁଭ ବୋଲି ଆଶଙ୍କା କରାଯାଏ-

 

ପୂର୍ବେ ପାରସ୍ୟର ପ୍ରତାପଶାଳୀ ରାଜାମାନେ ବିଶ୍ଵାସ କରୁଥିଲେ ସେ ସୁନା ଭିତରେ ହିଁ ଜୀବନର ନିର୍ଯ୍ୟାସ ଓ ଶକ୍ତି ନିହିତ ଅଛି । ତେଣୁ ବହୁ ପରିମାଣ ସୁନାରେ ରାଜକୋଷ ପୂର୍ଣ୍ଣ ନ କଲେ, ରାଜ୍ୟ ସୁରକ୍ଷିତ ହୋଇ ପାରିବ ନାହିଁ । ସେଥିଲାଗି ସେମାନେ ହଜାର ହଜାର କ୍ରୀତଦାସଙ୍କୁ ଦୂରସ୍ଥାନମାନ ବୁଲି ସିନ୍ଦୁକ ଭର୍ତ୍ତି ସୁନା ସଂଗ୍ରହ କରିବାକୁ ନିୟୋଜିତ କରୁଥିଲେ । ଏହି ସ୍ଵର୍ଣ୍ଣ କ୍ଷୁଧାଦ୍ଵାରା ତାଡ଼ିତ ହୋଇ ସେମାନେ ଅନ୍ୟାନ୍ୟ ସ୍ଵର୍ଣ୍ଣ ସମୃଦ୍ଧ ରାଜ୍ୟ ସଙ୍ଗେ ଯୁଦ୍ଧ ବିଗ୍ରହରେ ମାତି ରହୁଥିଲେ । ଗଜନୀର ମାମୁଦ ଯେ ଭାରତ ଆକ୍ରମଣ କରି ସୋମନାଥ ମନ୍ଦିର ଲୁଣ୍ଠନ କରିଥିଲେ, ତା’ ପଛରେ ଥିଲା ମାମୁଦଙ୍କର ଏକ ପ୍ରଚଣ୍ଡ ସ୍ଵର୍ଣ୍ଣ ଲୋଭର ଉନ୍ମାଦନା ।

 

ପାରସ୍ୟ ରାଜା ତୃତୀୟ ଦାରିୟସ୍ ବହୁ ରାଜ୍ୟ ଜୟ କରି ପ୍ରଭୂତ ସ୍ଵର୍ଣ୍ଣ ଲୁଣ୍ଠନ କରିଥିଲେ–ଏବଂ ତଦ୍ଦ୍ଵାରା ସେ ନିଶ୍ଚିନ୍ତ ହୋଇଥିଲେ ଯେ, ଏଥର ତାଙ୍କ ରାଜ୍ୟ ସୁରକ୍ଷିତ ହେବ ଓ ସେନାବାହିନୀ ସହ ରାଜଦରବାର ତାଙ୍କ ପ୍ରତି ଖୁବ୍ ଅନୁରକ୍ତ ରହିବ । ମାତ୍ର ସେ ସ୍ଵପ୍ନ ତାଙ୍କର ବିଫଳ ହେଲା । ‘ବଶ୍ଵବିଜୟୀ ଆଲେକ୍‌ଜାଣ୍ଡର ଦି’ ଗ୍ରେଟ୍‌ଙ୍କଦ୍ଵାରା ତାଙ୍କର ବିଶାଳ ସେନାବାହିନୀ ମୂଳପୋଛ ହୋଇ ଯାଇଥିଲେ ।

 

ଭାରତବର୍ଷରେ ମଧ୍ୟଯୁଗୀୟ କାମୁକ ରାଜା ମହାରାଜା ଜମିଦାରମାନେ ବି ବୃଦ୍ଧ ବୟସରେ ବହୁ ନାରୀରମଣରେ ସକ୍ଷମ ହେବାଲାଗି କବିରାଜମାନଙ୍କ ପରାମର୍ଶରେ ସ୍ଵର୍ଣ୍ଣଘଟିତ ବିବିଧ ଭସ୍ମ, ମୋଦକ, ବୁଟୀ ଓ ସାଲସାଦି ସେବନ କରୁଥିଲେ । ଅବଶ୍ୟ ଆୟୁର୍ବେଦ ବିଜ୍ଞାନରେ ସୁନା ସଂଯୋଗରେ ବହୁ ପ୍ରକାର ସଫଳ ଔଷଧ ପ୍ରସ୍ତୁତ ହେବାର ବିଧି ରହିଛି ।

 

ଆଧୁନିକ କାଳରେ ଯାହା ଜଣାଯାଏ, ଦକ୍ଷିଣ ଆଫ୍ରିକାହିଁ ସ୍ଵର୍ଣ୍ଣଉତ୍ପାଦନରେ ସର୍ବବୃହତ୍ ଦେଶ । ତା’ପଛକୁ କାନାଡ଼ା, ଯୁକ୍ତରାଷ୍ଟ୍ର, ଅଷ୍ଟ୍ରେଲିଆ, ଘାନା ଓ ରୋଡ଼େସିଆ ସୁନା ଉତ୍ପାଦନରେ ବିଖ୍ୟାତ । ଏତଦ୍‌ବ୍ୟତୀତ, ତିନିଶହ ବର୍ଷ ପୂର୍ବେ ବଡ଼ ସ୍ଵର୍ଣ୍ଣ-ଭର୍ତ୍ତି ସ୍ପାନିସ୍ ଜାହାଜକୁ ଜଳଦସ୍ୟୁମାନେ ସମୁଦ୍ରରେ ବୁଡ଼ାଇ ଦେଇଛନ୍ତି–ସେ ସୁନାସବୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ ।

 

ସମଗ୍ର ପୃଥିବୀରେ ବହୁ ପରିମାଣରେ ସୁନା ହୁଏତ ଅଛି । ମାତ୍ର ମନୁଷ୍ୟର ଲୋଭ ତୁଳନାରେ ତାହା ଏମିତି କିଛି ନୁହେଁ । ଦିନ ଥିଲା–ଯେତେବେଳେ ଘରଣୀମାନେ ନିଜ ପାଇଁ ବହୁ ସ୍ଵର୍ଣ୍ଣାଳଙ୍କାର ଗଢ଼ାଇ ପିନ୍ଧୁଥିଲେ । କାରଣ ସୁନାଅଳଙ୍କାରଦ୍ଵାରା ସୁଶୋଭନା ହେବାକୁ ନୁହେଁ–ଅଭାବ ବେଳେ ତାକୁ ବିକି ଗୁଜୁରାଣ ମେଣ୍ଟାଇ ହେବ । ଆଉ, ଏଇଟା ବି ଜଣା କଥା ଯେ ସୁନାଦର କେବେ କମିବ ନାହିଁ । କ୍ରମାଗତ ଭାବେ ବଢ଼ି ଚାଲିବ ।

 

କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଲାଣି । ଏବେ ସ୍ୱର୍ଣ୍ଣାଳଙ୍କାର-ପ୍ରଲୁବ୍‍ଧା ଲଳନାଗଣ ହୃଦୟଙ୍ଗମ କଲେଣି ଯେ, ଦେହରେ ସୁନା ଥିଲେ ବା ବାକ୍‍ସରେ ସୁନା ଗଚ୍ଛିତ ରଖିଲେ, ସବୁରାତିରେ ଚୋର ଡକାୟତଙ୍କ ଭୟରେ ଅନିଦ୍ରା ରହିବାକୁ ପଡ଼ିବ । ସେଥିଲାଗି ଟଙ୍କା ବଳିଲେ ତାକୁ ଜୀବନବୀମାରେ, ଡାକଘରେ ବା ବ୍ୟାଙ୍କରେ ଗଚ୍ଛିତ ରଖିବା ସବୁଠାରୁ ବୁଦ୍ଧିଆ କାମ । ୟୁରୋପ ଆମେରିକା ପ୍ରଭୃତି ଦେଶମାନଙ୍କରେ ସ୍ପୃହାବତୀ ରମଣୀମାନେ ଖୁବ୍‍ କମ୍‍ ସୁନା ଅଳଙ୍କାର ରୂପେ ବ୍ୟବହାର କରନ୍ତି । ଆଜିକାଲି ବିଭିନ୍ନ ପ୍ରକାର ସୁନ୍ଦର ପ୍ଲାଷ୍ଟିକ୍‍, ନାଇଲନ, କାଚ ଓ କୃତ୍ରିମ ପଥରରେ ଅଳଙ୍କାରମାନ ବାହରିଲାଣି । ବରଂ ଏହି ଧରଣର ଅଳଙ୍କାରଗୁଡ଼ିକ ପିନ୍ଧିବାଦ୍ୱାରା ସୁନ୍ଦରୀମାନଙ୍କର ଶ୍ରୀଅଙ୍ଗ ଶୋଭା ଅଧିକ ରମଣୀୟ ଓ ଆକର୍ଷଣୀୟ ହୋଇ ଉଠୁଛି । ଅଧିକ ସୁନା ଯଦି ଆମ ପାଖେ–ମାନେ ଆମ ଦେହ ମୁଣ୍ଡରେ ବା ଆମ ବାକ୍‍ସରେ ନ ରହନ୍ତା, ତେବେ ବୈଦେଶିକ ରାଷ୍ଟ୍ରମାନଙ୍କ ସଙ୍ଗେ ବଣିଜ ବେପାର କରିବା ଲାଗି ଆମ ସରକାରଙ୍କ ପକ୍ଷରେ କେତେ ଅଧିକ ସୁବିଧା ନ ହୁଅନ୍ତା !

 

ଶେଷ କଥା, ସୁନା ଯେ କେବଳ ଅର୍ଥନୀତିକ ଦୃଷ୍ଟିରୁ ଗୋଟିଏ ମୂଲ୍ୟବାନ ଧାତୁ, ତାହା ନୁହେଁ–ଏହାର ବୈଜ୍ଞାନିକ ଉପଯୋଗ ହେଇ ପାରିଲେ ମନୁଷ୍ୟ ଜୀବନରେ ବହୁ କଲ୍ୟାଣ ସାଧନ ହୋଇ ପାରନ୍ତା ବୋଲି ବୈଜ୍ଞାନିକମାନେ ମତ ଦେଉଛନ୍ତି । ମାତ୍ର ଆମ ଦେଶରେ ସାଧାରଣ ଓ ଅସାଧାରଣ ସମସ୍ତେ ସୁନା ସଞ୍ଚିବା ଲାଗି ଓ ସୁନା ପିନ୍ଧିବା ଲାଗି ପାଗଳ ଓ ପାଗଳିନୀ ହୋଇଉଠନ୍ତି ।

 

ମାତ୍ର ଏହି ଦେଶରେଇ ଯୁଗ ଯୁଗ ଧରି ସାଧୁ ସନ୍ନ୍ୟାସୀମାନେ ସୁନାକୁ ମାଟି ଗୋଡ଼ି ବୋଲି ମୂଲ୍ୟହୀନ ଭାବିବାକୁ ବାରମ୍ବାର ଉପଦେଶ ଦେଇ ଆସିଛନ୍ତି । ଅବଶ୍ୟ ସୁନା ଭଳି ପଦାର୍ଥକୁ ମାଟି ଗୋଡ଼ି ବୋଲି ଭାବିବା ଖୁବ୍‍ ବିଜ୍ଞତାର କାମ ନୁହେଁ । ମାତ୍ର ସୁନାର ବୈଜ୍ଞାନିକ ସଦ୍‍ବ୍ୟବହାର ନ କରିପାରିବା ହେଉଛି ଆମର ଚରମ ମୂର୍ଖତା–ଏଥିରେ ସନ୍ଦେହ ନାହିଁ ।

 

ଆଉ ଗୋଟିଏ କଥା ହେଲା–ସୁନା ପ୍ରତି ଆମର ମନୋଭାବର ପରିବର୍ତ୍ତନ । ସୁନା ଭଳି ଉତ୍କୃଷ୍ଟ, ମୂଲ୍ୟବାନ ଉପଯୋଗୀ ଧାତୁକୁ ସାମୂହିକ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ । ସମଗ୍ର ଦେଶ ବା ସମାଜ ପାଇଁ ଏହାର କି ଅର୍ଥନୀତିକ ବା ବୈଜ୍ଞାନିକ ଉପଯୋଗିତା ରହିଛି ତା’ର ବିଚାର ଆମର ଅଳଙ୍କାର ଲିପ୍‍ସାଠାରୁ ନିଶ୍ଚୟ ଅଧିକ ବିଜ୍ଞତା । ମାତ୍ର ଏହି ବିଜ୍ଞତା ଅର୍ଜନ କରିବାକୁ ହେଲେ–ସାଧୁ ସନ୍ନ୍ୟାସୀମାନଙ୍କ ପ୍ରଚାରିତ ବ୍ୟକ୍ତିଗତ ସ୍ୱର୍ଣ୍ଣ-ବୈରାଗ୍ୟ ମଧ୍ୟ କେତେକାଂଶରେ ଅର୍ଜନ କରିବା ଉଚିତ ।

 

ମହାଭାରତରେ ଅଛି–ପାଣ୍ଡବ ବଂଶଧର ଧର୍ମପ୍ରାଣ ମହାରାଜା ପରୀକ୍ଷିତ କଳିଯୁଗ ପୁରୁଷଙ୍କୁ ବନ୍ଧନ କରି ଓ ନିପୀଡ଼ନ କରି ଯେତେବେଳେ ତାଙ୍କୁ କହିଲେ ଯେ ତୁମେ ଶୀଘ୍ର ମୋ ରାଜ୍ୟ ଛାଡ଼ି ଚାଲିଯାଅ–ସେତେବେଳେ କଳିଯୁଗ ପୁରୁଷ ତାଙ୍କୁ ଚାରୋଟିମାତ୍ର ଜାଗାରେ ବାସ କରିବାକୁ ଅନୁରୋଧ କରିଥିଲେ । ସେ ଚାରୋଟି କଳିସ୍ଥାନ ଭିତରୁ ଗୋଟିଏ ହେଉଛି ବେଶ୍ୟାଳୟ ଓ ଅନ୍ୟଟି ହେଉଛି ସୁନା । ସୁନା ଶବ୍ଦର ଅର୍ଥ ମଧ୍ୟ ଆଉ ଗୋଟିଏ ଦୃଷ୍ଟିରୁ ହଂସା । ଆପଣଙ୍କ ସ୍ତ୍ରୀ ଯଦି ବହୁ ସ୍ୱର୍ଣ୍ଣାଳଙ୍କାର ଭୂଷିତା ହୋଇ ଆମ ଘରକୁ ଆସନ୍ତି, ତେବେ ତାଙ୍କର ସେହି ସ୍ୱର୍ଣ୍ଣ ବିଭବକୁ ଦେଖିଲା ମାତ୍ରେ ମୋ ସ୍ତ୍ରୀ ହିଂସାରେ ଜଳିଯିବେ । ମାତ୍ର ସୁନାର ଗୌରାଙ୍ଗ ମୂର୍ତ୍ତି ଦେଖି ବା ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ଦେଖି–ବା କୌଣସି ସ୍ୱର୍ଣ୍ଣ ମନ୍ଦିର ଦେଖି ମହାପ୍ରଭୁଙ୍କର ସ୍ୱର୍ଣ୍ଣବିଭୂତି ଦର୍ଶକର ମନରେ ଅପୂର୍ବ ବିନୟ ଭକ୍ତି ସଞ୍ଚାର କରିଥାଏ ।

 

ଅର୍ଥନୀତିତତ୍ତ୍ୱବିଦ୍‍ମାନେ କହନ୍ତି–ପ୍ରଜାମାନଙ୍କଠାରୁ ରାଷ୍ଟ୍ର ହାତରେ ଅଧିକ ସୁନା ରହିବା ଦେଶ ପକ୍ଷରେ ନିଶ୍ଚୟ ମଙ୍ଗଳ । ମାତ୍ର ଯେଉଁ ରାଷ୍ଟ୍ର ଏକଥା ଚାହିଁବ ସେ ରାଷ୍ଟ୍ର ମଧ୍ୟ ସୁନାରାଷ୍ଟ୍ର ହେବା ଉଚିତ ଏବଂ ରାଷ୍ଟ୍ରଚାଳକମାନଙ୍କ ଚରିତ୍ର ମଧ୍ୟ ସୁନା ଭଳି ଉଜ୍ଜ୍ୱଳ ଓ ବିଶୁଦ୍ଧ ହେବା ଉଚିତ । ତା’ ନହେଲେ ସ୍ୱର୍ଣ୍ଣ ଲଙ୍କାରେ ରାବଣ ଓ ଅସୁରମାନଙ୍କର ହିଁ ବିଶ୍ଵଭିତ୍ତିରେ ପ୍ରାଦୁର୍ଭାବ ବଢ଼ିଯିବାର ବେଶୀ ସମ୍ଭାବନା । ତା’ ଛଡ଼ା ଯେଉଁ ରାଷ୍ଟ୍ର ତା’ର ପ୍ରଜାମାନଙ୍କ ହାତରୁ ସୁନା କାଢ଼ି ନେବାକୁ ଚାହେଁ ପ୍ରଥମେ ସେ ରାଷ୍ଟ୍ର ପ୍ରଜାମାନଙ୍କୁ ଆଗ ସ୍ଵର୍ଣ୍ଣଛତ୍ର ତଳେ ନିରାପଦରେ ରଖିବାର ପ୍ରତିଶ୍ରୁତି ଦେବା ଉଚିତ ।

 

ତା’ଛଡ଼ା ସୁନା ନିଜେ ମଙ୍ଗଳ, ମାତ୍ର ସେହି ମଙ୍ଗଳମୟ ଉଜ୍ଜ୍ୱଳ ପଦାର୍ଥଟି ଯାହା ହାତକୁ ଯାଏ–ସେ ବ୍ୟକ୍ତି ହେଉ ବା ରାଷ୍ଟ୍ର ହେଉ–ତାକୁ ଅମଙ୍ଗଳ ପଥରେ ଚାଲିବାକୁ ପ୍ରବର୍ତ୍ତାଏ ଓ ତା’ର ଚିତ୍ତବୃତ୍ତିକୁ ମଳିନ କରିବାରେ ସାହାଯ୍ୟ କରିଥାଏ । ଏଥିପାଇଁ କୁହାଯାଇଛି–ସୁନା ମିଳିଲେ ଦୋଷ ହଜିଲେ ବି ଦୋଷ । ସନ୍ଥମାନେ ବାରମ୍ବାର କାମିନୀ ଓ କାଞ୍ଚନଠାରୁ ଦୂରରେ ରହିବାକୁ ଚେତାବନୀ ଶୁଣାଇଛନ୍ତି ।

 

ତେବେ ସୁନା ଭଲ କରୁ ବା ମନ୍ଦ କରୁ–ଆମର ସ୍ଵପ୍ନ ହେଉ ସୁନେଲୀ–ଆମର ଚିତ୍ତ ହେଉ ସ୍ଵର୍ଣ୍ଣାଭ–ଏବଂ ଆମର ଚରିତ୍ର ହେଉ ସ୍ଵର୍ଣ୍ଣୋଜ୍ଵଳ–ଏବଂ ଆମର ଉପାସ୍ୟ ଦେବତା ହେଉନ୍ତୁ ସୁନାର ପ୍ରତିମା ।

Image

 

Unknown

ମିଛ-ମିଛ....ସାମାନ୍ୟ ମିଛ

 

ସାଧୁ ସନ୍ଥମାନେ ବାରମ୍ବାର ଆମକୁ କହିଆସୁଛନ୍ତି–ସତ୍ୟ କୁହ, ସତ୍ୟପଥରେ ଚାଲ ! ସତ୍ୟରେ କୁଆଡ଼େ ଏ ପୃଥ୍ଵୀ ଆତଜାତ ହେଉଛି । ସୂର୍ଯ୍ୟମହାପ୍ରୁ ସତ୍ୟକୁ ମାନି ସବୁଦିନେ ପୂର୍ବଦିଗରେ ଉଦେ ହେଉଛନ୍ତି । ସାତସମୁଦ୍ର ସତ୍ୟକୁ ମାନି କୂଳ ନ ଲଙ୍ଘି ରହିଛନ୍ତି । ବାସୁକୀ ସତ୍ୟରକ୍ଷାକରି ମସ୍ତକରେ ଏ ଧରାକୁ ଧାରଣ କରିଛନ୍ତି । ମନ୍ଦରପର୍ବତ ସତ୍ୟ ରକ୍ଷା କରି ନିଜକୁ ସ୍ତମ୍ବିତ କରି ରଖିଛି । ସତ୍ୟ ପାଇଁ ରାମ ସିଂହାସନ ଛାଡ଼ି ଚଉଦବର୍ଷ ବଣକୁ ଗଲେ । ହରିଶ୍ଚନ୍ଦ୍ର ରାଜା ଦାଣ୍ଡର ଭିଖାରୀ ହେଲେ । ବଳୀରାଜା ପାତାଳରେ ପଶିଲେ । ଶିବ ବିଷପାନ କଲେ । ଏମିତି ଏମିତି ଦେଖିଲେ ସତକୁ ସତ ଆମର ବିଶ୍ଵାସ ହେଉଛି ଯେ ସତ୍ୟ ଛଡ଼ା ଆମର ଆଉ ଅନ୍ୟ ଗତି ନାହିଁ । କିନ୍ତୁ କଥା ହେଲା–ସତ୍ୟ ଜିନିଷଟି ପ୍ରକୃତରେ କ’ଣ, ତାହା ଦେବା ନ ଜାନାନ୍ତି କୁତଃ ମନୁଷ୍ୟାଃ । ଆମ ତୁମ ପକ୍ଷରେ ତ କଥାଇ ନାହିଁ । ଏଣେ ଶାସ୍ତ୍ର ପୁଣି କହୁଛନ୍ତି–ସୁବର୍ଣ୍ଣ ପାତ୍ର ଭିତରେ କୁଆଡ଼େ ସତ୍ୟକୁ ଢାଙ୍କି ରଖାଯାଇଛି । ସତ୍ୟ ଯଦି ସ୍ଵୟଂ ସୁବର୍ଣ୍ଣମୟ ହୁଏ, ପୁଣି ତାକୁ ଯଦି ସୁବର୍ଣ୍ଣ ପାତ୍ର ଭିତରେ ରଖା ଯାଇଥାଏ, ତେବେ ଯଥାର୍ଥ ସତ୍ୟଟି କ’ଣ ? ସୁବର୍ଣ୍ଣମୟ ପାତ୍ର, ନା ତଥି ଭିତରେ ଥିବା ସୁବର୍ଣ୍ଣ ? ଏ ବଡ଼ ଗହନ କଥା ବନ୍ଧୁ ! ଏହାହିଁ ରହସ୍ୟମୁତ୍ତମମ୍ । ଆମର କିନ୍ତୁ ବାବୁ ଏତେ ଗହୀରରେ ଚାଷ ନାହିଁ–କି ଏତେ ଗଭୀରରୁ ପାଣି କାଢ଼ିବାକୁ ମଧ୍ୟ ଆମ ପାଖେ ଏତେ ଲମ୍ବା ଦଉଡ଼ି ନାହିଁ । ଆମେ ରାମଚନ୍ଦ୍ର ନୋହୁଁ କି ଶ୍ୟାମଚନ୍ଦ୍ର ନୋହୁଁ । ଆମେ ସୀତା ନୋହୁଁ କି ସାବିତ୍ରୀ ନୋହୁଁ । ଆମେ ସବୁ ହେଲୁ ରାମା ଶାମା ଦାମା, ସୀତେଇ ପୀତେଇ ସାବୀମାନଙ୍କ ଦଳର ଲୋକ ।

 

ଆମର ଏ ସଂସାର ଅତି ଗହନ, ଅତି ଜଟୀଳ । ଏଠି ବନ୍ଧୁ ! ସବୁ ରେଖା ସରଳରେଖା ନୁହେଁ । ସବୁଘର ଆଲୁଅ ଜକମକ ନୁହଁ । ସବୁ ରସ ଏଠି ପୁରା ମିଠା ନୁହଁ, କି ସବୁ ଜିନିଷ ପୁରା ନିଦା ନୁହଁ । ଆମମାନଙ୍କ ଜୀବନରେ ସବୁ କଥା ମିଶାମିଶି, ଛନ୍ଦାଛନ୍ଦି । ସବୁ ବିଷୟ ଫେଣ୍ଟାଫେଣ୍ଟି, ଗୋଳିଆ ପୋଳିଆ । ଧଳା ଆଉ କଳା ସୂତାରେ ବେଣିଆବେଣି ହୋଇ ଆମର ଏ ଜୀବନକୁ ଆମେ ବହୁ ସତର୍କ ସାବଧାନରେ ବଚେଇଥାଉଁ । ଆମେ ରାମା ଦାମା ଶାମା, ସୀତେଇ ପୀତେଇ ସାବୀମାନେ ସତ୍ୟର ପ୍ରଖର ସୂର୍ଯ୍ୟଙ୍କୁ ଏତେ ସିଧା ଭାବରେ ନିଜ ଉପରେ ପକାଇ ଦେଉ ନାହିଁ । ମୁଣ୍ଡରେ ଠେକାଟିଏ ଭିଡ଼ି, କି ଟୋପିଟିଏ ପିନ୍ଧି, ଓଢ଼ଣା ଦେଇ କିମ୍ବା ଛତାଟିଏ ଧରି, ଆମେ ସତ୍ୟସୂର୍ଯ୍ୟାଲୋକିତ ପଥରେ ଆତଜାତ ହେଉ । ତା’ ନହେଲେ ଆମେ ଏତେ ପ୍ରଚଣ୍ଡ କିରଣରେ ପୋଡ଼ି ଭସ୍ମ ହୋଇ ଯିବୁ ନାହିଁ ? ସେଇଥିପାଇଁ ତ ଆମେ ଯାହାକୁ ସତ୍ୟ ବୋଲି କହୁ–ସେଥିରେ କିଛି ପରିମାଣରେ ମିଛ ଆମେ ଜାଣି ଜାଣି ମିଶାଇ ଥାଉ । ବହି କିମ୍ବା ଖାତାରେ ମାର୍ଜିନ୍ ଛାଡ଼ିଲା ପରି ଆମ ଜୀବନରେ ମିଛ ପାଇଁ ମଧ୍ୟ ଯତ୍‍କିଞ୍ଚିତ୍ ସ୍ଥାନ ନିଶ୍ଚୟ ରହିଛି । ସେତକ ନ ରହିଲେ ଜୀବନ ରହିବ ନାହିଁ । ଜୀବନ ରହିଲେ ବି ଜୀବନରେ ରଙ୍ଗ ଫୁଟିବ ନାହିଁ । ଜୀବନରୁ ସୁଆଦ ମିଳିବ ନାହିଁ । ଜୀବନ ମଧ୍ୟ ସହ୍ୟ ହେବ ନାହିଁ । ଖାଣ୍ଟି ସୁନାରେ ସାମାନ୍ୟ ଟିକେ ତମ୍ବା କିମ୍ବା ରୂପା ନ ମିଶାଇଲେ ସୁନ୍ଦରୀମାନଙ୍କ ପାଇଁ ଅଳକାଟିଏ ବା କାନଫୁଲଟିଏ ବା ମୁଦ୍ରିକାଟିଏ ଗଢ଼ି ହେବ ନାହିଁ । ତେବେ ତା’ର ମଧ୍ୟ ଭାଗ ମାପ ଅଛି । ପରିମାଣ ସୀମା ଅଛି । ଆମ ଜୀବନରେ ବି ସତ ମିଛର ଭାଗମାପ ସେହିପରି ରହିଛି । ଏ ଜୀବନ ଖାଲି ସତର ନୁହଁ କି ଖାଲି ମିଛର ନୁହଁ । ତା’ ଛଡ଼ା “ତୁମକୁ ମିଛ ମତେ ସତ” ଭଳି ବହୁ କଥା ଆମ ଜୀବନରେ ଭୋଗି ଥାଉଁ । ଏ ସବୁ ନ ବୁଝି ସତ୍ୟ ମିଥ୍ୟାର ଭାଗମାପ ନ ରଖି ଯେଉଁ ମୂର୍ଖମାନେ କେବଳ ସତ୍ୟ ସତ୍ୟ ହୁଅନ୍ତି, ସେମାନେ ସତ୍ୟଟିକୁ କେବଳ ମୁଠେଇ ଧରିଥାନ୍ତି । ସତ୍ୟ ଦେଇ କିଛି ଗଢ଼ି ପାରନ୍ତି ନାହିଁ । କାରଣ ଖାଣ୍ଟି ସତ୍ୟରେ କିଛି ଗଢ଼ି ହୁଏ ନାହିଁ । ସେମାନେ ସତ୍ୟ ବାଟରେ ଯାଇ କିଛି ମଧ୍ୟ ଧରି ପାରନ୍ତି ନାହିଁ–ସତ୍ୟ ଆଲୋକରେ କିଛି ଦେଖି ପାରନ୍ତି ନାହିଁ–କି କିଛି ଭୋଗି ମଧ୍ୟ ପାରନ୍ତି ନାହିଁ । ଶେଷରେ ଦେଖାଯାଏ, ସେମାନେ ସତ୍ୟ ବୋଲି ଯାହାକୁ ଜୀବନ ସାରା ମୁଠେଇ ଧରିଛନ୍ତି, ତାହା ହେଉଛି ଗୋଟାଏ ନିଠୁର ଏକବାଗିଆପଣର ହାହାକାରମୟ ଜ୍ଵଳମାନ ଶୂନ୍ୟତା ମାତ୍ର । ସେଇଥିଲାଗି କୁହାଯାଏ–ଜୀବନରେ ସତ୍ୟ କୁହ, କିନ୍ତୁ ତାକୁ ପ୍ରିୟକରି କୁହ–ଅପ୍ରିୟ ସତ୍ୟ କୁହନାହିଁ । ତା’ମାନେ ସତ୍ୟକୁ ପ୍ରିୟ ଓ ସହଣୀୟ କରିବାକୁ ହେଲେ, ସେଥିରେ ସାମାନ୍ୟ ଟିକେ ଅର୍ଥାତ୍ ମୃଦୁ ମଧୁର ମିଛର ପ୍ରଲେପ କିଏ ଲଗାଇବାକୁ ହୁଏ । ଏଠି ଏତିକି ମାତ୍ର ମୃଦୁମଧୁର ମିଛ ଯଥାର୍ଥ ସତ୍ୟର ପରିପୂରକ ଓ ସଞ୍ଜୀବକ ରୂପେ କାମ କରେ ଏବଂ ସତ୍ୟକୁ ସୃଜନଶୀଳ ମଧ୍ୟ କରିଥାଏ । ମୁଁ କେତୋଟି ଉଦାହରଣ ଦେଉଛି–ଶୁଣିବା ହେଉ ।

 

ଆପଣଙ୍କ ଛୋଟ ପୁଅଟି ଆଲମିରାରେ ଥୁଆ ହୋଇଥିବା ରସଗୋଲାରୁ କେତୋଟି ଲୁଚାଇ କରି ଲୋଭରେ ଖାଇ ଦେଇଛି । ଆପଣ ତାକୁ ପଚାରିଲେ–ତୁ ଖାଇଛୁ କିରେ କୁନା ? କୁନା ପ୍ରଥମେ ସାମାନ୍ୟ ହସିକରି କହିଲା–ନାଇଁ ବାପା ! ସତ କହୁଛି, ମୁଁ ଖାଇନି । ଆପଣ ପୁଣି ପଚାରିଲେ–ତାହାହେଲେ କିଏ ଖାଇଲା ? କୁନା ନିର୍ଦ୍ୱନ୍ଦ୍ୱରେ କହିଦେଲା–ମୂଷା ଖାଇଥିବ ବାପା । କୁନାଠାରୁ ଏତକ ଶୁଣି ଆପଣ ଯଦି ରାଗିଯାଇ, ନାଲ ନାଲ ଆଖି କରି ତାର କାନ ଧରି ବଜ୍ରକଣ୍ଠରେ ଜେରା କରନ୍ତି–ସତ କହ ବଦମାସ ! ସତ କହ, ତୁ ରସଗୋଲା ଖାଇନାହୁଁ ? ମୁଁ ଦେଖୁଛି–ତୋର ଗାଲରେ ଶିରା ଲାଗିଛି । ଅଥଚ ତୁ ପାପୀ ମୋ ଆଗରେ ଏମିତି ଡାହା ମିଛ କହୁଛୁ !! ଏତେକ ଶୁଣି ବିଚାରା କୁନା ଭୟରେ ଥରିଲାଣି । ସତ୍ୟର ଏହି ବିକଟାଳ ରୂପ ଦେଖିଲା କ୍ଷଣି ଓ ସତ୍ୟର ଏହି ଭୟଙ୍କର ଦାବୀ ଶୁଣିଲାକ୍ଷଣି ସେ ଆଉ ଦିନେ ବି ଛାନିଆରେ ସତ୍ୟର ଚଉସୀମା ମାଡ଼ିବ ନାହିଁ । କିନ୍ତୁ ଆପଣ ଯଦି ହସି ହସି କହିଥାନ୍ତେ–ହଅରେ କୁନା ! ମୂଷା ଖାଇଥିବ । ମୂଷାମାନେ ଆଜିକାଲି ଆଲମିରା ଫିଟାଇ ରସଗୋଲା ଖାଇଲେଣି । କିନ୍ତୁ ସେମାନଙ୍କୁ ଏ କୌଶଳ କିଏ ଶିଖେଇଲା ? ତୁଇ ଶିଖେଇ ଥିବୁ–ନା’ କଣରେ କୁନା ? ଏତିକି କହି ଆପଣ ହସି ଦିଅନ୍ତୁ ଓ କଥାଟିକୁ ଉଡ଼େଇ ଦିଅନ୍ତୁ । ଦେଖିବେ, କୁନା ମଧ୍ୟ ହସି ହସି ଗଡ଼ିଯିବ । ଇତିମଧ୍ୟରେ ପ୍ରକୃତ ସତ୍ୟଟି ମଧ୍ୟ ଆପଣା ଛାଏଁ ନୀରବରେ ପ୍ରକାଶ ପାଇ ଯାଇଥିବ । ଆପଣ ଦେଖିବେ–ବାପ ପୁଅ ଦୁହେଁଯାକ ମିଶି ସତ୍ୟର ଅତି ମଧୁର ପରିପ୍ରକାଶଟି ଦେଖି ପାରିଛନ୍ତି । ଆଉ ଗୋଟିଏ ଉଦାହରଣ ଶୁଣନ୍ତୁ–ମୃଦୁ ମଧୁର ମିଛର ସ୍ଵାଦ କାହାକୁ କହନ୍ତି, ସେ କଥା ବୁଝି ନ ପାରି, ଜଣେ ପାଷଣ୍ଡ ସ୍ଵାମୀ କେମିତି ନିଜ ଜୀବନକୁ ଛାରଖାର କରିଦେଲା !

 

ପଣ୍ଡିତ ସତ୍ୟବାନ୍ ମିଶ୍ରେ ସର୍ବଦା ସତ୍ୟ ପଥରେ ଚାଲନ୍ତି–ସତ୍ୟକଥା କହନ୍ତି–ସତ୍ୟ ଦୃଶ୍ୟ ଦେଖନ୍ତି ଓ ଅନ୍ୟଠାରୁ ଖାଣ୍ଟି ସତ୍ୟ ନ ଶୁଣିଲେ କ୍ରୋଧରେ ଅଗ୍ନିଶର୍ମା ହୋଇଯାନ୍ତି । ତାଙ୍କ ସ୍ତ୍ରୀ ସତ୍ୟଭାମା ଦେବୀ ଖୁବ୍ ସୁନ୍ଦରୀ ରସବତୀ ମହିଳା । କିନ୍ତୁ ଦୁଃଖର କଥା, କିଛିଦିନ ଟାଇଫଏଡ଼୍‍ ରୋଗ ଭୋଗିଲା ପରେ କୌଣସି କାରଣରୁ ତାଙ୍କର ସୁନ୍ଦର କେଶଗୁଡ଼ିକ ଲମ୍ବାରେ ଛୋଟ ହୋଇଗଲା । ସେ ଆଉ ଜୁଡ଼ା ବାନ୍ଧି ପାରିଲେ ନାହିଁ । ଅଥଚ ସତ୍ୟଭାମା ଦେବୀଙ୍କର ମନୋହର ବର୍ତ୍ତୁଳ ସ୍ପର୍ଦ୍ଧିତ ପୁଷ୍ପାନ୍ଵିତ ସୁସଜ୍ଜିତ ଗଭା-ରଚନା ଦେଖିଲେ ବହୁ ସୁନ୍ଦରୀଙ୍କର ମନରେ ଈର୍ଷାର ନିଆଁ ଲାଗିଯାଏ । ବାଳତକ ଛୋଟ ହୋଇଯାନ୍ତେ–ସତ୍ୟଭାମା ଦେବୀ ବଜାରରୁ କେତେ ମୂଲ୍ୟବାନ୍ ଟାସେଲ୍ ଓ କେଶପାଶ ଆଣି ନିଜର ଗଭା ସଜାଡ଼ି ବସିଲେ । ଅନ୍ୟମାନେ ଅବଶ୍ୟ କେହି ସେ ମାୟା ଜାଣି ପାରିଲେ ନାହିଁ । କିନ୍ତୁ ସତ୍ୟଦ୍ରଷ୍ଟା ସ୍ଵାମୀ ପଣ୍ଡିତ ସତ୍ୟବାନ ମିଶ୍ରଙ୍କ ଆକ୍ଷିକୁ ଏ ଲଘୁ ମିଥ୍ୟାଚାର ସହ୍ୟ ହେବ କିପରି ? ଦିନେ ସ୍ତ୍ରୀଙ୍କର କେଶ ବିନ୍ୟାଶ ସମୟରେ ସେ ସେଠାରେ ପହୁଁଚି ଅଗ୍ନି ଝରାଇ ବଜ୍ରଗମ୍ଭୀର କଣ୍ଠରେ ସାଧୁ ନାଟକୀୟ ଭାଷାରେ କହିଲେ ମାୟାବିନୀ କୈତବିନୀ ନାରୀ ! ତୁମ୍ଭର ନିଜର କେଶପାଶ ସ୍ଵଳ୍ପ ଓ କ୍ଷୁଦ୍ର ହୋଇଥିବା ସ୍ଥଳେ, ତୁମ୍ଭେ ମିଥ୍ୟା ନକଲି କେଶରେ ସ୍ଵଗଭା ରଚନା କରି ତୁମ୍ଭର ସତ୍ୟକାମ ସ୍ଵାମୀଙ୍କ ଆକ୍ଷିକୁ ପ୍ରତାରିତ କରୁଛ ଓ ଅନ୍ୟମାନଙ୍କୁ ନିଜ କେଶପାଶର ବିପୁଳତା ସମ୍ବନ୍ଧେ ମିଥ୍ୟା ଜ୍ଞାନ ବିତରଣ କରୁଛ ? ଏହା ଆମ୍ଭ ସଦୃଶ ସତ୍ୟପ୍ରିୟ ବ୍ୟକ୍ତିଙ୍କ ପକ୍ଷରେ ଅତ୍ୟନ୍ତ ଅସହ୍ୟ ବ୍ୟାପାର । ଆମ୍ଭେ କଦାଶ୍ଚନ କୌଣସି ମିଥ୍ୟାଚାର ସହ୍ୟ କରି ପାରିବୁ ନାହିଁ । ଏତକ କହି ସେ ସ୍ତ୍ରୀଙ୍କ ମୁଣ୍ଡରୁ ସେହି ଟାସେଲ୍ ଓ ନକଲି କେଶତକ ଘୋଷାରି ନେଇ ପତ୍ନୀଙ୍କ ସମ୍ମୁଖରେ ସେଥିରେ ତତ୍‌କ୍ଷଣାତ୍ ଅଗ୍ନି ସଂଯୋଗ କରିଦେଲେ-। କହିବା ବାହୁଲ୍ୟ, ଏହି ଘଟଣା ପରେ ଓ ଏହାର ପୂର୍ବାପର ଏତାଦୃଶ ସାନ ବଡ଼ ବହୁ ଘଟଣା ପରେ ସତ୍ୟଭାମା ଦେବୀ ଏହି ନିର୍ଦ୍ଦୟ ପ୍ରେମହୀନ ଅରସିକ ସ୍ୱମୀଟିର ଅବିମୃଶ୍ୟକାରୀ ଅଶ୍ଳୀଳ ସତ୍ୟ ଦାବୀରେ ଅତିଷ୍ଠ ହୋଇ ଦୁଃଖ ଅଭିମାନରେ ଟ୍ରେନ୍ ତଳେ ଆତ୍ମହତ୍ୟା କରିଥିଲେ ଏବଂ ପଣ୍ଡିତ ସତ୍ୟବାନ ମିଶ୍ରେ ଏଭଳି ମନୋରମା ଭାର୍ଯ୍ୟାକୁ ହରାଇ ଆଜୀବନ ସତ୍ୟଖୋର୍ ହୋଇ ସତ୍ୟକୁ ମୁଠାଇ ବଞ୍ଚିବାକୁ ଲାଗିଲେ ।

 

ଆମେ ଯଦି ଜୀବନକୁ ସହଜ, ସୁଗମ, ସରସ ଓ ସୃଜନଶୀଳ କରି ଉପଭୋଗ କରିବାକୁ ଚାହୁଁ–ତେବେ ଆମକୁ ପ୍ରତି ପଦକ୍ଷେପରେ ସତ୍ୟ ସଙ୍ଗେ କିଞ୍ଚିତ ପରିମାଣରେ ଏହି ମୃଦୁ ମଧୁର ମିଛର ସଂଯୋଗ କରି ଚଳିବାକୁ ହେବ । କିନ୍ତୁ ମନେ ରଖିବାକୁ ହେବ–ଏହି ମୃଦୁମଧୁର ମିଛ ପଛରେ କୌଣସି ହିସାବୀ ବୁଦ୍ଧି-ପ୍ରସୂତ ହୀନ ଉଦ୍ଦେଶ୍ୟ ରହିଲେ ଏହା ମିଥ୍ୟା ଭାଷଣର ଅପଳାପ ହୋଇ ଯିବାର ଆଶଙ୍କା ଥାଏ । ମୃଦୁ ମିଛ ଭାଷଣ ବା ଆଚରଣ ଗୋଟିଏ ସୃଜନାତ୍ମକ କଳା; ଏବଂ ଏହା ଖାଣ୍ଟି ସତ୍ୟର ରୁକ୍ଷତା, ତୀବ୍ରତା, ଅନମନୀୟତା ଓ ଅସହିଷ୍ଣୁତାକୁ ଯଥାସମ୍ଭବ କମାଇ ଦେଇ ସତ୍ୟକୁ ଗ୍ରହଣୀୟ, ସହଣୀୟ ଓ ମଧୁରଭାବେ ରସମୟ କରିଥାଏ । ସତ୍ୟ ଯଦି ଶିବ ବା ସୁନ୍ଦରଠାରୁ ପୃଥକ୍ ହୋଇ ନିଜର ଏକବାଗିଆ ବାଟରେ ଗତିକରେ, ତେବେ ତାହା ଘୋର ମିଥ୍ୟାଠାରୁ ଆହୁରି କ୍ଷତିକର ଓ ମାରାତ୍ମକ ହୋଇଥାଏ । ମହାଭାରତରୁ ଉପାଖ୍ୟାନଟିଏ କହୁଛି–ଶୁଣିବା ହେଉ ।

 

ଥରେ ଗୋଟିଏ ପାହାଡ଼ର ଗୁମ୍ଫା ପାଖରେ ଜଣେ ସତ୍ୟକାମୀ ଯୋଗୀ ଆକ୍ଷି ବୁଜି ବସି ଧ୍ୟାନ କରୁଥିଲେ । ଏହି ସମୟରେ “ରକ୍ଷା କର” “ରକ୍ଷା କର” ବୋଲି ଆର୍ତ୍ତ ଚିତ୍କାର କରି ଲୋକଟିଏ ତାଙ୍କ ପାଖରେ ପହୁଁଚି କହିଲା–ହେ ମୁନି ! ମୋ ପାଖରେ ସାମାନ୍ୟ ଧନ ଥିବାରୁ ଡକାଏତମାନେ ମୋତେ ମାରି ଏ ଧନତକ ନେବାଲାଗି ହାତ ହତିଆର ସହ ମୋ ପଛରେ ଦଉଡ଼ିଛନ୍ତି । ମୁଁ କ’ଣ କରିବି ? ଏତକ ଶୁଣିବା ମାତ୍ରେ ମୁନି ଧ୍ୟାନସ୍ଥ ଦୃଷ୍ଟି ଖୋଲି ତାକୁ କହିଲେ–ତୁମ୍ଭେ ଏହି ଗୁମ୍ଫା ଭିତରେ ଆତ୍ମଗୋପନ କରିପାର । ଲୋକଟି ମୁନିଙ୍କ କଥାରେ ବିଶ୍ୱାସ କରି ତତ୍‍କ୍ଷଣାତ୍‍ ପ୍ରାଣ ବିକଳରେ ସେହି ଗୁମ୍ଫା ଭିତରକୁ ପଶିଗଲା । ଠିକ୍‍ ତା’ର ପରେ ପରେହିଁ ହାତ ହତିଆର ଧରି ଡକାଏତମାନେ ସେଠି ପହୁଁଚି ଗଲେ ଏବଂ ପଚାରିଲେ–ହେ ଯୋଗୀ ! ଏ ବାଟେ ଲୋକଟିଏ ଦୌଡ଼ିଆସି କୁଆଡ଼େ ଗଲା କହି ପାରିବ କି ? ସତ୍ୟକାମୀ ଯୋଗୀରାଜ ଭାବିଲେ–ଆମ୍ଭଙ୍କୁ ଏ ସ୍ଥଳେ ନିଶ୍ଚୟ ସତ୍ୟକଥା କହିବାକୁ ହେବ । ନଚେତ୍‍ ଆମ୍ଭେ ମିଥ୍ୟା ଭାଷଣ ପାପରେ ଭାଗୀ ହେବୁଁ । ଏହା ଭାବି ସେ କହିଲେ–ହେ ଅନିସନ୍ଧିତ୍ସୁଗଣ ! ତୁମ୍ଭେମାନେ ଯାହା ଖୋଜୁଛ ଓ ଯାହାକୁ ଖୋଜୁଛ–ତାହା ଓ ସେ ଗୁମ୍ଫା ଭିତରେ ରହିଥିବାର ଆମ୍ଭଙ୍କୁ ଜଣାଅଛି । ଏତେକ ଶୁଣିବା ମାତ୍ରେ ଡକାଏତମାନେ ଗୁମ୍ଫା ଭିତରେ ପଶି ଲୋକଟିକୁ ହତ୍ୟା କରି ଧନ ଦ୍ରବ୍ୟ ନେଇ ଚାଲିଗଲେ-

 

ଏହି ଉପାଖ୍ୟାନଟି କହି ଭଗବାନ ବ୍ୟାସ କହିଛନ୍ତି–ଏହି ଯୋଗୀକୁ ତା’ର ମରଣ ପରେ ଯମଦୂତମାନେ ବାନ୍ଧି ନେଇ ମିଥ୍ୟା ଭାଷଣ ଯୋଗୁଁ ତତଲା ଶାବଳଦ୍ୱାରା ତା’ର ମୁଖକୁ ବାରମ୍ବାର ପୀଡ଼ିତ କରିଥିଲେ । ଏଠି ଯୋଗୀଙ୍କର ସେହି ତଥାକଥିତ ସତ୍ୟ ଭାଷଣଟି ନିଷ୍ଠୁର–ସ୍ଥାନ, କାଳ, ପାତ୍ର, ବିବେଚନା-ବିହୀନ ଓ ଅମଙ୍ଗଳକାରୀ ହୋଇଥିବା ହେତୁ ଏବଂ ଗୋଟିଏ ନିର୍ଦ୍ଦୋଷ ଲୋକର ପ୍ରାଣଘାତକ ହୋଇଥିବାରୁ–ତାହା ମିଥ୍ୟାରୂପେ ପରିଗଣିତ ହୋଇଥିଲା । ସେହିପରି ଯୁଦ୍ଧ କ୍ଷେତ୍ରରେ ମଧ୍ୟ ସାମାନ୍ୟ ମିଥ୍ୟାକୁ ଧର୍ମଶାସ୍ତ୍ରରେ ପ୍ରଶ୍ରୟ ଦିଆଯାଇଛି । ଦ୍ରୋଣାଚାର୍ଯ୍ୟଙ୍କର ମୃତ୍ୟୁ ଲାଗି ଭଗବାନ ଶ୍ରୀକୃଷ୍ଣଙ୍କ ପରାମର୍ଶକ୍ରମେ ସତ୍ୟବାଦୀ ପରମ ଧାର୍ମିକ ଯୁଧିଷ୍ଠିରଙ୍କୁ ମଧ୍ୟ ‘‘ଅଶ୍ୱତ୍‍ଥାମା ହତ, ଇତି ନରେ ବା ଗୁଞ୍ଜରେ ବା’’ ବୋଲି ମୃଦୁମିଥ୍ୟା ଟିକେ କହିବାକୁ ପଡ଼ିଥିଲା । ଏତେକ ଯଦି ଯୁଧିଷ୍ଠିର ସେଦିନ ସେ ମୁହୂର୍ତ୍ତରେ କହି ନଥାନ୍ତେ ତେବେ ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ଆଉ ଜାଣିପାରି ନଥାନ୍ତେ ଓ ଧର୍ମରାଜ୍ୟ ପ୍ରତିଷ୍ଠିତ ହୋଇପାରି ନଥାନ୍ତା ।

 

ଆମ ପାରିବାରିକ ଜୀବନରେ ମଧ୍ୟ ମୃଦୁମିଥ୍ୟାର କେତେଦୂର ଆବଶ୍ୟକତା ରହିଛି–ତାହା ଆପଣମାନେ ବିଚାର କରନ୍ତୁ । ଧରନ୍ତୁ–ଆଜି ରବିବାର । ଆପଣଙ୍କର ଉଚ୍ଚଶିକ୍ଷିତା ଏବଂ ଉଚ୍ଚ ଚାକିରୀରେ ଅଧିରୂଢ଼ା ନବାଗତା ପୁତ୍ରବଧୂ ସଉକରେ ଆଜି ଆପଣଙ୍କ ଲାଗି ମନ ଦେଇ ତର୍କାରୀଟିଏ ରାନ୍ଧି ଆପଣଙ୍କୁ ଖୁଆଇ ବସିଲେ । ଆପଣଙ୍କ ପୁଅ କିନ୍ତୁ ତର୍କାରୀଟି ପାଟିକୁ ନେଉ ନେଉ ବିରକ୍ତିରେ କହି ଉଠିଲେ–‘‘ଛି ଛି, ତରକାରୀକୁ ଏକଦମ୍‍ ପୋଡ଼ି ଦେଇଛ । ତୁମକୁ ତ ରାନ୍ଧି ଆସେନା–ମିଛରେ ସେଥିରେ ହାତ ଦିଅ କାହିଁକି ? ଏତିକି ଶୁଣିବା ମାତ୍ରେ ଆପଣଙ୍କର ଉଚ୍ଚଶିକ୍ଷିତା ଉପାର୍ଜନକ୍ଷମା ବୋହୂଟି ଲଜ୍ଜ୍ୟାରେ ଝାଉଁଳି ପଡ଼ିବଣି–ଏବଂ କ୍ରୋଧରେ ତା’ ମୁଣ୍ଡକୁ ପିତ୍ତ ଉଠି ଯିବଣି । ଆପଣ ଏପରିସ୍ଥଳେ କ’ଣ କରିବେ ? ଆପଣ ଏପରିସ୍ଥଳେ ମୃଦୁମଧୁର ମିଛଟିଏ କହି ପରିସ୍ଥିତିକୁ ସମ୍ଭାଳି ନିଅନ୍ତୁ । ଏ କ୍ଷେତ୍ରରେ ମୁଁ ଥିଲେ କହନ୍ତି–‘‘ଆରେ ବାବୁ ! ତୋ’ ମାଆ ହାତ ଅପେକ୍ଷା ବୋହୂମା’ର ହାତ ଭଲ ବୋଲି ମୁଁ ତାକୁ ଏ ଘରକୁ ବୋହୂ କରି ଆଣିଛି । କିନ୍ତୁ କ’ଣ କରାଯିବ ? ଆଜିକାଲି ପି.ଏଚ୍‍.ଡି. ବାଲା ପାଣିରେ ଯୋଉ ପରିମାଣରେ କ୍ଲୋରିନ୍‍ ମିଶାଇ ଦେଉଛନ୍ତି ନା–ତରକାରୀ ପୋଡ଼ୁ ନ ପୋଡ଼ୁ ସେଥିରୁ କୁହୁଳା ଗନ୍ଧ ନିଶ୍ଚେ ବାହାରିବ !’’ ବାସ୍‍ ! ଆପଣ ଯଦି ଏତିକି ସାମାନ୍ୟ ମିଛ ଏ କ୍ଷେତ୍ରରେ ଏପରି କହି ଦିଅନ୍ତି, ତେବେ ଆପଣ ଆପଣଙ୍କ ବୋହୂର ମର୍ଯ୍ୟାଦା ତ ରକ୍ଷା କରିବେ–ତା’ ସଙ୍ଗେ ସଙ୍ଗେ ପୁଅ-ବୋହୂଙ୍କ ଭିତରେ ପ୍ରୀତିସମ୍ବନ୍ଧ ବଢ଼ିବାରେ ବି ସାହାଯ୍ୟ କରିବେ ଏବଂ ବୋହୂର ମନରେ ଆପଣଙ୍କ ପ୍ରତି ଭକ୍ତି ଓ ସମ୍ମାନ ବୃଦ୍ଧି ଲାଗି ମଧ୍ୟ ଆପଣ ବାଟ ଫିଟାଇ ଦେଇ ପାରିବେ । ଆଉ ଗୋଟିଏ କଥା ମଧ୍ୟ କହୁଛି–ଶୁଣନ୍ତୁ ।

 

ଧରନ୍ତୁ ଆପଣଙ୍କ ସମୁଦୀ, ମାନେ ପୁଅର ଶଶୁର, ଜଣେ କାଣ୍ଡଜ୍ଞାନ ବିବର୍ଜିତ, ଅମାର୍ଜିତ, ହୁଣ୍ଡା ବ୍ୟକ୍ତି । ତାଙ୍କର ବିରକ୍ତିକର ଅତ୍ୟାଚାରରେ ଆପଣ ସପରିବାର ବିବ୍ରତ । ବାପର ଏ ଦୁର୍ଗୁଣଟି ଯେ ତାଙ୍କ ଝିଅ ଆକ୍ଷିରେ ନ ପଡ଼ୁଛି ଏମନ୍ତ ନୁହେଁ । ତେବେ କ’ଣ ଆପଣ ବୋହୂ ଆଗରେ ତା’ ବାପ ବିଷୟରେ ଏତେ ବଡ଼ ସତ କଥାଟା କହିଦେବେ ? ତା’ହେଲେ ଆପଣ ଜଣେ ବୁଡ଼୍‍ବକ୍‍ ସତ୍ୟବାଦୀ ଶଶୁର । ଆପଣ ବରଂ କହିବେ–ବୁଝିଲେ ବୋହୂମା ! ତୁମ ବାପା ଜଣେ ଅତ୍ୟନ୍ତ ସରଳହୃଦୟ ପବିତ୍ର ବ୍ୟକ୍ତି । ଏହି ଫିସାଦିଆ ଦୁନିଆର ଚାଲବାଜୀ ତାଙ୍କୁ ଜଣା ନାହିଁ । ଫଳରେ ଏଇ ଜାଲିଆତି ପୃଥିବୀରେ ତାଙ୍କ ପକ୍ଷରେ ଚଳିବା ଖୁବ୍ କଷ୍ଟକର ।

 

ପାରିବାରିକ ଜୀବନ ଛଡ଼ା, ସମାଜରେ ମଧ୍ୟ ଆପଣଙ୍କ ମିତ୍ର ବା ସାଙ୍ଗ ସଙ୍ଗାତ ପାଖରେ ତଦ୍ରୂପ ମିଥ୍ୟାଚରଣ ଦରକାର । ଆପଣଙ୍କ କଠିଣ ବେରାମବେଳେ ନାନାଦି କାରଣରୁ ଯୋଉ ବନ୍ଧୁଟି ଆପଣଙ୍କୁ ଦେଖିବାକୁ ଆସି ନଥିଲେ–ସୁସ୍ଥ ହେଲା ପରେ ତାଙ୍କୁ ପ୍ରଥମେ ଦେଖିବା ମାତ୍ରେ ଆପଣ କ’ଣ କହିବେ ? ମୋର ଜଣେ ଅତି ମରମୀ ଉଦାରହୃଦୟ ବନ୍ଧୁ ମତେ ଦିନେ ସେମିତି କହିଥିଲେ । ତାଙ୍କ-କଠିଣ ପୀଡ଼ାବେଳେ ମୁଁ ନାନା କାର୍ଯ୍ୟରେ ବ୍ୟସ୍ତ ଥାଇ ତାଙ୍କୁ ହାସପାତାଳରେ ଦେଖାକରି ନ ଥିଲି । ମାତ୍ର ସୁସ୍ଥ ହୋଇ ସେ ଘରକୁ ଫେରିବା ପରେ ମୁଁ ଯେତେବେଳେ ତାଙ୍କୁ ଯାଇ ତାଙ୍କ ଘରେ ଦେଖାକଲି ସେ ମଧୁର ସ୍ନେହ ବିଗଳିତ ଚାହାଣୀରେ ମୋର ହାତଟି ଧରି ପକାଇ କହିଲେ–ମୁଁ ଜାଣେ ସାଙ୍ଗ ! ତୁ ଅନ୍ୟର କଷ୍ଟ ଦେଖି ପାରୁନାହିଁ । ତୋ’ର ହୃଦୟ ଭାରି ଦୁର୍ବଳ । କିନ୍ତୁ ତୁ ମୋର ଆରୋଗ୍ୟ ପାଇଁ ନୀରବରେ ପ୍ରାର୍ଥନା କରୁଥିବୁ ତା’ ମୁଁ ଜାଣେ । ତୋ’ଭଳି ଶୁଭାକାଂକ୍ଷୀ ବନ୍ଧୁମାନଙ୍କ ପ୍ରାର୍ଥନା ବଳରେ ଜାଣ ମୁଁ ଏହି ମାରାତ୍ମକ ବେମାରୀରୁ ଉଦ୍ଧାର ପାଇ ଆସିଲି ।’’ –ତାଙ୍କ ତୁଣ୍ଡରୁ ଏତକ ଶୁଣିବା ପରେ ମୁଁ କାନ୍ଦି ପକାଇଲି ଓ ବନ୍ଧୁଙ୍କ ଉଦାର ହୃଦୟ ପାଖେ ନିଜକୁ ଖୁବ୍ ନୁଆଁଇ ଦେଲି ।

 

ଏଇ ହେଲା–ମୃଦୁ ମଧୁର ମିଥ୍ୟାର ସୁଗୁଣ । ଆପଣ ଯଦି ଆପଣଙ୍କ ବନ୍ଧୁଙ୍କୁ ଏମିତି ଠିକଣା ସମୟରେ ମିଛ କହି ପାରୁ ନଥିବେ, ତେବେ ଆପଣ କେବଳ ନିଷ୍ଫଳ ସତ୍ୟଟିଏ ଧରି ମରିବା ଯାଏ ବନ୍ଧୁ ବାନ୍ଧବହୀନ ଦୁଃସହ ଜୀବନ ଭୋଗ କରିବାକୁ ବାଧ୍ୟ, ଏଥିରେ ସନ୍ଦେହ ନାହିଁ । କାରଣ ଏହା ନିଶ୍ଚିତ ଯେ ଦୁନିଆଁରେ ଯେତେ ମାନବୀୟ ପ୍ରେମ ସମ୍ପର୍କମାନ ଅଛି–ସବୁ ତିଷ୍ଠି ରହିଛି ଏହି ମୃଦୁମଧୁର ମିଛଟିକକ ଉପରେ । ସତ୍ୟ ହେଲା ସୂର୍ଯ୍ୟପରି । ସୂର୍ଯ୍ୟ କିରଣରେ କାର୍ଯ୍ୟ କରାଯାଏ । ମାତ୍ର ମୃଦୁମଧୁର ମିଛ ଟିକକ ହେଲା ଜ୍ୟୋତ୍ସ୍ନାପରି ସ୍ନିଗ୍‌ଧ ଶୀତଳ ପ୍ରୀତିକର । ଚନ୍ଦ୍ର କିରଣରେ ପ୍ରେମପ୍ରୀତିର କାରବାର ଚାଲେ । କବିତା ପଢ଼ାଯାଏ । ସଙ୍ଗୀତ ଶୁଣାଯାଏ । ଦାମ୍ପତ୍ୟ ପ୍ରେମ ତ ଏହି ମିଠାମିଛ ଉପରେ ସର୍ବଦା ତିଷ୍ଠିଥାଏ । ଆପଣଙ୍କ ସ୍ତ୍ରୀଙ୍କ ମୁହଁ ଯଦି ଚକୁଳିପିଠା ପରି ଗୋଲ୍‍ ଓ ଚେପ୍‍ଟା ହୋଇଥାଏ–ତେବେ ଆପଣ ତାଙ୍କୁ କହିବେ ସଖି ! ତୁମପରି “ଠିକ୍ ଠ ବର୍ତ୍ତୁଳ ଚନ୍ଦ୍ରାନନା” ଏହି ଖଣ୍ଡମଣ୍ଡଳରେ ମୁଁ ଜଣେ କାହାକୁ ବି ଦେଖିନାହିଁ । ପତ୍ନୀ ଯଦି ଈଷତ୍ ଟେରୀ ହୋଇଥାନ୍ତି–ତେବେ ଆପଣ କହୁଥିବେ ଟେରୀ ସ୍ତ୍ରୀ ଲୋକମାନଙ୍କ ପକ୍ଷରେ ଲକ୍ଷ୍ମୀ ସର୍ବଦା ରହିଥାନ୍ତି । କାରଣ ଲକ୍ଷ୍ମୀ ସ୍ଵୟଂ ଈଷତ୍‍ ଟେରୀ ! ଆପଣଙ୍କ ସ୍ଵାମୀ ଯଦି ଗେଡ଼ା ହୋଇଥାନ୍ତି ତେବେ ତାଙ୍କୁ ଶୁଣାଇ ଶୁଣାଇ ଅନ୍ୟ ବନ୍ଧୁମାନଙ୍କ ଆଗରେ କହିବେ–ପିଲାଦିନେ ମୁଁ ଯେତେବେଳେ ବାମନ ଆଉ ଦଧିବାମନଙ୍କ ବିଷୟ ପୁରାଣରେ ଶୁଣିଲି–ମୋର ମନ ହୋଇଥିଲା ମୁଁ ଏହିପରି ସ୍ଵାମୀଟିଏ ପା’ନ୍ତି କି !! ସ୍ଵାମୀ ଯଦି ଭୀରୁ ପ୍ରକୃତିର ହୋଇଥାନ୍ତି–ତେବେ ଆପଣ ଅନ୍ୟ ସ୍ତ୍ରୀଲୋକଙ୍କ ଆଗରେ ତାଙ୍କୁ ଶୁଣାଇ କହିବେ–ଏ ଲୋକଟି ଆମର ଏତେ ଶାନ୍ତଶିଷ୍ଟ ଯେ ତାଙ୍କୁ ଏ ଗାଲରେ ଚଟକଣୀ ମାରିଲେ ସେ ଆର ଗାଲ ଦେଖାଇଦେବେ । ସ୍ଵାମୀ ଯଦି ଖନା ହୋଇଥାନ୍ତି–ତେବେ ଆପଣ କ’ଣ କହିବେ ଜାଣନ୍ତି ? ଆପଣ କହିବେ ମୋ ସ୍ଵାମୀ ଏତେ ଭାବପ୍ରବଣ ଯେ ସାମାନ୍ୟ ଉତ୍ତେଜିତ ହେଲେ ତାଙ୍କ ପାଟି ଖନି ବାଜିଯାଏ ।

 

କିନ୍ତୁ ଅସଲ କଥା ହେଲା । ଏହି ମୃଦୁମଧୁର ମିଛର କାରବାର ଯେ କରିବେ ସେ ଜଣେ ନିର୍ଭୀକ, ଉଦାର ହୃଦୟ, କ୍ଷମାଶୀଳ, ଭଦ୍ର ଆଉ ବିଦଗ୍‌ଧ ବ୍ୟକ୍ତି ହୋଇଥିବା ଦରକାର । ତା’ ନ ହେଲେ ମତଲବବାଜ୍ ହୀନଚିତ୍ତ ଲୋକ ହାତରେ ଖାଣ୍ଟି ସତ୍ୟ ପଡ଼ିଲେ ବି ତାହା ସାମାନ୍ୟ ଖଟା ସଂଯୋଗରେ ଦୁଧପରି ଛିଡ଼ିଯାଏ । ଅନେକଙ୍କର ଧାରଣା–ସତ୍ୟ କହିବାକୁ ହେଲେ କୁଆଡ଼େ କେବଳ ନିର୍ଭୀକତା ଦରକାର । ମାତ୍ର ଆମେ ମିଛୁଆମାନେ ଭାବୁ–ବରଂ ଛେରୁଆମାନେହିଁ ଅତର୍ଛପଣରେ ସତ କହି ପକାନ୍ତି । ଖୁବ୍ ଛାତି ଟାଣବାଲା ନ ହେଲେ ମିଛ କହି ପାର ହେବ ନାହିଁ । ମିଛ କହିବା ହେଲା ଘୋର ଅନ୍ଧାର ରାତିରେ ଏକୁଟିଆ ମଶାଣି ପଦାରେ ବୁଲିବା ଭଳି ବ୍ୟାପାର । ସତ୍ୟବାଦୀ ଲୋକକୁ ସମର୍ଥନକାରୀ ମିଳିବେ–ମାତ୍ର ମିଛୁଆଙ୍କ ପଛରେ କେହି ଡରି କରି ଆସିବେ ନାହିଁ । ମିଥ୍ୟା କାରବାର କରୁଥିବା ଲୋକ ଜାଣେ ଯେ–ଶେଷ ପର୍ଯ୍ୟନ୍ତ ତାକୁ ଏକୁଟିଆ ହିଁ ଗତି କରିବାକୁ ହେବ । ଆପଣ ଜଗତର ମଙ୍ଗଳ ଲାଗି ମିଛ କହୁଥିବେ–ଅଥଚ ଉପକୃତ ହେଉଥିବା ବ୍ୟକ୍ତିମାନେ ସମସ୍ତେ ଜାଣିବେ ଯେ ଆପଣ ମିଛୁଆ । ତେଣୁ, ଶେଷରେ ଦେଖିବେ, ଆପଣଙ୍କ କଥା ଥାଉ କେହି ବିଶ୍ୱାସ କରୁ ନାହାନ୍ତି । ସମସ୍ତେ ଆପଣଙ୍କ ନାଁ ପଡ଼ିଲା ମାତ୍ରେ–ବା ଆପଣଙ୍କୁ ଦେଖିବା ମାତ୍ରେ ମୁରୁକି ହସା ଦେଉଛନ୍ତି । ସେତେବେଳକୁ ଆପଣ ବଡ଼ କରୁଣ ଜୀବନ ଯାପନ କରିବେ । ଏପରିକି ଦିନେ ସତକୁ ସତ ଆପଣଙ୍କୁ ବାଘ ମାଡ଼ି ବସିବ–ଆପଣ ପ୍ରାଣ ବିକଳରେ ଚିତ୍କାର ଛାଡ଼ୁଥିବେ–ଭାଇମାନେ ଧାଇଁ ଆସ–ମତେ ବାଘ ଖାଇଗଲା କିନ୍ତୁ କେହି ଧାଇଁ ଆସିବେ ନାହିଁ–ସମସ୍ତେ ଭାବିବେ, ଆପଣ ମିଛରେ ଚିତ୍କାର କରୁଛନ୍ତି । ପରିଶେଷରେ ଆପଣ ବାଘହାତରେ ପ୍ରାଣ ଦେଇ ପାରନ୍ତି । କିନ୍ତୁ ତଥାପି–ଆପଣ ଯଦି ସାହସୀ ହୋଇଥାନ୍ତି ଓ ସତକୁ ସତ ମିଛ କହି ଜାଣିଥାନ୍ତି–ତେବେ ସେଇ ମୁହୂର୍ତ୍ତରେ ବାଘକୁ ମଧ୍ୟ ମିଛଟିଏ କହିଦେଇ ଆପଣ ତା’ ହାତରୁ ଏହି ପୈତୃକ ପ୍ରାଣଟିକୁ ସେଦିନ ରକ୍ଷା କରିପାରନ୍ତି । ସାହସ ଥିଲେ ବାଘପରା ଜନ୍ତୁକୁ ମଧ୍ୟ ମିଛଦ୍ଵାରା ଭୁଆଁ ବୁଲାଇ ଦିଆଯାଇପାରେ । ମୁଁ ଥରେ ସେମିତି ବାଘ ହାବୁଡ଼େ ପଡ଼ିଥିଲି । ବାଘ ମତେ ଯେମିତି ମାଡ଼ି ବସିଛି–ମୁଁ ତା’ କାନରେ ଫୁସ୍ ଫୁସ୍ କରି କହିଲି–ମାମୁଁ ! ରହ ଟିକିଏ ସମ୍ଭାଳି ଯାଅ–ମୋ କଥା ଆଗ ଟିକିଏ ଶୁଣ । ଭାବ ନାହିଁ ଯେ ମୁଁ ଏଠି ମୋ ମନକୁ ବସିଥିଲି । ବାଣୁଆ ମତେ ଏଠି ବସେଇଦେଇ ସେଠି ଗଛ ଉପରେ ବନ୍ଧୁକ ଧରି ବସିଛି । ମୁଁ ଯଦି ପାଟିଟାଏ କରିବି–ସେ ଢୋକିନା ବନ୍ଧୁକ ଟିପିଦେବ । ତମେ ମରିବ । ଆମ ଦିହିଁଙ୍କ ଭିତରେ ଏମିତି ସଲାସୁତର ଅଛି । କିନ୍ତୁ ତୁମେ ମୋ ମାମୁଁ ବୋଲି ମୁଁ କଥାଟା ଲୁଚାଇ ରଖି ପାରୁନି । ଯଦି ବିଶ୍ଵାସ ନ ହେଉଛି ତେବେ ଥିଇରିକିନା ଏଇ କେନ୍ଦୁଗଛ ଉପରକୁ ଚାହିଁ ଦେଖିଲ, ସେଠି ବନ୍ଧୁକ ଧରି କିଏ ବସିଛି !! ବାଘମାମୁଁ ମୋ କଥାରେ ବିଶ୍ଵାସ କରି ଯେମିତି ଗଛ ଉପରକୁ ଚାହିଁଛି–ମୁ ହଠାତ୍ ପ୍ରାଣପଣେ ଗୋଟେ ବିକଟାଳ ଶବ୍ଦ କରି ଦେଲି–ଢୋ ଓ ଓ ଓ ଓ ! ...ବାସ୍ ଏଇ ଶବ୍ଦରେ ଅତର୍ଚ୍ଛ ହୋଇ ବାଘ ମୋତେ ଛାଡ଼ି ଚମ୍ପଟ ଛୁଉ । ଏଇ ହେଲା ମିଛର କରାମତି । ସତକୁ ଧରିଥିଲେ ସେଦିନ ମୋ ପ୍ରାଣ ଯାଇଥାନ୍ତା ।

 

କାହାର ସାମାନ୍ୟ ଭୁଲଟିଏ ଦେଖିଲେ ବା ନିଜର ଭୁଲଟିଏ ହେଲେ କମନୀୟ ମିଥ୍ୟାର ଢାଙ୍କୁଣୀଦ୍ଵାରା ତାକୁ ଘୋଡ଼ାଇ ରଖିବା ହେଲା ବିବେକୀ ଲୋକର କର୍ତ୍ତବ୍ୟ । କାରଣ ଏଇଟା ନିଶ୍ଚୟ କଥା ଯେ ସର୍ବଦା ଠିକ୍ କରିବାକୁ ଇଚ୍ଛା କରୁଥିବା ବା ପ୍ରତିଜ୍ଞାବଦ୍ଧ ହୋଇଥିବା ଲୋକେ ବାସ୍ତବରେ କୌଣସି କିଛି କାର୍ଯ୍ୟ କରି ପାରନ୍ତି ନାହିଁ । ତା’ଛଡ଼ା, ଯଥାର୍ଥ ସଂଶୋଧନ-କାମୀମାନେ ଜାଣନ୍ତି–ସିଧାସଳଖ ତ୍ରୁଟି ଦେଖାଇ ଦେବାଦ୍ଵାରା କାହାରି ତ୍ରୁଟି ସଂଶୋଧନ ହୁଏ ନାହିଁ । ଆପଣ ଯଦି ତା’ର ତ୍ରୁଟିକୁ ସୁବର୍ଣ୍ଣ ଢାଙ୍କୁଣୀରେ ଘୋଡ଼ାଇ ନ ଦେବେ–ତେବେ ତ୍ରୁଟିକାରୀ ନିଜଆଡ଼ୁ ତାକୁ ଗାତ ଖୋଳି ପୋତି ପକାଇବ ଏବଂ ତ୍ରୁଟି ପରେ ତ୍ରୁଟି କରି ଚାଲିବ । ଆପଣ ଅନ୍ୟକୁ ରକ୍ଷା କରିବା ଲାଗି ଯଦି ସାମାନ୍ୟ ମିଛଟିଏ ନ କହିବେ–ତେବେ ଅନ୍ୟଜଣକ ନିଜକୁ ରକ୍ଷା କରିବା ଲାଗି ଡାହା ମିଛ କହିବଇ କହିବ । କେତେକ ଏକବାଗିଆ ନିଠୁର ଅଭଦ୍ର ଲୋକ ଅଛନ୍ତି–ସେମାନେ ଢମ କରି କହନ୍ତି–“ମୋ ଦେହରେ ଭାଇ ଜମା ମିଛ ଯିବନାହିଁ । ସେ ଯେ ମନେ ସେ ହେଉ–ମୁଁ ତାକୁ ମୁହେଁ ମୁହେଁ ସତ କଥା ବାଡ଼େଇ ଦେବି ।” କହିବା ବାହୁଲ୍ୟ ଯେ, ଏଭଳି ଅହଂକାରୀ ଲୋକ ପ୍ରକୃତରେ ସତ୍ୟକୁ ଭଲ ପାନ୍ତି ନାହିଁ । ସତ୍ୟର ତୀକ୍ଷ୍‌ଣ ଅସ୍ତ୍ରରେ ଅନ୍ୟର ହୃଦୟକୁ ବିଦୀର୍ଣ୍ଣ କରିବା ହେଲା ଏମାନଙ୍କ ଅବଚେତନ ମନର ମତଲବ । ଅନୁଭବୀ ଲୋକ ମାତ୍ରେ ଜାଣନ୍ତି–ପ୍ରତି ମୁହୂର୍ତ୍ତରେ ଏ ଜଗତ ଏଇ ସତ୍ୟଦ୍ଵାରାଇ ଶୋଚନୀୟଭାବେ ବିଦୀର୍ଣ୍ଣ ଓ ରକ୍ତାକ୍ତ ହୋଇ ଚାଲିଛି । ଏବଂ ସେହି ନିଦାରୁଣ ସତ୍ୟର ଆଘାତଜନିତ ଜ୍ଵାଳା ଯନ୍ତ୍ରଣାକୁ ଉପଶମ କରିବା ଲାଗି ମିଥ୍ୟାବାଦୀମାନେ ପ୍ରାଣପଣେ ଦିନ ରାତି ଲାଗି ପଡ଼ିଛନ୍ତି । କେହି ପରମ କରୁଣାମୟ ଭଗବାନଙ୍କ କଥା କହି, କେହି ସ୍ଵର୍ଗନରକାଦିର ବର୍ଣ୍ଣନା କରି, କେହି ନିଜକୁ ଈଶ୍ଵରଙ୍କ ଦୂତ, ପ୍ରେରିତ ପୁରୁଷ, ବିଭୂତି ବା ସ୍ଵୟଂ ଈଶ୍ଵରଙ୍କ ଅବତାର ବୋଲି କହି ସତକୁ ସତ ଜରା, ମୃତ୍ୟୁ, ଦୁଃଖ, ପାପ, ରୋଗ, ଶୋକ-କବଳିତ ଏହି ପୃଥିବୀବାସୀଙ୍କୁ ଆଶା ଆଶ୍ଵାସନା ବିତରଣ କରିବାରେ ଜୀବନ ଉତ୍ସର୍ଗ କରୁଛନ୍ତି । ମୋର ତ ମନେହୁଏ–ଏ ଜୀବନ ଏତେ ପ୍ରଚଣ୍ଡ ଆଉ ନିଦାରୁଣ ଭାବେ ସତ୍ୟ ଯେ, ଏହାକୁ ଆଉ ଅଧିକ ସତ୍ୟ ମଣ୍ଡିତ କରିବାକୁ ଚେଷ୍ଟା କରିବା ମାନେ ଏହାକୁ ଆହୁରି ଦୁଃସହ ଓ ଜ୍ଵାଳାମୟ କରିବା । କବି ଆଉ ସଙ୍ଗୀତଜ୍ଞମାନେ ଧନ୍ୟ–କାରଣ ସେମାନେ ଚମତ୍କାର ମିଥ୍ୟାଲୋକ ସୃଷ୍ଟି କରି ପାରନ୍ତି–ଯାହା ଭିତରେ ଆମ ଭଳି ଖରସତ୍ୟ-ରୌଦ୍ରଦଗ୍‌ଧ–ବ୍ୟକ୍ତି କ୍ଷଣକ ଲାଗି ହେଉ ପଛେ ଆଶ୍ରୟ ନେଇ ପାରନ୍ତି । ପ୍ରେମିକ ପ୍ରେମିକାମାନେ ଧନ୍ୟ–କାରଣ ସେମାନେ ପ୍ରଚଣ୍ଡ ଘୃଣା ବୋଧକୁ ମିଥ୍ୟାର ମଧୁର ପ୍ରଲେପ ଦେଇ ସୁନ୍ଦର କରାଇ ପାରନ୍ତି । ମିଥ୍ୟାବାଦୀଠାରୁ ବଳି ପୁଣ୍ୟବାନ୍‍ ନାହିଁ । କିନ୍ତୁ ଏହି ମିଥ୍ୟା ମୃଦୁ ମଧୁର ହେବା ଉଚିତ । ଏବଂ ଗୋଟିଏ ଦୃଷ୍ଟିରୁ ଦେଖିଲେ ପ୍ରକୃତ ମିଥ୍ୟା ମାତ୍ରେଇ ମୃଦୁ ମଧୁର ମିଥ୍ୟା । ଏ କ୍ଷେତ୍ରରେ ଆମର ସକାଳ ପ୍ରାର୍ଥନାଟି ହେବା ଉଚିତ–

 

ମିଛ କହିବାକୁ କିଆଁ ଡରିବି ?

ମିଛ କହି ପଛେ ମଲେ ମରିବି ।

 

କିନ୍ତୁ ପ୍ରକୃତ କଥା ହେଲା–ମିଛ କହି କେହି ମରନ୍ତି ନାହିଁ । ସତ୍ୟ ହିଁ ପ୍ରାଣ ଘାତକ । ଏହା କ୍ରୁସ ଓ ଗୁଳି ଇତ୍ୟାଦିକୁ ଡାକି ଆଣେ । ଭଲ ପୁଅଟିକୁ ଚଉଦ ବର୍ଷ ବଣକୁ ପଠାଏ । ବାପର ପ୍ରାଣ ନିଏ । ସ୍ତ୍ରୀ ଅପହୃତା ହୁଏ । ଏବଂ ଯାହା ଲାଗି ସତ୍ୟ ପାଳିତ ହେଲା ବୋଲି ମନେ କରାଯାଏ–ସେ ବିଚାରା ସିଂହାସନରେ ବସି ମଧ୍ୟ ବନବାସୀ ଭଳି ଜଟା ବକ୍‌ଳ ଛାଡ଼ି ଫଳମୂଳ ଖାଇ ଚଉଦ ବର୍ଷ ଭୂଇଁ ଉପରେ ଶୋଇ ନାରଖାର ଜୀବନ ବିତାଏ । ଛାଡନ୍ତୁ ଆଜ୍ଞା ! ସତ୍ୟର ନିନ୍ଦାଗାନ କରିବା ଲାଗି ଆମେ ମିଛୁଆଙ୍କଠାରୁ ଲାଞ୍ଚ ରିସିପତ୍‌ ଖାଇ ନାହୁଁ । କିମ୍ବା ମିଥ୍ୟାବାଦୀମାନଙ୍କର ସ୍ତୁତିଗାନ କରିବା ଲାଗି ଆମେ ପ୍ରଚାର ବିଭାଗରେ ଚାକିରି କରି ନାହୁଁ । “ସତ କ’ଣ” ଯେମିତି ଆମ୍ଭକୁ ଜ୍ଞାତବ୍ୟ ନାହିଁ–ମିଥ୍ୟା କ’ଣ ତାହା ମଧ୍ୟ ଆମ୍ଭକୁ ଅଗୋଚର ! ଏ ସ୍ଥଳେ ଆମ୍ଭେ କେବଳ ବୃଥା ବକ୍‌ବାଜୀ କରି ଜୀବନଟିକୁ ବହୁ କଷ୍ଟରେ ବିତାଉଅଛୁ ଓ ଅଗତ୍ୟା ଏହି ବୃଥା ବାକ୍ୟ ବାହୁଲ୍ୟକୁ ସାହିତ୍ୟ ମାକା ଦେଇ ନିଜର ମାନ୍‌ ବଞ୍ଚାଇ ଅଛି । ପରମେଶ୍ୱର ସମସ୍ତଙ୍କୁ ସତ୍‌ପଥ ଦେଖାନ୍ତୁ କି ମିଥ୍ୟାପଥ ଦେଖାନ୍ତୁ–ତହିଁରେ ଆମ୍ଭର କିଛି ଓଜର ଆପତ୍ତି ନଥିଲା, ନାହିଁ, ମଧ୍ୟ ଭବିଷ୍ୟାନ୍ତରେ କଦାଶ୍ଚନ ନୋହିବ । କିନ୍ତୁ ପରମେଶ୍ୱର ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ–ଏହା ଆମ୍ଭ ହୃଦୟରେ ଅତ୍ୟନ୍ତ ବ୍ୟାକୁଳ ପ୍ରାର୍ଥନା ଅଟେ ।

 

ପାଠକେ ! ଏଠି କହିବା ବାହୁଲ୍ୟ ଯେ ମୁଁ ସାରାଜୀବନ ମିଛ କହି ଆସୁଅଛି । ମାତ୍ର ସେଥିଲାଗି, ମୋ ମନରେ କ୍ଷୋଭ ନାହିଁ–କି ଗ୍ଳାନି ନାହିଁ । ମୁଁ ମଲାପରେ–ଯଦି ଯମ ଦେବତା ମତେ ସତ୍ୟ ମିଥ୍ୟା ସମ୍ବନ୍ଧେ କିଛି ଜେରା କରିବେ–ତେବେ ତାଙ୍କ କଚେରୀରେ କେମିତି କଣ ପ୍ରକାରେ ମିଥ୍ୟାଭାଷଣ କରି ମୁଁ ତାଙ୍କ ଦାଢ଼ରୁ ରକ୍ଷା ପାଇବି, ସେ କୌଶଳ ମତେ ବେଶ୍‌ ଜଣାଅଛି ଏବଂ ଯଦି ନିତାନ୍ତ ପକ୍ଷେ ଯମ ମତେ ନରକ ଦଣ୍ଡ ଦିଅନ୍ତି, ତେବେ ମୁଁ ସ୍ଵୟଂ ଭଗବାନ ବିଷ୍ଣୁଙ୍କର ସୁପ୍ରିମକୋର୍ଟରେ ଅପିଲ କରିବି ଏବଂ ତାଙ୍କ କଚେରୀରେ ଭଗବାନ ଯଦି ମତେ ପଚାରିବେ–‘‘ଆଚ୍ଛା ବତ୍ସ ! ତୁମ ଜୀବନରେ ତୁମେ କେତେ ସତମିଛକାରବାର କରିଛ ମାନିଯାଅ ।’’ ମୁଁ ହାତଯୋଡ଼ି ବିନୀତ ଭାବେ କହିବି–ପ୍ରଭୁ ! ଆପଣ ମତେ ବୃଥାରେ ସେ କଥା ଜିଜ୍ଞାସା କରନ୍ତୁ ନାହିଁ । ଆପଣ ମତେ ଯେଉଁ ତରକାରୀଟି ସୁସ୍ଵାଦୁ କରି ରାନ୍ଧିବାକୁ ଆଦେଶ ଦେଇଥିଲେ, ମୁଁ ତାକୁ ମନପ୍ରାଣ ଦେଇ, ଯଥା ପରିମାଣ ତେଲ ଲୁଣ ମସଲାଦିର ସଂଯୋଗରେ ଯଥାରୀତି ପାକ କରି ଆପଣଙ୍କ ଆଗରେ ପରିବେଷଣ କରିଅଛି । ଆପଣ କୌଣସି ଜିଜ୍ଞାସା ବାଦ ବା ବିଚାର ନକରି ସେତେକ ପ୍ରସାଦ କରି ଆମୋଦିତ ହେଲେ ମୁଁ ଧନ୍ୟ ହେବି । ତେଣିକି, ଆପଣ ମତେ ସ୍ଵର୍ଗ ବା ନରକ, ଯୋଉଠିକି ପଠାନ୍ତୁ–ମୁଁ ଯିବି ମୋର ଆପତ୍ତି ନାହିଁ ।

Image

 

ଆମେ-ଆମେ କଅଣ ଆମେ ?

 

ମତେ ଯଦି କିଏ ପଚାରନ୍ତି–ଆପଣ କିଏ ? ମୁଁ କହିବି–ମୁଁ ମହାପାତ୍ର ଶ୍ରୀ ଅମୁକମଣି ସାହୁ । ଫେର୍‌ ଯଦି ପ୍ରଶ୍ନ ହୁଏ–ଆପଣ କଣ ? ଅର୍ଥାତ୍‌ କଣ କରନ୍ତି ? ମୁଁ କହିବି–ମୁଁ ସମୁକ କଲେଜରେ ଢମୁକ ବିଷୟ ପଢ଼ାଏ । ଶେଷ ପ୍ରଶ୍ନ ଯଦି ହୁଏ–ଆପଣ କାହିଁକି ? ଅର୍ଥାତ୍ ପ୍ରଶ୍ନଟିର ମର୍ମ ହେଉଛି–ଏ ପୃଥିବୀରେ ଆପଣ କାହିଁକି ଅଛନ୍ତି ? ତେବେ ପ୍ରଶ୍ନଟିର ଉତ୍ତର ଦେବା ଲାଗି ମୋତେ ନିଶ୍ଚୟ ଭାବିବାକୁ ହେବ । ମାତ୍ର ଭାବିଚିନ୍ତି ଉତ୍ତର ଦେବା ପୂର୍ବରୁ ପ୍ରଶ୍ନ-କର୍ତ୍ତାଙ୍କର ଏଭଳି ପ୍ରଶ୍ନ ଯେ ଏକ ଗୁରୁତର ଅଭଦ୍ରତା ଏହା ମୁଁ ତାଙ୍କୁ ବୁଝାଇ ଦେବି । କାରଣ ବ୍ୟକ୍ତିକୁ ତୁ କାହିଁକି ବଞ୍ଚିଛୁ ପଚାରିବା ଘୋର ଅଭଦ୍ରତା । କେବଳ ଏକ ରାଜନୈତିକ ଅଭଦ୍ରତା ନୁହଁ–ଆଧ୍ୟାତ୍ମିକ ଅଭଦ୍ରତା । ଆପଣ ଗୋଟାଏ ବାଘ, ବିଲୁଆ, ଜୋକ, ତେଲୁଣୀ ପୋକ ବା ସାପକୁ ମଧ୍ୟ ଏ ପ୍ରଶ୍ନ ପଚାରି ପାରିବେ ନାହିଁ । କାରଣ–ବଞ୍ଚିବାର ଅଧିକାର ସମସ୍ତଙ୍କର ଜନ୍ମଗତ । ଏ ପୃଥିବୀରେ ମହାତ୍ମାଗାନ୍ଧୀ ଓ ଆଇନ୍ ଷ୍ଟାଇନ୍‌ଙ୍କର ବା ଇନ୍ଦିରାଗାନ୍ଧୀ କି ମାଓସେତୁଙ୍ଗ୍‍ଙ୍କର ଯେତିକି ବଞ୍ଚିବା ଅଧିକାର, ମୋର ତା’ଠାରୁ ତିଳାର୍ଦ୍ଧେ କମ୍ ନୁହଁ । ଗୋଟାଏ ସାପ, ଜୋକ ବା ବିଛା ମଧ୍ୟ ସେ ଦୃଷ୍ଟିରୁ କମ୍ ଅଧିକାର ପାଇନାହିଁ ।

 

ତେବେ ଏହି ପ୍ରଶ୍ନର ଅନଧିକାରତ୍ଵ ସମ୍ବନ୍ଧେ ପ୍ରଶ୍ନ କର୍ତ୍ତାଙ୍କୁ ମୁଁ ଅବହିତ କରାଇ ଦେବି ନିଶ୍ଚୟ–ମାତ୍ର ଏ ପ୍ରଶ୍ନଟା ଯେ ନିରର୍ଥକ ଓ କୌଣସି ଉତ୍ତର ଦାବୀ କରେ ନାହିଁ–ଏପରି ଭାବିବା ଠିକ୍ ନୁହେଁ । କାହିଁକି ବଞ୍ଚିଛି ବା କାହିଁକି ବଞ୍ଚିବି ଅତି ମାତ୍ରାରେ ଏକ ବ୍ୟକ୍ତିଗତ ପ୍ରଶ୍ନ । ଇଚ୍ଛାକଲେ ପ୍ରତ୍ୟେକ ବ୍ୟକ୍ତି ନିଜକୁ ଅତି ଅନ୍ତରଙ୍ଗ ଭାବେ ପଚାରି ନିଜଠାରୁ ସେ ଉତ୍ତର ପାଇଯାଇ ପାରନ୍ତି । ଯେମିତି ମୋତେ ସେ ପ୍ରଶ୍ନ ପଚାରି ମୁଁ ବୁଝିଛି–ମୁଁ ଏ ଜୀବନକୁ ଭଲପାଏ । ମୋର ପରିବାର, ଦେଶ, ପୃଥିବୀ ଓ ତାର ଆକାଶ, ବାୟୁ, ନଦୀ, ବନ, ପ୍ରାନ୍ତର, ପାହାଡ଼ ସବୁ ଭଲ ପାଏ । ଭଲ ପାଏ ମଣିଷ ଜାତିକୁ ଓ ମଣିଷେତର ଜୀବଜନ୍ତୁ ପକ୍ଷୀ କୀଟ ପତଙ୍ଗାଦିକୁ । ସେମାନଙ୍କ ସଙ୍ଗେ ସମ୍ପର୍କିତ ହେବାକୁ ମୋତେ ଭଲ ଲାଗେ । ସେହି ସୂତ୍ରରେ ଜୀବନକୁ ବୁଝିବା ଓ ଆନନ୍ଦିତ ହେବା ମୋର ବଞ୍ଚିବାର ଉଦ୍ଦେଶ୍ୟ ।

 

ବ୍ୟକ୍ତିର କଥା ଏତିକିରେ ସରିଯାଇପାରେ–ମାତ୍ର ଜାତି କ୍ଷେତ୍ରରେ ଏହି ତିନୋଟି ପ୍ରଶ୍ନ ବଡ଼ ଜଟିଳ ଓ ବ୍ୟାପକ । କେହି ଯଦି ଆମ୍ଭମାନଙ୍କୁ ପ୍ରଶ୍ନ କରେ–ଯୂୟଂ କଃ ? ଆମେ କହିବା–ବୟଂ ଓଡ଼ିଆଃ । ଫେର ପ୍ରଶ୍ନ–ଓଡ଼ିଆ କିଂ ? ଆମ ପାଟି ଏତିକିବେଳେ ଆଫା ଆଫା ମାରିଯିବ । ସତକୁ ସତ ଉତ୍କଳୀୟ ବା ଓଡ଼ିଆ କଣ ? କଣ ଓଡ଼ିଆଙ୍କର ବିଶେଷତ୍ଵ ? ବିଶେଷ ଗୁଣ ଆମଠି କଣ ଅଛି, ଯାହାକୁ ନେଇ ଆମେ ଆମର ସ୍ଵାତଂତ୍ର୍ୟ ଓ ବିଶେଷତ୍ଵ ଦେଖାଇ ପାରିବା ?

 

ଯେ ଯାହା ଭାବନ୍ତୁ ପଛକେ–ମୁଁ ଘୋର ଦୁଃଖର ସହିତ କହିବି–ଆଧୁନିକ ଓଡ଼ିଆଙ୍କର ସୁଗୁଣାତ୍ମକ ବିଶେଷତ୍ଵ ଅପେକ୍ଷା ଦୁର୍ଗୁଣାତ୍ମକ ବିଶେଷତ୍ଵ ହିଁ ଜଳଜଳ ହୋଇ ଦେଖା ଯାଉଛି । ତାମସିକତାହିଁ ସମଗ୍ର ଓଡ଼ିଆ ଜାତିକୁ ଅଜଗର ଭଳି ଗୁଡ଼େଇ ଧରିଛି । ତାମସିକତା ହେଉଛି ଜଡ଼ତା । ଆମେ ଦେହରେ ଜଡ଼, ପ୍ରାଣରେ ଜଡ଼, ଓ ମାନସିକତାରେ ମଧ୍ୟ ଜଡ଼ । ଓଡ଼ିଆ ଜାତିର ପ୍ରତୀକ ହୋଇ ଜଣଙ୍କୁ ଆପଣ ଲକ୍ଷ୍ୟ କରନ୍ତୁ–ଦେଖିବେ ସେ ଦିନ ଦିପ୍ରହରେ ଶୋଇଥିବ ନତୁବା କର୍ମ କ୍ଷେତ୍ରରେ ଘୁମାଉଥିବ । ତା’ ଖାଇବା ଲାଗି ଆନ୍ଧ୍ରଆଡ଼ୁ କଦଳୀ, ବାଇଗଣ, କୁନ୍ଦୁରୀ ଆଉ କଲିକତା ରାଞ୍ଚି ଆଡ଼ୁ ପୋଟଳ, କାଙ୍କଡ଼, ବିଲାତି ବାଇଗଣ ଆସିବ । ତା’ ସହରର ସବୁ ଜଳଖିଆ ଦୋକାନ ଦକ୍ଷିଣ ଭାରତୀୟଙ୍କ ହାତରେ ସବୁ ଟ୍ରକ୍ ପଞ୍ଜାବୀଙ୍କ ହାତରେ ସବୁ ପ୍ରକାର ବ୍ୟବସାୟ–ଏପରିକି ରେକ୍‍ସାଟଣା ମଧ୍ୟ ଅଣଓଡ଼ିଆଙ୍କ ହାତରେ । ଏଠି ଗୋଟିଏ ଓଡ଼ିଆ ଆର ଓଡ଼ିଆକୁ ଘୃଣା କରେ–ଈର୍ଷାକରେ ଓ ତାକୁ ପଛଆଡ଼ିଆ ଟାଣେ । ଆମ ଯୁବକମାନେ ପାହାଡ଼ ଚଢ଼ନ୍ତି ନାହିଁ–ନଈ ସମୁଦ୍ର ପହଁରନ୍ତି ନାହିଁ–ବ୍ୟମୋଯାନ ଚଳାନ୍ତି ନାହିଁ–କ୍ରିକେଟ୍‍, ହକି ବା ସୈନ୍ୟ ବିଭାଗରେ ସୁନାମ ଅର୍ଜନ୍ତି ନାହିଁ । ଆମ ଯୁବକମାନଙ୍କ ବୈପ୍ଳବିକତା ପ୍ରକଟିତ ହୁଏ ମାଗଣା ସିନେମା ଦେଖା ଆନ୍ଦୋଳନରେ, କପିଧରା ଶିକ୍ଷକଙ୍କୁ ଜଖମ କରିବାରେ ଓ ଅପନିନ୍ଦିତ ରାଜନୀତିକ ଟାଉଟରଙ୍କ ପିଛାଧରି ପଇସା ଆଣି ମଦ, ଗଞ୍ଜେଇ ଖାଇବାରେ, ନତୁବା ସମାଜବାଦ ସ୍ଳୋଗାନ ଦେଇ ବସ୍‍ ଓ ଟ୍ରେନରେ ବିନା ଟିକେଟରେ ଯାଇ କଣ୍ଡକ୍ଟର, ଡ୍ରାଇଭରଙ୍କୁ ମାଡ଼ ଚଢ଼ାଇବାରେ ।

 

ଆମର କାନ୍ଥ ବାଡ଼ରେ ବୈପ୍ଳବିକ ବାଣୀ କିମ୍ବା ବାକ୍ୟ କବିତାର ପଂକ୍ତି ଶୋଭା ପାଏନାହିଁ । ନିତାନ୍ତ ଅସଭ୍ୟ ଅଶ୍ଳୀଳ ବିକୃତିର ଛବି ଓ ବାକ୍ୟରେ ଆମର ସ୍କୁଲ କଲେଜ ଓ ସର୍ବସାଧାରଣ ଜାଗା କାନ୍ଥବାଡ଼ ପୂରି ରହିଥାଏ । ଆମ ପୁଅ ଝିଅ ଓ ଆମେ ବାପ ମାଆମାନେ ସାହିତ୍ୟ, ଧର୍ମ, ଦର୍ଶନ ଓ ସଙ୍ଗୀତର ଧାର ଧାରୁନାହିଁ । ଆମ ହୃଦୟରେ ବିଚିତ୍ର ଓ ଉନ୍ନତ ଅନୁଭୂତିମାନଙ୍କର ତରଙ୍ଗ ଉଠେ ନାହିଁ । ଅନୁଭୂତି-ପୂର୍ଣ୍ଣ ହୃଦୟର କୌଣସି ଛାପା ଆମ ମୁହଁରେ ବା ଆମ ପୁଅ ଝିଅଙ୍କ ମୁହଁରେ ପଡ଼ିନାହିଁ । ଆମ ମୁହଁ, ଆମ ପିଲାଙ୍କ ମୁହଁ ପରି ଅପରିଣତ ଦିଶେ ଓ ଆମ ପିଲାଙ୍କ ମୁହଁ ଆମ ମୁହଁପରି ଅକାଳ ପ୍ରୌଢ଼ ଦିଶେ ।

 

ଯେକୌଣସି ବଡ଼ ସହରର ସ୍କୁଲ କଲେଜରେ ଥିବା ରାସ୍ତାଟିରେ ଚାଲୁ ଚାଲୁ ଆପଣ କାନ ଡେରିଥାନ୍ତୁ–ଶୁଣିବେ ଆମର କଥିତ ଭାଷାର ସ୍ୱରୂପ କିପରି ? ପାନ ଦୋକାନରୁ କଲେଜ ପର୍ଯ୍ୟନ୍ତ ଆମେ କେବଳ ଅଶ୍ଳୀଳ ଓ ସ୍ଥୂଳ ବାକ୍ୟମାନ ପରସ୍ପର ଆଗରେ ପ୍ରକାଶ କରୁ । କୌଣସି ଚିନ୍ତାତ୍ମକ ବା ଭାବାତ୍ମକ ବାକ୍ୟରେ କଥାବାର୍ତ୍ତା କରିବା ଆମର ସାଧ୍ୟାତୀତ । ଚିନ୍ତା ଓ ଭାବ ଆମେ କୋଉଠୁ ପାଇବୁ ? ଆମେ ଯେ କିଛି ପଢ଼ିନାହୁଁ କିଛି ଶୁଣିନାହୁଁ । ଆମେ ଉନ୍ନତତର କିଛି ବୁଝିନାହୁଁ-। ଆମ ଖବରକାଗଜମାନଙ୍କର ଭାଷା ଯେପରି କୁତ୍ସା-ମୂଳକ, ଆମର ପାରିବାରିକ ଓ ସାମାଜିକ କଥୋପକଥନ ମଧ୍ୟ ସେହିପରି ନିତାନ୍ତ ନିମ୍ନ ପର୍ଯ୍ୟାୟର । ଆମେ ବୁଝିଛୁ–ଆମର ଦ୍ୱିତୀୟା ଯାମିନୀରେ ମୋ ପ୍ରାଣସହୀଠାରେ, ଗୀତାଞ୍ଜଳିଠାରୁ ଲକ୍ଷେ ଗୁଣର ଗଭୀର ଭାବ କୁଆଡ଼େ ରହିଛି-। ଖାଲି ଖୋଲି ଦେଖିଲେ ହେଲା ।

 

ଏ ପର୍ଯ୍ୟନ୍ତ ଆମେ କଥା କହିବା ବେଳେ–ଘରୋଇ କ୍ଷେତ୍ର କଥା ଛାଡ଼ନ୍ତୁ–ସଭା ସମିତିରେ–ବିଦ୍ୟାଳୟରେ, ଥିଏଟାରରେ ବା ରେଡ଼ିଓଷ୍ଟେସନରେ ପ୍ରାୟ ଶତକଡ଼ା ନବେ ଭାଗ ଇଂରାଜୀ ଶବ୍ଦ ମିଶାଇ ଓଡ଼ିଆ କହୁ । ଆମକୁ ବାପା କହିବାକୁ ଲାଜ ଲାଗେ–ଫାଦର୍‍ କହୁ । ସ୍ତ୍ରୀ କହିବାକୁ ସଂକୋଚ ଆସେ–ଓ୍ୟାଇଫ୍‍ କହୁ । ଆମେ ଭାଷା ଶିଖୁନାହିଁ । ମାତୃଭାଷାକୁ ଭାବୁ–ସାହିତ୍ୟ ଭାଷା–ଅର୍ଥନୀତିର ଭାଷା–ବା ଦର୍ଶନ ଶାସ୍ତ୍ରର ଭାଷା । ଆମ ଶବ୍ଦମାନଙ୍କର ବନାନ୍‍ ସବୁ ଯଥେଚ୍ଛାଚାରୀ ଢଙ୍ଗରେ ହୁଏ । ଭୁବନେଶ୍ୱର–ହ୍ରସ୍ୱ ବା ଦୀର୍ଘଉ ହେବ–ବିଶୁଦ୍ଧ–ଦନ୍ତସ୍ୟ ବା ତାଲବଶ୍ୟ–କୃଷ୍ଣରେ ଋଫଳା ଜାଗାରେ ହ୍ରସ୍ୱଉକାର ହେବ କି ଷ୍ଣ ହେବ ରେଫ୍‍ଯୁକ୍ତ ଷ୍ଟଂ–ସେଥକୁ ଆମେ ଖାତିରି କରୁନାହିଁ । ଆମ ସହର ବଜାରରେ ରାସ୍ତାଘାଟରେ ସାଇନ୍‍ ବୋର୍ଡ଼ମାନଙ୍କରେ ଇଂରାଜୀ ବନାନ୍‍ ଠିକ୍‍ ଥିବ–ମାତ୍ର ତା’ତଳକୁ ଓଡ଼ିଆ ଶବ୍ଦଗୁଡ଼ିକର ବନାନ୍‍ ଯାହା ମନେ ତା’ ହୋଇଥିବ । ଏଥିକୁ ଆମର ଲଜ୍ଜ୍ୟା ନାହିଁ । କାରଣ ଆମର ଜାତୀୟ ଦର୍ଶନ ହେଉଛି–‘‘ସର୍ବେ ହୋଇବେ ଏକାକାର ପଣ୍ଡିତ ବୈଷ୍ଣବ ପାମର । ବନାନ ମାତ୍ରା ଛାଡ଼ିକରି–ଧର ତୁ ମୂଳ ଏକାକ୍ଷରୀ-।’’

 

ଆମକୁ ଉଚ୍ଚ ବିଷୟ ଭାବି ଆସୁନି–ଉଚ୍ଚ ଜାଗା ଚଢ଼ି ଆସୁନି–ଏଥିରେ ଆମର ଗ୍ଳାନି ବା ଲଜ୍ଜ୍ୟା ନାହିଁ । ଅଥଚ ସବୁ ନିପାରିଲା ଅଳସୁଆ ପରଶ୍ରୀକାତର ଗୌଣମନୋବୃତ୍ତି-ସଂପନ୍ନ ଜାତିଭଳି ଆମେ କାନ ଡେରି ରଖିଥାଉ ସେଣିକି ଯୁଆଡ଼ୁ ଆମର ଅପାରଗତା ସମ୍ବନ୍ଧେ କିଛି ଅଭିମତ ବା ମନ୍ତବ୍ୟ ଆସେ । ଆମକୁ ପୂଜାରୀଙ୍କ ପୁଅ କହିଲେ–ଆମକୁ ଭାରି ଅପମାନ ଲାଗେ । କାରଣ ଆମେ ଗଣତନ୍ତ୍ର ଓ ସମାଜବାଦକୁ ହଜମ୍ କରି କୁଆଡ଼େ ଶ୍ରୀ ଜଗନ୍ନାଥଙ୍କ ସାମ୍ୟଧର୍ମରେ ପ୍ରତିଷ୍ଠିତ ହୋଇଛୁ । ଏ ଯାବତ ଆମେ ପୂଜାରୀ, ପିଅନଙ୍କୁ ସାନ ବୋଲି ଭବିବାର କୁଅଭ୍ୟାସ ଛାଡ଼ିନୁ । ଆମେ ଜାଣିନୁ–ଭଲ ପୂଜାରୀର ପୁଅ ଭଲ ଡାକ୍ତର ହୋଇପାରେ–ଭଲ ମୋଚିର ପୁଅ ଭଲ କବି ହୋଇପାରେ–ଓ ଭଲ ମେହେନ୍ତରର ପୁଅ ଭଲ ପ୍ରେସିଡେଣ୍ଟ ହୋଇପାରେ । ଆମ ବାପ ପୂଜାରୀ ଥିଲେ, ତାଙ୍କ ବାପ ଜମିଦାର ଥିଲେ ଓ ତାଙ୍କ ବାପା ନାମଜାଦା ଶିଳ୍ପୀ ଥିଲେ ଓ ତାଙ୍କ ବାପା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ରାଜ୍ୟ ଜୟ କରିଥିଲେ କିବା ଚୀନ୍‌ଠାରୁ ଜାଭା, ସୁମାତ୍ରା ଦେଇ ଏପଟେ ପାରସ୍ୟ ପର୍ଯ୍ୟନ୍ତ ବାଣିଜ୍ୟ ପୋତ ମେଲି ଦେଇଥିଲେ । ଆମେ ଗୋଟିଏ ବିଶିଷ୍ଟ ଐତିହାସିକ ଜାତି–ଶହ ଶହ ବର୍ଷ ଭିତରେ ଆମେ ଏକ ବିଶିଷ୍ଟ ଅଭିଜ୍ଞ ଜାତି ହିସାବରେ ବହୁ ପ୍ରକାର କାର୍ଯ୍ୟ କରିଛୁ–ବହୁ ସ୍ତରରେ । କେଉଁଠି ଦୁର୍ନାମ ଅର୍ଜିନାହୁଁ । ଭଲ ବଣିକ, ଭଲ ଶାସକ, ଭଲ ଶିଳ୍ପୀ, ଭଲ ପାଚକ ଓ ଭଲ ଡାକ୍ତର, ଭଲ କବି ଓ ଭଲ ଇଂଜିନିଅର ହେବା ଏକ ପର୍ଯ୍ୟାୟର ଭଲ ବ୍ୟାପାର–ଏ କଥା ଆମର ଶିଶୁ ବୁଦ୍ଧି ଏ ପର୍ଯ୍ୟନ୍ତ ଉପଲବ୍‌ଧି କରି ପାରିଲା ନାହିଁ ।

 

ଆମେ ପୂର୍ଣ୍ଣ ସ୍ଥାନରେ ଶୂନ୍ୟକୁ–ଗାୟତ୍ରୀ ସ୍ଥାନରେ ଗାରେଡ଼ିକୁ–ବେଦ ସ୍ଥାନରେ ନିର୍ବେଦକୁ–ତର୍କ ସ୍ଥାନରେ ବିତଣ୍ଡାକୁ–ରସ ସ୍ଥାନରେ ରସାଭାସକୁ–ବୁଦ୍ଧି ବା ବୋଧି ସ୍ଥାନରେ ଅଚିନ୍ତାକୁ–ଧ୍ୟାନ ସ୍ଥଳେ ନିଦ୍ରାକୁ–ସଂପୃକ୍ତ ଅନୁରାଗ ସ୍ଥଳେ ବିରକ୍ତ ବୈରାଗ୍ୟକୁ ଜ୍ଞାନମିଶ୍ର ଭକ୍ତି ସ୍ଥଳେ ତାମସିକ ବିଶ୍ଵାସକୁ ଓ ରାଜଯୋଗ ସ୍ଥାନରେ ଇଅଁଳା ପିଅଁଳା ବଙ୍କୁନାଳ–ବିପର୍ଯ୍ୟସ୍ତ ବୀଭତ୍ସ ଓ ତାମସିକ ଯନ୍ତ୍ରମନ୍ତ୍ରକୁ ଅଭ୍ୟାସ କରି ଆସିଛୁ । ଆମର ଭବିଷ୍ୟ ଚିନ୍ତା ହେଉଛି ମାଳିକା ପ୍ରଚାରିତ ସବୁଧ୍ଵଂସ ହେବ । ସମସ୍ତଙ୍କୁ ଚଣ୍ଡୀମାନେ ଖାଇଯିବେ । ଆମେ ଜଗନ୍ନାଥଙ୍କୁ ଦରଗଢ଼ା କରି ରଖିଛୁ-। କିନ୍ତୁ ତାଙ୍କୁ ପୂର୍ଣ୍ଣତମ କରିବାର ଦର୍ଶନ-ଆସ୍ପୃହା ଏବଂ ସାଧନା ଆମର ନାହିଁ । ଆମେ କୋଉ ଜାତିକୁ ଭଲ ପାଉନାହିଁ–କୋଉ ଜାତିର ବିଶେଷତ୍ଵକୁ ସ୍ଵୀକାର କରି ମଥାନତ କରୁନାହିଁ । ଆମେ କହୁ–ସବୁ କଥା ଆମ ଭଞ୍ଜରେ ଅଛି ନହେଲେ ମାଳିକାରେ ଅଛି–ଯଦି ନାହିଁ ତ ନାହିଁ । ଥେଲେ କେତେ–ନ ଥେଲେ କେତେ ? ଶେଷେ ଛଖଣ୍ଡି କାଠ ହେବ ତୋ ପାଇଁ ଲୋଡ଼ାରେ ବାଇମନ !

 

ଶେଷ ପ୍ରଶ୍ନ–ଆମେ କାହିଁକି ବଞ୍ଚିଛୁ ? ଉତ୍ତର ହେଉଛି–ସେ ବଞ୍ଚିବା ଆମ ହାତରେ ନାହିଁ । ଯେତେଦିନଯାଏ ପ୍ରକୃତି ବା ନିୟତି ଆମକୁ ବଞ୍ଚାଇଛି–ଆମେ ବଞ୍ଚିବା ବ୍ୟତୀତ ଆଉ କଣ ବା ଅଧିକା କରି ପାରିବୁ ? ବଞ୍ଚିବୁ ଆମେ ସେତେଦିନ ଯାଏ ନିଶ୍ଚୟ । କାରଣ ଗୋଟାଏ ଜାତି ବା କିପରି ଆତ୍ମହତ୍ୟା କରି ପାରିବ ? କିନ୍ତୁ ଆମେ ବଞ୍ଚିବୁ ତୃତୀୟ ଶ୍ରେଣୀର ଜାତିଟିଏ ଭଳି....ଯେଉଁମାନଙ୍କୁ ଭଲ କଥା କହି ଆସେନା ଭଲ ଗୀତ ଗାଇ ଆସେନା–ଭଲ ଆବିଷ୍କାର କରି ଆସେନା–ପହଁରି ଆସେନା–ଚଢ଼ି ଆସେନା–ଉଡ଼ି ଆସେନା–ଭଲ ଚାଲି ଆସେନା–ଚିନ୍ତା କରି ଆସେନା–ଭଲ ପାଇ ଆସେନା–ଯୁଦ୍ଧ କରି ଆସେନା–ଭଲ କିଛି ଗଢ଼ି ଆସେନା, କିନ୍ତୁ ଭଲ ଶୋଇ ଆସେ–ଘୁମେଇ ଆସେ–ଈର୍ଷା କରି ଆସେ–କଳି କରି ଆସେ–ଛେପ ପକାଇ ଆସେ–ଗୋତ୍ର ମାରି ଆସେ–ଗୋଷ୍ଠୀ ମାରି ଆସେ–ନିଜ ଭାଇର ଗୋଛି କାଟି ଆସେ । ଆମେ ? ଧନ୍ୟରେ ଆମେ ! ହଉ ଥାଅରେ ବାପା ଆମେ....ଆମେ ! ଶେଷକୁ ଆ କଟିଯିବ–

 

ହଉଥିବ ମେ ମେ ମେ ମେ । ତା’ ପୂର୍ବରୁ ଯେମିତି ମୋର ମରଣ ହୋଇଯାଏ !!

Image

 

ଅରକ୍ଷ ପ୍ରାଣୀଙ୍କୁ ରଖ

 

ଆଦିକବିଙ୍କର ଆଦିଶ୍ଳୋକ

 

ହଜାର ହଜାର ବର୍ଷ ତଳେ । ଦିନକର କଥା । ସେତେବେଳକୁ ଦସ୍ୟୁ ରତ୍ନାକର ବହୁ କଠିନ ତପସ୍ୟାନ୍ତେ ମହାଋଷି ବାଲ୍ମୀକିରେ ଋପାନ୍ତରିତ ହୋଇ ସାରିଥିଲେ । ମାତ୍ର ତାଙ୍କ ଭିତରେ ମହାକବି ବା ଆଦିକବି ବାଲ୍ମୀକିଙ୍କର ଆବିର୍ଭାବ ଓ ସ୍ଫୁରଣ ତଦଃବଧି ଘଟି ନ ଥିଲା । ମହାମତି ବାଲ୍ମୀକି ସେଦିନ ନିଘଞ୍ଚ ଅରଣ୍ୟ ଭିତରେ ଏକୁଟିଆ ବୁଲୁଥିଲେ । ସେତେବେଳକୁ ମନୁଷ୍ୟର ତଥାକଥିତ ପାରିବାରିକ ଜୀବନ ଉପରେ ମଧ୍ୟ ମୋହଭଙ୍ଗ ଘଟିସାରିଥିଲା । ପ୍ରଚଳିତ ମାନବ ପରିବାର ଭିତରେ ସମସ୍ତେ ସମସ୍ତଙ୍କର ସଂପର୍କ ଓ ସାହାଯ୍ୟ ଉପରେ ନିର୍ଭର କରି ବଞ୍ଚୁଛନ୍ତି, ଅଥଚ କେହି କାହାର କୃତ କର୍ମର ଶେଷ ପରିଣତି ପାଇଁ ଦାୟୀ ନୁହନ୍ତି–ଏହି ସ୍ୱୀକାରୋକ୍ତିଟି ଆପଣା ପରିବାରର ସମସ୍ତ ସମ୍ପର୍କୀୟଙ୍କ ମୁଖରୁ ଶୁଣିବା ପରେ ତାଙ୍କର ମନ ସାଂସାରିକ ସମସ୍ତ ସମ୍ବନ୍ଧ ଉପରେ ତିକ୍ତ ହୋଇ ଯାଇଥିଲା । ବହୁ ପୂର୍ବରୁ ତାଙ୍କର ମନୁଷ୍ୟର କୃତି ଓ ପ୍ରକୃତି ଉପରେ ବିଶ୍ୱାସଭଙ୍ଗ ହୋଇ ସାରିଥିଲା । ସେ ଖୋଜି ବୁଲୁଥିଲେ ସେହି ହୃଦୟବତ୍ତା, ସେହି ପ୍ରେମ, ସେହି ଅନୁକମ୍ପା-ବିଗଳିତ ସମ୍ପର୍କଟିଏ, ଯାହାକି ସମ୍ପର୍କିତ ବ୍ୟକ୍ତିର ସମସ୍ତ ସୁଖଦୁଃଖ, ପାପପୁଣ୍ୟ ଓ ମିଳନ-ବିଚ୍ଛେଦର ଦାୟିତ୍ୱ ବହନ କରୁଥିବ । ତା’ ନ ହେଲେ ଏ ସଂସାର, ଏ ସମାଜ, ଏ ପରିବାର ଓ ତତ୍‍ଜନିତ ଏଇସବୁ କୋଳାହଳ ସବୁ ବୃଥା ଆଉ ବ୍ୟର୍ଥ କିମ୍ବା ସବୁ ସଂପର୍କ ଏଠାରେ ସ୍ୱାର୍ଥକେନ୍ଦ୍ରିକ ଓ ଯାନ୍ତ୍ରିକ ।

 

ସେ-ଯାବତ୍‍ ବାଲ୍ମୀକି ପାଇ ନ ଥିଲେ ତାର ସନ୍ଧାନ । ହୃଦୟ ତାଙ୍କର ନିଃସଙ୍ଗତାଜନିତ ହତାଶାରେ ଭାରି ହୋଇ ରହିଥିଲା । କିନ୍ତୁ ସେଦିନ ପଶୁପକ୍ଷୀବେଷ୍ଟିତ ନିବିଡ଼ ଅରଣ୍ୟରେ ବୁଲୁ ବୁଲୁ ତାଙ୍କର ଦୃଷ୍ଟିରେ ପଡ଼ିଯାଇଥିଲା ଅକସ୍ମାତ୍‍ ସେହି ଦୃଶ୍ୟଟି । ମୁଗ୍‍ଧ ଦୃଷ୍ଟିରେ ସେ ଊର୍ଦ୍ଧ୍ୱକୁ ଚାହିଁ ରହିଥିଲେ । ଗୋଟିଏ ବୃକ୍ଷ ଶାଖାରେ ପରସ୍ପର ଦେହ ସଂଲଗ୍ନ କରି କାମମୋହିତ ଗୋଟିଏ ଶୁଭ୍ରପକ୍ଷ-ସାରସ-ଯୁଗଳଙ୍କର ଦାମ୍ପତ୍ୟ ଲୀଳାବିଳାସ ଆଡ଼େ । ସେମାନେ ସେମାନଙ୍କର ଶୁଭ୍ର ବିସ୍ତାରିତ ଡେଣା ହଲାଇ ପରସ୍ପରକୁ ଆଲିଙ୍ଗନ କରୁଥିଲେ । ଲମ୍ବମାନ ଗ୍ରୀବାଦ୍ୱାରା ପରସ୍ପରକୁ ବେଷ୍ଟନ କରୁଥିଲେ । ଏବଂ ଚଞ୍ଚୁଦ୍ୱାରା ଉଭୟ ଉଭୟଙ୍କୁ ଚୁମ୍ବନାଘାତ କରୁଥିଲେ । ବିମୁଗ୍‍ଧ ଚିତ୍ତରେ ଭାବିଲେ ବାଲ୍ମୀକି–ଏହି ପକ୍ଷୀ ଜଗତ ତେବେ ମନୁଷ୍ୟ ଭଳି ଏତେ ନିଃସଙ୍ଗ ନୁହେଁ ? ସମଗ୍ର ପ୍ରାଣୀ ଜଗତର ପ୍ରବୃତ୍ତିଗୁଡ଼ିକ ତେବେ କେବଳ ଯାନ୍ତ୍ରିକ ବ୍ୟାପାର ନୁହେଁ ? ଜାଗତିକ ପ୍ରାଣୀର ଲୀଳା ମାତ୍ରେଇ ତେବେ କ’ଣ ଏତେ ଆନନ୍ଦମୟ ? ......କିନ୍ତୁ ଏ କ’ଣ ହେଲା ?

 

ହଠାତ୍‍ ବଣବୁଦାରେ ଗୋପନ ଆଢ଼ୁଆଳରୁ ନିର୍ମମ ଏକ ବ୍ୟାଧର ତୀକ୍ଷ୍ଣ ଶର ପ୍ରହାରରେ ସାରସ ଯୁଗଳ ମଧ୍ୟରୁ ଗୋଟିକର ଭୂପତନ ହେଲା ଏବଂ ବିକଳ ସ୍ୱରରେ ଆର୍ତ୍ତ ଚିତ୍କାର କରୁ କରୁ ତା’ର ପ୍ରାଣବାୟୁ ଉଡ଼ିଗଲା ଏବଂ ଆହୁରି ଆଶ୍ଚର୍ଯ୍ୟ–ଅନ୍ୟ ସାରସଟି ତା’ର ଭୂପତିତ ମୃତ ସାଥୀଟି ପାଖକୁ ଉଡ଼ି ଆସି ହୃଦୟ-ବିଦୀର୍ଣ୍ଣକାରୀ ସ୍ୱରରେ ବିଳାପ କରିବାକୁ ଲାଗିଲା । ମହାନ୍‍ ସହୃଦୟ ମହର୍ଷି ବାଲ୍ମୀକିଙ୍କର ଶୋକ ସମୁଦ୍ର ଉଛୁଳି ଉଠିଲା । ତାଙ୍କର ବୈରାଗ୍ୟଦୀପ୍ତ ଚକ୍ଷୁ ଯୁଗଳରୁ ଧାର ଧାର ହୋଇ ଅଶ୍ରୁ ଗଡ଼ିଲା । ଏହି ସମୟରେ ଧନୁର୍ବାଣଧାରୀ ଯମ ସଦୃଶ ବିକଟାଳ ହିଂସ୍ରମନା ସେହି ପକ୍ଷୀଘାତକ ବ୍ୟାଧ ବୁଦା ଆଢ଼ୁଆଳରୁ ବାହାରି ଆସି ମୃତ ପକ୍ଷୀଟିକୁ ନେବାଲାଗି ବସନ୍ତେ, ପ୍ରାଣୀ-ଦୁଃଖ-କାତର ଶୋକାର୍ତ୍ତ ବାଲ୍ମୀକି ଉକ୍ତ ବ୍ୟାଧ ଉଦ୍ଦେଶ୍ୟରେ ଏହି ଅଭିଶାପ ବାଣୀ ଉଚ୍ଚାରଣ କଲେ–

 

‘‘ହେ ନୃଶଂସ ବ୍ୟାଧ ! କାମ-ମୋହିତ ହୋଇ ଆନନ୍ଦ ଉପଭୋଗ କରୁଥିବା ସାରସ ଯୁଗଳଙ୍କ ଭିତରୁ ଅତର୍କିତଭାବେ ଜଣକୁ ହତ୍ୟା କରି ଅନ୍ୟଟିକୁ ଏହି ଭାବେ ଶୋକଗ୍ରସ୍ତ କରାଇଲୁ-? ମୋର ଅଭିଶାପ, ଏ ନୃଶଂସ କର୍ମ ଲାଗି ଜଗତରେ ତୋତେ ଆଦୌ ପ୍ରତିଷ୍ଠା ମିଳିବ ନାହିଁ ।” ବାଲ୍ମୀକିଙ୍କର ଏହି ଶୋକ ବାଣୀ ହଠାତ୍‌ ଏକ ଆବେଗ ଉଚ୍ଛ୍ୱାସପୂର୍ଣ୍ଣ କବିତା ବା ଶ୍ଳୋକ ଆକାରରେ ପ୍ରକାଶିତ ହୋଇଗଲା ଏବଂ କଥିତ ଅଛି, ଏହାହିଁ ମାନବର ସଂସ୍କୃତି ଇତିହାସରେ ପ୍ରଥମ “ରସାତ୍ମକଂ ବାକ୍ୟଂ ।” ବ୍ୟକ୍ତିଗତ ଗୋଟିଏ ହତାଶାର ଭାବ ହଠାତ୍‌ ସାର୍ବଜନୀନ ଏକ ବେଦନା ବୋଧର ସମୁଦ୍ର ଭିତରେ ରସୋତ୍ତୀର୍ଣ୍ଣ ହୋଇଗଲା ।

 

ସେହିଦିନୁ ବନର ପଶୁପକ୍ଷୀଙ୍କୁ ନିର୍ବିଚାରରେ ମାରି ଜୀବିକା ଅର୍ଜନ କରୁଥିବା ମନୁଷ୍ୟମାନଙ୍କୁ ଚାଣ୍ଡାଳ ବୋଲି କୁଖ୍ୟାତ କରାଯାଇଛି । ଏବଂ ସେମାନଙ୍କୁ ଗ୍ରାମଠାରୁ ଦୂରରେ ବାସ କରିବାକୁ ସମାଜ ବ୍ୟବସ୍ଥା କରିଛି । ଏବଂ ଆଜି ପକ୍ଷୀତତ୍ତ୍ଵବିତ୍‌ମାନେ ଏଭଳି ତଥ୍ୟ ପାଇଛନ୍ତି ଯେ ସାରସଦମ୍ପତ୍ତିଙ୍କ ଭିତରୁ ଜଣକର ଅକସ୍‌ମାତ୍‌ ମୃତ୍ୟୁ ହେଲେ ଅନ୍ୟଟି ଆଉ ଦ୍ଵିତୀୟ ସାଥୀ ଗ୍ରହଣ କରେ ନାହିଁ । ଜୀବନ ସାରା ସେ ମୃତ ସାଥୀଟି ଲାଗି ବିଳାପ କରୁଥାଏ ।

 

ପ୍ରାଣୀହତ୍ୟାର ଜାନ୍ତବ ଉଲ୍ଲାସ

 

କିନ୍ତୁ ଆଜି ? ପକ୍ଷୀଶିକାର ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ଏକ ଅଭିଜାତ ସୌଖୀନ ବିଳାସ । ତାହା ପୁଣି କେବଳ ମାଂସ ଲୋଭରେ ନୁହେଁ । ଉଡ୍‌ଡୀୟମାନ ଅଥବା ନିଶ୍ଚିନ୍ତରେ ବୃକ୍ଷଶାଖା ଉପରେ ବସିଥିବା ଅଥବା ଜଳ ମଧ୍ୟରେ ଆନନ୍ଦରେ ସନ୍ତରଣ କରୁଥିବା ପକ୍ଷୀଟିକୁ ଅତର୍କିତେ ଗୁଳିବିଦ୍ଧ କରି ତା’ର ମୃତ୍ୟୁକାଳୀନ ଛଟପଟ ଦୃଶ୍ୟକୁ ଉପଭୋଗ କରିବାର ଏକ ନାରକୀୟ ଚିତ୍ତବୃତ୍ତିର ଗର୍ହିତ ଉଲ୍ଲାସବୋଧର ଅପପ୍ରେରଣାରେ ସହସ୍ର ସହସ୍ର ନିରୀହ ପକ୍ଷୀକୁ ପ୍ରତିଦିନ ଅତ୍ରତତ୍ର ସର୍ବତ୍ର ବଧ କରାଯାଉଛି ।

 

ଆମର ବଣ ଜଙ୍ଗଲରେ ଓ ହ୍ରଦ ତଡ଼ାଗମାନଙ୍କରେ ଯେତେ ସଂଖ୍ୟକ ଓ ଯେତେ ପ୍ରକାର ପକ୍ଷୀ ପୂର୍ବେ ଥିଲେ, ବର୍ତ୍ତମାନ ସେମାନଙ୍କର ସେ ସଂଖ୍ୟା ନୈରାଶ୍ୟଜନକଭାବେ କମି ଯାଇଛି । ଏପରିକି ଗାଁଗଣ୍ଡାରେ ମଧ୍ୟ ଆମର ଅତି ପରିଚିତ କୁଆ, କୋଇଲି, କଜଳପାତି, ଭଦଭଦଳିଆ, ଚୂଳିଆ, ଗୋବରା, ପାଣିକୁଆ, ଗଙ୍ଗେଇ, କୁଣ୍ଡାଖିଆ, ବଣି, ଘୁକାଳିକା, ଧୋବଣୀ, ମାଟିଆଚିଲ, ଶଙ୍ଖଚିଲ, ପେଚା, କାଠହଣା, କପୋତ, ଫୁଲଚୁଇଁ, ବାଇଆ, ଛୁଞ୍ଚୁମୁନିଆ, ଟେଣ୍ଟେଇ ଓ ଅସଂଖ୍ୟ ଅଜଣା ପକ୍ଷୀ, ସେମାନଙ୍କର ମଧୁର କଳକୁଜନରେ ଗ୍ରାମ ଉପକଣ୍ଠର ଗଛବୃଛ, ବଣବୁଦାକୁ ଆଉ ସଙ୍ଗୀତ ମୁଖରିତ କରୁନାହାନ୍ତି । ତା’ର କାରଣ ସ୍ଵରୂପ କୁହାଯାଉଛି ଯେ କେବଳ ଯେ ବନାଞ୍ଚଳରୁ ଗଛବୃଚ୍ଛମାନ ବହୁଳଭାବେ କାଟି ଦିଆଯାଇଛି, ତା’ ନୁହେଁ–ଗାଁଗହଳିରେ ସବୁ ପ୍ରାଚୀନ ବୃକ୍ଷ ବଟ, ଅଶ୍ଵତ୍‌ଥ, ଆମ୍ବ, ପଣସ, ଚାକୁଣ୍ଡା, ତାଳ, ଫାସି, ପୋଲଲାଙ୍ଗ ଆଦି) ଓ ବଣ ବୁଦାମାନ ନିର୍ବିଚାରରେ କଟା ହୋଇ ଗାଁଗଣ୍ଡା ରୁକ୍ଷ ପାଲଟି ଗଲାଣି । ଏପରିକି ରାସ୍ତାକଡ଼ରେ ମଧ୍ୟ ପୂର୍ବେ ଜିଲାବୋର୍ଡ଼ ଓ ଲୋକାଲବୋର୍ଡ଼ ତରଫରୁ ଯେଉଁ ସବୁ ଛାୟା ଓ ଫଳପ୍ରଦାନକାରୀ ବୃକ୍ଷମାନ ଲଗାଯାଇଥିଲା, ସେଗୁଡ଼ିକ ମଧ୍ୟ ନିର୍ବିରୋଧରେ କଟା ହୋଇଗଲାଣି । ଉଦାହରଣ ରୂପେ ଉପକୂଳ ଅଞ୍ଚଳର ତିନୋଟି ରାସ୍ତା କଥା ନିଆଯାଉ । କଟକ-ନିଆଳୀମାଧବ ରୋଡ଼, କଟକ-କେନ୍ଦ୍ରାପଡ଼ା ରୋଡ଼ ଓ ସ୍ଵୟଂ ଜଗନ୍ନାଥ ସଡ଼କର ଦୁଇ ପାର୍ଶ୍ଵରେ ଯେଉଁ ଅତିପ୍ରାଚୀନ, ପ୍ରାଚୀନ ଓ ଅର୍ବାଚୀନ ବୃକ୍ଷଗୁଡ଼ିକ ଦଶ ପନ୍ଦର ବର୍ଷ ତଳେ ଥିଲା ସେଗୁଡ଼ିକ ଆଜି ସବୁ ସମୂଳେ କର୍ତ୍ତିତ । ତା’ ଜାଗାରେ ଦୃଶ୍ୟମାନ ହେଲାଭଳି ନୂତନ ବୃକ୍ଷ ମଧ୍ୟ ବିଶେଷ ରୋପଣ କରାଯାଇନାହିଁ ।

 

ଏଥିପ୍ରତି ଜନସାଧାରଣଙ୍କର ଆଦୌ ଭୃକ୍ଷେପ ନାହିଁ । ଏତଦ୍‌ବ୍ୟତୀତ ଯେଉଁ ସବୁ ଛୋଟ ଛୋଟ ବଣ ବୁଦା, ତୋଟାମାଳ, ବଣିଆ ଓ ଚରାଭୂଇଁମାନ ପ୍ରତିଗ୍ରାମର ଚତୁଃପାର୍ଶ୍ଵରେ ଥିଲା, ସେଗୁଡ଼ିକ ମଧ୍ୟ ବର୍ତ୍ତମାନ ପଦା ହୋଇ ଗଲାଣି ଏବଂ ଲୋକଙ୍କ ଚାଷ ଜମିରେ ପରିଣତ ହୋଇଗଲାଣି । ଏ ସକାଶୁ ପକ୍ଷୀମାନଙ୍କ ଲାଗି ଓ ଛୋଟ ଛୋଟ ବଣୁଆ ଜନ୍ତୁମାନଙ୍କ ଠେକୁଆ, କୋକି, ବିଲୁଆ, ଶାଳିଆପତ୍‌ନୀ, ଓଧ, କଟାଶ, ଗଧିଆ ପ୍ରଭୃତି ଲାଗି ସେଠି ଆଉ ବାସଯୋଗ୍ୟ ସ୍ଥାନ ନାହିଁ । ଏହାଛଡ଼ା ଚଢ଼େଇ ଶିକାର ବହୁ ଲୋକଙ୍କର ଗୋଟେ ନିଶା ମଧ୍ୟ ହୋଇଯାଇଛି ।

 

ପ୍ରାଣୀମାନେ ଅଭୟ ରହନ୍ତୁ

 

କେବଳ ପକ୍ଷୀ ନୁହଁ–ବଣର ଜୀବଜନ୍ତୁଙ୍କୁ ମାରିବା ବ୍ୟତୀତ ଆମ ମନରେ ସେମାନଙ୍କ ପ୍ରତି ଆଉ କୋଉ ପ୍ରକାର ମନୋଭାବ ପ୍ରତିଷ୍ଠିତ ନାହିଁ । ଆମେ ତ ନିର୍ବିରୋଧରେ ବଣମାନଙ୍କରୁ ଗଛବୃଛ କାଟି ଚାଲିଛୁ–ସେହିପରି ନିର୍ବିଚାରରେ ବଣ୍ୟ ପ୍ରାଣୀଙ୍କୁ ମଧ୍ୟ ବଧ କରି ଚାଲିଛୁ । ଚମଡ଼ା ପାଇଁ, ସିଙ୍ଗ ପାଇଁ, ହାଡ଼ ବା ଦାନ୍ତ ପାଇଁ, ଲୋମ ପାଇଁ, ପର ପାଇଁ ଏବଂ ସର୍ବୋପରି ମାଂସ ଲୋଭରେ ଆମେ ଠେକୁଆଠାରୁ ବାଘ ପର୍ଯ୍ୟନ୍ତ ସବୁ ପ୍ରାଣୀଙ୍କୁ ଆମର ଅବଶ୍ୟ ବଧ୍ୟଜୀବ ବୋଲି ସ୍ଥିର କରିନେଇଛୁ । ସେଥିଯୋଗୁଁ ବଣର ବହୁ ବିଶିଷ୍ଟ ଓ ସୁନ୍ଦର ନିରୀହ ପ୍ରାଣୀଙ୍କ ସଂଖ୍ୟା କ୍ରମାଗତ କମିବାରେ ଲାଗିଥିଲା । ଅବଶ୍ୟ ଏବେ ସରକାର ସେ ସମ୍ବନ୍ଧେ ଖୁବ୍‌ ସଚେତନ ହୋଇ ଅଭୟାରଣ୍ୟମାନ ସୃଷ୍ଟି କଲେଣି ଓ ବନଜନ୍ତୁମାନଙ୍କୁ ଅଯଥା ବଧ କରିବା ଉପରେ କଠୋର ନିଷେଧାଜ୍ଞା ଜାରି କଲେଣି । କିନ୍ତୁ କେବଳ ସରକାରୀ ଆଦେଶ ବଳରେ ଏହା ଫଳପ୍ରସୂ ହୋଇଯିବ ନାହିଁ । ଜନସାଧାରଣଙ୍କର ଗଛବୃଛ ଓ ବଣର ଜନ୍ତୁଜୁନ୍ତାଙ୍କ ପ୍ରତି ମନୋଭାବରେ ମୌଳିକ ପରିବର୍ତ୍ତନ ନ ଆସିଲେ ଆମେ ବନ ଓ ତା’ର ଜୀବଜନ୍ତୁ ସମେତ ଅମୂଲ୍ୟ ସଂପଦମାନ ମଧ୍ୟ ହରାଇ ବସିବୁ ।

 

ଏ ଦିଗରେ ଆମର ପ୍ରଥମ କଥା ଦେଖିବାର ହେଉଛି–ବଣର ପଶୁପକ୍ଷୀ ଯେମିତି ଆମ ପ୍ରତି ନିର୍ଭୟ ରହିବେ । ଆମେ ଜାଣିବା ଉଚିତ୍‌ ଯେ, ପ୍ରାଣୀମାନେ ସେମାନଙ୍କର ସହଜ ବୁଦ୍ଧିରେ ଆମର ଅନ୍ତର୍ଗତ ମନୋଭାବକୁ ଯେପରି ଖୁବ୍‌ ଚଟାପଟ୍‌ ଧରି ନିଅନ୍ତି, ଖୁବ୍‌ ବୁଦ୍ଧିମାନ ମନୁଷ୍ୟ ବି ସେ ଦିଗରେ ସେମାନଙ୍କ ପାଖେ ହାର ମାନିଯିବ । ଆମର ଚାହାଣୀରୁ, ଆମର ଦୈହିକ ଭାବଭଙ୍ଗୀରୁ, ଏପରିକି ଆମର ଅନ୍ତରସ୍ଥ ସୂକ୍ଷ୍ମଚିନ୍ତା ଓ ଅନୁଭବର ସୂକ୍ଷ୍ମତମ କମ୍ପନରୁ ମଧ୍ୟ ସେମାନେ ହଠାତ୍‌ ବୁଝିନେଇ ପାରନ୍ତି, ଆମେ ସେମାନଙ୍କ ପ୍ରତି ଭୟାଳୁ, କିମ୍ବା ହିଂସ୍ର, କିମ୍ବା ଈର୍ଷୁକ, କିମ୍ବା କୁଟିଳ ଅଥବା ପ୍ରୀତିଭାବାପନ୍ନ । ତଦନୁଯାୟୀ ସେମାନେ ପ୍ରତିକ୍ରିୟା ମଧ୍ୟ ଦେଖାଇଥାଆନ୍ତି । ଆଧୁନିକ ପ୍ରାଣୀବିଜ୍ଞାନର ମନସ୍ତତ୍ଵବିଦ୍‌ମାନେ ପ୍ରାଣୀମାନଙ୍କ ଆଚରଣ, ସ୍ଵଭାବ ଓ କ୍ରିୟାପ୍ରତିକ୍ରିୟା ସମ୍ବନ୍ଧେ ଏପରିସବୁ ତଥ୍ୟ ପରିବେଷଣ କଲେଣି, ଯାହା ଶୁଣିଲେ ବା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ବହୁ ପ୍ରାଣୀ ଏପରି ମାନବୀୟ ଅନୁଭୂତି ବା ଆଚରଣ ପ୍ରଦର୍ଶନ କରନ୍ତି ଯାହାକି ଜଣେ ସାଧାରଣ ମଣିଷଠାରେ ମଧ୍ୟ ଏତେ ସୁସ୍ପଷ୍ଟଭାବେ ପ୍ରକାଶ ପାଇବା ଦେଖାଯାଏ ନାହିଁ । ଉଦାହରଣ ସ୍ଵରୂପ, ସିଂହ ବା ବ୍ୟାଘ୍ରମାନଙ୍କର ଆତ୍ମସମ୍ମାନବୋଧ ଓ ଉପକାରୀ ପ୍ରତି କୃତଜ୍ଞତା ଜ୍ଞାପନ, ହସ୍ତୀର ସଚେତନ ପ୍ରତିଶୋଧମୂଳକ ମନୋଭାବ ଓ କୌତୁକପ୍ରିୟତା, ଶୃଗାଳର ଧୂର୍ତ୍ତ ସତର୍କତା, ମୟୂରର ରାଜକୀୟ ଅହମିକା ଓ ନୃତ୍ୟଶୀଳତା, ଶାରୀ, ବଣି ବା ଶୁକପକ୍ଷୀମାନଙ୍କର ମନୁଷ୍ୟ କଣ୍ଠକୁ ଅନୁକରଣ କରିବାର କ୍ଷମତା ଇତ୍ୟାଦି ତ ଆମର ଜଣାଶୁଣା କଥା । କିନ୍ତୁ ପଶୁପକ୍ଷୀମାନଙ୍କର ଆହୁରି ବିଚିତ୍ର ସୂକ୍ଷ୍ମବୋଧ ଶକ୍ତି ଓ ବୁଝାମଣାର ତଥ୍ୟ ମଧ୍ୟ ବର୍ତ୍ତମାନ ନିଃସନ୍ଦେହ ପ୍ରମାଣିତ ।

 

ବଣର ପ୍ରାଣୀ ଆମର ବନ୍ଧୁ

 

ଏ ସ୍ଥଳେ ଆଉ ଗୋଟିଏ ଉଲ୍ଲେଖଯୋଗ୍ୟ କଥା ହେଲା, ବନର ପ୍ରାଣୀମାନଙ୍କ ଜୀବନ ସଙ୍ଗେ ମନୁଷ୍ୟ ଜୀବନର ଘନିଷ୍ଠ ସମ୍ପର୍କ ଏବଂ ମନୁଷ୍ୟର ସୁସ୍ଥ ଜୀବନ ଲାଗି ଏହାର ଗୁରୁତ୍ଵପୂର୍ଣ୍ଣ ଭୂମିକା ବର୍ତ୍ତମାନ ଏକ ଜୀବନ-ବିଜ୍ଞାନ-ବିଷୟକ-ତତ୍ତ୍ଵରୂପେ ପ୍ରତିଷ୍ଠିତ ହୋଇ ସାରିଲାଣି । ଅରଣ୍ୟରୁ ବାଘ, ହରିଣ ଓ ହାତୀଙ୍କ ସଂଖ୍ୟା ବା ସାପଙ୍କ ସଂଖ୍ୟା ଅନୁପାତର ସୀମାରୁ କମିଗଲେ ଓ ଗାଁ ଗହଳିରୁ ବି ସାପ, ଗୋଧି, ଶାଳିଆପତନୀ, ଗଧିଆ, ବିଲୁଆଙ୍କ ସଂଖ୍ୟା ଅନୁପାତ ସୀମାରୁ ଖୁବ୍‌ ତଳକୁ କମିଗଲେ, ଏଣେ ମଣିଷଙ୍କ ଜୀବନଧାରଣ ପ୍ରତିକ୍ରିୟାରେ କି କ୍ଷତି ଘଟୁଛି, ତାହା ଆଉ ଅଜଣା ତଥ୍ୟ ହୋଇ ରହିନାହିଁ । ଏକ ସୁସ୍ଥ ଓ ସଙ୍ଗତ ମାନବୀୟ ଜୀବନ ବଞ୍ଚିବା ପାଇଁ ମନୁଷ୍ୟୋତର ଜୀବଜନ୍ତୁଙ୍କ ସଙ୍ଗେ ଆମର କେତେ ଘନିଷ୍ଠ ହାର୍ଦ୍ଦିକ ସମ୍ପର୍କ ରହିବା ଉଚିତ, ତାହା ବର୍ତ୍ତମାନ ବିଜ୍ଞାନସମ୍ମତ ଏକ ଅବଶ୍ୟ ଆବଶ୍ୟକତା ରୂପେ ପ୍ରମାଣିତ ହୋଇଗଲାଣି । ମନୁଷ୍ୟ ଯଦି ମଧ୍ୟେ ମଧ୍ୟେ ବଣ ଜଙ୍ଗଲରେ ଭ୍ରମଣ ନ କରେ ଓ ବଣର ପଶୁପକ୍ଷୀଙ୍କୁ ଭଲଭାବେ ନ ଦେଖେ, ତାକୁ ଅନୁଭୂତିରେ ସୁଖକର ଭାବେ ନ ଘେନେ, ତେବେ ତା’ର ଚିତ୍ତବୃତ୍ତି ଅତି ସ୍ଥୂଳ ଓ ଯାନ୍ତ୍ରିକତାରେ କର୍କଶ ହୋଇଯିବ । ଗୁଣ୍ଠୁଣୀ ହାତୀଟିକୁ ଝୁଲିବାର ଦେଖିଲେ, ମୟୂରର ବିସ୍ତାରିତ ପୁଚ୍ଛ ନୃତ୍ୟ ଦେଖିଲେ, ପଦ୍ମତୋଳା ଶୁଣି ଫଣା ହଲାଇ ଖେଳୁଥିବା ସାପ ଦେଖିଲେ, ଧାଡ଼ିବାନ୍ଧି ଆକାଶରେ ଉଡ଼ୁଥିବାର ବା ପାଣିରେ ପହଁରୁଥିବାର ହଂସମାନଙ୍କୁ ଦେଖିଲେ, ବା ବୁଦା ଉହାଡ଼ରୁ ଖସ୍‌ ଖସ୍‌ ହୋଇ ଚାଲି ଯାଉଥିବା ଗୋଧିଟିକୁ ଦେଖିଲେ ଆମର ମନ ପ୍ରକୃତି ଭିତରେ ସମନ୍ଵୟତା ଲାଭ କରେ ଓ ଚିତ୍ତବିସ୍ତାର ଜନିତ ସୁଖବୋଧ ହୁଏ । ସ୍ନାୟୁପୀଡ଼ା ବହୁଭାବେ ଲାଘବ ହୁଏ ଏବଂ ଆମକୁ ବହୁ ମାନସିକ ରୋଗରୁ ରକ୍ଷା ମିଳେ ।

 

ଏ ସ୍ଥଳେ ପଶୁ ପକ୍ଷୀଙ୍କ ସଙ୍ଗେ ଆମେ ଖୁବ୍‌ ସୁନ୍ଦର ବନ୍ଧୁତ୍ଵ ମଧ୍ୟ ସ୍ଥାପନ କରିପାରୁ । ସେମାନଙ୍କୁ ପ୍ରୀତି ଦେଇ ସେମାନଙ୍କଠାରୁ ପ୍ରୀତିର ପ୍ରତିଦାନ ଓ ସାହାଯ୍ୟ ମଧ୍ୟ ଲାଭ କରିପାରୁ । ଦେଶ ବିଦେଶର ସାମୟିକ ବହୁ ବିଚିତ୍ର ସମ୍ବାଦରୁ ଏହା ପ୍ରତିପନ୍ନ ହୋଇଥାଏ ।

 

ଆନ୍ଦ୍ରୋକ୍ଳିସ ନାମକ ଜଣେ ପଳାତକ କ୍ରୀତଦାସ ପ୍ରତି ତା’ଦ୍ଵାରା ପୂର୍ବେ ଉପକୃତ ହୋଇଥିବା ଗୋଟିଏ ସିଂହ କିପରି ଠିକଣା ସମୟରେ ସ୍ନେହ ଓ କୃତଜ୍ଞତା ପ୍ରଦର୍ଶନ କରିଥିଲା, ଗୋଟିଏ ମାଈଭାଲୁ କିପରି ଗୋଟିଏ ମଣିଷ ଛୁଆକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ସ୍ତନ୍ୟ ଦେଇ ପାଳି ରଖିଥିଲା, ଗୋଟିଏ ବାଘୁଣୀ କିପରି ଗୋଟିଏ ମନୁଷ୍ୟ ସଙ୍ଗେ ବାରମ୍ବାର ବନ୍ଧୁତ୍ଵ ପ୍ରଦର୍ଶନ କରି ଶେଷରେ ଗାଁବାଲାଙ୍କ ଗୁଳିରେ ମଲା, ଏ ସବୁ ସମ୍ବାଦ ସହିତ ଓଡ଼ିଶାରେ ବ୍ୟାଘ୍ର ଯୋଜନା ଅଫିସର ଶ୍ରୀ ସରୋଜ ଚୌଧୁରୀ, ଓ ତାଙ୍କର ଭଗ୍ନୀ ନିହାରବାଳାଙ୍କ ସଙ୍ଗେ ଖଇରୀ ନାମ୍ନୀ ବାଘୁଣୀର ଯେଉଁ ମାନବୀୟ ସମ୍ପର୍କ ବର୍ତ୍ତମାନ ପ୍ରମାଣିତ ହୋଇଛି–ସେଥିରୁ ନିଧାର୍ଯ୍ୟ ଏହି ତଥ୍ୟଟି ସ୍ଥିର ଯେ, ବଣର ପ୍ରାଣୀ ବୋଲି ଆମେ ଯେଉଁମାନଙ୍କୁ ଘୃଣା, ତାଚ୍ଛଲ୍ୟ ବା ହିଂସା କରୁଛୁ ଓ କେବଳ ଆମର ବାସନା ଓ ଲାଳସା ପୂରଣ ଲାଗି ସେମାନଙ୍କୁ ସୃଷ୍ଟି କରାଯାଇଛି ବୋଲି ମନେ କରୁଛୁ–ତାହା ଅତ୍ୟନ୍ତ ଏକ ଗର୍ହିତ ମନୋବୃତ୍ତି ଓ ମାରାତ୍ମକ ଭ୍ରମ ଅଟେ । ମନୁଷ୍ୟର ସ୍ନେହଶୀଳ ହୃଦୟ ପାଖରେ କେବଳ ମଣିଷ ନୁହେଁ–ବନର ପ୍ରାଣୀ ମଧ୍ୟ ବନ୍ଧା ପଡ଼ିପାରନ୍ତି ।

 

ରାମାୟଣ ଯୁଗକୁ ପୁନଶ୍ଚ ଅନୁଶୀଳନ କରି ଦେଖାଯାଉ । ଜଟାୟୁ ନାମକ ବୃହଦାକାୟ ବନପକ୍ଷୀ ଥିଲେ ମହାରାଜା ଦଶରଥଙ୍କର ବନ୍ଧୁ । ସେହି ପକ୍ଷୀରାଜ ଜଟାୟୁ ବୃଦ୍ଧ ଓ ଅସହାୟ ଅବସ୍ଥାରେ ବି ଅନ୍ୟାୟ ବିରୋଧରେ ସୀତାପହରଣକାରୀ ରାକ୍ଷସ ରାବଣ ସଙ୍ଗେ ଯୁଦ୍ଧକରି ତା’ ହାତରେ ପ୍ରାଣ ଦେଇଥିଲେ । ସ୍ଵୟଂ ରାମଚନ୍ଦ୍ର ମଧ୍ୟ ବନବାସୀ ମର୍କଟ ଓ ଭଲ୍ଲୁକମାନଙ୍କ ସାହାଯ୍ୟରେ ସମୁଦ୍ରରେ ସେତୁ ବାନ୍ଧି ଲଙ୍କାର ପ୍ରବଳ ପ୍ରତାପୀ ଅତ୍ୟାଚାରୀ ରାକ୍ଷସ ରାବଣଙ୍କୁ ସବଂଶେ ନିହତ କରି ସୀତା ଉଦ୍ଧାର କରିଥିଲେ । ମର୍କଟରାଜ ସୁଗ୍ରୀବ ଅଙ୍ଗଦ ଓ ଭଲ୍ଲୁକରାଜ ସୁଷେଣ, ଜାମ୍ବବାନ ପ୍ରଭୃତି ରାମଚନ୍ଦ୍ରଙ୍କର ଖୁବ୍‌ ଅନୁଗତ ବନ୍ଧୁ ଥିଲେ । ସମଗ୍ର ପୁରାଣ ସାହିତ୍ୟ ଅନୁଶୀଳନ କଲେ ଦେଖାଯାଏ, ବହୁ ଗୁଣବନ୍ତ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କର ବନ୍ଧୁବାନ୍ଧବ ରୂପେ ବହୁ ବନ୍ୟପ୍ରାଣୀ ମଧ୍ୟ ବିଖ୍ୟାତ ହୋଇଛନ୍ତି । ପୁରାଣମାନଙ୍କରେ ବାନର, ହରିଣାଦି ପ୍ରାଣୀମାନଙ୍କ ସମ୍ବନ୍ଧେ ଅତି ଉପାଦେୟ ହୃଦୟସ୍ପର୍ଶୀ ଗଳ୍ପମାନ ମଧ୍ୟ ରହିଛି ।

 

ଆମର ଭାରତୀୟ ସାଂସ୍କୃତିକ ପରମ୍ପରାରେ ବନ୍ୟ ପଶୁପକ୍ଷୀଙ୍କ ସଙ୍ଗେ ମନୁଷ୍ୟର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଉପରେ ଖୁବ୍‌ ଗୁରୁତ୍ଵ ଦିଆଯାଇଛି ଏବଂ ରାଜାମାନେ ମଧ୍ୟେ ମଧ୍ୟେ ଧନୁର୍ବିଦ୍ୟାରେ ପାରଙ୍ଗମତା ଦେଖାଇବା ଲାଗି ଓ ବନଭୂମି ସମେତ ବନ୍ୟ ପଶୁପକ୍ଷୀଙ୍କ ସମ୍ବନ୍ଧେ ଅଭିଜ୍ଞତା ଅର୍ଜନ ଲାଗି ମୃଗୟା କରୁଥିଲେ ବି ମୃଗୟାକୁ ବ୍ୟସନ ରୂପେ ଗ୍ରହଣ କରିବା କଥାକୁ ଶାସ୍ତ୍ରରେ ଅତି ନିନ୍ଦନୀୟ ବ୍ୟାପାର ବୋଲି ଘୋଷଣା କରାଯାଇଛି ।

 

ସେ କାଳରେ ବି ମୁନିଋଷିମାନେ ଆଶ୍ରମ ସ୍ଥାପନ କରିଥିବା ଅରଣ୍ୟମାନଙ୍କରେ ପଶୁପକ୍ଷୀ ଶିକାର ଏକ ଗର୍ହିତ କର୍ମରୂପେ ଗଣ୍ୟ କରାଯାଉଥିଲା ଏବଂ ଋଷି ଆଶ୍ରମ ସନ୍ନିକଟ ଅରଣ୍ୟକୁ ରାଜାମାନେ ପଶୁପକ୍ଷୀଙ୍କ ଲାଗି ଅଭୟାରଣ୍ୟ କରି ରଖିଥିଲେ । ଫଳରେ ବାଘ, ଭାଲୁ, ହରିଣ, ଶଶକାଦି ଜନ୍ତୁଙ୍କ ସମେତ ପକ୍ଷୀମାନେ ମଧ୍ୟ ଆଶ୍ରମ ସନ୍ନିକଟ ବଣରେ ପରସ୍ପର ପ୍ରତି ଜିଙ୍ଘାସା ଓ ଭୟ ତ୍ୟାଗକରି ମିତ୍ରଭାବେ ରହୁଥିଲେ । ସ୍ମରଣ କରିବାର କଥା ଯେ, ମନୁଷ୍ୟ କେତେଦୂର ସୂକ୍ଷ୍ମ, ସୁକୁମାର ଓ ଭଦ୍ର ଚେତନାବନ୍ତ ହେଲେ ଯାଇ ପଶୁପକ୍ଷୀଙ୍କ ସଙ୍ଗେ ମିତ୍ରଭାବ ସ୍ଥାପନ କରିପାରେ । ସତକଥା–ଆମକୁ ଦେଖି ଯଦି ବଣର ପ୍ରାଣୀମାନେ ଅଭୟ ନ ପାଇଲେ, ତେବେ ଆମେ କଣ ସତକୁ ସତ ମଣିଷ ? କୋଉ ଗୁଣରେ ତା’ହେଲେ ଆମେ ବଣ୍ୟ ପଶୁପକ୍ଷୀଙ୍କଠାରୁ ଉନ୍ନତ ?

 

ପ୍ରାଣୀଙ୍କ ଦାୟିତ୍ଵ ଆମ ଉପରେ

 

ମନୁଷ୍ୟ ବର୍ତ୍ତମାନ ଏ ପୃଥିବୀରେ ସବୁଠାରୁ ବୁଦ୍ଧିମାନ, ବଳବନ୍ତ, ଦୂରନ୍ତ ଓ ଜଳ ସ୍ଥଳ ଆକାଶରେ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରାଣୀ । କିନ୍ତୁ ଏତେ ବୁଦ୍ଧି, ଏତେ ବଳ ଓ ଏତେ ପ୍ରଭାବଶାଳୀତା ସାଙ୍ଗକୁ ମନୁଷ୍ୟ ଭିତରେ ଯଦି ପ୍ରେମ, ଶ୍ରଦ୍ଧା ଓ ଭଦ୍ରଭାବ ତଦନୁଯାୟୀ ବୃଦ୍ଧି ନ ପାଏ, ତେବେ ଆମେ ଯେପରି ବଣ୍ୟ ପ୍ରାଣୀମାନଙ୍କୁ ଭାବୁ, ସମଗ୍ର ପ୍ରାଣୀଜଗତ ଆମକୁ ତଦ୍ରୂପ ଏକ ଅବିଶ୍ଵାସୀ, ଜିଙ୍ଘାସାପରାୟଣ, ଭୀତିପ୍ରଦ, ଅଭଦ୍ର ଜନ୍ତୁରୂପେ ଅନୁଭବ କରିବ ଏବଂ ଏହାଠାରୁ ବଳି ଅପମାନଜନକ କଥା ଆଉ ଆମ ପକ୍ଷରେ ଭଲା କଣ ଥାଇପାରେ ?

 

ଅବଶ୍ୟ ସୁଖର କଥା–ଏବେ ସମଗ୍ର ପ୍ରାଣୀଜଗତ ପ୍ରତି ମନୁଷ୍ୟର ପୂର୍ବ ପ୍ରେମ-ମୈତ୍ରୀଭାବ ପୁନଶ୍ଚ ଫେରି ଆସିଲାଣି । ଆଜି ପୃଥିବୀର ସମସ୍ତ ରାଷ୍ଟ୍ର ସେମାନଙ୍କ ଅଞ୍ଚଳର ଜୀବଜନ୍ତୁମାନଙ୍କ ସମ୍ବନ୍ଧେ ଖୁବ୍‌ ସଚେତନ ହୋଇ ଉଠିଲେଣି । ସବୁ ପ୍ରାଣୀଙ୍କର ବଞ୍ଚିବା ଲାଗି ଓ ଭଦ୍ର ନିରାପଦ ସ୍ଵଚ୍ଛନ୍ଦ ଜୀବନଯାପନ ଲାଗି, ମନୁଷ୍ୟମାନେ ଯେପରି କିଛି ବାଧା ସୃଷ୍ଟି ନ କରନ୍ତି, ସେ ଦିଗରେ ବହୁ ଆଇନ କାନୁନ୍‌ ଓ କଡ଼ା ବ୍ୟବସ୍ଥା ମଧ୍ୟ କରାଗଲାଣି । ବଣର ପଶୁପକ୍ଷୀମାନଙ୍କର ସଂଖ୍ୟା ସୁମାରି କରି, କୋଉ କୋଉ ପ୍ରାଣୀଙ୍କର ବଂଶ କ୍ଷୟ ପାଉଛି ଓ କାହିଁକି ପାଉଛି, ତାର କାରଣ ଅନୁସନ୍ଧାନ କରି ସେଥିପାଇଁ ପ୍ରତିକାର ବିଧାନ କରାଗଲାଣି । ଏହା ନିଶ୍ଚୟ ଏକ ଶୁଭ ସୂଚନା । ଗ୍ରାମ ଓ ସହର ଭଳି, ଅରଣ୍ୟକୁ ମଧ୍ୟ ଆମେ ସଂରକ୍ଷିତ କରି ରଖିବୁ ଓ ତାର ଅଧିବାସୀଙ୍କୁ ଅଭୟ ଦେବୁ ।

Image

 

ରାଜଧାନୀ ଓ ଜନରବ ପ୍ରସଙ୍ଗ

 

ରାଜଧାନୀ କାହାକୁ କହନ୍ତି–ସେ ସମ୍ବନ୍ଧେ ତଦ୍‌ବିତ୍‌ମାନେ ନାନାଦି ସଂଜ୍ଞା ଦେବେ ନିଶ୍ଚୟ–କିନ୍ତୁ ଆମେ ଗୋଟିଏ ଜଟିଳ ବାକ୍ୟରେ ଏହି ଜଟିଳ ଶବ୍ଦଟିର ବ୍ୟାଖ୍ୟା କରିବାକୁ ଚେଷ୍ଟା କରିପାରୁ । ରାଜଧାନୀ ହେଉଛି–ସେହି ରାଜନୈତିକ, ଅର୍ଥନୈତିକ ଓ ପ୍ରଶାସନିକ ସିଦ୍ଧାନ୍ତ ତଥା କାର୍ଯ୍ୟକାରୀତାର ଆଦେଶକାରୀ ରଙ୍ଗଭୂମି, ଯେଉଁଠାରେ ଏହାର ଆଧୁନିକ ରୂପ ନିର୍ମାଣ ପୂର୍ବରୁ ରାତି ଅଧରେ ଶୃଗାଳମାନେ ରବ କରୁଥିଲେ ଓ ଅଧୁନା ଅହୋରାତ୍ର ଜନମାନେ ରବମୁଖର ରହି ଅଛନ୍ତି । କିନ୍ତୁ ଏହା ବୋଲି ଶୃଗାଳମାନେ ରାତ୍ରିର ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରକୃତିର ଅଲଙ୍ଘ୍ୟ ନିୟମାନୁସାରେ ପ୍ରବୃତ୍ତି ପରିଚାଳିତ ହୋଇ ସମ୍ମିଳିତଭାବେ ରବ କରନ୍ତି, ମାତ୍ର ଜନରବ ଏକ ବା ଏକାଧିକ ବିକୃତମନା ମନୁଷ୍ୟମାନଙ୍କଦ୍ଵାରା ଅନିର୍ଦ୍ଦିଷ୍ଟ କାଳମାନଙ୍କରେ ନାନାଦି କାରଣରୁ ସୃଷ୍ଟି ହୋଇଥାଏ । ତେବେ ଦୁଇ ରବ ମଧ୍ୟରେ ଗୋଟିଏ ମୌଳିକ ସାଦୃଶ୍ୟ ନିଶ୍ଚୟ ଅଛି । ଗୋଟିଏ ସ୍ଥାନରେ ଶୃଗାଳମାନେ ଏକ ସ୍ଵରରେ ରବ କଲାମାତ୍ରେ ବିଭିନ୍ନ ସ୍ଥାନରେ ଥିବା ଶୃଗାଳମାନେ ସେ ରବ ସଙ୍ଗେ ସ୍ଵର ମିଳାଇ ରଡ଼ି ଛାଡ଼ନ୍ତି । ଜନରବ ମଧ୍ୟ ତଦ୍ରୂପ–ଏହା ସଂକ୍ରାମକ ରୋଗ ଭଳି ରାଜଧାନୀରେ ଆରମ୍ଭ ହୋଇ ବିଭିନ୍ନ କର୍ଣ୍ଣ ଓ ମୁଖବିବର ଦେଇ ଗତାଗତ କରେ ଏବଂ ଆବାଳବୃଦ୍ଧବନିତା, ଆବ୍ରାହ୍ମଣ ଚାଣ୍ଡାଳ, ଆତନ୍ତୁବାୟଅଧ୍ୟାପକ, ଆକୁମାରୀ ହିମାଚଳ, ଆଭୁବନେଶ୍ଵର ବଲାଙ୍ଗୀର ବା ଆଦିଲ୍ଲୀନିୟୁୟର୍କ ବ୍ୟାପିଯାଏ ।

 

ଏହା ବ୍ୟାପିବା କାଳରେ ଏହା ଆପଣା ଛାଏଁ ବିଭିନ୍ନ ମସ୍ତିଷ୍କବୃତ୍ତିର କଳ୍ପନା ଜଳ୍ପନା ସଂସ୍ପର୍ଶରେ ଆସି ଓ ବିଭିନ୍ନ ସ୍ଵରଯନ୍ତ୍ରର ନାନାବିଧ ନାଦ ବୈଚିତ୍ର୍ୟର ରଣନାନୁରଣିତ ହୋଇ ଅପୂର୍ବ ପଲ୍ଲବିନୀ ଓ ସଂଚାରିଣୀ ଶକ୍ତି ଏବଂ ଅଦଭୂତ ବିଶ୍ଵାସଯୋଗ୍ୟତା ଓ ପ୍ରଭାବଶାଳୀତା ଅର୍ଜ୍ଜନ କରେ-। କିନ୍ତୁ ଦିନେ ହଠାତ୍‌ ହାର୍ଟଫେଲ୍‌ କରି ପ୍ରାଣୀର ଅପମୃତ୍ୟୁ ହେବାଭଳି ଜନରବ ମଧ୍ୟ ଅକସ୍ମାତ ପଥ ମଧ୍ୟରେ ହୃଦଯନ୍ତ୍ରକ୍ରିୟା ବନ୍ଦ ହୋଇ ପ୍ରାଣବାୟୁ ଉଡ଼ିଯାଏ–ଏବଂ ଏପରି ବି ହୋଇପାରେ ଯେ ଗୋଟିଏ ଗତିଶୀଳ ଶକ୍ତିଶାଳୀ ଜନରବଟିର ପଛପଟରୁ ଆଉ ଏକ ବିପରୀତ ଜନରବ ଆହୁରି ପ୍ରବଳ ବେଗରେ ଆସି ତା’ର ଗଳାରୁଦ୍ଧକରି ତାକୁ ମାରିଦିଏ ଏବଂ ନିଜେ ମଧ୍ୟ ସେହି ସ୍ଥାନରେ ଆତ୍ମହତ୍ୟାକରେ । ଏତଦ୍ଵାରା ଜନତା ପ୍ରକୃତ ସତ୍ୟଟିକୁ ହଠାତ୍‌ ନାଟକୀୟ ଭାବେ ଆପଣା ଛାଏଁ ଜାଣି ପାରନ୍ତି ଓ ସେହି କାଳ ଲାଗି ଆଉ ଯେକୌଣସି ଜନରବକୁ ଗୁଲିଖଟିର ବ୍ୟାପାର ବୋଲି କହି ଗୁଲି ମାରନ୍ତି ଓ କିଛି ପ୍ରତି ଆଉ କର୍ଣ୍ଣପାତ କରନ୍ତି ନାହିଁ ।

 

ଅଥଚ ଜନରବ ଯାହାକୁ କେନ୍ଦ୍ରକରି ସୃଷ୍ଟି ହୋଇଥାଏ, ତାଙ୍କ କାନରେ ପଡ଼ିଲାବେଳକୁ ଜନରବର ମୃତ୍ୟୁ ବା ମୁମୂର୍ଷୁ ବେଳା ପହୁଁଚି ଯାଇଥାଏ । ଅତଃପର ଜନରବର ଲକ୍ଷ୍ୟ ହୋଇଥିବା ବ୍ୟକ୍ତି ଓ ତାଙ୍କର ପରିବାର ବା ସାଙ୍ଗୋପାଙ୍ଗମାନେ ଏହା ଶ୍ରବଣ କରି ବେଶ୍‌ ଗୋଟାଏ ହର୍ଷାମୋଦ ଅନୁଭବ କରନ୍ତି ଏବଂ ଜନରବଟି ମାରାତ୍ମକ ହୋଇଥିଲେ, ଗୋଟାଏ ବଡ଼ ରିଷ୍ଟ ଏତଦ୍ଦ୍ୱାରା କଟିଗଲା ବୋଲି ଆଶ୍ଵାସନା ଲାଭ କରନ୍ତି ।

 

ପ୍ରକାଶ ଥାଉକି, ପ୍ରତ୍ୟେକ ରାଜଧାନୀ ସଙ୍ଗେ ଜନରବଗୁଡ଼ିକର ଆତ୍ମା ଅତି ପ୍ରାଚୀନ କାଳରୁ ଘନିଷ୍ଠ ଭାବେ ଜଡ଼ିତ । ଏଠାରେ ଗୁଜବକର୍ତ୍ତା ଓ ଗୁଜବ ଶ୍ରୋତାଙ୍କ ମଧ୍ୟରେ ଗଭୀର ଆନ୍ତରିକ ଯୋଗାଯୋଗ ଥାଏ–ସୁଲେଖକ ଓ ସୁପାଠକ ମଧ୍ୟରେ ହୃଦୟ ସଂଯୋଗ ଭଳି । ଜନରବ ସୃଷ୍ଟି ଲାଗି ଅନୁକୂଳ ପରିବେଶ ଆମ ରାଜଧାନୀ ଛଡ଼ା ଆଉ କେଉଁଠି ନାହିଁ । ସ୍ଵଳ୍ପ ଶ୍ରମ, ସ୍ଵଳ୍ପ ଦାୟିତ୍ଵ ଓ ବିନା ଉଦବେଗରେ ପ୍ରତି ମାସରେ ନିର୍ଦ୍ଦିଷ୍ଟ ଓ ନିଶ୍ଚିନ୍ତ ଭାବେ ରାଜକୋଷରୁ କିଛି ଅର୍ଥାର୍ଜନ କରିବାର ସୌଭାଗ୍ୟ କେବଳ ଆମ ରାଜଧାନୀବାସୀଙ୍କର ହିଁ ଥାଏ । ଆମେ ରାଜଧାନୀବାସୀ ଅଳ୍ପ ବହୁତ ଶିକ୍ଷାଗତ ଯୋଗ୍ୟତା ସମସ୍ତେ ଅର୍ଜନ କରିଛୁ ଏବଂ ଅଳ୍ପେ ବହୁତେ ଆମ ସମସ୍ତଙ୍କର ବୁଦ୍ଧିବୃତ୍ତି କ୍ରିୟାଶୀଳ ଓ ସତର୍କ, ଆତ୍ମରକ୍ଷଣ ଓ ପରମାରଣକ୍ଷମ, ଅପର ମୁଣ୍ଡରେ ଅଠା ବୋଳିବାରେ ନିପୁଣ ଓ ଆପଣା କାନ୍ଧରୁ ଦାୟିତ୍ଵ ଖସାଇ ଦେବାରେ ପାରଙ୍ଗମ ଅଟେ । ଆମ୍ଭେମାନେ ଏଠାରେ କାରାଗାର ମଧ୍ୟରେ ସଂସ୍କୃତିର ଶିଶୁକୁ ଜନ୍ମ କରାଉ ଏବଂ ଆମ ଅଲକ୍ଷ୍ୟରେ ତାହା ଆମ ଘେରରୁ ଖସିଯାଇ ଦୂରବର୍ତ୍ତୀ ଗାଁ ଗହଳ ବା ଜନପଦାଦିରେ ପାଳିତ, ବର୍ଦ୍ଧିତ ଓ ବିକାଶପ୍ରାପ୍ତ ହୁଏ–ଠିକ୍‌ ଯେମିତି ମଥୁରାରେ ଜନ୍ମ ହୋଇ ଶ୍ରୀକୃଷ୍ଣ ଗୋପରେ ବଢ଼ିଥିଲେ । ଆମ୍ଭମାନଙ୍କର ମନ ଓ ହୃଦୟ ନାନାଦି ଶିକ୍ଷାରେ ସୁଶିକ୍ଷିତ ସତ୍ୟ–ମାତ୍ର ଏତେ ସହଜରେ ତାହା ସଂସ୍କୃତିସମ୍ପନ୍ନ ବା ସୁମାର୍ଜିତ ହୁଏନାହିଁ । ଆମ ରାଜଧାନୀଆଙ୍କର ଲୋକାଚାର, ବ୍ୟବହାର କୁଶଳତା, ବାକ୍‌ଭଙ୍ଗୀ ଓ ଆଦବ୍‌କାଏଦାଦି ଆପାତତଃ ଯେତେ ଚଟୁଳ ଓ ମାର୍ଜିତ ମନେହେଲେ ବି ଆମ ଭିତରୁ ଅଧିକାଂଶ ଅନ୍ତଃକରଣରେ ଅତ୍ୟନ୍ତ ଅମାର୍ଜିତ ଓ ଅଶାଳୀନ ରହିଥାନ୍ତି–ରହିବାକୁ ସୁଖ ମଧ୍ୟ ପାନ୍ତି । ଆମ ରାଜଧାନୀରେ ବହୁ ସାହିତ୍ୟ ସଭା ହୁଏ–ବହୁ ଧର୍ମ ସଂଘ ବସେ–ବହୁ ନୃତ୍ୟଗୀତ ନାଟକର ଆସର ଜମେ; ମାତ୍ର ବହୁ ରାଜଧାନୀଆ ଏ ସବୁଥିରେ ଯୋଗ ନ ଦେଇ ତାସ୍‌ ଖେଳନ୍ତି କ୍ଲବରେ ମାତାମାତି, ହାତାହାତି ଅବା ଗଡ଼ାଗଡ଼ି କରନ୍ତି–ନତୁବା ଜନରବ ସୃଷ୍ଟି କରିବାରେ ଲାଗିପଡ଼ନ୍ତି–ଅଥବା ଜନରବ ଶୁଣିବା ଲାଗି ହାଟ ବଜାର, ବସ୍‌ଷ୍ଟାଣ୍ଡ, ଷ୍ଟେସନ୍‌ ବା ବିଭିନ୍ନ ଗଳି ଉପଗଳିରେ ଭେଳା ଭେଳା ହୋଇ ଉତ୍କର୍ଣ୍ଣ ରହୁଥାନ୍ତି । ବହୁ ରାଜଧାନୀବାଲାଙ୍କର ଶୟନେ, ସ୍ଵପନେ ଜାଗରଣେ ଏକମାତ୍ର ଚିନ୍ତାର ବିଷୟ ହେଲା ଉପସ୍ଥିତ ସରକାରଟି ରହିବ କି ନାହିଁ–କିମ୍ବା କାହିଁକି, କିପରି, ଏତେ ଦିନ ରହିଲାଣି–ଚଞ୍ଚଳ ଭାଙ୍ଗୁନାହିଁ କାହିଁକି ? ଏମାନଙ୍କ ଅବଚେତନରେ ଗୋଟିଏ କୁଟୈଷା ବାରମ୍ବାର ଚେଇଁଉଠେ–ରାଜ୍ୟଟିକୁ କେବଳ ଆମରି ହାତରେ ଯଦି ଛାଡ଼ି ଦିଆଯାନ୍ତା ! କେହି ଏ ରାଜ୍ୟରେ ରାଜା ବା ମନ୍ତ୍ରୀ ନ ରହନ୍ତେ କି ! ରାଜତନ୍ତ୍ର ମଶାଣିକୁ ଯାଉ–ଗଣତନ୍ତ୍ର ଯାଉ ନରକକୁ–ମାତ୍ର ଆମ ଅମଲାତନ୍ତ୍ରଟି ଯେମିତି ରହୁ ଚିରଂଜୀବୀ ହୋଇ ନିରଙ୍କୁଶ ହୋଇ–ଏଭଳି ଚିନ୍ତା ଆମ ରାଜଧାନୀର ବହୁ ସରକାରୀ କର୍ମଚାରୀଙ୍କୁ ଘାରିଥାଏ । ରାଜ୍ୟ ଯେତେ ପରିମାଣରେ ଅରାଜକ ହେବ–ଯେତିକି ବିଶୃଙ୍ଖଳ ହେବ–ରାଜକର୍ମଚାରୀତନ୍ତ୍ରର ସୌଭାଗ୍ୟ ସେତିକି ସେତିକି ଉଜ୍ଜ୍ୱଳ ହେବ ବୋଲି ଏକ ପ୍ରହେଳିକା ବହୁ ରାଜଧାନୀବାସୀ କର୍ମଚାରୀଙ୍କ ମନରେ ବସା ବାନ୍ଧିଥାଏ । ଏହିଭଳି କର୍ମଚାରୀମାନଙ୍କର କୌଣସି ରାଜା ପ୍ରିୟ ନୁହନ୍ତି–କୌଣସି ମନ୍ତ୍ରୀ ଆସ୍ଥାଭାଜନ ନୁହନ୍ତି । ଏମାନେ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ, ଅର୍ଥନୈତିକ ବା ଆଧ୍ୟତ୍ମ ଆଦର୍ଶବାଦରେ ବିଶ୍ୱାସ କରନ୍ତି ନାହିଁ । ଏମାନେ କୌଣସି ଉଚ୍ଚତର ଅନୁଭୂତି ବା ଉପଲବ୍‍ଧିଦ୍ୱାରା ଆହ୍ଲାଦିତ ହେବାକୁ ଆଶାୟୀ ନୁହନ୍ତି–କେବଳ ରାଜକୀୟ ଷଡ଼ଯନ୍ତ୍ରଜନିତ ଉତ୍ତେଜନାହିଁ ଏମାନଙ୍କର ଜୀବନକୁ ବଞ୍ଚିବାର ଉନ୍ମାଦନା ଦେଇଥାଏ । ରାଜନୈତିକ ଅସ୍ଥିରତା, ରାଜନୈତିକ ହତ୍ୟା, ରାଜନୈତିକ ହଟ୍ଟଗୋଳ ଏବଂ ପ୍ରଜାମାନଙ୍କ ମଧ୍ୟରେ ହରଣ ଅପହରଣର ବୃତ୍ତାନ୍ତ, ଡକାୟତି, ରାହାଜାନୀ ଓ ପାଶବିକ ଅତ୍ୟାଚାରାଦିର ଅପଘଟଣାଗୁଡ଼ିକର ବିସମ୍ବାଦମାନ ଏମାନଙ୍କ ଚିତ୍ତକୁ ନିତି ପ୍ରତି ଉଲ୍ଲାସ ହୁଲ୍ଲାସରେ ସତେଜ କରି ରଖେ ।

 

ଅଧିକାଂଶ ରାଜଧାନୀବାସୀଙ୍କର ପଠିତବ୍ୟ ବିଷୟ ହେଲା–ଏକମାତ୍ର ସମ୍ବାଦପତ୍ର । ସକାଳୁ ଉଠିବା ମାତ୍ରେ ଏମାନେ ପ୍ରଥମେ ଆଗ ସମ୍ବାଦପତ୍ରକୁ କୁଣ୍ଢାଇ ଧରନ୍ତି । କେହି କେହି ସେହି ସମ୍ବାଦପତ୍ରକୁ ଧରି ପାଇଖାନା ମଧ୍ୟ ଯାନ୍ତି । କହିବା ବାହୁଲ୍ୟ ଏହି ସମ୍ବାଦପତ୍ରହିଁ ରାଜଧାନୀମାନଙ୍କର ବହୁ ଅପଦାନ ଭିତରୁ ସର୍ବାଧମ ଅପଦାନ । ଜନରବ ସୃଷ୍ଟି କରିବାରେ ଓ ସଂଚାର କରିବାରେ ସମ୍ବାଦପତ୍ରର ଭୂମିକା ଅତୁଳନୀୟ ଓ ଅବିସମ୍ବାଦି । ଅବିସମ୍ବାଦିକମାନେ ଜନରବ ସୃଷ୍ଟି କରିବାରେ ଯେଉଁ କ୍ରିୟାତ୍ମକ ବାକ୍ୟାଂଶମାନ ବ୍ୟବହାର କରନ୍ତି–ସେଗୁଡ଼ିକ ବଡ଼ କୌତୁକକର ହାସ୍ୟୋଦ୍ଦୀପକ । ‘‘ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ–ଜନୈକ ମୁଖପାତ୍ରଙ୍କଠାରୁ ପ୍ରକାଶ ଯେ କୁହାକୋହି ହେବାର ଶୁଣାଯାଉଛି କି–ଯାହା ଦେଖାଯାଉଛି ବା ଶୁଣାଯାଉଛି–ଚାଞ୍ଚଲ୍ୟ ଖେଳି ଯାଇଛି–ଅସନ୍ତୋଷ ପ୍ରକାଶ ପାଇଛି ଜନରବ ଯେ–ଆମର ସ୍ୱତନ୍ତ୍ର ସମ୍ବାଦଦାତା ଜାଣିବାକୁ ପାଇଛନ୍ତି କି–ଅନୁସନ୍ଧାନରୁ ଅନୁମାନ କରାଯାଉଛି କି–ଆଶ୍ଚର୍ଯ୍ୟ ହେବାର କଥା ଯେ–ପଚାରିବାରୁ ଜଣାପଡ଼ିଲା କି......ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ–ଇତ୍ୟାଦି ।’’ ଏହି ସବୁ ବାକ୍ୟାଂଶମାନ ଅପାତତଃ ଅନିର୍ଦ୍ଦିଷ୍ଟ ଓ କୌଶଳକ୍ରମେ ଦାୟିତ୍ୱ ନ ନେବାର ଚକ୍ରାନ୍ତରେ ଧୂରୀଣ, ମାତ୍ର ସବୁ ଜନରବର ବୀଜ ଏହି ବାକ୍ୟାଂଶମାନଙ୍କ ଭିତରେ ରହି ବର୍ଦ୍ଧିତ ଓ ସଂଚାରିତ ହୁଏ ।

 

ଅଥଚ ବହୁ ରାଜଧାନୀବାସୀ ଏହି ସମ୍ବାଦପତ୍ରକୁ ବେଦବାକ୍ୟ ବୋଲି ମନେକରନ୍ତି । ପୁଣି ବିଶେଷ କରି କୌଣସି ଉପସ୍ଥିତ ସରକାରୀ ବିରୋଧୀ ସମ୍ବାଦପତ୍ରଗୁଡ଼ିକୁ ଗୁରୁମନ୍ତ୍ର ଭଳି ବିଶ୍ୱାସ କରିଥାନ୍ତି । କୌତୁକର କଥା ହେଉଛି–ରାଜଧାନୀର ବହୁ ପଦସ୍ଥ କର୍ମଚାରୀ ମଧ୍ୟ–କୁତ୍ସାରଟନକାରୀ କ୍ଷୁଦ୍ର କ୍ଷୁଦ୍ର ଗୁପ୍ତ ସମ୍ବାଦପତ୍ର କିଣି ପଢ଼ିବାରେ ବାତୁଳବତ୍‍ ହୋଇଥାନ୍ତି, ଅଥଚ ସେମାନଙ୍କ ଘରେ ଉଚ୍ଚକୋଟୀର ସାହିତ୍ୟ, ସଂସ୍କୃତି, ଧର୍ମମୂଳକ ପତ୍ରିକାଟିଏ ଦେଖିବାକୁ ମିଳେନାହିଁ-

 

ବହୁ ସଂଖ୍ୟକ ରାଜଧାନୀଆ ଧର୍ମ ବା ସାହିତ୍ୟାଦି ସଭା ସମିତିର ପାଖ ମାଡ଼ନ୍ତି ନାହିଁ, କିନ୍ତୁ ରାଜନୈତିକ ସଭା ସମିତିକୁ ତଥା ହଣାକଟା ଲଙ୍ଗଳା ଲଙ୍ଗୁଳୀଙ୍କ ଛବି ଦେଖିବାକୁ ପାଗଳ ଭଳି ଛୁଟନ୍ତି । ଏହି ରାଜନୈତିକ ସଭାମାନ ସର୍ବଦା ହାଟ ପାଖରେ ହୋଇଥାଏ । କିଏ ବକ୍ତୃତା ଦେଉଛି ବା କେଉଁଦଳ ବକ୍ତୃତା ଦେଉଛି ସେଥିରେ କିଛି ବାଛ ବିଚାର ନ ଥାଏ । ଏମାନେ ଯାନ୍ତି କୋଉ ନେତା ତା’ ବିପକ୍ଷ ନେତାଟିର ବା ନେତାମାନଙ୍କର କି ପ୍ରକାର କୁତ୍ସାବାଦ କରୁଛି, ତାହା ମନପ୍ରାଣ ଦେଇ ଶୁଣି ଆହ୍ଲାଦ ଲାଭ କରିବାକୁ । ଏମାନଙ୍କ ଅବଚେତନ ମନର ଗୁପ୍ତ ଅଭିଳାଷ ହେଲା–ହାଟ ପାଖରେ ବିଚ୍‍ବଜାର ଉପରେ ସବୁ ନେତାମାନଙ୍କର ଚରିତ୍ର ସଂହାର ହେଉ ଏବଂ ସବୁ ନେତା ଏଇଠି ଆମ ଆଖି ଆଗରେ ନୈତିକ ମୃତ୍ୟୁବରଣ କରି ଟଳି ପଡ଼ନ୍ତୁ ଓ ଦେଶ ନେତାଶୂନ୍ୟ ହୋଇଯାଉ । ଦେଶର ସବୁ ଭାବମୂର୍ତ୍ତି ଭାଙ୍ଗିଯାଉ ।

 

ରାଜଧାନୀରେ ଯେ ଜନରବ-ବିରୋଧୀ ବ୍ୟକ୍ତି ନ ଥାନ୍ତି–ବା ରାଜଧାନୀର ଆଉ କୌଣସି ଉନ୍ନତ ବିଶେଷତ୍ୱ ସବୁ ନାହିଁ–ସେ କଥା ଆମେ କହୁନାହୁଁ, ମାତ୍ର ଜନରବ ବା ଗୁଜବ କାହିଁକି ଯେ ରାଜଧାନୀରେ ସର୍ବଦା ସୃଷ୍ଟି ହୁଏ ଓ ରାଜଧାନୀୟ ମାନସ କିପରି ଜନରବ ସୃଷ୍ଟିରେ ସାହାଯ୍ୟ କରେ, ତାହାହିଁ ଦେଖାଇବା ଲାଗି ଏତେ କଥା କୁହାଗଲା ଏବଂ ଏହା କେବଳ ଆଜିର କଥା ନୁହେଁ, ପୌରାଣିକ କାଳରୁ ମଧ୍ୟ ରାଜଧାନୀମାନଙ୍କର ଜନରବ-ସୃଷ୍ଟି-ପରମ୍ପରା ରହି ଆସିଅଛି । ରାମରାଜ୍ୟରେ ବି ରାଜଧାନୀ ଅଯୋଧ୍ୟାରେ ସତୀ ସୀତାଙ୍କର ଶୁଦ୍ଧ ସୁବର୍ଣ୍ଣ ଚରିତ୍ରକୁ ନେଇ ଯେଉଁ ଉତ୍କଟ ଜନରବ ସୃଷ୍ଟି ହୋଇଥିଲା–ତାହାର ପରିଣାମ କି ଶୋଚନୀୟ ହୋଇଥିଲା, ତାହା ସମସ୍ତେ ଜାଣନ୍ତି । ଭରତ ମାମୁଁ ଘରେ ଥିଲାବେଳେ, ଏତେ ତରବର ହୋଇ ଦଶରଥ କାହିଁକି ରାମଙ୍କୁ ରାଜା କରୁଛନ୍ତି–ତାକୁ ନେଇ ମଧ୍ୟ ଅଯୋଧ୍ୟାରେ ଗୋଟିଏ ମୃଦୁ ଅଥଚ ଶକ୍ତିଶାଳୀ ଜନରବ ରାତାରାତି ବ୍ୟାପି ଯାଇଥିଲା । ମନ୍ଥରା ସେହି ଜନରବରୁ ହିଁ ଖୋରାକ ପାଇଥିଲା ।

 

ଗୁଜବ ବା ଜନରବ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ସମ୍ବନ୍ଧେ ଆଲୋଚନା କରାଯାଇ ପାରେ, ଯେହେତୁ ଜନରବ ତା’ର ସ୍ୱରୂପରେ ବହୁବିଧ ଓ ବହୁ ଘଟଣାଶ୍ରୟୀ । ସେ ଦୃଷ୍ଟିରୁ ବିଭିନ୍ନ ଜନରବର ସ୍ରଷ୍ଟାମାନଙ୍କ ଚରିତ୍ର ଓ ମାନସିକ ଗଠନ ମଧ୍ୟ ନାନାବିଧ, କିନ୍ତୁ ସବୁପ୍ରକାର ଗୁଜବକାରୀଙ୍କର ଗୋଟାଏ ସାଧାରଣ ମନସ୍ତତ୍ତ୍ଵ ହେଉଛି–ସେମାନେ ନୀଚାଶ୍ରୟୀ, ନୀଚମନା, ବିକୃତ ସ୍ଵଭାବ, ଉତ୍କଟ ହିଂସା, ଈର୍ଷାଦିରେ ଜର୍ଜରିତ ଓ ବିଫଳମନା ବ୍ୟକ୍ତି । ଏମାନେ ପ୍ରାୟଶଃ ଦୁର୍ଭାଗା ଏବଂ ଜୀବନରେ କୌଣସି ଶୁଭ ପ୍ରଚେଷ୍ଟା କରି ନ ଥାନ୍ତି–ବା ସବୁ ପ୍ରଚେଷ୍ଟାରେ ବିଫଳ ହୋଇଥାନ୍ତି ।

 

ଏକ ଶ୍ରେଣୀର ଜନରବ-ସ୍ରଷ୍ଟା ଅଛନ୍ତି, ଯେଉଁମାନଙ୍କୁ ନିଷ୍କାମ ଜନରବକାରୀ କୁହାଯାଇ ପାରେ । ଦେଶର ମଙ୍ଗଳ ଲାଗି ଅମୁକ ମୁଖ୍ୟମନ୍ତ୍ରୀ ହେଇ ରହନ୍ତୁ କି ସମୁକ ମୁଖ୍ୟମନ୍ତ୍ରୀ ପଦରୁ ଯାନ୍ତୁ–ରାମବାବୁଙ୍କ ଝିଅ ମଧୁବାବୁଙ୍କ ପୁଅକୁ ବାହା ହେଉ–ବା ସାଧୁବାବୁଙ୍କ ପୁଅକୁ ବାହା ହେଉ–ଏପରି କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏମାନଙ୍କର ନ ଥାଏ । ଏମାନେ କେବଳ ବାହାଘରଟି ଭାଙ୍ଗି ଦେବାଲାଗି ଝିଅ ବା ପୁଅ ନାମରେ ଗୋଟିଏ ମିଥ୍ୟା ଗୁଜବ ସୃଷ୍ଟି କରିଦେଇ ନିଶ୍ଚିନ୍ତ । ମନ୍ତ୍ରୀମଣ୍ଡଳଟି ଭାଙ୍ଗିଗଲେ ନିଶ୍ଚିନ୍ତ । ଏ ପ୍ରକାର ଭଙ୍ଗାଭଙ୍ଗି ଘଟଣାରେ ବା କଳ୍ପନାରେ ସେମାନଙ୍କୁ ଗୋଟିଏ ପ୍ରକାର ପୈଶାଚିକ କୌତୁକାନନ୍ଦ ମିଳେ । ଏବଂବିଧ ବିକୃତମନା ଜଣେ ଗୁଜବକାରୀର ଏଇ କୌତୁକାନନ୍ଦ ଲାଗି କେତେ ବ୍ୟକ୍ତିଙ୍କର ଜୀବନ ଛାରଖାର ହୋଇଯାଏ–କେତେ ପରିବାର ଉପରେ କରାଳ ଝଡ଼ଝଞ୍ଜା ବହିଯାଏ–କେତେ ରାଜ୍ୟର ସରକାର ଭୁଷୁଡ଼ି ପଡ଼େ ବା ବହୁକାଳ ଅନିଶ୍ଚିତ ସ୍ନାୟୁ-ପୀଡ଼ାରେ ରାଜ୍ୟ ହନ୍ତସନ୍ତ ହୁଏ, ତା’ର ଇୟତ୍ତା ନାହିଁ । ଏହି ଗୁଜବକାରୀମାନେ ସାଧାରଣତଃ ବାହାଘର ବା ନିର୍ବାଚନ ପୂର୍ବରୁ ସକ୍ରିୟ ହୋଇ ଉଠନ୍ତି । ହାତଗଣ୍ଠି ପଡ଼ିଗଲେ ବା ମନ୍ତ୍ରୀମଣ୍ଡଳ ଗଢ଼ା ହୋଇଗଲେ ଏମାନେ ନୀରବ ହୋଇଯାନ୍ତି । ଏମାନେ ଆକୃତିରେ ନାତିଖର୍ବ–ବକ୍ରଭୁରୁ–ସ୍ଵଳ୍ପକେଶ ବିଶିଷ୍ଟ ଅଟନ୍ତି । ଏମାନେ ପ୍ରାୟଶଃ ଧୂମପାୟୀ ଓ ମଦ୍ୟପ୍ରିୟ ଏବଂ ରଙ୍ଗ ରହସ୍ୟାଦି କରିବାରେ ନିପୁଣ ଅଟନ୍ତି । ଏମାନଙ୍କର ଦୁଇ ହନୁହାଡ଼ ସାମାନ୍ୟ ଉଚ୍ଚ ଦେଖାଯାଏ ଏବଂ ବହୁ ବ୍ୟକ୍ତି ଓ ଘଟଣାର ତାଲିକା ଏମାନଙ୍କ ବେକରେ ଝୁଲୁଥାଏ । ଏମାନେ ଚଞ୍ଚଳଗତି ଓ ଗୋଟିଏ ଜାଗାରେ ସ୍ଥିର ହୋଇ ବସି ପାରନ୍ତି ନାହିଁ ।

 

ଆଉ ଏକ ଶ୍ରେଣୀର ଗୁଜବ ରଚନାକାରୀ ଅଛନ୍ତି, ଯେଉଁମାନେ ଚାହାନ୍ତି ସବୁ କିଛି ଭାଙ୍ଗିଯାଉ–ସବୁ କିଛି ନଷ୍ଟ ହୋଇଯାଉ–ସବୁ ପ୍ରଚେଷ୍ଟା ବିଫଳ ହେଇଯାଉ । ଆଉକିଛି ଗଢ଼ା ନ ହେଉ–ସବୁଙ୍କର ସବୁରି ଉପରୁ ଆସ୍ଥା ତୁଟିଯାଉ–ଭରସା ତୁଟିଯାଉ–ମଣିଷ ଭିତରୁ ମୌଳିକ ବିଶ୍ଵାସଟି ନଷ୍ଟ ହୋଇଯାଉ । ଅନ୍ୟ ଭାବେ କହିଲେ–ସେମାନେ ଅନ୍ତରରେ ଚାହାନ୍ତି–ସବୁରି ଢିଅରେ ବିଲୁଆ ଡେଉଁ–ସବୁ କ୍ଷେତ୍ର ନିର୍ଜଳା ଆଉ ନିଷ୍ଫଳା ହୋଇଯାଉ ସବୁ ବୀରଙ୍କର ତେଜ ମ୍ଳାନ ପଡ଼ିଯାଉ–ସବୁ ସୁକଣ୍ଠୀଙ୍କର ତଣ୍ଟି ପଡ଼ିଯାଉ–ସବୁ ଦେଉଳରୁ ଠାକୁର ଅପହୃତ ହୋଇଯାନ୍ତୁ–ସବୁକିଛି ହତଶିରୀ ହୋଇଉଠୁ । ଏହି ପିଶାଚମାନେ ବାହାଘର ବା ନିର୍ବାଚନ ପୂର୍ବରୁ–ସରକାର ଗଢ଼ାହେବା ପୂର୍ବରୁ–ବା ବନ୍ଧ ପୋଲ ମନ୍ଦିର କେନାଲାଦି ନିର୍ମାଣ ହେବା ପୂର୍ବରୁ ଚେଇଁ ଚେଇଁ ଶୋଇଥାନ୍ତି, ମାତ୍ର ଯେମିତି ବାହାଘରର ଶୁଭଶଙ୍ଖ ବାଜିଉଠେ–ଢୋଲ ମହୁରୀ ବାଜିଉଠେ–ପୁରୋହିତ ‘ଯଥା ରାବଣସ୍ୟ ମନ୍ଦୋଦରୀ’ ଆରମ୍ଭ କରିଦିଅନ୍ତି, ଏମାନେ ଜାଗି ଉଠନ୍ତି–ଯେମିତି ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳ ଗଢ଼ା ହୋଇଯାଏ, ସେଇଠୁ ସେମାନେ ସକ୍ରିୟ ହୋଇ ଉଠନ୍ତି । ସବୁକିଛି ଭାଙ୍ଗି ନଗଲେ ଏମାନଙ୍କୁ ସୁନିଦ୍ରା ହୁଏନା ଯେ ! ଏମାନଙ୍କ ଆକୃତି ନାତିଦୀର୍ଘ–ସାମାନ୍ୟ ବକ୍ର ମେରୁଦଣ୍ଡ–ଦୀର୍ଘ ଓ ଅସମାନ ଦନ୍ତପନ୍ତି–ଏମାନେ ଚାଲିଲାବେଳେ ମଧ୍ୟେ ମଧ୍ୟେ ଗୋଡ଼ର ଗଣ୍ଠି ହାଡ଼ମାନ ଶବ୍ଦକରେ–ଏକୁଟିଆ ଚାଲୁଥିବାବେଳେ ଏମାନେ ମଧ୍ୟେ ମଧ୍ୟେ ମନକୁମନ କ’ଣ ବିଡ଼ିବିଡ଼ି ହୋଇ ଗପୁଥାନ୍ତି–ଶକୁନୀ ଦୃଷ୍ଟିପରି ଏମାନଙ୍କ ଆଖି ସର୍ବଦା ଈର୍ଷାକାତର, ଧୂମାଭ ଓ କୋଟରଗତ, ଏମାନେ ପ୍ରଚୁର ଧୂମପାୟୀ । ଏମାନେ ସର୍ବଦା ସ୍ତ୍ରୀ ସଂସର୍ଗ ଲାଗି ଲାଳସାତୁର ମାତ୍ର ପ୍ରେମହୀନ ଅଟନ୍ତି । ଏମାନେ ନିଜ ଭିତରେ ସର୍ବଦା ଏକାକୀ । ବହୁ ପୁସ୍ତକ ପଢ଼ନ୍ତି–ମାତ୍ର ଲେଖକଙ୍କୁ ସହ୍ୟ କରି ପାରନ୍ତି ନାହିଁ ।

 

ଆଉ ଶ୍ରେଶୀଏ ଗୁଜବ ରଟନାକାରୀ ଅଛନ୍ତି ଯେଉଁମାନେ ସରକାରୀ କାର୍ଯ୍ୟରୁ ଯଥା ସମୟରେ ବା ଯଥା ସମୟ ପୂର୍ବରୁ ଅବସର ଗ୍ରହଣ କରିଛନ୍ତି । ଏମାନଙ୍କର ଯେ କୌଣସି ସରକାର ପ୍ରତି ଘୋର ବିତୃଷ୍ଣା ଜାତ ହୁଏ । ଏମାନେ କର୍ମଚାରୀ ଥିଲାବେଳେ ସମସ୍ତଙ୍କୁ ଭୟକରି ଚଳୁଥାନ୍ତି–ଏବଂ ଆପଣା ସ୍ୱାର୍ଥ ସିଦ୍ଧି ଲାଗି ଯାବତୀୟ ଅନ୍ୟାୟ ପନ୍ଥା ଅବଲମ୍ବନ କରିଥାନ୍ତି । ସାଂସାରିକ ବହୁ ସିଦ୍ଧି ସରକାରୀକଳ ଆଶ୍ରୟରେ ଏମାନେ ଅର୍ଜନ କରି ସାରିଛନ୍ତି । ତଥାପି ଏମାନଙ୍କ ଅନ୍ତର ଭିତରେ ସରକାର ପ୍ରତି ଘୋର ଜିଙ୍ଘାସାର ଅଗ୍ନି ଜଳୁଥାଏ । ଏମାନେ ଭାବନ୍ତି–ଯମ ନ ନେବା ପର୍ଯ୍ୟନ୍ତ ସରକାର ସେମାନଙ୍କୁ ଅବସର ଦେବା ଉଚିତ ହେଲାନାହିଁ । ଏମାନେ ଚାକିରି ଆରମ୍ଭ କଲା ଦିନୁଁ ଯେତୋଟି ସରକାରକୁ ସେବା କରିଛନ୍ତି–ସମସ୍ତଙ୍କ ପ୍ରତି ବିରକ୍ତ ହେଉଥିଲେ । ମାତ୍ର ଅବସର ଗ୍ରହଣ ପରେ ଉପସ୍ଥିତ ସରକାରଙ୍କ ପ୍ରତି ତାଙ୍କର ସମସ୍ତ ପୁଞ୍ଜିଭୂତ କ୍ରୋଧ ଓ ଘୃଣା ହୁ ହୁ କରି ଜଳିଉଠେ । ଉପସ୍ଥିତ ସରକାରଙ୍କ ସମସ୍ତ କାର୍ଯ୍ୟ ଓ ଯୋଜନାର ମନ୍ଦ ଦିଗଟି ଦେଖାଇବାରେ ସେମାନେ ତତ୍ପର ହୋଇ ପଡ଼ନ୍ତି–ଏବଂ ଆଶ୍ଚର୍ଯ୍ୟ କଥା, ଆଗେ ସେମାନେ ଯେଉଁ ସବୁ ପୁରାତନ ନେତାମାନଙ୍କୁ ଘୃଣା କରୁଥିଲେ–ସେମାନଙ୍କୁ ପ୍ରଶଂସା କରି ବସନ୍ତି । ଏମାନଙ୍କ ଚେହେରାରେ ବାର୍ଦ୍ଧକ୍ୟ ଓ ବିମର୍ଷତା ଛଡ଼ା ଆଉକିଛି ବିଶେଷତ୍ୱ ଦେଖାଯାଏ ନାହିଁ । ଏମାନେ ପ୍ରାୟଶଃ ଦନ୍ତହୀନ ଓ ବାୟୁ ରୋଗରେ ଆକ୍ରାନ୍ତ ଥାନ୍ତି । କେହି କେହି ନିମ୍ନ ରକ୍ତଚାପଦ୍ୱାରା ଆକ୍ରାନ୍ତ ହୁଅନ୍ତି । କେହି କେହି ନକଲି ଦାନ୍ତ ଲଗାଇଥାନ୍ତି ଓ ଶୁକ୍ଳକେଶରେ ରଙ୍ଗ ଲଗାଇ କଳା କରିଥାନ୍ତି ।

 

ଆଉ ଦଳେ ଜନରବ ସ୍ରଷ୍ଟା ଅଛନ୍ତି– ଯେଉଁମାନଙ୍କ ସ୍ୱଭାବ ହେଲା– ସେମାନେ ନିଜେ ନିଜର ଅବଚେତନାରେ ଘୋର ଏକ ଅହେତୁକୀ ଭୟରେ ସର୍ବଦା କୁଙ୍କୁରୀକାଙ୍କେରୀ ହୋଇ ରହନ୍ତି-। ଏମାନଙ୍କ ଚିତ୍ତ ସର୍ବଦା ଆଶଙ୍କାତ୍ରସ୍ତ ଓ ଆତଙ୍କଗ୍ରସ୍ତ– ଏ ବନ୍ଧଟା ଆସନ୍ତା ବଢ଼ିରେ ସମଳା ପଡ଼ିବ ନାହିଁ– ଏ କେନାଲକୁ ନଈରୁ ବାଲି ମାଡ଼ି ଆସି ପୋତି ପକାଇବ–ଏ ମନ୍ଦିର ଭୁଷୁଡ଼ି ପଡ଼ିବ– ଏ ବେଦୀରୁ ବର ଉଠିଯିବ–ଏ କୋଠାରେ ବଜ୍ର ପଡ଼ିଯିବ–ଏ ବୁଦ୍ଧିଆ ପିଲାଟି ବେଶି ଦିନ ବଞ୍ଚିଲାଭଳି ଲାଗୁନାହିଁ– ବଡ଼ ଦେଉଳର ନୀଳଚକ୍ର ଉପରେ ଶାଗୁଣା ବସିଲାଣି, କେଜାଣି କି ଉତ୍ପାତ ଘଟିଯିବ–ଏ ଗାଁରେ ସମସ୍ତେ କାଲି ହଣାହଣି ହୋଇ ମରିବେ–ଏ ରାଜା ସର୍ପ ଦଂଶନରେ ଯିବେ–ଏ ବ୍ୟାଘ୍ର ପାଳକକୁ ଦିନେ ବାଘ ଖାଇ ଯିବ–ଏ ଯୁଗ ଧ୍ୱଂସ ବେଳ ପହୁଁଚିଗଲା–ଅଧରାତିରେ ଭୈରବୀ ଡାକ ଶୁଭିଲାଣି–ଏ ଅମରମତ୍ତା ଟୋକାମାନେ ଯଦୁବଂଶ ଧ୍ୱଂସ ହେଲା ଭଳି ନାଶ ପାଇଯିବେ–ଏ ମନ୍ତ୍ରୀମଣ୍ଡଳ ଭାଙ୍ଗିଯିବ–ଏ ଉଦୀୟମାନ ସୂର୍ଯ୍ୟକୁ ସେହି ପୂର୍ବଦିଗରେଇ କେତୁ ମାଡ଼ିବସି ଗିଳି ଦେବ–ଇତ୍ୟାଦି ଇତ୍ୟାଦି । ଗୁଜବ ସାହିତ୍ୟରେ ଏମାନଙ୍କୁ ଆତଙ୍କବାଦୀ କୁହାଯାଇପାରେ । ଏମାନେ ନିଜ ଅବଚେତନରୁ ଉତ୍‍ଥିତ ଘୋର ଭୟ ଏବଂ ନୈରାଶ୍ୟବାଦଦ୍ୱାରା ଆକ୍ରାନ୍ତ ହୋଇ, ଉତ୍‍ପୀଡ଼ିତ ହୋଇ ସମାଜରେ ଗୋଟିଏ ଆତଙ୍କବାଦୀ ଗୁଜବ ପ୍ରଚାର କରିଦେଇ–ସମସ୍ତଙ୍କୁ ଆତଙ୍କିତ କରିଦେବାଦ୍ୱାରା ଗୋଟିଏ ପ୍ରକାର ଗୁପ୍ତ ଆନନ୍ଦ ବା ସ୍ୱସ୍ତି ଅନୁଭବ କରନ୍ତି । ଏମାନେ ବୁଢ଼ାରଜା ମରିବା ଦିନଠାରୁ ଯୁବରାଜ ସିଂହାସନ ଆରୋହଣ କଲା ପର୍ଯ୍ୟନ୍ତ ଓ ତା’ପରେ କିଛିକାଳ ଯାଏ ଖୁବ୍‍ ସକ୍ରିୟ ଓ ଉଦ୍ୟମଶୀଳ ଥାନ୍ତି । ଆକୃତିରେ ଏମାନେ ଆପାତତଃ ସୁସ୍ଥକାୟ; ମାତ୍ର ସର୍ବଦା ଅଜୀର୍ଣ୍ଣ ଆମାଶୟାଦି ପୈଟିକ ରୋଗାକ୍ରାନ୍ତ । ଏମାନଙ୍କ କପାଳ କ୍ଷୁଦ୍ର ଓ ସର୍ବଦା ସ୍ୱେଦସିକ୍ତ–ଓଷ୍ଠାଧର ମଳିନ ଓ ମଧ୍ୟେ ମଧ୍ୟେ କମ୍ପିତ । ପାଦ କ୍ଷୁଦ୍ର ଓ ପଦକ୍ଷେପ ମୃଦୁ ଓ ଶଙ୍କତ । ଏମାନେ ନାରୀ ଓ ଶିଶୁଙ୍କଠାରୁ ଦୂରରେ ରହିବାକୁ ଚାହାନ୍ତି । ଦେବ ଦର୍ଶନକୁ ଗଲାବେଳେ ମନ୍ଦିର ଭୁଷୁଡ଼ି ପଡ଼ିବାର ଭୟ ହେତୁ ଶୀଘ୍ର ମନ୍ଦିର ଭିତରୁ ବାହାରି ଆସନ୍ତି । ଏମାନେ ମୃଦ୍ଧନାପାତ ଭୟରେ ନିଜ ପତ୍ନୀ ସଙ୍ଗରେ ସହବାସ ପର୍ଯ୍ୟନ୍ତ ବି କରନ୍ତି ନାହିଁ । କିନ୍ତୁ ଜୀବଜନ୍ତୁଙ୍କ ସଙ୍ଗମ ଦେଖି କାମୋଲ୍ଲାସ ଅନୁଭବ କରନ୍ତି ।

 

ଆଉ ଏକ ପ୍ରକାର ଜନରବସ୍ରଷ୍ଟା ହେଉଛନ୍ତି ଯଥାର୍ଥରେ ଜନରବ କ୍ଷେତ୍ରରେ ମହାଶୂରବନ୍ତ । ଏମାନେ ସଚେତନଭାବେ ଗୁଜବ ପ୍ରଚାର କରନ୍ତି । ଏମାନଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ–କର୍ମପ୍ରଣାଳୀ ସୁନିର୍ଦ୍ଦିଷ୍ଟ, ସୁପରିଚାଳିତ ଓ ସୁଯୋଜିତ । ଏମାନଙ୍କର ବାଣ ଲକ୍ଷ୍ୟଭେଦୀ । କୌଣସି ବ୍ୟକ୍ତିଗତ ଶତ୍ରୁତାଦ୍ଵାରା ପ୍ରଣୋଦିତ ହୋଇ, ବା କୌଣସି ଉଚ୍ଚାକାଂକ୍ଷାଦ୍ଵାରା ଉଚ୍ଚାଟିତ ହୋଇ, କାହା ପ୍ରତି ଘୋର ଜିଙ୍ଘାସାରେ ଜର୍ଜରିତ ହୋଇ, ଅଥବା ରାଜ୍ୟର ରାଜାଦ୍ଵାରା ବହିଷ୍କୃତ ହୋଇ, ମନ୍ତ୍ରୀମଣ୍ଡଳରୁ ବିତାଡ଼ିତ ହୋଇ, କିବା, ନିଜ ପୁଅ ବା ଝିଅ ବିବାହ ବ୍ୟାପାରରେ ଅନ୍ୟ ଝିଅ ବା ପୁଅଦ୍ଵାରା ଅମନୋନୀତ ହେବାରୁ କିମ୍ବା ନିର୍ବାଚନରେ ଟିକେଟ ନ ପାଇବାରୁ, ଅଥବା ପରାଜିତ ହେବାରୁ ଏବଂ ଏହିଭଳି ଢେର ଢେର କାରଣରୁ ଏମାନେ ନିଜ ଭିତରେ ଘୋର ଆତ୍ମଗ୍ଳାନୀ ଓ ଲାଞ୍ଛନା ଭୋଗ କରୁଥାନ୍ତି । ସମକକ୍ଷ ସଙ୍ଗେ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇ ନ ପାରି ଏମାନେ ଅନ୍ତରାଳରେ ଥାଇ ଘୋର ବିଷଦଗ୍‌ଧ ଗୁଜବ ଶରମାନ ପେଷଣ କରନ୍ତି । ରାଜନୈତିକ ଗୁଜବମାନ ପ୍ରାୟ ଏଇମାନଙ୍କଦ୍ଵାରା ପ୍ରଚାରିତ ହୋଇଥାଏ । ରାଜାଙ୍କ ମସ୍ତିଷ୍କରେ ପକ୍ଷାଘାତ ହୋଇଗଲାଣି–ସେନାପତି ଶତ୍ରୁଙ୍କ ପାଖରେ ଆତ୍ମସମର୍ପଣ କଲେଣି–ରାଜକୋଷ ଦେବାଳିଆ ହୋଇଗଲାଣି–ଆସନ୍ତା ମାସଠାରୁ କର୍ମଚାରୀମାନେ ଦରମା ନ ପାଇପାରନ୍ତି–ସେନାବାହିନୀ ଭିତରେ ଉତ୍କଟ ବିଦ୍ରୋହର ଆଭାସ ଦେଖାଗଲାଣି–ଗତ ରାତ୍ରିରେ ମନ୍ତ୍ରୀମଣ୍ଡଳର ଚାରିଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅନାସ୍ଥାଭାବ ପ୍ରକାଶ କରି ଇସ୍ତଫା ଦେଇଦେଲେଣି–ଆଜି ରାତି ଦୁଇଟାବେଳେ ମନ୍ତ୍ରୀମଣ୍ଡଳ ରହିବ କି ନାହିଁ ଜଣାଯିବ ଇତ୍ୟାଦି ଇତ୍ୟାଦି ଆହୁରି ଉତ୍କଟତର ଗୁଜବମାନ ଏମାନେ ସୃଷ୍ଟି କରିଥାନ୍ତି । ଏହି ଗୁଜବକାରୀମାନେ ଦେଖିବାକୁ ହୃଷ୍ଟପୁଷ୍ଟ, ଉଦ୍ଧତ ମସ୍ତକ, ଦୀର୍ଘକାୟ, ଚଞ୍ଚଳବାକ୍‌, ଅସ୍ଥିର ଦୃଷ୍ଟି, ରକ୍ତିମ ଚକ୍ଷୁ, ସ୍ଥୂଳ ଓଷ୍ଠ । ଏମାନେ ପରପୀଡକ ଓ ନାରୀ-ଈର୍ଷୁକ ହୋଇଥାନ୍ତି । ସ୍ତ୍ରୀଲୋକ ହୋଇଥିଲେ ଏମାନେ ଅସୁନ୍ଦରୀ, କୃଷ୍ଣକାୟା, ସାମାନ୍ୟ ଟେରୀ, ସାମାନ୍ୟ ସ୍ଥୂଳକାୟା ଓ ଗେଡ଼ୀ ବାଙ୍ଗୁରୀ ହୋଇଥାଆନ୍ତି । ଏମାନଙ୍କର କେଶ ସ୍ଵଳ୍ପ କୁଞ୍ଚିତ ଓ ରୁକ୍ଷ ଏବଂ କଣ୍ଠସ୍ଵର କର୍କଶ ହୋଇଥାଏ । ସେକ୍ରେଟାରୀଏଟର ବା ରାଜଦରବାରର କତିପୟ ଦୁଷ୍ଟପଦସ୍ଥ ଅଫିସର ଏହି ସବୁ ଗୁଜବ ପ୍ରଚାର ଦାୟିତ୍ଵ ବହନ କରନ୍ତି ଏବଂ ବାରମ୍ବାର ଚାକିରିରୁ ବିତାଡ଼ିତ ବା ବିତାଡ଼ିତ ହେବାକୁ ଯାଉଥିବା ବା ଚାକିରିରେ ଥାଇ ମଧ୍ୟ ନିଜର ଦୁଷ୍କୃତ ଯୋଗୁଁ ଭବିଷ୍ୟତ ହରାଇଥିବା ନିଷ୍କର୍ମା ନିମ୍ନ କର୍ମଚାରୀମାନଙ୍କଦ୍ଵାରା ପ୍ରଥମେ ସେକ୍ରେଟାରୀଏଟ ବାରଣ୍ଡାରେ ଓ ପରେ ପରେ ପାନ ଦୋକାନ, ଚା ଦୋକାନ ଆଦିରେ ଗୁଜବ ପ୍ରଚାରିତ ହୋଇ ରାଜ୍ୟର ବିଭନ୍ନ ସ୍ଥାନକୁ ପେଷଣ କରାଯାଏ ।

 

ଆଉ ଦଳେ ଗୁଜବକାରୀ ଅଛନ୍ତି–ସେମାନଙ୍କୁ ଗୁଜବ ସାହିତ୍ୟରେ ରସବାଦୀ ଆଖ୍ୟା ଦିଆଯାଇଛି । ସେମାନେ ବର୍ଷକ ବାରମାସ ସୁନ୍ଦରୀ ସିନେମା-ଷ୍ଟାରମାନଙ୍କ ବିଷୟରେ, ରାଜ୍ୟର ନର୍ତ୍ତକୀ ଓ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ, କୌଣସି କୌଣସି ଶକ୍ତିଶାଳିନୀ ନାରୀ ନେତ୍ରୀଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ, କସ୍ମିଚିଦ୍‌ ରସିକ ଅଫିସର ବା ସାଂସ୍କୃତିକ ବିଭାଗର ମନ୍ତ୍ରୀ ଉପମନ୍ତ୍ରୀଙ୍କ ବିଷୟରେ ନାନାଦି କାଳ୍ପନିକ ଯୌନଭାବ ସମ୍ବଳିତ ଗୁଜବମାନ ପ୍ରଚାର କରିଥାନ୍ତି ଏବଂ ରାଜଧାନୀର ରସହୀନ ହୃଦୟଗୁଡ଼ିକୁ ସର୍ବଦା ନାନାଦି ନାଟକୀୟ କଳ୍ପନା ଓ ରସବର୍ଷଣରେ ଆର୍ଦ୍ର ଓ ସଜୀବ କରି ରଖନ୍ତି । ଧନ୍ଵନ୍ତରୀ ସଦୃଶ ବଡ଼ ବଡ଼ ଡାକ୍ତର ଡାକ୍ତରାଣୀମାନଙ୍କର ଅନ୍ୟାନ୍ୟ ସଦ୍‍ଗୁଣଗୁଡ଼ିକୁ ପଛରେ ପକାଇ ଏମାନେ ସେମାନଙ୍କୁ ମଧ୍ୟ ଯୌନାପବାଦରେ ଜର୍ଜରିତ କରିଥାନ୍ତି-। ଶୃଙ୍ଗାର ରସ ବ୍ୟତୀତ ଏମାନେ ବେଳେ ବେଳେ ଅନ୍ୟାନ୍ୟ ଅଲୌକିକ ବିଷୟରେ ମଧ୍ୟ ବିଚିତ୍ର କଳ୍ପନା ଶକ୍ତିର ପରିଚୟ ଦେଇଥାନ୍ତି । ଗତ ସଂକ୍ରାନ୍ତିଠାରୁ ପ୍ରତିଦିନ ଠିକ୍‌ ସନ୍ଧ୍ୟା ସମୟରେ ଆଠ ଜଣ ଧଳାଶାଢ଼ୀ ପରିହିତା ବିଧବା ସ୍ତ୍ରୀଲୋକ ଗୋଟିଏ କୋକେଇରେ ମଡ଼ାଟିଏ କାନ୍ଧେଇ ଉତ୍ତର ଦିଗ୍‌ବଳୟରୁ ଦକ୍ଷିଣ ଦିଗ୍‌ବଳୟ ଆଡ଼କୁ ଶୂନ୍ୟାକାଶରେ ଉଡ଼ି ଯାଉଛନ୍ତି ଅଥବା ଅମୁକ ବାବା ଆସନ୍ତା ଏକାଦଶୀ ଦିନ ମଧ୍ୟ-ରାତ୍ରରେ ସମସ୍ତଙ୍କ ଦୃଷ୍ଟି ଆଗରେ ଭୂମି ତଳୁ ବାହାରିବେ ବା ଅମୁକ ନିମ୍ବ ଗଛରୁ ଏକାଧାରରେ ଦୁଧ ଓ ମହୁ ଝରୁଛି ବା ଅମୁକ ବେହେରାଙ୍କ ଘରେ କାମଧେନୁର ଆବିର୍ଭାବ ହୋଇଛି, ଯେକି ଅଧରାତିରେ ଦିବ୍ୟ କଣ୍ଠରେ କଥାବାର୍ତ୍ତା କରୁଛନ୍ତି କିମ୍ବା ମଙ୍ଗଳ ଗ୍ରହରୁ ଉଡ଼ନ୍ତା ଥାଳିଆ ଉପରେ ଆରୋହଣ କରି ଦେବର୍ଷି ନାରଦ ଜୋଆନ୍‌ ଫର୍ଣ୍ଣାଡିଜ୍‌ ଦ୍ଵୀପରେ ଓହ୍ଲାଇ ବର୍ତ୍ତମାନର ପୃଥିବୀ ସମ୍ବନ୍ଧେ ବକ୍ତୃତା ଦେଲେଣି କିମ୍ବା ଗୋପାଳଜୀଙ୍କ କାଳେସୀକୁ ଗଲା ପୂର୍ଣ୍ଣିମା ଦିନ କ’ଣ ସବୁ ସ୍ଵପ୍ନାଦେଶ ହେଲା ଇତ୍ୟାଦି ଇତ୍ୟାଦି । ଏହି ଗୁଜବକାରୀମାନେ ସ୍ଥୂଳକାୟ, ପ୍ରାୟଶଃ ଗେଡ଼ା, ହସଖୁସି ସ୍ଵଭାବ, ସର୍ବଦା ସାଙ୍ଗ ସୁଖ ଓ ଭଜନ କୀର୍ତ୍ତନମଣ୍ଡଳୀରେ ଅତିବାହିତ କରନ୍ତି; କିନ୍ତୁ ଟିକିଏ ଆଡ଼ପାଗଳିଆ ଧରଣର, କିଞ୍ଚିତ ଭାଙ୍ଗ ଓ ପ୍ରଚୁର କେତେକୀ ଖଇର ଦିଆ ଗୁଣ୍ଡିପାନ ଖାଇବାରେ ଅଦ୍ଵିତୀୟ । ଏମାନଙ୍କ ଆଖିର ଦୃଷ୍ଟି ଦୂରନିବଦ୍ଧ । ଜଣଙ୍କ ମୁହଁକୁ ଚାହିଁ କଥାବାର୍ତ୍ତା କରୁଥିଲେ ବି ଏମାନେ କାହାର ଆଖି ସଙ୍ଗେ ଆଖି ମିଳାଇ ପାରନ୍ତି ନାହିଁ । ଏମାନେ ଯୌନ ବ୍ୟାପାରରେ ସମଲିଙ୍ଗୀ ହୋଇଥାନ୍ତି ଏବଂ ବହୁ କ୍ଷେତ୍ରରେ ଏମାନେ ନାରୀ-ପୀଡ଼କ ।

 

ଜନରବ ଓ ଗୁଜବକାରୀମାନଙ୍କୁ ଶ୍ରେଣୀ ବିଭାଗ କରି ଦେଖାଇବା ଏତେ ସହଜ ନୁହେଁ-। ଆମ୍ଭେମାନେ ମୋଟାମୋଟି କେତୋଟି ଶ୍ରେଣୀ ଦେଖାଇ ଏଥିରୁ କ୍ଷାନ୍ତ ହେଉଛୁ । ମାତ୍ର ଗୋଟିଏ କଥା ଆମ ସମସ୍ତଙ୍କର ମନେ ରଖିବାର ଅଛି ଯେ ଗୁଜବ ବା ମିଥ୍ୟା ଜନରବର ସୃଷ୍ଟି ଲାଗି ଓ ଏଗୁଡ଼ିକର ପ୍ରସାର ଲାଗି ଆମେ ସମସ୍ତେ ପ୍ରାୟ ସମାନ ଭାବେ ଦାୟୀ । ଖୁବ୍‌ କମ୍‌ ଲୋକ ମିଥ୍ୟା ଗୁଜବର ଅସମ୍ଭାବ୍ୟତା ପ୍ରତି ଅସହିଷ୍ଣୁ ଭାବ ଦେଖାନ୍ତି । ଖୁବ୍‌ କମ୍‌ ଲୋକ ମିଥ୍ୟା ଜନରବର ପ୍ରତିବାଦ କରନ୍ତି ଏବଂ ଆମ ଭିତରୁ ଅଧିକାଂଶ ଲୋକ ମିଥ୍ୟା ଜନରବ ଶୁଣିବାକୁ ଓ ପ୍ରଚାର କରିବାକୁ ଅତ୍ୟଧିକ ଅନୁଚିତ ଆଗ୍ରହ ଦେଖାଇଥାନ୍ତି । ଆମ ଭିତରୁ ବହୁ ବ୍ୟକ୍ତିଙ୍କ ଅନ୍ତରରେ ମିଥ୍ୟା ଜନରବ ପ୍ରତି ଗୁପ୍ତ ସମର୍ଥନ ନଥିଲେ ମିଥ୍ୟା ଜନରବଗୁଡ଼ିକ ସେହି ଅନ୍ତୁଡ଼ିଶାଳରେଇ ମୃତ୍ୟୁ ବରଣ କରନ୍ତେ ।

 

କିନ୍ତୁ ମିଥ୍ୟା ଜନରବ ବା ଗୁଜବ କେବଳ ଯେ ଆମ ଦେଶରେ ଓ ବର୍ତ୍ତମାନ କାଳରେ କେବଳ ସୃଷ୍ଟି ହେଉଛି ତା ନୁହେଁ । ଏହା ସର୍ବ ଦେଶରେ ଓ ସର୍ବକାଳରେ ସୃଷ୍ଟ ଓ ପ୍ରଚାରିତ ହୋଇଥାଏ । ବେଳେବେଳେ ଏହା ବ୍ୟକ୍ତିବିଶେଷର ବା ସମାଜବିଶେଷର ମାରାତ୍ମକ କ୍ଷତିସାଧନ କରିଥାଏ ଓ ବହୁ ବେଳରେ ଏହା ଗୁଲିଖଟି ଗପ ବା ଅସୂୟାପ୍ରସୂତ କୁତ୍ସାବାଣୀ ରୂପେ ସାମାଜିକମାନଙ୍କଦ୍ଵାରା ନିଗୃହୀତ ହୋଇଥାଏ ଏବଂ ଏହା ଅବଶ୍ୟ ସର୍ବଦା ପ୍ରମାଣିତ ଯେ ମିଥ୍ୟା ଗୁଜବ ବା ଜନରବ ବେଶି ଦିନ ସ୍ଥାୟୀ ହୁଏ ନାହିଁ । ସତ୍ୟ ସମ୍ବାଦଟି ଖୁବ୍‍ ଶୀଘ୍ର ପ୍ରକାଶିତ ହୋଇପଡ଼େ ଏବଂ ଏହି ମିଥ୍ୟା ଗୁଜବକାରୀମାନେ ଅଚିରେ ଜନସାଧାରଣଙ୍କଦ୍ଵାରା ଘୃଣିତ ଓ ପରିତ୍ୟକ୍ତ ହୋଇଥାନ୍ତି ।

 

ତଥାପି ପ୍ରତି ଦେଶରେ, ସବୁ କାଳରେ, ପ୍ରତି ସରକାର ଏହି ଗୁଜବ ବା ମିଥ୍ୟା ଜନରବ ସୃଷ୍ଟିକାରୀଙ୍କ ପ୍ରତି ସମୁଚିତ ଦଣ୍ଡବିଧାନ କରିବା ଉଚିତ ଏବଂ ଯଥାର୍ଥ ସତ୍ୟ ଖବରକୁ ଗୋପନ କରିବାକୁ ଚେଷ୍ଟା ନକରି ଜନସାଧାରଣଙ୍କ ସମ୍ମୁଖରେ ଖୋଲି ଦେବା ଉଚିତ ଏବଂ ପ୍ରତି ଗୁଜବର ସମୁଚିତ ଉତ୍ତର ଠିକଣା ସମୟରେ ଦେଇଦେବା ଉଚିତ । ଜନସାଧାରଣ ମଧ୍ୟ ନିଜର ସାଧାରଣ ଜ୍ଞାନ ଓ କାଣ୍ଡଜ୍ଞାନକୁ ସର୍ବଦା ସଜାଗ ରଖିଲେ ଏଇସବୁ ମିଥ୍ୟା ଗୁଜବଗୁଡ଼ିକଦ୍ଵାରା ବିଭ୍ରାନ୍ତ ହେବେ ନାହିଁ ।

Image

 

ଷାଠିଏ ଟପିଗଲା ?

 

ହଅ ହେ ! ଷାଠିଏ ବରଷ ଟପିଗଲା !! ଷାଠିଏ ଟପିଲେ କେତେ ? ସତୁରି ଟପିଲେ କେତେ ? ଆଉ କଣ ବୟସ ବସିଥାନ୍ତା ଯେମିତି, ସେମିତି ? ଦଶ, କୋଡ଼ିଏ, ତିରିଶି, ଚାଳିଶି, ପଚାଶ, ସମସ୍ତେ ଯେମିତି ଆଇଲେ ଆଉ ଗଲେ, ସେମିତି ଷାଠିଏ ବି ଆଇଲା, ଫେର୍‌ ଗଲା । କଅଣଟା ବା ନିହାଲ ହୋଇଗଲା ? କାହ୍ନୁ ପାଦ କହିଲା ଭଳି–“ଯେ ଯେ ଆଇଲା, ତେ ତେ ଗେଲା–ଅବଣା ଗବଣେ କାହ୍ନୁ ବିମନ ଭଇଲା ।” ଜୀବନଟାଯାକ ଖାଲି ଅବଣାଗମନରେ କଟିଲା । କଥାରେ କହନ୍ତି–କଳି ଷଠା ଷାଠିଏ । କଳି ଯୁଗରେ ଷାଠିଏ ଯାଏ ବଞ୍ଚିଲୁଣି । ଏ ପୃଥିକି କେତେ ପ୍ରକାର ଦେଖିଲୁ–କେତେ ବାଗରେ ବୁଝିଲୁ–କେତେ ଢଙ୍ଗରେ ଚାଖିଲୁ । କେତେବେଳେ ଜିଭରୁ ଲାଳ ବହିପଡ଼ିଛି–କେତେବେଳେ ବା ଜିଭରୁ ଲାଳ ଶୁଖିଯାଇଛି । କେତେବେଳେ ଆଖିରୁ ପାଣି ଝରିଛି–କେତେବେଳେ ବା ଆଖିରୁ ବାହାରିଛି ନିଆଁ ଝୁଲ । ମିଠା, ଖଟା, ପିତା, କଷା, କଟୁ, ଲୁଣିଆ ଅଲଣା ମିଶାମିଶି ହୋଇ ଏ ଜୀବନ । କେତେବେଳେ ଆଖି ଆଗରେ ଜଳି ଉଠିଛି ଚନ୍ଦ୍ରଉଦିଆ ହାଲୋଳମୟେ ! ପୁଣି କେତେବେଳେ ଦିଶଦିଗ ଅନ୍ଧାର ଘୋଟିଆସିଛି–ମୁହଁକୁ ମୁହଁ ଦିଶି ନାହିଁ । ସବୁ ଭୋଗିଲୁରେ ବାପ ! ଆଉ କିଛି ଭୋଗିବାର ବାଞ୍ଛା ନାହିଁ । ବାକୀ ମଧ୍ୟ ନାହିଁ । ଆକ୍ଷିକି ଏଣିକି କ୍ରମଶଃ ଅତୃଚ୍ଛ ହେଲାଣି । କାନକୁ ବି ଆଉ ଉତ୍ତମ ରୂପେ ଶ୍ରାବ୍ୟ ହେଉ ନାହିଁ । ବତିଶି ଦାନ୍ତରୁ ଅଧାଅଧି ଝଡ଼ିଲେଣି । ଦେହରୁ ବି ବଳ ଖସିଲା ଭଳି ଲାଗୁଛି । ପେଟରେ ବାୟୁବୃଦ୍ଧି, ପିତ୍ତାଧିକ୍ୟ ହେତୁ ମଧ୍ୟେ ମଧ୍ୟେ ମଥା ଘୂର୍ଣ୍ଣନ, କଣ୍ଠରେ ଶ୍ଳେଷ୍ମା ଜମୁଛି । ରାତ୍ରିରେ ମଧ୍ୟ ନିଦ୍ରା ବ୍ୟାହତ ହେଉଛି-। ଏମିତି ଏମିତି ଜରାର ଉପସର୍ଗମାନ ଗୋଟି ଗୋଟି ଆସି ଜମିଲେଣି । ହ’ରେ ବାପ ! ହେଉଛି ତ-! ହେବ ଏଣିକି ! କିଏ ରୋକିଛି ନା ରୋକି ପାରିବ ? କବି କହିଲା ମାର୍ଗେ–“ନିଃଶଦ୍ଦେ ଜୀବନ ସ୍ରୋତ ଧାଉଁଛି କିପରି–ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରୀ ।”

 

କିନ୍ତୁ ଠିକ୍‌ ଅଛି । ସେଥିପାଇଁ ଗୋଟେ ଭାବନା କ’ଣ ? ଦାନ୍ତ ଯେମିତି ଗଲା, ସେମିତି ଖାଇବା ଜିନିଷ ପ୍ରତି ଲୋଭ ଚାଲିଗଲା । ସେମିତି ବାହାର ଆଖିରୁ ପାବାର୍‌ ଯେମିତି କମି ଯାଉଛି–ଭିତରେ ସେମିତି ଦୁଇଟା ଆଖି ଖୋଲିଗଲା ଭଳି ଲାଗୁଛି । ମଧ୍ୟେ ମଧ୍ୟେ ଭିତରେ ଭିତରେ କେତେ କ’ଣ ସବୁ ଅଲୋକିତ କଥା ଦିଶିଗଲା ଭଳି ଲାଗୁଛି । ମଧ୍ୟେ ମଧ୍ୟେ ଭିତରେ ଭିତରେ କେତେ କ’ଣ ସବୁ ଅଲୋକିତ ଶବ୍ଦ ଶୁଭିଯାଉଛି । ମନ ଯାଇ ସେଇଠି ଲାଗିଛି । ମନ ହେଲାଣିରେ ବାପ ଭିତରମୁଖୀ । ବାହାର ଶୋରୀରରେ ଅନ୍ୟାନ୍ୟ ଇନ୍ଦ୍ରିମାନେ ଯେମିତି ଦୁର୍ବଳ ହେଲେ, ସେମିତି ସେଇସବୁ ଇନ୍ଦ୍ରିମାନଙ୍କର ପ୍ରାଦୃଭାବରୁ ମଧ୍ୟ ମଣିଷ ବଞ୍ଚିଗଲା । ଇନ୍ଦ୍ରିମାନଙ୍କର କ’ଣ ଊଣା ଉପଦ୍ରପ ବାପ ? ଯୁବାକାଳର କଥା ମନେ ପଡ଼ିଲେ, ବ୍ରତମାନକୁ ଦେହ ଶୀତେଇ ଉଠୁଛି । ସର୍ବଦା ଇନ୍ଦ୍ରିମାନେ ଅଶାନ୍ତ–ଉଦଗ୍ର–ବୁଭୁକ୍ଷୁ ଭଳି ହାଇଁପାଇଁ ହେଉଥିବେ, ନଇଲେ ହାଉଁମାଉଁ କରୁଥିବେ । ଚୋକ୍ଷୁମାନେ କହୁଥିବେ–ହରଘଡ଼ି ସୁନ୍ଦୁରିଆ ରୂପ ଦେଖିବୁ । କର୍ଣ୍ଣମାନେ ଦାବୀ କରୁଥିବେ–ଚବିଶି ଘଣ୍ଟା ସୁରତିୟା କଥା ଶୁଣିବୁ । ଦାନ୍ତମାନେ କହୁଥିବେ–ହରଦମ ଆମକୁ ଚର୍ବ୍ୟବସ୍ତୁ ଯୋଗାଅ, ଆମେ ଚକି ଭଳି ପେଷୁଥିବୁ । ଜିହ୍ଵା କହୁଥିବ–ଦିନରାତି ଆମକୁ ରସୁଆଳ ଖାଦ୍ୟ ଯୋଗାଅ, ଆମେ ଚାଖିବୁ । ଏମିତି ଏମିତି ଆଉ ଆଉ ଇନ୍ଦ୍ରିମାନେ, ଅବୟବମାନେ ହରଘଡ଼ି ଯେଝା ଦାବୀରେ ହଟ୍ଟଗୋଳ କରୁଥିବେ । ମଣିଷ ଟିକିଏ ଶାନ୍ତି ପାଇପାରୁ ନଥିଲା । ଇନ୍ଦ୍ରିୟଙ୍କ ଦାଉରେ ମନ ସର୍ବଦା ଛଟପଟ ହେଉଥିଲା, ଅସ୍ଥିର ହେଉଥିଲା । ମନର ବି କ’ଣ ଊଣା ଦାବୀ ? ମନ କହୁଥିଲା–ଏ ଘୋଡ଼ାରୁ ଓହ୍ଲେଇବି, ଏବଂ ସେ ଘୋଡ଼ା ଚଢ଼ିବି । ଏହାକୁ ମାରିବି, ପୁଣି ତାହାକୁ ତାରିବି । ଏତେକ ଭାଙ୍ଗିବି–ପୁଣି ସେତେକ ଗଢ଼ିବି । ୟାକୁ କାଟିବି, ତାକୁ ଯୋଡ଼ିବି । ତାକୁ ଧରିବି, ୟାକୁ ଛାଡ଼ିବି । ଏ ମିତ୍ର ନୁହଁ ଶତ୍ରୁ, ସେ ଶତ୍ରୁ ନୁହଁ ମିତ୍ର । ସେ ଏମିତି ପାଞ୍ଚୁଛି, ମୁଁ ସେମିତି ପାଞ୍ଚିବି । ସେ ଡାଳେ ଡାଳେ ଯାଉଛି, ମୁଁ ପତ୍ରେ ପତ୍ରେ ଯିବି ।

 

ଏମନ୍ତ ସେ ଯୁବାକାଳ–ଦୂରନ୍ତ, ଦୁର୍ମଦ । ଏମନ୍ତ ସେ ଯୁବାକାଳ–ମନ ଆଉ ଇନ୍ଦ୍ରିୟଙ୍କ ଦାଉରେ ଅଶାନ୍ତ, ଅସ୍ଥିର, ଅମରମତ୍ତା । ଓହୋ ! ନିଜ ଉପରେ ନିଜର କଣ୍ଟ୍ରୋଲ ଖଟୁ ନ ଥିଲା । କିଏ ଯେମିତି ପେଷି ଦେଇଥିଲା । କିଏ ଯେମିତି ମତେଇ ଦେଉଥିଲା, ତତେଇ ଦେଉଥିଲା । ରଖେଇ ଦେଉ ନ ଥିଲା । ଖାଲି ଛଟପଟ ଛଟପଟ, ଧାଁ ଧଉଡ଼, ଅମଡ଼ାମଡ଼ା–ମହୀ ଦୁଲୁକୁଥିଲା, ଦୁମଦୁମ କମ୍ପୁଥିଲା ମେଦିନୀ । ଆପଣା ତେଜରେ ଆପେ ଅନ୍ଧ । ଆପଣା ବେଗରେ ଆପେ ଅଣନିଃଶ୍ଵାସ ।

 

ବ୍ରତମାନକୁ ମାତ୍ରକ କେଡ଼େ ଆରାମରେ ବାପ ! ସକାଳୁ ସକାଳୁ ବଡ଼ବୋହୂ କପେ ଚାହା ଦେଇଯାଏ । ଘିଅ ଅଦାଦିଆ ମୁଠାଏ ଚୂଡ଼ା ଚୂନା । ବାସ୍‌, ସକାଳଓଳି ସେତିକି । ଦି’ପ୍ରହରେ ପୁଣି ମୁଠିଏ ଭାତ ଟିକିଏ ଡାଲିପାଣି, ସାମାନ୍ୟ ପରିବା ସିଝା ଟିକିଏ । ସଞ୍ଜବୁଡ଼େ ଦି’ଖଣ୍ଡ ବିସ୍କୁଟ, ପୁଣି କପେ କଫି । ସେଇଠୁ ରାତିରେ କପେ ଦୁଧରେ ଖଣ୍ଡିଏ ରୁଟି ବତୁରା ହୋଇଥିବ । ସାମାନ୍ୟ ଟିକିଏ ତରକାରୀ । ଆଉ ବେଳେ ବେଳେ ସାମୟିକ ପୁଅ ବୋହୂମାନେ କିଏ କେତେବେଳେ ଫଳ ଫୁଲୁରୀଟାଏ ଦେଲେ ତ ଭଲ, ନ ଦେଲେ ନାହିଁ । ସୁନ୍ଦର ଚଳିଯାଉଛି । ଖାଲି ଖାଦ୍ୟ ନୁହେଁ–ସବୁଥିରୁ ମଧ୍ୟ ଲୋଭ ଆଶକ୍ତି, ତୁଟି ଯାଉଛି । ଯଶ ପାଇଁ, ଧନ ପାଇଁ, କ୍ଷମତା ପାଇଁ ଆଉ ଗଳଦ୍‌ଘର୍ମ ହୋଇ ଦୌଡ଼ିବାକୁ ପଡ଼ୁନାହିଁ । ଆଉ ପାଞ୍ଚଜଣଙ୍କ ସାଙ୍ଗେ ମଲ୍ଲଯୁଦ୍ଧ ଲଗାଇବାକୁ ପଡ଼ୁନାହିଁ । ତେବେ ଲୋକେ ଅବଶ୍ୟ ଛାଡ଼ୁ ନାହାନ୍ତି । ଆମ୍ଭର ନିର୍ଲୋଭତା ଦେଖି, ସମଭାବ ଦେଖି ଯୁବକମାନେ ମଧ୍ୟ ଆମକୁ ଅମୁକ ସମିତିର ପ୍ରେସିଡେଣ୍ଟ, ଅମୁକ ଅନୁଷ୍ଠାନର ଚେୟାରମ୍ୟାନ୍‌ ବା ଉପଦେଷ୍ଟା ହେବାକୁ ଅନୁରୋଧ ଉପ୍ରୋଧାଦି କରୁଛନ୍ତି । ସେମାନଙ୍କ ଉପ୍ରୋଧ ଅବଶ୍ୟ ସବୁବେଳେ ଏଡ଼ାଇ ପାରୁନାହିଁ । କିନ୍ତୁ ଆମ ମନ ଆଉ ସେଠି ନାହିଁ । ଆମ୍ଭ ମନ ବ୍ରତମାନ ଦୁଇଟି ସ୍ଥଳରେ ଅଛି-। ପ୍ରଥମତଃ ଆମ୍ଭର ନିଜ ବୁଢ଼ୀ ପାଖେ । ସ୍ତ୍ରୀ ଲୋକଟା ଯହାଁ ଯହାଁ ବୃଦ୍ଧା ହେଉଛି, ତାହାଁ ତାହାଁ ତାର ଆକର୍ଷଶ ପାବାର ବଢ଼ୁଅଛି । ତାକୁ ଦଣ୍ଡେଶ୍ଚ ପାଖରୁ ଛାଡ଼ିବାକୁ ଇଚ୍ଛା ହେଉ ନାହିଁ । ତେବେ ଏ କଥା ସତ ଯେ, ଆମ୍ଭର ବୁଢ଼ୀଠାରେ ଯେତେ ମୁହାଁସ, ବୁଢ଼ୀର କିନ୍ତୁ ସେତେ ଆମ୍ଭ ପ୍ରତି ନଜର ନ ଥିବାର ନିଦର୍ଶନ ମିଳୁଅଛି । ବୁଢ଼ୀକି ତା’ର ନାତି ନାତୁଣୀମାନେ ମୋହ ଜାଲରେ ପକାଇ ଦେଇଛନ୍ତି । ଆମ୍ଭ ପାଖକୁ ସେ ଦୁବୃତ୍ତମାନେ ଛାଡ଼ୁ ନାହାନ୍ତି । ଅବଶ୍ୟ ଆମ୍ଭର ମଧ୍ୟ ନାତି ନାତୁଣୀଙ୍କ ପ୍ରତି ମାୟା କମ୍‌ ନୋହେ । ତେବେ ସେହି ପାଜୀମାନେ ଆମ୍ଭକୁ ବୁଢ଼ୀ ଅପେକ୍ଷା ବିଶେଷ କେୟାର କରନ୍ତି ନାହିଁ । ବଡ଼ଝିଅର ସେହି ମୁଖରା ଝିଅଟା–ଅତ୍ୟନ୍ତ ଫାଜିଲ, ଚଲାଖ ହୋଇଅଛି । ଆମ୍ଭକୁ କହେ–“କିଓ ବୁଢ଼ା ମାଙ୍କଡ ! ଖାଇବ କିହୋ କଷି କାଙ୍କଡ ?” ତା’ ମାଆ ତା’ଉପରେ କ୍ଷେପି ଉଠେ । କହେ–“କିଲୋ ! ତୁ ମୋ ବାପାଙ୍କୁ କ’ଣ କରି ପାଇଲୁ କି ? ମୋ ବାପାଙ୍କ ବଅସ ବେଳର ଫଟୋ ଦେଖିବୁ ଯା–ସେ ଘରେ ଟଙ୍ଗା ହୋଇଛି । ଦେଖିଲେ, ତୋ ପାଟିରୁ ବି ଲାଳ ବୋହିବ ।”

 

ଆମ୍ଭେ ଅବଶ୍ୟ ନାତୁଣୀ ଉପହାସ କଲାମାର୍ଗେ ଚେହେରାରେ ସେମନ୍ତ ମର୍କଟ ସଦୃଶ କୁତ୍ସିତ କଦାକାର ନୋହୁଁ । ଏବେ ବି ଆମ୍ଭର ଯାହା ସ୍ଵାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସହ ପୁରୁଷକାର ରହିଅଛି–ତାକୁ ଦେଖି ତିରିଶ ଚାଳିଶି ବର୍ଷ ବୟସ୍କା ରମଣୀଗଣ.... ମାନେ, ମାନେ, ମାନେ.... ସେମାନଙ୍କର ମୁଣ୍ଡ ଭ୍ରମି ଯାଇପାରେ । ତେବେ ଆମ୍ଭେ ସେମନ୍ତ କାମାଦ୍ରିକ ନୋହୁଁ ବା କଦାଶ୍ଚନ ପୂର୍ବେ ନ ଥିଲୁ । ବଡ଼ ଝିଅର ମନ ଖରାପ ଦେଖି ଆମ୍ଭେ ହସି ହସି କହୁ–ଥାଉ ଥାଉ ମା ! ସେମାନଙ୍କର ବ୍ରତମାନକୁ ବେଳ ପଡ଼ିଛି, ସେମାନେ କହିଯାନ୍ତୁ, ଆମ୍ଭଙ୍କୁ କିଛି କଷ୍ଟ ଲାଗୁ ନାହିଁ । ବୃଦ୍ଧ ହେଲୁ–ମର୍କଟ ପ୍ରାୟ ନିଶ୍ଚୟ ଦିଶିବୁ । ତୋ ଝିଅ ପାଇଁ କିନ୍ତୁ କନ୍ଦର୍ପ ପ୍ରାଏକ ଜୋଇଁଟିଏ ନିଶ୍ଚୟ ଯୋଗାଡ଼ କରିବୁ ।

 

ନାତୁଣୀଠାରୁ ବୁଢ଼ା ମାଙ୍କଡ ଭର୍ତ୍ସନା ଶୁଣି ଯେ ବିରକ୍ତ ହୁଏ, ସେ ଗୋଟାଏ ଯଥାର୍ଥ ମର୍କଟ । ଯଥାର୍ଥ ଗଧ ହେଉଛି ସେହି, ଯେକି ନିଜର ବୟସ ବେଳ କଥା ଭାବି ଝୁରି ହଉଥାଏ । ସେଥିପାଇଁତ ମୋ ବୟସର କେତେ ଲୋକଙ୍କୁ ଦେଖିଛି–ପାଟିରେ ନକଲିଦାନ୍ତ ଲଗାଇ ଯୁବତୀମାନଙ୍କ ଆଗରେ ଦାନ୍ତ ନିକୁଟୁ ଥାଆନ୍ତି । ପଚାଶବର୍ଷ ବେଳକୁ ପାଚିଲା ବାଳରେ କଳା ରଙ୍ଗ ଲଗାଇ ଯୁବା ସାଜୁଛନ୍ତି । ଟୋକାଙ୍କ ଭଳିଆ ହରରଙ୍ଗୀ ପୋଷାକ ପିନ୍ଧି ଛଇ କାଢ଼ୁଥାନ୍ତି । ମତେ କିନ୍ତୁ ସେ ସବୁ କରିବାକୁ ବଡ଼ ଘୃଣା ଲାଗେ । ସିଙ୍ଗ ଭାଙ୍ଗି କ’ଣ କେହି ବାଛୁରୀ ହୋଇପାରିଛି ବାପ-? କାହିଁକିରେ ବାବୁ ! ବାଛୁରୀ ହେବାକୁ ଦାମୁଡ଼ି ହୋଇ ରହିବାକୁ ଏତେ ହଙ୍କ ହଙ୍କ ? ଯୌବନ କ’ଣ କେବଳ ସୁନ୍ଦର ? ସବୁ ବୟସର ସୌନ୍ଦର୍ଯ୍ୟ ରହିଛି । ଛୁଆବେଳେ ମଣିଷ ଗୋଟେ ପ୍ରକାର ସୁନ୍ଦର । ଯୁବାକାଳେ ସେ ଆଉବାଗେ ସୁନ୍ଦର । ବୁଢ଼ାକାଳେ ତ ସେ ସବୁଠୁଁ ସୁନ୍ଦର । ଏହି ବୃଦ୍ଧ କାଳରେ ମଣିଷର, ଚେହେରା ଭିତରେ ମାଧୁର୍ଯ୍ୟ ଆଉ ଐଶ୍ଵର୍ଯ୍ୟ ଗୁଣ ସମାନଭାବେ ଫୁଟି ଉଠେ । ଫଳଟିଏ ପାଚିଲେ କେଡ଼େ ଚମତ୍କାର ! ତା’ ଭିତରଟା ରସୁଆଳ ମିଠା ହୋଇଯାଇଥାଏ । ତା’ ଭିତରର ରସ ପୁଣି ବାହାରକୁ ଫୁଟି ବାସୁଥାଏ । ପାଚିଲା ଆମ୍ବ କଥା ଭାବିଲେ ବୁଝିବ । ଯେଉଁ ଚେହେରା ଯେତେବେଳେ ସୁନ୍ଦର ! ଯେଉଁ ଅବସ୍ଥାରେ ଯେଉଁ ଭାବ ! ସେଇ ଭାବଟିକୁ ଯଦି ଠିକ୍‌ଭାବେ ଭିତରେ ଧରି ରଖିଛ ତେବେ ତୁମ ଚେହେରା କେବେ ବି ତାର ଆକର୍ଷଣ ପାବାର ହରାଇବ ନାହିଁ । ଯୁବକ ଭିତରେ ବୃଦ୍ଧଭାବ ରହିଲେ, ତା’ ଚେହେରା ଯେମିତି ମଳିନ ଦେଖାଯାଏ, ସେମିତି ବୃଦ୍ଧ ଭିତରେ ଯଦି ଯୁବକର ଅଭିଳାଷ ରହେ, ତେବେ ସେ ଚେହେରା ସେମିତି ଅତି ଦୟନୀୟ ଆଉ କୁତ୍ସିତ ଦେଖାଯାଏ । ବହୁ ବୁଢ଼ାବୁଢ଼ୀଙ୍କି ଦେଖିଛି, ସେମାନେ ଯୌବନକୁ ପ୍ରାଣପଣେ ଆଣ୍ଟି ଧରିବାକୁ ଭାରି ଆତୁର ପ୍ରୟାସ କରିଥାନ୍ତି । ଏତାଦୃଶ ବୁଢ଼ାବୁଢ଼ୀଙ୍କୁ କିନ୍ତୁ ଟୋକାଟୋକୀମାନେ ଖୁବ୍‌ ହିଂସା କରନ୍ତି । ସେମାନଙ୍କ ମାନସମ୍ମାନ କମିଯାଏ, ବରଂ ସନ୍ଦେହ ବଢ଼େ । ଆରେ ବାବୁ ! ଉଦୟବେଳାରେ ବାଳସୂର୍ଯ୍ୟଙ୍କ ଅବିର ଗୁଲୁଗୁଲୁ କଅଁଳ ରୂପ କେଡ଼େ ସୁନ୍ଦର ! ପୁଣି ଦୁଇପ୍ରହର ବେଳାରେ ସେହି ସୂର୍ଯ୍ୟ କେଡ଼େ ପ୍ରଖର ଦୀପ୍ତିମାନ ପ୍ରଚଣ୍ଡ ମାର୍ତ୍ତଣ୍ଡ ! ପୁନଶ୍ଚ ଅସ୍ତ ବେଳାରେ ଦେଖ–ସେହି ସୂର୍ଯ୍ୟ ପଶ୍ଚିମ ଆକାଶରେ ଢଳିପଡ଼ିବା ପୂର୍ବରୁ ସାରା ଦିଗନ୍ତରେ କେତେ ରଙ୍ଗର ଐଶ୍ଵର୍ଯ୍ୟ ଖେଳାଇ ନ ଦିଏ ! ରଙ୍ଗ ନଥିଲେ ରୂପ ନାହିଁ । ମଧ୍ୟାହ୍ନ ସୂର୍ଯ୍ୟର ରଙ୍ଗ କାହୁଁ ଆସିବ ? ସେ ତ ଖାଲି ଆପଣା ତେଜରେ ଦାଉଦାଉ ହୋଇ ପ୍ରଜ୍ୱଳମାନ । ସବୁତକ ରଙ୍ଗ ଆଉ ସବୁତକ ରୂପ ତ ଉଦୟବେଳାରେ ପୂର୍ବ ଗଗନରେ–ଆଉ ଅସ୍ତବେଳାରେ ପଶ୍ଚିମ ଗଗନରେ ଫିଟି ପଡ଼ୁଥାଏ । ତେଣୁ ପିଲା ସୁନ୍ଦର । ସେହି ମାର୍ଗରେ ବୁଢ଼ା ମଧ୍ୟ ସୁନ୍ଦର । ଯୁବାକାଳ କେବଳ ଦାଉଦାଉ ଉତ୍ତପ୍ତ ନିଆଁ । ମଣିଷ ଜୀବନ ଅବିକଳ ଏମିତି । ଷାଠିଏ ଟପିଗଲା ବୋଲି ଗାଲରେ ହାତ ଦେଇ ଭାଳି ହୁଅନ୍ତି ଯେଉଁମାନେ, ସେମାନେରେ ବାବୁ ! ଭାରି ଦୟନୀୟ ।

 

ଏଣିକି ତ ବାବୁ ମନଭରି ଉଲ୍ଲାସ ଲାଗୁଛି, ହାଲୁକା ବି ଲାଗୁଛି । ମନ ଭିତରେ ଆଉ ଗୋଟିଏ ପୁରର ଆଉ ଗୋଟିଏ ଭାବ ଖେଳିଲାଣି । ଭିତରେ ଭିତରେ ମନ ପଚାରୁଛି ଚୈତନ୍ୟକୁ–ଏହାପରେ ଆଉ କିସ ହେ ଗୋସାଇଁ ? ଏହାପରେ ରଥ ପୁଣି କୁଆଡ଼େ ଚଳିବ ? ଚୈତନ୍ୟ କହୁଛନ୍ତି, ବେଳେବେଳେ ଅସ୍ପଷ୍ଟ ଅଥଚ ଅନ୍ତରଙ୍ଗ ସ୍ଵରରେ–ଏଥର “ମନ ଚାଲ୍‌ ନିଜ ନିକେତନେ ।” ପ୍ରସ୍ତୁତ ହୁଅରେ ହଂସ ! ଆଗରେ ତୋ’ର ନୀଳ ଆକାଶରେ ଅସରନ୍ତି ପଥ । ଏ ହ୍ରଦର ମାୟା ଛାଡ଼ି ଉଡ଼ି ଚାଲ-ଉଡ଼ି ଚାଲ-ଉଡ଼ି ଚାଲ । ଉଡ଼ି ଚାଲରେ ନଭଃଚାରୀ ବିହଙ୍ଗ ! ଅନନ୍ତ ପଥର ଯାତ୍ରୀ ତୁ ! ଡେଣା ମେଲାଇ ଉଡ଼ି ଚାଲ ।

 

ମନ ଏମିତି ଆସ୍ତେ ଆସ୍ତେ ଛାଡ଼ିଯାଉଛି ବାପା ! ତୁମର ଏଇ ପୃଥିବୀ ଉପରୁ ମାୟା କଟି କଟି ଯାଉଛି । ତେବେ ୟା ବୋଲି ଆମ୍ଭ ମନରେ ଆଉ ଗ୍ଳାନି ନାହିଁ–କ୍ଷୋଭ ନାହିଁ–ଅବଶୋଷ ନାହିଁ । ଶେଷ ନିଃଶ୍ଵାସ ପଡ଼ିବା ଆଗରୁ ଯେମିତି ଅତ୍ୟନ୍ତ କୃତଜ୍ଞତାରେ ଜୀବନଦେବତାଙ୍କ ପାଖରେ ହୃଦଖୋଲି କହିଦେଇ ଯାଇହେବ–“ଜୀବନପାତ୍ର ମୋ ଭରିଛ କେତେ ମତେ, ନ ଦେଲ ବୋଲି କିଛି କହିବି କିହେ ଆଉ ?”

 

ଷାଠିଏ ପଶିବା ଦିନରୁ ସେଇଥିପାଇଁ ମନର ରଙ୍ଗ ଗେରୁଆ ଧରିଲାଣି । କିନ୍ତୁ ଏହା ବୋଲି ତୁମର ଏହି ମନୋହର ପୃଥିବୀ ଉପରେ ଆମ୍ଭର ବିରକ୍ତି ଆସୁଛି ବୋଲି ଭାବ ନାହିଁ । ବରଂ ସତ କହିଲେ, ଏ ପୃଥିବୀ ପ୍ରତି ମମତା ଆହୁରି ବଢ଼ିଛି । ଆହୁରି ଗଭୀର ହୋଇଛି । ମନ ଭିତରେ ଆହୁରି କାରୁଣ୍ୟ ଜମି ଉଠୁଛି । ଅନ୍ତର ଭିତରେ କିଏ ଯେମିତି ସର୍ବଦା କାମନା କରୁଛି–ହେ ବିଧାତା, ଏ ପୃଥିବୀ ଆମ ସମୟ ଅପେକ୍ଷା ଆହୁରି ସୁନ୍ଦର ହେଉ–ସହଣୀୟ ହେଉ–ଆହୁରି ବେଶି ରହଣୀୟ ହେଉ ! ଆମେ ସବୁ ଆମ ବେଳାରେ ଯୋଉ ଯୋଉ କଷ୍ଟମାନ ଭୋଗିଥିଲୁ–ଆମ ପିଲାମାନେ ଯେମିତି ଆଉ ସେସବୁ କଷ୍ଟ ନ ଭୋଗନ୍ତୁ ! ଆମେ ସବୁ ଯୋଉ ବିପଦ ଆପଦରେ ଯୋଉ ହଇରାଣ ହରକତରେ ଛନ୍ଦିମନ୍ଦି ହେଉଥିଲୁ, ସନ୍ତୁଳି ହେଉଥିଲୁ, ଆମ ପିଲାଏ ଯେମିତି ସେସବୁ ଅଡ଼ୁଆ ଭିତରୁ ମୁକ୍ତି ପାଆନ୍ତୁ !

 

ମତେ ତ ଲାଗୁଛି–ଷାଠିଏ ପଶିବାର ବହୁ ଆଗରୁ ବି ମନ ଏମିତି କଅଁଳ ହୋଇଗଲାଣି-। ମନର ପରିଧି ଖୁବ୍‌ ମେଲି ହୋଇଗଲାଣି । ମନର ଗଭୀରତା ଯାଇ ଛୁଇଁଲାଣି ରସାତଳକୁ । ପ୍ରାଣୀମାନଙ୍କ ପ୍ରତି ମନ ହୋଇ ଉଠିଲାଣି ଆଶୀର୍ବାଦମୟ । ମଣିଷ ପ୍ରତି ସହାନୁଭୂତିରେ ହୃଦ ଆଉଟି ହୋଇଯାଉଛି । ସତ୍ୟ, ଦୟା, ଆଉ କ୍ଷମାରେ ହୃଦୟ ଏମିତି ପରିପୂର୍ଣ୍ଣ ହୋଇ ଗଲାଣି ଯେ, ଯେଡ଼େ ପାପୀ ଆଉ ଅସଦ୍‌ ଲୋକଟିଏ ଦେଖିଲେ ବି ମନ ତା’ ପ୍ରତି କେମିତି ନରମ ହୋଇଯାଉଛି–ବିହ୍ଵଳ ହୋଇ ପଡ଼ୁଛି ।

 

ଏ ସବୁ ବ୍ୟାପାରରେ ପିଲା ଆଉ ବୁଢ଼ାଙ୍କ କଥା ଯୁବାଲୋକଙ୍କଠାରୁ ଭିନ୍ନେ । ଛୋଟ ପିଲା ଠିକ୍‌ କ’ଣ ଭୁଲ କ’ଣ, ବୁଝିପାରେ ନାହିଁ । ଖଟା ମିଠାର ପାର୍ଥକ୍ୟ ଧରି ପାରେ ନାହିଁ । ତା’ ପାଟିକି ସବୁ ମିଠା ଲାଗେ । ସତ କ’ଣ ମିଛ କ’ଣ, ଏତେକ ମଧ୍ୟ ସେ ଅଲଗା କରି ବାରି ପାରେ ନାହିଁ । ତା’ ଧାରଣାରେ, ସତ, ମିଛ, ବାସ୍ତବ, ସ୍ଵପ୍ନ, ସବୁ ଗୋଳେଇ ପୋଳେଇ ହୋଇଯାଏ । ମାତ୍ର ଯୁବାକାଳରେ ଏହି ଭେଦବୋଧ ଭାରି ତିକ୍ଷ୍ଣ ହୋଇଯାଏରେ ବାପ ! ସତ, ମିଛ, ଠିକ୍‌, ଭୁଲ ଭିତରେ ପାର୍ଥକ୍ୟର ଗଭୀର ରେଖା ଟାଣିଦିଏ ଯୁବାକାଳ । ସେଥିଯୋଗୁ ଯୁବକଯୁବତୀମାନେ ଭାରି ଅସହିଷ୍ଣୁ ହୋଇଉଠନ୍ତି । ମାତ୍ର ଷାଠିଏ ହେଲାବେଳକୁ ସତକୁ ସତ ମନ ଭାରି ନୁତୁପୁତୁ ଧରିଯାଏ । ମିଛୁଆଟିଏ ପ୍ରତି, ବା ନୃଶଂସଟିଏ ପ୍ରତି, ବା ପାପୀ ଲୋକଟିଏ ପ୍ରତି ମନ ସହାନୁଭୂତିରେ ଆଉଟି ହୋଇଯାଏ । ମନରେ ହୁଏ–ଆହା ! ଭଲା ସେମାନେ ବିଚାରା କ’ଣ କରିବେ ? ଏ ଜୀବନରେ ସତ କହିବା କମ୍‌ କଷ୍ଟ ? ହିଂସା ଛାଡ଼ିବା କ’ଣ କମ୍‌ କଷ୍ଟ ? ପୁଣ୍ୟ କାମଟିଏ କରିବା କମ୍‌ କଷ୍ଟ ? ନିଜ ଜୀବନର ସୁଦୀର୍ଘ ଅଭିଜ୍ଞତା ନିଜକୁ ପ୍ରଶ୍ନକରେ–ଆରେ ମୂଢ଼ ! ତୁ ଭଲା ପାରିଛୁ ? ଏତେଦିନ ଯାଏ ଯୁଦ୍ଧ କଲୁ । କାମ, କ୍ରୋଧୀ ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଛାଡ଼ି ପାରିଲୁ କି ?

 

ମନର ଏହି ସ୍ଵାଭାବିକ ଉଦାରତା ଓ ରସାଳତା ସାଙ୍ଗକୁ ଆଧ୍ୟାତ୍ମ ଭାବ ମିଶିଯିବା ଫଳରେ ନାତି-ନାତୁଣୀମାନେ ତାଙ୍କ ବାପ ମାଆଙ୍କୁ ଛାଡ଼ି ଆମଭଳି ବୁଢ଼ାବୁଢ଼ୀଙ୍କ ପାଖରେ ଆସି ଗୁଞ୍ଜି ହୁଅନ୍ତି । ନିର୍ଭୟରେ ଆମକୁ ଥଟ୍ଟା ପରିହାସ କରନ୍ତି । ସେମାନେ ଜାଣନ୍ତି–ଆମ ଭଳି ବୁଢ଼ାବୁଢ଼ୀଙ୍କ ପାଖରେ ସେମାନେ ଅଧିକ ନିରାପଦ, ଅଧିକ ନିର୍ଭୟ, ଆଉ ଅଧିକ ସ୍ଵାଧୀନ !

 

ଅବଶ୍ୟ କେତେ ବୁଢ଼ାବୁଢ଼ୀ ଅଛନ୍ତି, ସେମାନେ ଟୋକାଟୋକୀଙ୍କ କଥାରେ ବେଶି ମୁଣ୍ଡ ଖେଳାନ୍ତି । ସେମାନଙ୍କ ଆଚାର ବେଭାର ଗତିବିଧିକୁ ଖୁଣ୍ଟିନାଣ୍ଟି ଦେଖୁଥାଆନ୍ତି–ଆଉ ସମାଲୋଚନା କରୁଥା’ନ୍ତି । ସେମାନେ ଅଭିଯୋଗ କରନ୍ତି ଯେ, ଏବକାଳର ଏହି ଘୋଡ଼ାମୁହାଁ ଟୋକା ଟୋକୀମାନେ କୁଆଡ଼େ ତାଙ୍କ ଅମଳର ଏଇ ସତ୍ୟବତୀ, ନ୍ୟାୟବତୀ, ବିବେକବତୀ ଓ ପୁଣ୍ୟବତୀ ପୃଥିବୀ ବା ସମାଜଟାକୁ ନାନାଦି କୁକର୍ମରେ ଛାରଖାର କରିଦେଲେଣି ।

 

ମାତ୍ର ମୁଁ ଭାବେ–ଏହି ଧରଣର ଅସହିଷ୍ଣୁ ଅଭିଯୋଗ-ପରାୟଣ ସମାଲୋଚନାକାରୀ ବୁଢ଼ାବୁଢ଼ୀଙ୍କ ମୁଣ୍ଡରେ ନିଶ୍ଚୟ କିଛି ଦୋଷ ଅଛି । ସେମାନେ ବୋଧେ ତାଙ୍କ ଅମଳରେ ନିଜ ନିଜ ଜୀବନଟିକୁ ଠିକଣାଭାବେ ବଞ୍ଚି ନାହାନ୍ତି । ସେମାନେ ବୋଧେ ଆପଣା ଦୋଷରୁ ଶୈଶବ, କୈଶୋର, ଯୌବନ ଆଉ ପ୍ରୌଢ଼କାଳରେ କିଛି ରସ ଜୀବନଫେଣାରୁ ଚୋଷି ନାହାନ୍ତି । ସେଇଥିପାଇଁ ସେମାନେ ଏତେ ଖିଟି ଖିଟି–ଏତେ କାତର, ଆଉ ଏତେ ସମାଲୋଚନାପ୍ରବଣ । ସେମାନଙ୍କ ଆଖିର ଚାହାଣୀକୁ ମାର୍କ କରିବ ତେମେ–ସେ ଚାହାଣୀରେ ଥଣ୍ଡାଭାବ ଆସି ନାହିଁ, ସେ ଚାହାଣୀ ଭିତରମୁଖୀ ହୋଇନାହିଁ–ସେ ଡୋଳା ଉପର ଆଡ଼କୁ ଟେକି ହୋଇ ନାହିଁ । ତାଙ୍କ ନାସିକାକୁ ମାର୍କ କରିବ ବାପ–ସେ ନାସିକାର ଅଗ୍ରଭାବ ସତେ କି ଖାଲି ଛିଞ୍ଚାଡ଼ି ହେଉଛି ! ତାଙ୍କ ଓଠକୁ ଦେଖିବୁ ବାପ–ସେ ଓଠ ରାମ ରାମ ହୋଇ ବା କୃଷ୍ଣ କୃଷ୍ଣ ହୋଇ ଥରୁନାହିଁ । ସେ ଓଠ ଭିତରେ ଅସ୍ତସୂର୍ଯ୍ୟର ବିଷାଦ ମଧୁର ହସ ଟିକିଏ ଫୁଟୁନାହିଁ । ସତେକି ସେ ଓଠ ଭିତରୁ ଖାଲି ପକ୍‍ ପକ୍‍ ହୋଇ ଅଭିସମ୍ପାତ ବାହାରୁଛି । ଅଭିଯୋଗ ବାହାରୁଛି ।

 

ଆମ୍ଭର ଆଇଡ଼ିଆ ହେଲା–ତୁମେ ଯଦି ବାବୁ ସିକ୍‍ଷ୍ଟି (ଷାଠିଏ) ଟପିଲଣି, ତେବେ ଟୋକାଟୋକୀଙ୍କ କଥାରେ ଆଉ ବେଶି ଗୁଡ଼ାଏ ମୁଣ୍ଡ ପୁରାଅ ନାହିଁ । ତାଙ୍କୁ ତାଙ୍କ ବାଟରେ ଛାଡ଼ିଦିଅ । ସେମାନେ ପଚାରିଲେ କିଛି କୁହ, କିମ୍ବା କିଛି ବିପଦ ଆପଦର ଆଶଙ୍କା କଲେ ସାମାନ୍ୟଭାବେ ବୃଦ୍ଧ ବନ୍ଧୁଟିଏ ଭଳି କିଛି ପରିମାଣରେ ସତର୍କ କରିଦିଅ । କିନ୍ତୁ ଖୁବ୍‍ ଜୋରରେ ବେଶି ସମୟ ଧରି ସତର୍କ ଘଣ୍ଟି ବଜାଅ ନାହିଁ । ସେମାନେ ବିରକ୍ତ ହେବେ ଏବଂ ତୁମର ଏହି ଅତରଚ୍ଛଭାବେ ସଜୋରେ ସତର୍କ ଘଣ୍ଟି ବଜାଇବା ଫଳରେ ସତକୁ ସତ ବିପଦ ଆପଦ ମାଡ଼ି ଆସିବ । ଶେଷରେ ସତର୍କଘଣ୍ଟିର ରଶି ମଧ୍ୟ ଛିଡ଼ି ଯାଇପାରେ । ଆମ୍ଭର ଦୃଢ଼ ବିଶ୍ୱାସ, ଆମେ ଯଦି ଠିକଣାଭାବେ ବୁଢ଼ା ହୋଇ ପାରିବୁ, ତେବେ ଟୋକା-ଟୋକୀମାନେ ଯଥା ପ୍ରକାରେ ତାଙ୍କ ଜୀବନକୁ ଚଳେଇ ନେଇ ପାରିବେ ।

 

ଆମେ ଆମ ରେକର୍ଡ଼ଟି ବଜାଇବା । ସେମାନେ ମଧ୍ୟ ତାଙ୍କ ରେକର୍ଡ଼ଟି ବଜାନ୍ତୁ । ତାଙ୍କ ରେକର୍ଡ଼ଟି ମଧ୍ୟ ଆମକୁ ଶୁଣିବାକୁ ଭଲ ଲାଗିବ । କାରଣ ସେଇଟା ଆମ ଅତୀତ ଜୀବନର ଗୀତିମୟ କରୁଣ ମଧୁର ସ୍ମୃତିବିଳାସ । ସେମାନେ ତାକୁ ଖାଲି ରେକର୍ଡ଼ କରି ନାହାନ୍ତି, ସେମାନେ ତାକୁ ବଞ୍ଚାଇ ରଖିଛନ୍ତି । ସେମାନେ ସର୍ବଗ୍ରାସୀ କାଳକୁ ଉପହାସ କରୁଛନ୍ତି । ସେମାନେ ସେଇ ସବୁ ଜୀବନୋଚ୍ଛଳ ହୈ ହଲ୍ଲା ଭିତରେ ବଳପୂର୍ବା କାଳର କରାଳ କବଳରୁ ଜୀବନକୁ ଛଡ଼େଇ ଆଣୁଛନ୍ତି-। ସେମାନଙ୍କ ଉଚ୍ଚକିତ ଉଦ୍ଦଣ୍ଡ ସଂଗୀତ ପ୍ରତି ବିରକ୍ତ ହୁଅ ନାହିଁ ହେ ବୁଢ଼ା-ବୁଢ଼ୀମାନେ ! ସେଇ ହଟ୍ଟଗୋଳମୟ ସଂଗୀତ ଭିତରେ ଫୁଟି ଉଠୁଛି ଜୀବନ ପ୍ରତି ଉତ୍ତପ୍ତ ଅନୁରାଗର ଉଚ୍ଚକିତ ଘୋଷଣା ମୃତ୍ୟୁ ପ୍ରତି ସୁପ୍ରଚଣ୍ଡ ଉନ୍ମତ୍ତ ଅଟ୍ଟହାସ୍ୟ !

 

ସେମାନେ ମଧ୍ୟ ଆମ ରେକର୍ଡ଼ଟି ଅତି ଆଗ୍ରହରେ ଶୁଣିବେ । କାରଣ ଆମ ସଂଗୀତ ଭିତରେ ସେମାନଙ୍କର ଅନାଗତ, କିନ୍ତୁ ଅବଶ୍ୟ ନିର୍ଦ୍ଧାରିତ ଭବିତବ୍ୟର ମୃଦୁ ମଧୁର ଆକର୍ଷଣ ସେମାନଙ୍କ ପ୍ରତି ସେମାନଙ୍କ ଅଜାଣତରେ ଅତି ସଂଗୋପନରେ ବାଜି ଉଠେ । ଖାଲି ସେତିକି ନୁହଁ–ଆମର ସଂଗୀତଗୁଡ଼ିକ ଯୁବକ ଯୁବତୀଙ୍କ ଅନ୍ତର ଭିତରେ ଗୋଟାଏ ପତିଆରା ମଧ୍ୟ ଜଗାଇଦିଏ । ସେମାନଙ୍କର ଜୀବନ ପ୍ରତି ବିଶ୍ୱାସ ଆହୁରି ଗାଢ଼ ହୋଇଯାଏ । ପରିପକ୍ୱତା ଲଭିବା ଲାଗି ସେମାନଙ୍କର ଭିତରେ ଭିତରେ ଗୋଟାଏ ସମ୍ମାନଜନକ ତୃଷ୍ଣା ଥାଏ–ଖୁବ୍‍ ସ୍ୱାଭାବିକ ଭାବରେ । ଆମ ରେକର୍ଡ଼ଟି ଶୁଣିବା ମାତ୍ରେ ସେଇ ତୃଷ୍ଣା ଉଦ୍ଦୀପ୍ତ ହୋଇଉଠେ । ତେଣୁ ଆମ ରେକର୍ଡ଼ ଓ ତାଙ୍କ ରେକର୍ଡ଼ ପରସ୍ପରର ପରିପୂରକ ।

 

ଏମିତି ରହିଲେ, ସେମାନଙ୍କ ଭିତରେ ଆଉ ଆମ ଭିତରେ ବୁଝାମଣାର କିଛି ବାଧାବନ୍ଧ ରହିବ ନାହିଁ । ସେମାନେ ଆମର ପ୍ରାର୍ଥନା ସମୟରେ ଆମ ପାଖେ ଠାକୁର ଘରେ ବସି ଧ୍ୟାନ କରିବେ ଏବଂ ଆମେ ମଧ୍ୟ ସେମାନଙ୍କ ନାଚ ଆସରରେ ବସି ଦର୍ଶକର ଭୂମିକା ନେବା । ସେମାନେ, ଆମେ ଭଜନ ବୋଲିବାବେଳେ ପାଳି ଧରିବେ ଓ ଆମେ ମଧ୍ୟ ତାଙ୍କ ଶୃଙ୍ଗାର ସଂଗୀତରେ ତାଳି ମାରିବା । ତା’ ହେଲେ ଯାଇ ଏ ପୃଥିବୀ ଅଧିକ ଉପଭୋଗ୍ୟ ହେବ, ଆଉ ଅଧିକ ସୁସଂଗତ ହୋଇ ଉଠିବ ।

 

ଗୋଟିଏ ଆଦର୍ଶ ପରିବାରର ଛବି କେମିତି ଜାଣୁ ବାପ ?– ଯୋଉ ଘରେ ପୂର୍ଣ୍ଣାଙ୍ଗ ସଂଙ୍ଗୀତର କୋରସ୍‍ ଶୁଣାଯାଉଛି ତିନୋଟି ଜେନେରେସନଙ୍କର ତିନୋଟି ବିଭିନ୍ନ ସ୍ୱରରେ ଆଉ ତାଳ ଲୟରେ । ଛୋଟଛୁଆମାନେ ବିନା ତାଳ ଲୟରେ ଚିଲାଉଥିବେ–

 

ଏ ଡାଲର ହନୁମାନ ସେ ଡାଲକୁ ଗଲା

ସେ ଡାଲର ଫଲ ଖାଇ ପେଟ ପୁରାଇଲା

 

କିମ୍ବା

 

ଡାମରା କାଉରେ ଡାମରା କାଉ

ଉଞ୍ଚ ପରବତେ ବୋବାଉ ଥାଉ

 

କିମ୍ବା

 

ମେଘ ବରଷିଲା ଥପଲ ଥପଲ କେସୁଲ ମାଇଲା ଗଜା

 

ଟୋକା-ଟୋକୀମାନେ ଜୀବନରସରେ ମତୁଆଲ ହୋଇ ଉଦ୍ଦଣ୍ଡ ତାଳରେ ଉଚ୍ଚକିତ ହୋଇ ଗାଉଥିବେ–

 

ନିତମ୍ବ ଧୀରେ ଧୀରେ

ଚଳା ଅତି ମଞ୍ଜୁଳେ

ବାଜୁ ରତ୍ନ ନିର୍ମିତ କିଙ୍କିଣୀ ତ୍ରିପଟାରେ

ନାଚିବ ତିଳପୁଷ୍ପଜିତ ନାସା ପୁଟରେ ।

 

କିମ୍ବା

 

କୋରସରେ ଟୋକାଟିଏ ଗାଉଥିବ ଅଣ୍ଟା ହଲାଇ–

 

ତୁମ ଲାଗି, ତୁମ ଲାଗି, ତୁମ ଲାଆଆଗି

ହେବି ଯୋଗୀ, ହେବି ଯୋଗୀ, ହେବି ଯୋଓଓଗୀ

 

ସେଇଠୁ ଟୋକୀଟିଏ ଆକ୍ଷିମାରିମାରିକା ତା’ଉପରେ ଲୋଟି ଯାଉ ଯାଉ ଉତ୍ତର ଦେଉଥିବ–

 

ବାପାକୁ ଛାଡ଼ିଲି ବନ୍ଧୁ ମାଆକୁ ଛାଡ଼ିଇଇଲି;

ତୁମ ସାଙ୍ଗେ ଯିବି ଚାଲି ଆଜି କଥା ଦେଏଏଲି ।

 

କିମ୍ୱା, ଉଭୟେ ଟୋକାଟୋକୀ ମିଳିତଭାବେ କୋରସ୍‌ ଗାଉଥିବେ–

 

ଆହା, ଯଉବନ ଗଲେ ଥରେ ଆଉ ଆସେନା

ବୃଥା ବିରହ ବିଧୁରପୁରେ ଝୁରେ ବାସନା ।

ଫୁଲ ଫୁଟେ ଫୁଲ ଝଡ଼େ ପୁଣି ଫୁଟେ ସେ

ପୂର୍ଣ୍ଣିମା ଚାନ୍ଦ ବୁଡ଼େ, ପୁଣି ଉଠେ ସେ ।

ମାତ୍ର ଫେରେନାହିଁ କେବେ ଯଉବନ ଗୋ

ବାହୁଡ଼ଇ ନାଇଁ ଗୋପେ ଗୋପଧନ ଗୋ ।

 

ଆଉ ଆମେ ବୁଢ଼ାବୁଢ଼ୀମାନେ ଖଞ୍ଜଣିଟିଏ ଧରି ଭଙ୍ଗା କଣ୍ଠରେ ଆକ୍ଷି ବୁଜି ବୁଜି ଗାଉଥିବୁ–

 

ଆରେ ଶୁଖା ଖଡ଼୍‍ ଖଡ଼୍‍ !

ମିଛ ମାୟାରେ ରେ ମିଛ ମାୟାରେ

ମିଛ ମାୟାରେ ପଡ଼ି ହେଉ ଲଡ଼ବଡ଼୍‍, ଲଡ଼ବଡ଼୍‍

ଆରେ ଶୁଖା ଖଡ଼୍‍ ଖଡ଼୍‍ ।

 

ଚତୁର୍ଥ ବୟସ ହେଲେ ଆସି

ଜନମ ହୋଇବେ ରୋଗରାଶି

କଫ ବାତ ପିତ୍ତ ହୋଇଲେ ସଂଯୁକ୍ତ

ତଣ୍ଟି ଶୁଭୁଥିବ ଘଡ଼ ଘଡ଼, ଘଡ଼ ଘଡ଼

ଆରେ ଶୁଖା ଖଡ଼୍‍ ଖଡ଼୍‍ ।

 

କିମ୍ବା–ଆକ୍ଷି ଯୋଡ଼ିକ ଥାଇ ବୋଇଲା–

 

ସତ ମୋ ବଚନ ରାମା ସତ ମୋ ବଚନ

ଜଗନ୍ନାଥଙ୍କ କଳା ଶ୍ରୀମୁଖ ଦେଖିବାରେ ମୋ ମନ ।

ମୁଁ ତ କ୍ଷେତ୍ର ଯିବି

ଜଗନ୍ନାଥଙ୍କର ଚାନ୍ଦବଦନ ନିତି ଦେଖୁଥିବି

ମୁଁ ତ କ୍ଷେତ୍ର ଯିବି ।

 

ବୁଝିଲ ବାପ, ଆଉ ଏଣିକି କେତେଦିନ ବଞ୍ଚିବୁ, ତାହା ଅବଶ୍ୟ ଆମ୍ଭଙ୍କୁ ଜ୍ଞାତବ୍ୟ ନାହିଁ । କିନ୍ତୁ ଧର ଯଦି ଅଶୀବର୍ଷଯାଏ ବଞ୍ଚୁ, ତେବେ ଆମ ହାତରେ ଆଉ ଏଇ ଯୋଉ କୋଡ଼ିଏଟି ମାତ୍ର ବର୍ଷ ଅଛି–ଧର ଯଦି ଦେହ ମୁଣ୍ଡ ବିଶେଷ ସେମିତି ଖରାପ ନ ହୁଏ–ତେବେ ଏତିକିଟି ବର୍ଷ ଜାଣ ଆମ୍ଭର ସମଗ୍ର ଜୀବନକାଳ ଭିତରେ ଆମ୍ଭ ଲାଗି ସବୁଠାରୁ ଉପଭୋଗ୍ୟ ଆଉ ଅର୍ଥପୂର୍ଣ୍ଣ ଜୀବନ ହୋଇ କଟିବ । ପଛରେ ପୁଅ ଆଉ ଜୋଇଁମାନେ ଠିଆ ହୋଇଛନ୍ତି–ପାଦତଳେ ବସିଛନ୍ତି ଝିଅ ଆଉ ବୋହୂମାନେ । ନାତିନାତୁଣୀମାନେ କୋଳରେ ବସିଛନ୍ତି ବା ପାଖକୁ ଲାଗି ଠିଆ ହୋଇଛନ୍ତି । ବାମ କଡ଼ରେ ଚଉକିଟି ଉପରେ ବସିଛି ବୁଢ଼ୀ । ଆଉ ତା’ କାନ୍ଧରେ ହାତ ପକାଇ ଅର୍ଦ୍ଧ ନିମୀଳିତ ନେତ୍ରରେ ସ୍ମିତ ହସରେ ଆମେ ଏଇ ପୃଥିବୀଟାକୁ ଦେଖୁଛୁ–ଦେଖୁଛୁ ତା’ର ମାୟାମଧୁର ଛଇଛଟକ–ମୋହରଞ୍ଜିତ ରଙ୍ଗରସ–ଦେଖୁଛୁ ଆଉ ଘେନୁଛୁ । ଘେନୁଛୁ ଆଉ ବୁଝୁଛୁ । ବୁଝୁଛୁ ଆଉ ଛାଡ଼ୁଛୁ । ତାରି ଭିତରେ ପୁଣି କେତେବେଳେ କୋଉ ଖଞ୍ଜରେ ନିମୀଳିତ ଦୃଷ୍ଟି ଆମର ପ୍ରସାରିତ ହୋଇଯାଉଛି ଏ ପୃଥିବୀର ଆରପାରିକୁ–ସେଇ ଧୂମାଚ୍ଛନ୍ନ ସୁଦୂର ଦିଗ୍‌ବଳୟର ଆରପାରିରେ, ଯୋଉଠି ଅନନ୍ତ ନୀଳିମ ଆକାଶ ଭିତରୁ ପରିଚିତ ନୀଳଜ୍ୟୋତିର ଚମତ୍କାର ହାତଟିଏ ଆମ ଆଡ଼କୁ ପ୍ରସାରିତ ହୋଇ ଆମକୁ ଇଙ୍ଗିତରେ ଡାକୁଛି–ପୁଣି ବେଳେବେଳେ ଶୁଭିଯାଉଛି କାନକୁ ତା’ର ଅସ୍ପଷ୍ଟ ଅଥଚ ମଧୁର କଣ୍ଠର ଆବାହନୀ– । ଏଥିରେ ଚୈତନ୍ୟ କହୁଛନ୍ତି ମନକୁ–

 

ପ୍ରସ୍ତୁତ ହୁଅରେ ମନ, ଆଉ କେତେ କାଳ ?

ନାଟକର ଶେଷ ଦୃଶ୍ୟ ହେଲା ଉପଗତ ।

ଏ ପୁରର ଲୀଳା ସାରି,

ଆଉ କେଉଁ ପୁରେ ଯିବାକୁ ହୋଇବ ତ୍ଵରା ।

ସେ ପୁରରେ,

ଆଉ ଏକ ଲୀଳା ପୁଣି ହେବ ଅଭିନୀତ ।

ଜନ୍ମ ଆଉ ମୃତ୍ୟୁର ମଞ୍ଚରେ

ଅସରା ଏ ଜୀବନ ନାଟକ,

ବାରମ୍ବାର ବଦଳାଏ ଅଙ୍କ ।

କେଉଁଦିନ ହେବ ୟାର ସବୁ ଅଙ୍କ ଶେଷ !

ଯେଉଁଦିନ-

ସବୁ ନାଟକର ଯିଏ ମୂଳ ଗୋବର୍ଦ୍ଧନ

ତାଙ୍କ ସଙ୍ଗେ ଏ ଆତ୍ମାର ହେବ ସମ୍ମିଳନ ।

 

ଏତିକି ଶେଷ କଥାରେ ବାପ । ଏତିକି ଗାଏମୋଟ ସର୍ବଶେଷ କଥା । ଏଣିକି ଷାଠିଏ ଟପିଲେ କେତେ ? ସତୁରି ଟପିଲେ କେତେ ?

Image

 

Unknown

ହସିବା ନା କନ୍ଦିବା ?

 

ଏ ଦୁନିଆରେ ସମସ୍ତେ ବଞ୍ଚିବାକୁ ଚାହାନ୍ତି ମାତ୍ର ସମସ୍ତେ ହସିବାକୁ ଚାହାନ୍ତି ନାହିଁ । କଥାଟା ଆପଣମାନଙ୍କୁ ଅଖାଡ଼ୁଆ ଶୁଭୁଛି, ନାଇଁ ? ଆପଣ ଭାବୁଥିବେ–ହସିବାକୁ ପୁଣି ନ ଚାହେ ଏମିତି ଲୋକ କିଏ ଏ ପୃଥିବୀରେ ଅଛି ? ହଁ ଅଛନ୍ତି, ବହୁଲୋକ ଅଛନ୍ତି । ସେମାନେ ହସ କ’ଣ ଜାଣନ୍ତି ନାହିଁ–କାହାକୁ ନେଇ ହସିବେ ତା’ ମଧ୍ୟ ଜାଣନ୍ତି ନାହିଁ । ପୁଣି କିପରି ଓ କେତେବେଳେ ହସିବେ ତା’ ମଧ୍ୟ ସେମାନଙ୍କୁ ଅଗୋଚର । ଅବଶ୍ୟ ହସିବା ଲାଗି କେହି ମଧ୍ୟ କାହାକୁ ବାଧ୍ୟ କରି ପାରିବେ ନାହିଁ । ଏପରିକି ବହୁ ଲୋକଙ୍କର ଚମଡ଼ା ଏତେ ସ୍ଥୂଳ ଆଉ ସମ୍ବେଦନହୀନ ଯେ ଆପଣ ତାଙ୍କ ତଳିପେଟରେ ସଲ୍‌ ସଲ୍‌ କରନ୍ତୁ ବା କାଖରେ କୁତ୍‌କୁତ୍‌ କରନ୍ତୁ, ସେମାନେ ବିରକ୍ତ ହେବେ ସିନା–ହସ କିନ୍ତୁ ସେମାନଙ୍କୁ ମାଡ଼ିବ ନାହିଁ । ତା’ ଛଡ଼ା ଏ ଜଗତରେ ପ୍ରତି ମୁହୂର୍ତ୍ତରେ କେତେ ଯେ ହାସ୍ୟକର କିମ୍ବା ହାସ୍ୟାସ୍ପଦ ଘଟଣା ଘଟୁଛି, ସେସବୁ ସେମାନଙ୍କ ନଜରରେ ପଡ଼େ ନାହିଁ । ଏହି ହାସ୍ୟକର ଦୁନିଆରେ ସେ ନିଜେ ଯେ ଜଣେ ପ୍ରଥମ ଶ୍ରେଣୀର ଜୋକର, ଏକଥାଟି ଏତେ ସୂକ୍ଷ୍ମ-ଚେତନା ବୋଧଗମ୍ୟ ଯେ କଥାଟା ସେ ଧରଣର ଲୋକଙ୍କୁ ଆଦୌ ବୁଝାଇ ହେବନାହିଁ ।

 

ଅବଶ୍ୟ ବଞ୍ଚିବା ତ ହସ–ଏକଥା କହିଲାବେଳେ ଆମେ ବୁଦ୍ଧିହୀନ କାଣ୍ଡଜ୍ଞାନହୀନ ସ୍ଥାନ-କାଳ-ପାତ୍ର-ବୋଧ-ବିବର୍ଜିତ ଜଣେ ହେଁଜଡା ଲୋକର ସର୍ବଦା ହେଁ ହେଁ ପେଁ କଥାକୁ ବୁଝୁ ନାହିଁ । ସେମିତି ବହୁ ପୁରୁଷ ନାରୀ ଅଛନ୍ତି, ଯେଉଁମାନେ କଥା କଥାକେ ଦାନ୍ତ ନିକୁଟୁଥିବେ ଅଥବା ହେଁ ହେଁ ହଉଥିବେ । ସେମିତି କେତେକ ଅଛନ୍ତି, ଯେଉଁମାନେ କଥା କଥାକେ କାନ୍ଦିପକାନ୍ତି–ତାଙ୍କ ଆଖିରୁ ଲୁହ ବୋହିଯାଏ । ଏ ଦୁଇ ଶ୍ରେଣୀର ଲୋକ ବୁଡ଼୍‍ବକ୍‌ ଶ୍ରେଣୀୟ–ନତୁବା କୌଣସି ପ୍ରକାର ମାନସିକ ବିକାରର ଅଧୀନ । ଏଠି କଥା ପଡ଼ିଛି–ଜୀବନ ପାଇଁ ଯଥାର୍ଥ ହସ-ମନୋଭାବର ପ୍ରୟୋଜନୀୟତା ଏବଂ ଯଥାର୍ଥ କାନ୍ଦ-ମନୋଭାବର ମଧ୍ୟ ପ୍ରୟୋଜନୀୟତା ।

 

ବଞ୍ଚୁଛନ୍ତି ତ ସମସ୍ତେ । ପାରୁଡ଼ା ପୋକ, ଚୁଚୁନ୍ଦ୍ରା, ଗୋଧୀ, ବେଙ୍ଗ, ମଇଁଷି, ଗାଈ, ଛେଳି, ଗଧ–କିଏ ନ ବଞ୍ଚୁଛି ? ଅବା କିଏ ନ ମରୁଛି ? ଆମେ ବି ସେମିତି ବଞ୍ଚୁଛୁ–ଅଧିକାଂଶ ମଣିଷ–ଖାଉଛୁ, ପିଉଛୁ, ଶୋଉଛୁ, ଅନ୍ୟକୁ ଲୁଣ୍ଠନ କରୁଛୁ, ଅନ୍ୟକୁ ତା’ ପ୍ରାପ୍ୟରୁ ବଞ୍ଚିତ କରୁଛୁ–ଅନ୍ୟ ଲୋକ ବା ଅନ୍ୟ ପ୍ରାଣୀର ସ୍ଵାର୍ଥ ବିନିମୟରେ ଆମେ ବଞ୍ଚୁଛୁ ।

 

କିନ୍ତୁ ପ୍ରକୃତ ବଞ୍ଚିବା ବା ମଣିଷ ଭଳି ବଞ୍ଚିବା ଅର୍ଥ ତା’ ନୁହେଁ । ମଣିଷଭଳି ବଞ୍ଚିବା ଅର୍ଥ ବୁଦ୍ଧି ଦେଇ ଓ ହୃଦୟ ଦେଇ ବଞ୍ଚିବା । ମଣିଷ ବଞ୍ଚେ–ମାନେ, ଜୀବନର ସ୍ଵାଦକୁ ମାନବୀୟ ଢଙ୍ଗରେ ଅନୁଭବ କରେ । ମଣିଷ ବୁଦ୍ଧି ଓ ହୃଦୟ ଦେଇ ଏ ଜୀବନକୁ ଅନୁଭବ କରେ । ଏହି ବୁଦ୍ଧି ଓ ହୃଦୟର ବୃତ୍ତି ସଙ୍ଗେ ତା’ର ଆତ୍ମାର ସହଯୋଗ ଥାଏ ଏବଂ ତା’ର ଇନ୍ଦ୍ରିୟଗୁଡ଼ିକ ମାଧ୍ୟମରେ ସେ ଏ ଜୀବନକୁ ବୁଝୁଥାଏ । ଜୀବନର ସମସ୍ତ ଘଟଣା ବା କ୍ରିୟା ପ୍ରତିକ୍ରିୟା ତା’ ନିଜଗୁଣରେ ଦୁଃଖଦାୟକ ନୁହେଁ କିମ୍ବା ସୁଖଦାୟକ ନୁହେଁ । ଯାହା ପକ୍ଷରେ ତା’ ଘଟୁଛି–ତା’ର ଆତ୍ମା, ବୁଦ୍ଧି ଓ ହୃଦୟର ବୃତ୍ତି ଅନୁସାରେ ତାହା ସୁଖ ବା ଦୁଃଖଦାୟକ ମନେ ହୋଇଥାଏ । ଗୋପୀନାଥ ବାବୁଙ୍କର ଝିଅଟିଏ ହେଲା–ଏଥିରେ ତାଙ୍କ ଘରେ ଆନନ୍ଦର ଜୁଆର ଖେଳିଯାଉଛି । କାରଣ ଦୁଇ ପୁଅରେ ଏଇଟି ହେଲା ଝିଅ । ଗୋପୀବାବୁ କହିଲେ–ଏଇଟି ମୋର ସୌଭାଗ୍ୟବତୀ ସୁନାନାକୀ ଝିଅ । ଆଉ ମୋର ଦରକାର ନାହିଁ । ତିନୋଟି ସନ୍ତାନ ଯଥେଷ୍ଟ । କିନ୍ତୁ ଦୁଃଶାସନ ବାବୁଙ୍କର ଯେତେବେଳେ ପଞ୍ଚମ କନ୍ୟାଟି ଜାତହେଲା, ସେତେବେଳେ ଘରଯାକ ସମସ୍ତେ ଗାଲରେ ହାତଦେଇ ବସିଲେ । କାରଣ ଦୁଃଶାସନ ବାବୁ ପୁଅଟିଏ ଆଶାରେ ଏପର୍ଯ୍ୟନ୍ତ ବି ପରିବାର ନିୟନ୍ତ୍ରଣ କରି ନ ଥିଲେ । ମାତ୍ର ଆଉ ସେ ଅପେକ୍ଷା କରିପାରିବେ ନାହିଁ । ଏଇଥର ତାଙ୍କୁ ଭାସେକଟୋମୀ କରିବାକୁ ହେବ । ଉଭୟ କ୍ଷେତ୍ରରେ ଝିଅଟିଏ ଜନ୍ମ ହେବା କେବଳ ଘଟଣାଟିଏ ।

ତେଣୁ କେବଳ ଘଟଣାଟିଏ ତା’ ନିଜ ଗୁଣରେ ହାସ୍ୟକର ବା ଦୁଃଖକର ହୋଇପାରେନା । ଏ କ୍ଷେତ୍ରରେ ଯେଉଁ ମନୋଭାବଟି ଦରକାର, ତା’ହେଲା ଦୁଇ ପୁଅରେ ଝିଅ ହେଉ ବା ଚାରିଝିଅରେ ଝିଅ ହେଉ ସେମାନେ ଯଦି ପୃଥିବୀକୁ ଆସିଲେଣି ତେବେ ଆସନ୍ତୁ ଓ ଭଲଭାବରେ ବଞ୍ଚନ୍ତୁ । ସେମାନେ କେହି ଆମକୁ ସ୍ଵର୍ଗକୁ ବା ନରକକୁ ଠେଲି ଦେଇ ପାରିବେ ନାହିଁ-। ଆମର ସ୍ଵର୍ଗ ବା ନରକବାସ ଏଇ ପୁଅଝିଅଙ୍କ ହାତରେ ନାହିଁ–ବଞ୍ଚିବାର ସ୍ଵାଦ କେବଳ ଏଇମାନଙ୍କୁ ନେଇ ଉପଭୋଗ କରାଯାଏନା । ଜୀବନର ଭୋଜ୍ୟପାତ୍ରରେ କେବଳ ପୁଅ ବା ଝିଅ ଭୋଗ୍ୟ ସାମଗ୍ରୀ ନୁହନ୍ତି । ଜୀବନର ସ୍ଵାଦ ପାଇବା ହେଲା–ଆମର ଲକ୍ଷ୍ୟ । ସେ ସ୍ଵାଦର ଉତ୍ସ ଆମ ପାଖରେ ଅଛି ।

ଆପଣ ହୃଦୟ ଦେଇ ଦେଖନ୍ତୁ–ଏ ଜୀବନ ଖାଆଲି କାନ୍ଦୁଣୀ-ମାନ୍ଦୁଣୀ । ମୋର ଏଇଟା ନାହିଁ–ମୁଁ ଯାହା ଘଟିବ ବୋଲି ଭାବୁଛି ତାହା ଘଟୁନାହିଁ–କାଲି ସକାଳୁ ରାମ ରାଜା ହେବେ ଭାବି ଆଜି ରାତ୍ରରେ ଗୁଡ଼ାଏ ଆନନ୍ଦ ଉତ୍ସବ କରି, ହୈ ଚୈ କରି ରାତି ଦୁଇଟାବେଳକୁ ମୁଁ ନିଶ୍ଚିନ୍ତରେ ଶୋଇଗଲି । ମାତ୍ର ସକାଳୁ ଟିକିଏ ଡେରିରେ ଉଠି ଶୁଣିଲି–ଶୁଣିଲି କ’ଣ ! ସ୍ଵଚକ୍ଷୁରେ ଦେଖିଲି ଜଟା ବଳ୍‌କଳ ପିନ୍ଧି ରାମ-ଲକ୍ଷ୍ମଣ-ସୀତା ଚଉଦ ବର୍ଷ ଲାଗି ବଣକୁ ବାହାରିଛନ୍ତି । ଛାତି ଫାଟିଗଲା–କାନ୍ଦି କାନ୍ଦି ସେମାନଙ୍କ ପଛରେ ଦଉଡ଼ିଲି ଅନ୍ୟମାନଙ୍କ ସଙ୍ଗରେ ।

ଏ ଅବସ୍ଥାରେ ଯଥେଷ୍ଟ କାନ୍ଦିବା ହିଁ ଜୀବନ ପକ୍ଷରେ ଅନୁକୂଳ । ଏଠି ଯଦି ମୁଁ ହସିଲି ବା ଆପଣମାନେ କେହି ହସିବାକୁ ଆରମ୍ଭକଲେ, ତେବେ ବୁଝିବାକୁ ହେବ ମଣିଷ ଭଳି ବଞ୍ଚାଯାଉ ନାହିଁ । ଆମେ ଖାଲି ବଞ୍ଚିବାକୁ ହଙ୍କ ହଙ୍କ ହେଉନାହୁଁ–ମଣିଷ ଭଳି ନ ବଞ୍ଚିଲେ ଆମ ବଞ୍ଚିବାର କିଛି ମୂଲ୍ୟ ନାହିଁ । କିନ୍ତୁ ରାମଙ୍କ ବନବାସବେଳେ ବି କେତେକ ହସୁଥିଲେ ନିଶ୍ଚୟ । ମନ୍ଥରା ଆଉ କୈକେୟୀଙ୍କ ଦଳିଆ ଲୋକେ ତ ହସୁଥିଲେ ! ସେମାନେ ଅନ୍ୟମାନଙ୍କ ଭଳି ବହୁତ ଦିନ ବଞ୍ଚି ଥାଇପାରନ୍ତି; ମାତ୍ର, ସେମିତି ବଞ୍ଚିବା ଅପେକ୍ଷା ମରିବା ଭଲ ।

କିନ୍ତୁ ଏହି ଅତ୍ୟନ୍ତ ଦୁଃଖଦାୟକ ଅଶ୍ରୁଳ ଘଟଣା ପଛରେ ବି ଗୋଟାଏ ଗଭୀର ହସ ପ୍ରଚ୍ଛନ୍ନ ରହିଛି । ଯଥାର୍ଥ ଜ୍ଞାନୀମାନେ, ଯଥାର୍ଥ ବୋଦ୍ଧାମାନେ, ଯଥାର୍ଥ ଭୂତଭବିଷ୍ୟଜ୍ଞାତାମାନେ ସବୁ ଘଟଣାର ଭିତିରି ମର୍ମଟିକୁ ବୁଝିପାରନ୍ତି । ସେମାନେ ରାମଙ୍କ ବନବାସ ଦୃଶ୍ୟ ଦେଖି କାନ୍ଦୁଥିବେ ଓ ହସୁଥିବେ ମଧ୍ୟ । ସେମାନେ ଜାଣନ୍ତି–ଭଗବାନ ମଣିଷରୂପରେ ଏ ପୃଥିବୀକୁ ଆସିଛନ୍ତି । ମଣିଷ ଭଳି ଦୁଃଖ କିଛି ଭୋଗୁଛନ୍ତି । ଏଇ ଆରମ୍ଭ ହେଲା ତାଙ୍କର ଦୁଃଖ–ଏହା ପରେ ଚିତ୍ରକୂଟ–ପଞ୍ଚବଟୀ–ସୂର୍ପଣଖା–ସୀତାଚୋରୀ–ସେଇଠୁ ରାବଣ ମରିବ । ପୃଥିବୀର ଭାରା ହରିବ । ସ୍ଵର୍ଗ ମର୍ତ୍ତ୍ୟ ପାତାଳ ତିନିପୁର ରାବଣର ଅତ୍ୟାଚାରରୁ ରକ୍ଷା ପାଇବ । ତେଣୁ ବିଶିଷ୍ଠାଦି ଜ୍ଞାନୀ ଋଷିମାନେ କାନ୍ଦିଲେ ଓ ହସିଲେ ।

ମଣିଷ ଜୀବନର ପ୍ରତିଟି ଘଟଣା ପଛରେ ମଧ୍ୟ ଏହି ଦ୍ଵିବିଧ ପ୍ରତିକ୍ରିୟା ରହିଛି । ଯେଉଁମାନେ ହସ ପଛେ ପଛେ କାନ୍ଦକୁ ଦେଖି ନାହାନ୍ତି, ବା କାନ୍ଦ ପଛେ ପଛେ ହସକୁ ଦେଖି ନାହାଁନ୍ତି, ସେମାନେ ନିର୍ବୋଧ । ତେଣୁ ଯେତେବେଳେ କୁହାଯାଏ, ବଞ୍ଚିବ ତ ହସ–ସେତେବେଳେ ସେମାନେ ନିର୍ବୋଧଙ୍କ ଭଳି ହସିବାକୁ କେବେ କୁହାଯାଏ ନାହିଁ ଏବଂ ଜମା ନ କାନ୍ଦିବ, ଏ କଥା ମଧ୍ୟ କୁହାଯାଏ ନାହିଁ । କାନ୍ଦିବା ଅପେକ୍ଷା ହସିବା ନିଶ୍ଚୟ ଭଲ । ମାତ୍ର, ଯେଉଁମାନେ ଆଦୌ କାନ୍ଦି ପାରୁନାହାନ୍ତି, ସେମାନଙ୍କୁ ପ୍ରଥମେ କନ୍ଦାଇବା ଉଚିତ । କାନ୍ଦିଲା ପରେ ଯାଇ ସେମାନଙ୍କୁ ହସିବା ମନ୍ତ୍ର ଶିଖାଇଦେବା କଥା, କିନ୍ତୁ ସର୍ବଦା ମୁହଁହାଣ୍ଡି କରିଥିବା ଲୋକକୁ ଆପଣ କିପରି ହସିବାର ଜୀବନତତ୍ତ୍ଵ ବୁଝାଇ ପାରିବେ ? କାରଣ ସେମାନେ ବାହାରକୁ ଯେତେ ଜ୍ଞାନୀ, ପଣ୍ଡିତ, ମାନୀ ବୋଲି ମନେ ହେଲେହେଁ ଅସଲରେ ବିଚରା ଖୁବ୍‌ ନିର୍ବୋଧ । ସେମାନେ ଭାବନ୍ତି–ସେଇମାନଙ୍କ ମୁଣ୍ଡ ଉପରେ ପୃଥିବୀର ଭାରା ରହିଛି । ସେମାନେ ଅଛନ୍ତି ବୋଲି ପୃଥିବୀ ତିଷ୍ଠି ରହିଛି କିମ୍ବା ଏ ପୃଥିବୀ ଖୁବ୍‌ ବିଗିଡ଼ି ଗଲାଣି । ସେମାନେ ଭାବନ୍ତି–ପୃଥିବୀ ତାଙ୍କ କଥା ନ ମାନି ବା ତାଙ୍କ କଥା ନ ବୁଝି ଏପରି ଖରାପ ବାଟରେ ଚାଲିଛି–ତେଣୁ ଅଚିରେ ଧ୍ଵଂସ ହୋଇଯିବ–କିମ୍ବା ହାଣ୍ଡିମୁହାଁମାନଙ୍କର ଧାରଣା–ସେମାନେ ଏତେ ଓଜନଦାର ଯେ ହସୁ ହସୁ ତାଙ୍କ ପାଟିରୁ ‘ହା’ କି ‘ହୋ’ ଧ୍ୱନି ଭିତରେ ଟିକିଏ ଯଦି ପବନ ବାହାରି ଯିବ, ତେବେ ସେମାନେ ବେଲୁନ କଣା ହୋଇ ପବନତକ ଚାଲିଯିବା ପରି ଅବସ୍ଥା ଭୋଗ କରିବେ । ତେଣୁ ସେମାନେ ଦାନ୍ତଚିପି ରହନ୍ତି ଓ ଅନ୍ୟମାନଙ୍କ ସଙ୍ଗେ ଦାନ୍ତଚିପା ବ୍ୟବହାର କରନ୍ତି । ଏ ଧରଣର ଲୋକେ ନିତାନ୍ତ ନିର୍ବୋଧ । ଏମାନେ ବୁଝନ୍ତି ନାହିଁ–ହାତୀ ଦେହରେ ମାଛିଟିଏ ଭଳି ମଧ୍ୟ ସେମାନଙ୍କର ଓଜନ ନୁହେଁ ଏ ପୃଥିବୀରେ । ସେମାନେ ଏ ପୃଥିବୀରେ ରହିଲେ କେତେ, ଗଲେ କେତେ ?

ତେବେ ସେମାନଙ୍କ ପାଇଁ ମଧ୍ୟ ବାଟ ଅଛି । ଯଦି ନିଜେ ନ ହସି ପାରୁଛ–ତେବେ ଅନ୍ୟମାନଙ୍କୁ ହେଲେ ହସାଅ । ଏ କ୍ଷେତ୍ରରେ ସେମାନେ ନ ହସିଲେ ବି ବଞ୍ଚିବେ । କାରଣ ଅନ୍ୟମାନେ ହସି ହସି ବଞ୍ଚିବେ । ବରଂ ଅନ୍ୟମାନେ ବଞ୍ଚିବା ହେତୁ ସେମାନେ ମଧ୍ୟ ବଞ୍ଚିବେ । ନିଜେ ହସିଲେ ନିଶ୍ଚୟ ଭଲ–ଅନ୍ୟମାନଙ୍କୁ ହସାଇ ପାରିଲେ ସବୁଠାରୁ ଭଲ । କିନ୍ତୁ ଏ କ’ଣ ସହଜ କଥା ?

Image

 

ଅଧରାତିର ମାୟା

 

ଗତ ଦିନର ସୂର୍ଯ୍ୟ ଗୋଟାଇ ନେଲାଣି ତା’ର ସର୍ବଶେଷ କିରଣଟି ପୃଥିବୀ ଉପରୁ । ଆସନ୍ତା ଦିନର ସୂର୍ଯ୍ୟ ତା’ର ଆଦ୍ୟ କିରଣଟି ପଠାଉଛି ପୃଥିବୀ ଉପରକୁ ।

 

ଏ ଗୋଟିଏ ସନ୍ଧିକ୍ଷଣ । ଯିବାର ଆଉ ଆସିବାର ଗୋଟାଏ ରହସ୍ୟଘନ ଅଧରା-ମୁହୂର୍ତ୍ତ-। ଏଇ ମୁହୂର୍ତ୍ତଟିକୁ ଘଣ୍ଟାର ଡାଏଲ୍‌ ଭିତରୁ ମାପି ଧରି ହେବ ନାହିଁ । ଏ ଯେପରି କାଳ ପ୍ରବାହର ଗୋଟାଏ ଖୁବ୍‌ ସୂକ୍ଷ୍ମ ବିନ୍ଦୁ, ଯାହାର ଅବସ୍ଥିତି ଅଛି–ଅଥଚ ଲମ୍ବ ଓ ପ୍ରସ୍ଥର ମାପରେ ଏହାକୁ କଳିହେବ ନାହିଁ ।

 

ୟାକୁଇ କହନ୍ତି ଅଧରାତି ।

 

ଚାରିଆଡ଼େ ନିସ୍ତବ୍‌ଧ । ଅଳ୍ପ ସମୟ ତଳେ ବାରିପଟେ ଗୋଟାଏ ଝଙ୍କା ତେନ୍ତୁଳିଗଛ ସନ୍ଧିରୁ କାଳ ପେଚାଟାଏ ବୋବାଇ ଲାଗିଥିଲା । ସେ ମଧ୍ୟ ଏ ମୁହୂର୍ତ୍ତରେ ଚୁପ୍‍ ହୋଇଗଲା । ଝିରିଝିରି ପବନରେ ନଡ଼ିଆ ଗଛର ବାହୁଙ୍ଗାଗୁଡ଼ାକ ଫଡ଼ ଫଡ଼ ହେଉଥିଲେ, ସେମାନେ ବି ନାଟକୀୟ ଢଙ୍ଗରେ ହଠାତ୍‌ ନିଶ୍ଚଳ ହୋଇଉଠିଲେ ।

 

ଠିକ୍‌ ଏହି ମୁହୂର୍ତ୍ତଟାର ପୂର୍ବରୁ ଗୋଟାଏ ଅସହାୟ ମୁମୂର୍ଷୁ କ୍ଷୟରୋଗୀ ଭଳି ପାହାଡ଼ ସେପଟେ ଅଷ୍ଟମୀର ଚନ୍ଦ୍ର ମରିଗଲା । ଓଃ ! ମଲାବେଳେ ସେ କି କରୁଣଭାବେ ବିବର୍ଣ୍ଣ ଦିଶୁଥିଲା ! ସତେକି କେହି ଅନ୍ଧାରକାମୀ ଦୁର୍ବୃତ୍ତ ଗୋଟାଏ ଅସତର୍କ ମୁହୂର୍ତ୍ତରେ ଚନ୍ଦ୍ରକୁ ତଣ୍ଟିଚିପି ଖୁନ୍‌ କରିଦେଲା !

 

ଅଥଚ ପ୍ରାଚୀନମାନେ କହୁଥିଲେ–ଏଇ ଚନ୍ଦ୍ର କୁଆଡ଼େ “ଓଷଧୀଷ” ! ପୃଥିବୀର ସମସ୍ତ ଔଷଧ ବୃକ୍ଷରେ ଅମୃତର ସଂଚାର କରେ କୁଆଡ଼େ ଏଇ ଚନ୍ଦ୍ର !

 

ହାୟ ! ବିଚାରାକୁ “ସୁଧାକର” ବୋଲି ମଧ୍ୟ କହୁଥିଲେ ପ୍ରବୀଣ ବିଜ୍ଞମାନେ ।

 

କିନ୍ତୁ ଏଇ ମୋର ଆକ୍ଷି ଆଗରେ ଠିକ୍‌ ଏଇ ମୁହୂର୍ତ୍ତଟିର ଅଳ୍ପ ପୂର୍ବରୁ ପାହାଡ ସେପଟେ ବଡ଼ ଅସହାୟ କ୍ଷୟରୋଗୀଟିଏ ଭଳି ସେ ବିଚାରା ମରିଗଲା–ଆଉ ଢଳିପଡ଼ିଲା । ପାହାଡ଼ ପାଖରେ ରାତ୍ରିଚର ବିଲୁଆମାନେ ଭୁକି ଉଠିଲେ ଠିକ୍‌ ସେଇ ମୁହୂର୍ତ୍ତରେ ।

 

ସେମାନେ ବୋଧେ ଖୁବ୍‌ ଖୁସି ହୋଇଗଲେ । ଆଜି ରାତିଟାରେ ସେମାନେ ଏଇ ମୃତ ଚନ୍ଦ୍ରଟାକୁ ନେଇ ଭୋଜି କରିବେ !

 

କିନ୍ତୁ ହାୟ ! ବିଚାରା ଏଇ ଚନ୍ଦ୍ରଟିର ଅକାଳ ମୃତ୍ୟୁରେ ଆକ୍ଷିରୁ ଟିକିଏ ଲୁହ ଢାଳି କାନ୍ଦିବା ପାଇଁ ଏତେ ରାତିରେ ଏ ପୃଥିବୀରେ କେହି ଚେଇଁ ନାହାନ୍ତି !

 

ଅଥର ତାକୁଇ ମନେପକାଇ ଏମାନେ ଦିନଯାକ କେତେ କବିତା ଭଲା ଲେଖି ନାହାନ୍ତି-!

 

ଟପ୍‌ ଟପ୍‌ ଟପ୍‌.........

 

ଆକାଶରୁ କେଉଁମାନେ ସବୁ ଲୁହ ଢାଳୁଛନ୍ତି ? ଥପ୍‌ ଥପ୍‌ ହୋଇ ଗଛ ଉପରୁ ଘାସ ଉପରେ ଖସିପଡ଼ୁଛି ସେମାନଙ୍କ ଲୁହ ବିନ୍ଦୁ ସବୁ । ଆସନ୍ତାକାଲିର ପ୍ରଭାତ ସୂର୍ଯ୍ୟ ସେଥିରେ ମୁହଁ ଧୋଇବ–କିମ୍ବା ମୁହଁ ଦେଖିବ ।

 

ଆଛା–ଚନ୍ଦ୍ରର ଏଇ ଅକାଳ ମୃତ୍ୟୁ ଲାଗି କ’ଣ ଏ ଆକାଶ ଲୁହ ଢାଳୁଛି ? ଆଦୌ ନୁହେଁ-

 

ଚନ୍ଦ୍ରଟା ଆକାଶର ତ୍ୟଜ୍ୟପୁତ୍ର । ସୂର୍ଯ୍ୟ ବ୍ୟତୀତ ଏ ଆକାଶର ଆଉ କାହା ଉପରେ ଆସ୍ଥା ନାହିଁ । ତା’ଛଡ଼ା, ଆକାଶଠାରୁ ବଳି ଏତେ ନିର୍ଲିପ୍ତ, ନିର୍ମୋହ ଓ ନିର୍ମମ ଭଲା ଆଉ କିଏ ଅଛି-?

 

ମିଟି ମିଟି କରି ସାରା ରାତି ଅନିଦ୍ରା ହୋଇ ଚାହିଁ ରହିଛନ୍ତି ଏଇ ତାରାମାନେ କୋଉଥିଲାଗି ?

 

“ତାରାପତି”ଙ୍କର ମୃତ ବିବର୍ଣ୍ଣ ଦେହଟାକୁ ପାହାଡ଼ ସେପଟେ ଫୋପାଡ଼ି ଦେଇ ସେମାନେ ବର୍ତ୍ତମାନ ନିଶ୍ଚିନ୍ତ ହୋଇଗଲେ କି ?

 

ତା’ପରେ, ସେମାନେ ପୃଥିବୀକୁ ଦେଖିବା ଲାଗି ଅଧୀରଭାବେ ଆକ୍ଷି ମେଲାକରି ରହିଛନ୍ତି, ଖୁବ୍‌ ନୀରବରେ–ଧୀର ସ୍ଥିର ଭାବରେ ।

 

“କୁଁ” ନାହିଁ କି “କାଁ” ନାହିଁ ।

 

“ଟୁଁ” ନାହିଁ କି “ଟାଁ” ନାହିଁ ।

 

ସେମାନଙ୍କର ଆକ୍ଷିର ପଲକ ପଡ଼ୁନାହିଁ । ଆକ୍ଷି ପୋଡ଼ି ଉଠୁଛି । ସଜଳ ହୋଇଉଠୁଛି । ଅଥଚ ସେମାନେ ଆକ୍ଷି ବୁଜୁନାହାନ୍ତି । କିନ୍ତୁ ଥରିଉଠୁଛି ତାଙ୍କର ଆକ୍ଷିପତା ସବୁ–ମିଟିମିଟି ହୋଇ । ସେମାନେ କ’ଣ ଚନ୍ଦ୍ରର ଜଞ୍ଜାଳରୁ ମୁକ୍ତି ପାଇ ଏ ପୃଥିବୀଟାକୁ ଦେଖିବା ଲାଗି ବ୍ୟାକୁଳ କି ?

 

କିନ୍ତୁ କ’ଣ ବା ସେମାନେ ଦେଖିବେ ବର୍ତ୍ତମାନ ଏ ପୃଥିବୀଟାର ?

 

ଏ ପୃଥିବୀ ଶୋଇପଡ଼ିଛି ।

 

କବାଟ କିଳି ।

 

ଘୋଡ଼ିଘାଡ଼ି ହୋଇ ।

 

ଆଉ–ଯେଉଁମାନେ ଶୋଇ ନାହାନ୍ତି ?

 

ଅଧରାତିର ଏଇ ନିସ୍ତବ୍‌ଧ ନିଃସଙ୍ଗ ପ୍ରଶାନ୍ତ ଅନ୍ଧକାର ଯେଉଁମାନଙ୍କୁ ମାତାଲ କରିଦେଇଛି ? ଆକ୍ଷିରୁ ଯେଉଁମାନଙ୍କର ମରିଗଲାଣି ତନ୍ଦ୍ରା ? ଜାଗି ଜାଗି ଯେଉଁମାନେ ମୋ’ଭଳି ସ୍ଵପ୍ନ ଦେଖନ୍ତି ଅଧ ରାତିରେ ? ଆପଣ କ’ଣ ସେମାନଙ୍କୁ ପାଗଳା ଗାରଦକୁ ପଠାଇବେ ରାତି ପାହିଲେ ?

 

ନା–ନା; ଏତେ ଚଞ୍ଚଳ ସେମାନଙ୍କ ଲାଗି ଏପରି ବ୍ୟବସ୍ଥା କରିଦେଇ ଆପଣ ନିଜେ ପାଗଳାମିର ପରିଚୟ ଦିଅନ୍ତୁ ନାହିଁ । କାରଣ, ଯେଉଁମାନେ ରାତିଯାକ ବସିଛନ୍ତି–ସେମାନେ ନିଶ୍ଚୟ ଦିନରେ ଶୋଇବେ ।

 

“ଆକାଶେ ଆକ୍ଷିର ତୃଷ୍ଣା” ହେ ତାରକାଗଣ !

 

ଆମ୍ଭମାନଙ୍କୁ ଦେଖି ତୁମ୍ଭେମାନେ ପୃଥିବୀ ଉପରେ ହଠାତ୍‌ କିଛି ଧାରଣା କରିନିଅ ନାହିଁ-!

 

ରାତିର ମେଲ୍‌ଗାଡ଼ିରେ ଠିଆ ହୋଇ ଯେଉଁମାନେ ଇଞ୍ଜିନ୍‌କୁ କୋଇଲା ପାଣି ଯୋଗାଉଛନ୍ତି–ସେମାନେ ନିଶ୍ଚେ ଦିନରେ ଶୋଇବେ ।

 

ଏ ରାତିର ସମସ୍ତ ଗୋପନ ରହସ୍ୟକୁ ଭେଦ କରିବା ଲାଗି ଯେଉଁମାନେ ଲୁଚି ଲୁଚି ହୁଇସିଲ୍‌ ମାରୁଛନ୍ତି–ଆଉ ପଇଁତରା ମାରୁଛନ୍ତି, ସେମାନେ ମଧ୍ୟ କାଲି ନିଶ୍ଚିନ୍ତରେ ଦିନରେ ଶୋଇଯିବେ, ଦୁଆର ଝରକା ବନ୍ଦ କରି ।

 

ଏଇ ରାତିରେ ମନେ ହେଉଛନ୍ତି ଯେଉଁମାନେ ଖୁବ୍‌ ଗତିଶୀଳ–କାଲି ସକାଳର ସତେଜ ଆଲୁଅରେ ସେମାନେ କିନ୍ତୁ ପଡ଼ିରହିବେ–ନିଷ୍ପ୍ରାଣ ଆଉ ଜଡ଼ ଭଳି....

 

X X X

 

ଅଧରାତିର ମାୟା !

ଆହା କି ମଧୁର !

ସବୁ ଶବ୍ଦ ଶୋଇଯାଇଛନ୍ତି ।

ସବୁ କୋଳାହଳ ନୀରବ ।

ସବୁ ଦୃଶ୍ୟ ସ୍ଵପ୍ନ ପାଲଟୁଛି ।

ସବୁ ରଙ୍ଗ ବେରଙ୍ଗ ।

 

ଭଡ଼ାଘରର ଏଇ ଛାତ ଉପରଟା ବେଶ୍‌ । ତଳେ ସବୁ ଶୋଇ ଯାଇଛନ୍ତି ସେମାନେ–

 

ବାବୁଲା, ଫକୁ, ଟୁଟୁ, ନୀନୀ, ଲୀନା–

 

ତଳେ ରୋଷେଇ ଘରେ ଚୁଲିଟି ଲିଭି ଯାଇଥିବ । (ଆହା ! ବିଚରା ଦିନସାରା ଜଳୁଥିଲା-। ଲିଭୁ–ଲିଭୁ !)

 

ଚୁଲି ପାଖରେ ଆରାମରେ ଉଷୁମ୍‌ ଟାଣି ଶୋଇ ଯାଇଥିବ ପୁଷିଟି ! ରାତି ଲାଗି ତା’ର ଆଉ କ୍ଷୁଧା ନାହିଁ । (ଆହା ! ବିଚରା ମୂଷାମାନେ ଦୀର୍ଘଜୀବୀ ହୁଅନ୍ତୁ !)

 

ସିଡ଼ି ଉପରେ ଛାତ ଉପରକୁ ଆସୁ ଆସୁ ସେଇଠି ଘୁମେଇ ପଡ଼ିଥିଲେ ମୋର ସ୍ତ୍ରୀ । ସେଇ ସିଡ଼ି ଉପରେଇ ସେ ଶୋଇ ଯାଇଛନ୍ତି । ତଳୁ ଉଠି ଆସିଲେ, ମାତ୍ର ଉପରକୁ ପହୁଞ୍ଚିବା ଲାଗି ତାଙ୍କର ସରାଗ ବଳିଲା ନାହିଁ । ଅଧବାଟରେ ସେଇ ସିଡ଼ି ଉପରେହିଁ ସେ ରହିଗଲେ । ଖାଲି ରହିଗଲେ ନାହିଁ, ଶୋଇଗଲେ ମଧ୍ୟ ।

 

ଆହା ବିଚାରୀ ଶୁଅନ୍ତୁ ସେଇଠି ।

 

ତାଙ୍କର ବି ଆଉ ରାତି ଲାଗି କ୍ଷୁଧା ନାହିଁ ।

 

ମହାଦେବଙ୍କ ଆକ୍ଷିର ନିଆଁରେ କନ୍ଦର୍ପ ଭସ୍ମ ହୋଇ ଯାଇଛି । ଆଉ ଚୁଲିର ନିଆଁରେ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି ବିଚାରୀ ରତିର ଏଇ “ରାତିକର କ୍ଷୁଧା” ।

 

ସେଇ ସିଡ଼ି ଉପରୁ ଭାସିଆସୁଛି ଖୁବ୍‌ ଦୀର୍ଘ ଆଉ ଗଭୀର ଶ୍ଵାସପ୍ରଶ୍ଵାସର ପୌନପୌନିକ ପ୍ରବାହ । କିଏ ଯେମିତି ନିଃଶ୍ଵାସରେ ମହାକାଳକୁ ମାପି ଚାଲିଛନ୍ତି । କିମ୍ବା ଅବିଶ୍ରାନ୍ତ ଅବିରାମଗତି ମହାକାଳୀଙ୍କର ଏ ଯେମିତି ଘନ ଘନ କ୍ଳାନ୍ତ ଦୀର୍ଘଶ୍ଵାସ !

 

ମହାକାଳୀ ଘୁଙ୍ଗୁଡ଼ି ମାରୁଛନ୍ତି ।

ଆହା ବିଚାରୀ ! ଶୁ–ଅନ୍ତୁ ।

ସେଇ ସିଡ଼ିଟାଇ ଭଲ ।

ତାଙ୍କରି ଲାଗି ଏକା !!

 

ସ୍ଵର୍ଗ ଆଉ ମର୍ତ୍ତ୍ୟ ମଝିରେ ଏଇ ସିଡ଼ିଟାତ ଅଧିକ ସତ୍ୟ–ଅଧିକ ବାସ୍ତବ ଆଉ ଅଧିକ ଅଭିନନ୍ଦନୀୟ ।

 

ସ୍ଵର୍ଗର ସତ୍ୟଟା ବାୟବୀୟ ! ଆଃ–ଅତିମାତ୍ରାରେ ନିରାକାର । ଆଉ ମର୍ତ୍ତ୍ୟର ସତ୍ୟଟା-? ସ୍ଥୂଳ ! ଈସ୍‌ ଅତିମାତ୍ରାରେ ଧୂଳିପୂର୍ଣ୍ଣସାକାର ।

 

କିନ୍ତୁ ଏଇ “ସିଡ଼ି”ଟା !!

 

ଏଇଟାଇ ମାଧ୍ୟମ ସତ୍ୟ । ଏଇତ ଯୋଗ କରେ ସ୍ଵର୍ଗ ସଙ୍ଗେ ମର୍ତ୍ତ୍ୟକୁ ! ଏଇ ହେଉଛି ଯୋଗମାୟା !

 

କିନ୍ତୁ ବିଚାରା ରାବଣ- ଏଇଟାକୁ ବାନ୍ଧି ପାରି ନ ଥିଲା !

 

କେମିତି ବାନ୍ଧନ୍ତା ? ରାବଣର ସବୁ ଥିଲା–କିନ୍ତୁ ଗୋଟାଏ କଥାରେ ସେ ଥିଲା ଦରିଦ୍ରତମ । ରାବଣର କାମନା ଥିଲା–ପ୍ରଚଣ୍ଡ ଭାବେ ମାର୍ତ୍ତବ । ଆଉ ନିଷ୍ଠାଟା ବି ଥିଲା ପ୍ରଚଣ୍ଡଭାବେ ସ୍ଵର୍ଗର । ଧରିବା ଲାଗି ତା’ର କି ଭୀଷଣ ଆଗ୍ରହ ! ଆଉ ଛାଡ଼ିଦେବା ଲାଗି ମଧ୍ୟ ତା’ର କି ଭୀଷଣ ଖେୟାଲ୍‌ ! ଅଥଚ ଉଭୟଟା ଭିତରେ ସେ ରଖି ପାରି ନଥିଲା ଗୋଟାଏ ସିଡ଼ି ।

 

ଆଃ–ଛାଡ଼–ଛାଡ଼–ରାବଣର କଥା ଏବେ ଚୁଲିକି ଯାଉ ।

 

ହାୟ ହାୟ ! ଚୁଲିରେ ବି ଆଉ ନିଆଁ ନଥିବ ଏତେବେଳେ ! ସବୁ ନିଆଁ ଲିଭିଗଲାଣି ।

 

ମୋ’ ସ୍ତ୍ରୀ ସେମିତି ସିଡ଼ି ଉପରେ ଶୋଇ ଯାଇଛନ୍ତି ! X X

 

ଏଇ ଅଧରାତିଟା ସତରେ ଭାରି ଚମତ୍କାର !!

 

ଏତିକିବେଳେ କିନ୍ତୁ ସମସ୍ତେ ଶୋଇ ଯାଇଛନ୍ତି । ବର୍ତ୍ତମାନ ଏମିତି ଭଡ଼ା ଘରର ଛାତ ଉପରେ ହାଲୁକା ବିଛଣାରେ ପଡ଼ିରହି ଜଳଜଳ ଆକ୍ଷିରେ ଆକାଶକୁ ଚାହିଁଥିବା, ନଚେତ୍‌ ତାରାମାନଙ୍କ ସଙ୍ଗେ ଆକ୍ଷି ମିଳାଇବା କିମ୍ବା ସେମାନଙ୍କୁ ଖତେଇ ହେବା ।

 

ଆଉ କ’ଣ ବା କାମ ଅଛି । ଅଧରାତିର ନିସ୍ତବ୍ଧତା....

 

କିଛି ନ କରି ମଧ୍ୟ କେବଳ ଶୋଇଯାଇ ହୁଏ ଶବାସନରେ ।

 

କି ପ୍ରଶାନ୍ତ ଏଇ ଅଧରାତିର ନିସ୍ତବ୍ଧତା !

 

ସେମାନଙ୍କ କୋଳାହଳ ବନ୍ଦ ହୋଇ ଯାଇଛି–ଯେଉଁମାନେ ହୋଟେଲରେ ବସି ଆଧୁନିକ କବିତାର ଛନ୍ଦ ଉପରେ ତର୍କ କରୁଥିଲେ !

 

ସେମାନେ ସବୁ କୁଆଡ଼େ ?

 

ଯେଉଁମାନେ ନିର୍ବାଚନରେ ଭୋଟ ଲାଗି ରଡ଼ି ଛାଡ଼ୁଥିଲେ ?

 

ଯେଉଁମାନେ ପୃଥିବୀର ଶାନ୍ତି ସମସ୍ୟା ସମାଧାନ ଲାଗି ମୁଣ୍ଡ ଫଟାଫଟି ହେଉଥିଲେ ?

 

ସେମାନେ ବୋଧେ ଶୋଇଗଲେଣି–ଯେଉଁମାନେ ଆତ୍ମା ଓ ପରମାତ୍ମାର ସ୍ଵରୂପ ଆଉ ସମ୍ପର୍କ ନେଇ ହାତାହାତି ହେଉଥିଲେ ।

 

ସେମାନଙ୍କର ପାଟି ଶୁଭୁନାହିଁ–

 

ପରମାଣୁ ବିସ୍ଫୋରଣ ଆଉ କାନ୍‌ସର୍‌ ଆକ୍ରମଣର ସମ୍ଭାବନାରେ ଯେଉଁମାନେ ଥରି ଥରି ଚିତ୍କାର କରୁଥିଲେ ?

 

ସବୁ ବନ୍ଦ ହୋଇଯାଇଛି ।

 

ସବୁ ଶବ୍ଦ ବର୍ତ୍ତମାନ ନିଶୂନ୍‌ ।

 

ଅଫିସ୍‌ର ଟେଲିଫୋନ୍‌ କ୍ରିଂ କ୍ରିଂ ।

 

ବଡ଼ ସାହେବଙ୍କ କଲିଂବେଲ୍‌–ଟ୍ରିଂ ଟ୍ରିଂ ।

 

ଗୀର୍ଜାର ଠନ୍‌ ଠନ୍‌

 

ଦେଉଳର ଢଣ୍‌ ଢଣ୍‌

 

ଫେରିବାଲାର–“ସାରୁ, ଶିମ, ପୋଇ”

 

ମାଲଗାଡ଼ିର ହୁଇସିଲ୍‌–

 

ଦେଶସେବକମାନଙ୍କର ମଟର ହର୍ଣ୍ଣ–ଭଁ ଭଁ ଭଁ

 

ବଡ଼ ଝିଅର–“ସା ରି ଗା ମା”

 

ଆଉ ବଡ଼ ପୁଅର ?

 

ଡିକୋରୀ ଚିକୋରୀ ଡକ୍‌–

 

ନଚେତ୍‌–

 

ଅରଣା ମଇଁଷି ରହିଛି ଅନାଇଁ ।

 

.....ଚାରିଆଡ଼େ ଗୋଟାଏ ନିବିଡ଼ କଳାରଙ୍ଗର ମସ୍‌ଲିନ୍‌ କନାର ମୁଲାଏମ୍‌ ଚଦର ଭଳି ଶୀତଳ ଓ କୋମଳ ନୀରବତା, ନିସ୍ତବ୍ଧତା ଘେରିକରି ରଖିଛି–ମୋର ଦେହ, ପ୍ରାଣ ଆଉ ମନର ଚେତନାକୁ ।

 

ସେମାନେ କାହାନ୍ତି ?

 

ଯେଉଁମାନେ ଘରଭଡ଼ା ମାଗିବାକୁ ଆସନ୍ତି ?

 

ସେମାନେ କାହାନ୍ତି ?

 

ଯେଉଁମାନେ ବାକୀ ଟଙ୍କା ଅସୁଲ କରିବାକୁ ଆସନ୍ତି ?

 

ସେମାନେ କାହାନ୍ତି ?

 

ଯେଉଁମାନେ “ସୁଧ” ଆଦାୟ କରିବା ଲାଗି ମୋର ଦାଣ୍ଡ ଦୁଆରେ ଠେଙ୍ଗା ଧରି ଠିଆ ହୋଇ ନିଶରେ ହାତ ବୁଲାନ୍ତି ?

 

ମୁଁ ବର୍ତ୍ତମାନ ସମସ୍ତଙ୍କୁ କ୍ଷମା ଦେଉଛି ।

 

ଆଶୀର୍ବାଦ ମଧ୍ୟ କରୁଛି ।

 

ହେ ଘରବାଲା !

 

ହେ ବାକୀ ଦୋକାନୀ !

 

ହେ କାବୁଲୀବାଲା !

 

ତୁମେମାନେ ବର୍ତ୍ତମାନ ଶାନ୍ତିରେ ଶୋଇଯାଅ ।

 

ତୁମ୍ଭମାନଙ୍କର ନିଦ୍ରା ହେଉ ବାଧାହୀନ–ବିଘ୍ନହୀନ ଚିନ୍ତାହୀନ–

 

ଆଉ ଶେଷରେ....... ସପ୍ନହୀନ !!

 

X X X

 

ଆଃ ! କି ପରମ ଶାନ୍ତି !

 

ଉପରେ କି ସୁନ୍ଦର ଛାତି ଏଇ ଆକାଶର ! କେଡ଼େ ବିସ୍ତୃତି ତା’ର ଛାତିର !

 

ଏ ପୃଥିବୀରେ ଗୋଡ଼ ଦେଇ ମୁଁ ଶୋଇଯିବି ଆକାଶର ଏଇ ବିସ୍ତୃତ ଛାତି ଉପରେ ମୁଣ୍ଡ ରଖି । ମୁଁ ଏଇ ଆକାଶର ପ୍ରେମିକା ! ଆଃ ! କି ଚମତ୍କାର ତୃପ୍ତି !

 

X X X

 

ପୃଥିବୀର ଏଇ ଅନ୍ଧକାର କି କୋମଳ କି ଶୀତଳ–ଆଉ କି ଯନ୍ତ୍ରଣାହୀନ !

 

ମୁଁ ଏଇ ଅନ୍ଧକାରରେ ଲୀନ ହେବି । ମୁଁ ଏଇ ପୃଥିବୀର ପ୍ରେମିକ ।

 

ଗହନ ରାତିର ହେ ଆକାଶ !

 

ଗହନ ରାତିର ହେ ପୃଥିବୀ !

 

ଗହନ ରାତିର ହେ ଅନ୍ଧକାର !

 

ଗହନ ରାତିର ହେ ନିସ୍ତବ୍ଧତା !

 

ମୁଁ ଶପଥ କରି କହୁଛି–ଏ ପୃଥିବୀରେ ମୋର କେହି ଶତ୍ରୁ ନାହାନ୍ତି । ମୁଁ ମଧ୍ୟ କାହାର ଶତ୍ରୁ ନୁହେଁ । ମୁଁ ମୋର ସମସ୍ତ ଋଣ ପରିଶୋଧ କରିଦେଇଛି । ମୋର ମଧ୍ୟ ଆଉ କେହି ଋଣୀ ନାହାନ୍ତି ।

 

ମୋର ଆଉ କିଛି ଆଶା ନାହିଁ । ମୋ ଲାଗି ମଧ୍ୟ ଆଉ କେହି ଆଶାୟୀ ନୁହନ୍ତି । ମୁଁ ସବୁ ସାରିଦେଲିଣି । ମୋତେ ବି ସମସ୍ତେ ଶେଷ କରିଦେଲେଣି ।

 

ତା’ହେଲେ.....

ହେ ପୃଥିବୀ !

ହେ ଆକାଶ !!

ହେ ଅନ୍ଧକାର !

ହେ ଗହନ ରାତିର ନିସ୍ତବ୍ଧତା !!

 

ମୁଁ ତୁମ୍ଭମାନଙ୍କୁ ଅକପଟ ଚିତ୍ତରେ ଏହିକ୍ଷଣି ଉପହାର ଦେଉଛି । ....ମୋର ନଷ୍ଟ ଉଦ୍ୟାନର ସର୍ବଶେଷ ଫୁଲଟିକୁ ତୁମେମାନେ ତୋଳି ନିଅ । ମୁଁ ବର୍ତ୍ତମାନ ମରେଁ ?? ମରେଁ ??

 

ଏହି ମୁହୂର୍ତ୍ତଟାତ ସେଇ ମାହେନ୍ଦ୍ର ମୁହୂର୍ତ୍ତ । ଏଇ ଚନ୍ଦ୍ରଟି ବିଚାରା ନୀରବରେ ମରିଗଲା ଭଳି ମୁଁ ଏତିକିବେଳେହିଁ ମରିଯାଏଁ ଆଉ ତରିଯାଏଁ ।

 

ମୋର ମରଣଟି ହେଉ ଏହିଭଳି ନିସ୍ତବ୍ଧ–ନୀରବ–ଶୀତଳ ଆଉ କୋଳାହଳ ଶୂନ୍ୟ–ଶାନ୍ତିର ଆଉ ସ୍ଵସ୍ତିର ! ମୋ ଲାଗି କେହି ଯେପରି ଆଉ ଲୁହ ନ ଢାଳୁ । ମୋର ଆକ୍ଷିରେ ଆଉ କାହା ଲାଗି ଲୁହ ନାହିଁ । ତା’ହେଲେ–ମରେଁ–ମୁଁ ମରେଁ ???

 

ହେ ମୃତ୍ୟୁ !

ଆସ–ଆସ ।

 

ଆଃ–ଆସ–ଆସ–ଆସ ଏଇ ଅନ୍ଧକାରର ଶୀତଳ ନିସ୍ତବ୍ଧ ଆଲିଙ୍ଗନ ଭିତରକୁ । ଆଉ ମୋର ଦୁଇ ଆକ୍ଷିର ଦୃଷ୍ଟି ଚିରଦିନ ଲାଗି ହଜିଯାଉ ତୁମର ସେହି ନୀରବ ନିବିଡ଼ ଶୀତଳ ଗଭୀର ଅନ୍ଧକାରର ବିସ୍ତୃତି ଆଉ ଆଉ ବିସ୍ମୃତି ଭିତରେ ।

 

ଆସ–ଆସ ମୃତ୍ୟୁ ! ଆସ !!

 

X X X

 

ଧପ୍‌ ଧପ୍‌ ଧପ୍‌....

 

ଫଡ଼୍‍, ଫଡ଼୍‍, ଫଡ଼୍‍,–

 

ମିଆଁଉଁ....

 

ହୁକେ, ହୁକେ ହୋ ଓଓଓ.... ।

 

ସା–ବ–ଧା ଆ ନ୍‌ନ୍‌ନ୍‌.... ।

 

ବୋଉଲୋ ଓଓଓ....

 

ଏକା ଥରକେ ଗୁଡ଼ାଏ ଶବ୍‌ଦ ଅନ୍ଧାର ଭିତରୁ ଚବକେଇ ଉଠିଲେ । ଅଧରାତିର ଏଇ ତାମସୀ ମାୟାର ନିସ୍ତବ୍ଧତାକୁ ଅସ୍ଵୀକାର କରି ଧପ୍‌ ଧପ୍‌ ଶବ୍ଦରେ ଡେଣା ପିଟି ପିଟି ବାଦୁଡ଼ିମାନେ ଗୋଟାଏ ପିଜୁଳି ଗଛରୁ ସପେଟା ଗଛକୁ ଉଡ଼ିଗଲେ । ଝଙ୍କା ତେନ୍ତୁଳୀ ଗଛ ସନ୍ଧିରୁ ପେଚାଟା ମଧ୍ୟ ହଠାତ୍‌ ପୁଣି ବୋବେଇ ଉଠିଲା । ଗହୀର ଆଡ଼ୁ ବିଲୁଆମାନେ ଏକ ସ୍ଵରରେ ବୋବେଇ ଉଠିଲେ । ତାଙ୍କୁ ବୀରୋଚିତ ଉତ୍ତର ଦେବା ଲାଗି ଦଳେ କୁକୁର ଉପରକୁ ମୁହଁକରି ବଜାର ଛକରେ ଗର୍ଜି ଉଠିଲେ । ଗୋଟାଏ କୁଆ ପ୍ରାଣ ବିକଳରେ ବାଇବିଛ ହୋଇ ଡେଣା ଛାଟିପିଟି ଉଡ଼ି ପଳାଇଲା କୁଆଡ଼କୁ...... କା-କା-କା ହୋଇ । ଅନ୍ଧାର ଗଳିଭିତରୁ ହଠାତ୍‌ ପୋଲିସ୍‌ର ହୁଇସିଲ୍‌ ବାଜି ଉଠିଲା-। ସତେକି ଏଇ ଅନ୍ଧକାର ଭିତରୁ ସେ କାହାକୁ ଗୋଟେ ଧରି ପକାଇଛି ! ରାସ୍ତା ତଳେ ତଳେ ଅନ୍ଧାରକୁ ଛାଟି ଛାଟି ସତେକି ଅଶରୀରୀମାନେ ଏକମୁହାଁ କେଉଁଆଡ଼େ ପଳାଇ ଯାଉଛନ୍ତି । ଗୋଟାଏ ଭୁଆ ବିଲେଇ ମ୍ୟାଉଁ ମ୍ୟାଉଁ ରଡ଼ି କରି ଘର ଘର ବୁଲି ତା’ର ପ୍ରଣୟିନୀକୁ ଖୋଜି ଖୋଜି ଏଠି ଆସି ହାଜର ହୋଇ ଗଲାଣି । ଘର ଛାତ ତଳୁ ଗୋଟାଏ ସତୀ ଝିଟିପିଟି ବୋବେଇ ଉଠିଲା–ଟିକ୍‌ ଟିକ୍‌–ସତ୍‌ ସତ୍‌ ସତ୍‌ ।

 

ସେମାନେ ସମସ୍ତେ ଏକାବେଳକେ ଅଧରାତିର ଏଇ ତାମସୀ ନିସ୍ତବ୍ଧ ମୁହୂର୍ତ୍ତର ମାୟାକୁ ଅସ୍ଵୀକାର କରିବାକୁ ଆରମ୍ଭ କରିଦେଲେ ।

 

ଆଃ- ତା’ହେଲେ ଗଲା ??

 

ଅଧରାତିର ଏହି ମାହେନ୍ଦ୍ର ମୁହୂର୍ତ୍ତଟା ଏଡ଼େ ଶୀଘ୍ର ଗଡ଼ିଗଲା ?

 

ତଳଘରୁ ସବା ସାନ ପିଲାଟାର କାଶ ଆରମ୍ଭ ହୋଇଗଲାଣି । ଏଇ କେତେଦିନ ଧରି ତାକୁ ଭାରି ସର୍ଦ୍ଦି ଆଉ କାଶ ଧରିଛି ! କାଶ ଆରମ୍ଭ ହୋଇଗଲା କ୍ଷଣି ନିଦ ଭାଙ୍ଗିଯାଉଛି । ଏଇ ଅଧ ରାତିଟାରେହିଁ ତା’ର କାଶ ବେଶୀ ଉତ୍ପାତ କରୁଛି ।

 

ଓଃ !!!

 

କାଶିଲାଣି ସେ ଲଟେଇ ଲଟେଇ । ସତେକି କାଶି କାଶି ତା’ର ଦମ୍‌ ବନ୍ଦ ହୋଇଯିବ । ହୁପିଙ୍ଗ୍‌ କଫ୍‌ । ଚିକିତ୍ସା ଚାଲିଛି ।

 

କାଶି କାଶି ବୋଧେ ତା’ର ବିଛଣାରେ ମୁତି ଦେବଣି । ଆଉ ସେଇ ମୁତ ଭିତରେହିଁ ସେ ଲଟପଟ ହେଉଥିବ ତେଲୁଣୀ ପୋକ ଭଳି ।

 

ଏଣେ ସିଡ଼ି ଉପରେ ସ୍ତ୍ରୀଙ୍କର ନିଦ ଭାଙ୍ଗୁ ନାହିଁ । ସିଡ଼ି ଉପରେହିଁ ତାଙ୍କୁ ଆରାମରେ ନିଦ ହୋଇଯାଏ, ସେ ଅଦ୍ୟାବଧି ଘୁଙ୍ଗୁଡ଼ି ମାରୁଛନ୍ତି–ପିଲାଟା ତେଣେ ତଳଘରେ କାଶି କାଶି ନୟାନ୍ତ ହୋଇ ପଡ଼ିଲାଣି । ସ୍ତ୍ରୀଙ୍କର ଏଇ ସିଡ଼ି ଉପରେ ନିଶ୍ଚିନ୍ତ ନିଦଟିକୁ ଜବରଦସ୍ତି ଭାଙ୍ଗି ଦେବାକୁ ହେବ । ଯାଏଁ–ତାଙ୍କୁ ଉଠାଇ ଦିଏଁ ।

 

ଓଃ !!

 

ଆଃ !!

 

ତା’ହେଲେ କ’ଣ ମରି ହେଲାନାହିଁ ? ଅଧରାତିର ଏହି ମାହେନ୍ଦ୍ର ବେଳଟା ଏମିତି ବାଏଁ ବାଏଁ ଉଡ଼ିଗଲା ? ?

 

ନା–ନା–

 

ଠିକ୍‌–ଠିକ୍‌–

 

ମୁଁ ବର୍ତ୍ତମାନ ସବୁ ବୁଝି ସାରିଲିଣି, ଏ ଅଧରାତିଟାର ଅସ୍ତିତ୍ଵ ନାହିଁ ବା କେବେ ମଧ୍ୟ ନ ଥିଲା । ଏ ଗୋଟାଏ ପ୍ରହେଳିକା–ମାୟା ।

 

ଏ ମାୟାରେ ମରି ହୁଏନା । ଏ ମାୟାକୁ ବିଶ୍ଵାସ କରି ଶେଷ ନିଃଶ୍ଵାସ ତ୍ୟାଗ କରି ହୁଏନା । ଅଧରାତିର “ମାୟା-ଶାନ୍ତି” ଗୋଟାଏ ଛଳନା । ଏହାଠାରୁ ବରଂ ଢେର୍‌ ଚମତ୍କାର ମାୟା ଦିବସର–ଜଞ୍ଜାଳର ।

 

ସାନ ପିଲାଟି ଫେର୍‌ କାଶିଲାଣି ।

 

ଓଃ ! କାଶି କାଶି ସେ ବେଦମ୍‌ ହୋଇଯାଉଛି । ଯାଏ–ତଳକୁ ଯାଇ ଦେଖେଁ–ସ୍ତ୍ରୀ ବୋଧେ ଏତେ ଚଞ୍ଚଳ ଉଠୁନାହାନ୍ତି ।

 

ଏତେବେଳେ ଆଦୌ ମରିବା କଥା ନୁହେଁ । ଏତେବେଳେ ଯେ ମରେ–ସେ ବେଟା ବୁଡ଼୍‍ବକ୍‌ । ମରିବା ଲାଗି ଅନ୍ୟପ୍ରକାର ସମୟର ବ୍ୟବସ୍ଥା ବରଂ ପରେ କଲେ ହୁଏ !!

Image

 

ଭବିଷ୍ୟ ଗଣନା-କେତେଦୂର ?

 

ଆମେ ସମସ୍ତେ ଅତୀତର କାଳସମୁଦ୍ରକୁ ପହଁରି ପହଁରି ଆସି ଏଠି ପହଁଚିଛୁ–ବର୍ତ୍ତମାନର ଏହି ବିନ୍ଦୁ ରୂପୀ ବେଳାଭୂମିରେ । କିନ୍ତୁ ଏଠାରେ ବି ଆମେ ଥୟ ଧରି ବସି ପାରୁନାହିଁ । କାରଣ ଆମ ପାଦ ତଳୁ ସେହି ବିନ୍ଦୁଟି ଖସି ଯାଉଛି ଧୀରେ ଧୀରେ–ଆଉ ଆମ ଆଖି ଆଗରେ ମେଲେଇ ହୋଇ ଲହଡ଼େଇ ଉଠୁଛି ପୁଣି ସେଇ ସମୁଦ୍ର–କଳା କିଟିକିଟି ଅମୁହାଁ ଅନ୍ଧାରିଆ କାଳ ସମୁଦ୍ର । ଘୁ ଘୁ ହୋଇ ସେଇ କାଳ ସମୁଦ୍ର ଗର୍ଜୁଛି–କୋଉଠୁ ଲମ୍ବିଛି କୋଉଯାଏ, କିଏ ଜାଣେ ? କି କି କଥା ସବୁ ବୁଡ଼ି ରହି ଅପେକ୍ଷା କରି ରହିଛି ସେଇ କାଳସମୁଦ୍ରର ଅତଳ ବିତଳରେ, ସେ କଥା ବି କିଏ ଜାଣେ ? ଆମ ମନରେ କେତେ ଆଶଙ୍କା–ଘୁ ଘୁ ହୋଇ ଝଡ଼ ଝଞ୍ଜା ମାଡ଼ି ଆସିବ କି ? ଅଥଳ ସମୁଦ୍ରର କଳା ଘୁମଟ ପାଣି ଭିତରେ କେଜାଣି କି କି ନୃଶଂସ ଭୀଷଣ ପ୍ରାଣୀମାନେ ଅପେକ୍ଷା କରି ରହିଛନ୍ତି ? ପୁଣି ମଧ୍ୟ କେତେବେଳେ ମନରେ କେତେ ସୁନେଲୀ ଆଶା ଜାଗି ଉଠେ–ଏଇ ଲହଡ଼ୀ ଭିତରେ ଉଠିପଡ଼ି ଜୀବନର ଏହି ସାନ ନୌକାଟି ହଠାତ୍‍ ଯଦି ଯାଇ ଲାଗିଯାଏ–କୋଉ ପ୍ରବାଳଦ୍ୱୀପର ସ୍ୱର୍ଣ୍ଣ-ରେଣୁବିଛା ଉପକୂଳରେ–ସେଠି ହୁଏତ ବରଣମାଳା ଧରି ଅପେକ୍ଷା କରି ଠିଆହୋଇ ରହିଥିବେ ସର୍ବାଳଙ୍କାର-ଭୂଷିତା କନକ-କମଳାସନା ଅନିନ୍ଦ୍ୟ ସୁଷମାନ୍ୱିତା ଭାଗ୍ୟଦେବୀ !

 

ମଣିଷର ମନ ଏମିତି ଭବିଷ୍ୟତର ଆଶା ଓ ଆଶଙ୍କାରେ ନିତିପ୍ରତି ଦୋଳାୟମାନ । ମନରେ ସବୁବେଳେ ଉଦବେଗ, ସବୁବେଳେ ଉତ୍କଣ୍ଠା–ଭବିଷ୍ୟତର କୁହୁକ ପେଡ଼ି ଭିତରେ ଆମ ପାଇଁ କ’ଣ ରହିଛି ? ତା’ଭିତରେ ସୌଭାଗ୍ୟର ମଣିମୁକ୍ତାକୁ ଚକାମାଡ଼ି ଗୁଡ଼େଇ ହୋଇ ଜଗି ରହିଛି କି ସ୍ୱର୍ଣ୍ଣୋଜ୍ଜଳ ମଣିଚୂଡ଼ ନାଗଟିଏ କିମ୍ବା ପେଡ଼ିଟିର ଢାଙ୍କୁଣି ଖୋଲିବା ମାତ୍ରେଇ ତା’ଭିତରୁ ସାଇଁକିନା ଚିହିଁଙ୍କି ଉଠିବ ଫଣାଟେକି ଗୋଟିଏ ତମ୍ବାଟିଆ କ୍ରୁଦ୍ଧ ବିଷାକ୍ତ ତମ୍ପ, ଆଉ ଫାଇଁକିନା ଚୋଟଟିଏ ବସାଇ ଦେବ ପେଡ଼ି ଖୋଲାଳୀର ହାତ ଉପରେ ? ଆମ ଆକ୍ଷି ଏମିତି ସବୁବେଳେ ଆଗକୁ ଅନେଇଁ ରହିଛି ଆଶା ଓ ଆଶଙ୍କାରେ ଜୁଡ଼ୁବୁଡ଼ୁ ହୋଇ । ଅତୀତ ପ୍ରତି ଆଉ ନିଘାନାହିଁ । ଅତୀତ ଦେଇ ସାରିଲାଣି ଯାହା ଦବାର ନେଇ ସାରିଲାଣି ଯାହା ନେବାର–ଦୁଃଖ ସୁଖ ହାସ୍ୟ ଅଶ୍ରୁ ସବୁକୁ ବୋହି ନେଇ ବହି ଗଲାଣି ଅତୀତର ନଈ । ଆମେ କିନ୍ତୁ ବର୍ତ୍ତମାନର ଧାର ଉପରେ ଠିଆହୋଇ ଅନେଇ ରହିଛୁ ଭବିଷ୍ୟତର ଅନ୍ଧାରିଆ ଦିଗ୍‍ବଳୟ ଆଡ଼େ ।

 

ରାସ୍ତା କଡ଼ରେ ପୋଷା ଶୁଆଟିଏ ପିଞ୍ଜରାରେ ରଖି ବସି ରହିଛି ଜଣେ ଭବିଷ୍ୟତ ଗଣନାକାରୀ । କେହି ଜଣେ ତା’ଆଡ଼କୁ ସୁଉକିଟିଏ ପକାଇ ଦେଉଛି । ଧୀର ଭାବରେ ସେ ଖୋଲି ଦେଉଛି ପିଞ୍ଜରାର ମୁହଁ । ତା’ ଭିତରୁ ବାହାରି ଆସୁଛି ବେକରେ ନାଲିପଟି ପିନ୍ଧା ସବୁଜ ରଙ୍ଗର ବିଜ୍ଞ ଶୁକପକ୍ଷୀଟିଏ ନୀରବ ହୋଇ, ଗମ୍ଭୀର ହୋଇ । ତା’ ଆଗରେ ନାନା ଦେବଦେବୀଙ୍କ ଚିତ୍ରମାନ ରହିଛି । ଏବଂ ପାଖେ ପାଖେ ସଜା ହୋଇ ରଖାଯାଇଥିବା ପୂର୍ବଲିଖିତ କାଗଜ ଖଣ୍ଡ ଭିତରୁ ଶୁଆଟି ତା’ ଥଣ୍ଟରେ ଖଣ୍ଡିଏ କାଗଜ ଉଠାଇ ନେଉଛି । ସେଥିରେ ଲେଖା ହୋଇଛି ସେହି ଭବିତବ୍ୟ ପ୍ରତି ଆଗ୍ରହୀ ଲୋକଟିର ଭବିଷ୍ୟତ–‘‘ଭୟ ନାହିଁ । ବିପଦ ଆସିବ–ମାତ୍ର ସଂକଟ ମୋଚନ ଶ୍ରୀ ହନୁମାନଜୀଙ୍କ କୃପାରୁ ଆପଣା ଛାଏଁ ଚାଲିଯିବ । ତୁମର କିଛି କ୍ଷତି ହେବ ନାହିଁ ।’’

 

ଆଉ କିଛି ବାଟ ଆଗକୁ ଗଲେ ଗୋଟିଏ ଛନଛନିଆ ଗଜା ବରଗଛ ଦେଖିବେ । ତା’ମୂଳରେ ଚଉତରାଟିଏ । ଛୋଟ ତ୍ରିନାଥ ମନ୍ଦିରଟିଏ । ତା’ ମୂଳରେ ବସି ରହିଛନ୍ତି ଜଣେ ହାତଦେଖାଳୀ । ତାଙ୍କ ମୁଣ୍ଡରେ ତ୍ରିମୁଣ୍ଡି ଚନ୍ଦନର ରେଖା–ତା’ଭିତରେ ସିନ୍ଦୂର କଲି । ତାଙ୍କ ଆଗରେ କେତେଖଣ୍ଡ ମଇଳା ସାମୁଦ୍ରିକ ବିଜ୍ଞାନର ଛିଣ୍ଡା ବହି ଓ କେତୋଟି ବିଶିଷ୍ଟ ଲୋକଙ୍କ ହାତ ପାପୁଲିର ଛାପା ପଡ଼ିଛି । ତାଙ୍କୁ ଅଧୁଲୀଟିଏ ବଢ଼ାଇ ଦେଲେ ସେ ଆପଣଙ୍କ ହାତର ପାପୁଲିଟିକୁ ଧରି ମେଲେଇ କରି ନିରେଖି ଦେଖିବେ ଏବଂ ଖଣ୍ଡିଆ ମୋଟା ଲେନ୍‌ସ କାଚ ଧରି ରେଖାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବେ । ତା’ପରେ ସେ ଗମ୍ଭୀର ଗଳାରେ କହିବାକୁ ଆରମ୍ଭ କରିବେ “ଆପଣଙ୍କର ଚାଳିଶିରୁ ପଇଁଚାଳିଶି ବର୍ଷ ବୟସ ଭିତରେ ବିଦେଶ ଯିବାର ଯୋଗ ଅଛି । କିମ୍ୱା–ସାବଧାନ ରହିବେ, ଏଇ ଦୁଇବର୍ଷ ଭିତରେ ଆପଣ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ପାରନ୍ତି ।”

 

କେହି କେହି ପୁଣି ଆପଣାର ଜନ୍ମ ଜାତକଟି ନେଇ ଦେଖାଉଥିବେ ଜଣେ ବିଖ୍ୟାତ ଜ୍ୟୋତିଷଙ୍କୁ । ଜ୍ୟୋତିଷ ପ୍ରବର ଢେରବେଳଯାଏ ରାଶିଚକ୍ର କାଟି, ଢେର ଢେର ଅଙ୍କ କଷି, ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ଓ ନିର୍ଦ୍ଦେଶ ନିରୂପଣ କରନ୍ତି । ତା’ପରେ ମେଘ ଗମ୍ଭୀର କଣ୍ଠରେ ଜାତକବାଲାର ମୁହଁକୁ ଚାହିଁ ଭବିଷ୍ୟବାଣୀ କରନ୍ତି–“ଏଇବର୍ଷ ଶେଷଆଡ଼କୁ ଆପଣଙ୍କୁ କିଛି ଗୁପ୍ତଧନ ମିଳିବାର ଅଛି । କିମ୍ୱା–ଆସନ୍ତା ଚଇତ୍ର ସୁଦ୍ଧା ଆପଣଙ୍କର ଗୋଟିଏ କନ୍ୟା ଦକ୍ଷିଣ ପଶ୍ଚିମ କୋଣରେ ବିଭା ହୋଇ ଯିବାର ଅଛି ।” କିମ୍ୱା ଜ୍ୟୋତିଷପୁଙ୍ଗବଙ୍କର ଆକାଶଭେଦୀ ଦୃଷ୍ଟିରେ ଦୃଶ୍ୟମାନ ହେଉଛି–କିଛି ଆଶୁବିପଦର ଆଶଙ୍କା–ସାମାନ୍ୟ ରକ୍ତପିତଜନିତ ଦେହ ପୀଡ଼ା .... କିମ୍ୱା କେହି ବନ୍ଧୁ କି ଜ୍ଞାତି କୁଟୁମ୍ବର ଅକାଳ ବିୟୋଗ–କିମ୍ୱା ଅଗ୍ନ୍ୟୁତ୍ପାତଜନିତ କିଛି ଦୁର୍ଘଟଣା ।

 

କେହି କେହି ମଧ୍ୟ ମାସିକ ବା ସପ୍ତାହିକ ପତ୍ରପତ୍ରିକାରୁ ପ୍ରଥମେ ଖୁବ୍‌ ଆଗ୍ରହରେ ରାଶିଫଳ ଅଧ୍ୟାୟଟି ପଢ଼ି ନିଜର ନିକଟ ଭବିଷ୍ୟତଟି ସମ୍ବନ୍ଧେ କିଛି ସୂଚନା ପାଇବାକୁ ଉତ୍ସୁକ ହୋଇପଡ଼ନ୍ତି । –“ଏ ମାସରେ ଆୟଠାରୁ ବ୍ୟୟ ଅଧିକ ହେବାର ସମ୍ଭାବନା । ସ୍ୱାସ୍ଥ୍ୟ ମୋଟାମୋଟି ଭଲ ରହିବ–ତେବେ ସାମାନ୍ୟ ସର୍ଦ୍ଦି କାଶ ହୋଇପାରେ । ପାରିବାରିକ ଶାନ୍ତି ବଜାୟ ରହିବ । ପରିବାରକୁ ନୂତନ ଅତିଥିଟିଏ ଆସିପାରେ । ମହିଳାମାନେ ସ୍ଵାମୀ ସୋହାଗିନୀ ହେବେ । କୁମାରୀମାନଙ୍କ ପାଇଁ ରୋମାନ୍‌ସ ଲାଗି ମାସଟି ବେଶ୍‌ ଅନୁକୂଳ । ଛାତ୍ରମାନଙ୍କ ମନ ଅସ୍ଥିର ରହିପାରେ । ଇତ୍ୟାଦି ଇତ୍ୟାଦି ।”

 

ଆଉ ମଧ୍ୟ ବେଳେ ବେଳେ କାହା କାହା ପାଖରେ ଆସି ହାବୁଡ଼ି ଯାଆନ୍ତି ଅଚାନକ ଆକସ୍ମିକ ଅତି ନାଟକୀୟଭାବେ କେହି ଜଣେ ତ୍ରିକାଳଦର୍ଶୀ ସାଧୁ ସନ୍ନ୍ୟାସୀ ବା ଫକୀର, ଦରବେଶ୍‌, କିମ୍ବା କରକୋଷ୍ଠି-କପାଳବିତ୍ କେହି ଜଣେ ସର୍ବଜ୍ଞ ପୁରୁଷ । ତାଙ୍କର ପୋଷାକ ବିଚିତ୍ର ଓ ଆକ୍ଷିର ଚାହାଣୀ ମର୍ମଭେଦୀ । ଖୁବ୍ ଗମ୍ଭୀର ଆଉ ତୀକ୍ଷ୍ଣ ଦୃଷ୍ଟିରେ ଜିଜ୍ଞାସୁର ମୁହଁକୁ କିଛି ସମୟ ଚାହିଁଲା ପରେ ବଜ୍ରଗମ୍ଭୀର ସ୍ଵରରେ କହିଉଠନ୍ତି– “ଶୁଣ୍‌ ବେଟା ! ଆସନ୍ତା ଫାଲ୍‌ଗୁନ ମାସ ପର୍ଯ୍ୟନ୍ତ ଉତ୍ତର ପୂର୍ବ କୋଣଆଡ଼କୁ ଚାହିଁ ଅପେକ୍ଷା କରି ବସିଥା । ତୋ’ର ସୌଭାଗ୍ୟର ଧଳା ହାତୀ ତା’ ଶୁଣ୍ଢରେ ସୁନା କଳସୀ ଧରି ଅଙ୍ଗ ବଙ୍ଗ, ମଗଧ, କାମରୂପାଦି ରାଜ୍ୟ ପାର ହୋଇ ସେଇଆଡ଼ୁ କ୍ଷିପ୍ରଗତିରେ ପଲାସି ଆସୁଛି ତୋରିଆଡ଼କୁ ! କିମ୍ବା, ଆସନ୍ତା ମାଘ ମାସ ପର୍ଯ୍ୟନ୍ତ ସାବଧାନ ରହ ବେଟା ! ପ୍ରତିଦିନ ଶିବ ଦର୍ଶନ କରି ସାତଟି ଲେଖାଁ ତ୍ରିକର୍ଣ୍ଣି ବେଲପତ୍ରୀ ଲିଙ୍ଗ ଉପରେ ଲାଗି କର । ସବୁ ଶନିବାର ଦିନ ଗୋଟିଏ ଗାଈକୁ ପେଟପୂରା ଖାଇବାକୁ ଦେ । ଦୁର୍ଭାଗ୍ୟର ପାଗଳା କୁକୁର ଜିଭ ଲହ ଲହ କରି କ୍ଷେପି ଆସୁଛି ତୋରି ଆଡ଼କୁ । ତୋ’ର ମଝିଆଁ ପୁଅ ଆଉ ସାନ ଝିଅ ଲାଗି ଟିକିଏ ସତର୍କ ରହ ବେଟା !

 

ଏମାନଙ୍କ ବ୍ୟତୀତ ମଧ୍ୟ ଆମ ସମାଜରେ ଅଛନ୍ତି ବହୁ ଯୋଗୀ, କାପାଳିକ, ତାନ୍ତ୍ରିକ ଆଉ ନିୟତିକାର । ସେମାନଙ୍କ ପାଖକୁ ଡାକ ଯୋଗେ ଦଶଟି ଟଙ୍କା ମନିଅର୍ଡ଼ର ସହ ଗୋଟିଏ ଫୁଲ ଓ ଗୋଟିଏ ଫଳର ନାମ ଲେଖି ପଠାନ୍ତୁ । ଆଠ ଦିନ ଭିତରେ ଗୋଟିଏ ଲଫାପାରେ ଆପଣଙ୍କର ନିକଟ ଓ ଦୂର ଭବିଷ୍ୟତ ସମ୍ପର୍କରେ ବହୁ ତଥ୍ୟ ଆପଣଙ୍କ ପାଖକୁ ଆସିଯିବ । ସେଥିରୁ କେତେ ସତ ହେବ ବା କେତେ ମିଛ ହେବ–ସେ କଥା ହୁଏତ ଆପଣ ହିଁ କେବଳ ଜାଣିବେ ।

 

ଏମିତି ଭାବେ ଭବିଷ୍ୟତ ପ୍ରତି ମଣିଷର ସବୁବେଳେ ଆଗ୍ରହ–ସବୁବେଳେ ସନ୍ଦେହ, ସବୁବେଳେ ସଂଶୟ–ସବୁବେଳେ ଉଦବେଗ ଆଉ ଉତ୍ସୁକତା । ଭବିଷ୍ୟତ ଗଣନା ଆଉ ଗଣନାକାରୀଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନଙ୍କର ଯୁକ୍ତି ହେଲା–ଭବିଷ୍ୟତ ବିଷୟରେ ମଣିଷ ଜାଣିଲେ ପୂର୍ବରୁ ସାବଧାନ ହେବାକୁ ସୁଯୋଗ ପାଇବ ବା ଉଦଯୋଗ କରିବାକୁ ସାହସ କରିବ । କିନ୍ତୁ ମୋ ଭଳି ଲୋକଙ୍କର ମତ ହେଲା–ଭବିଷ୍ୟତର ରହସ୍ୟକୁ ସମ୍ପୂର୍ଣ୍ଣ ଭାବେ ଭେଦ କରିବାର ପୂର୍ଣ୍ଣାଙ୍ଗ ଯୋଗଦୃଷ୍ଟି ସମସ୍ତଙ୍କର ନାହିଁ–ଏପରିକି କାହାର ମଧ୍ୟ ନାହିଁ । ହୁଏତ କେହି କେହି ଅସାଧାରଣ ବ୍ୟକ୍ତି ତାଙ୍କର ଷଷ୍ଠ ଇନ୍ଦ୍ରିୟ ବଳରେ ବା ବୋଧିଜ୍ଞାନରେ ନିକଟ ଭବିଷ୍ୟତର କେତୋଟି ମୋଟା ମୋଟି ଘଟଣାର ଆଭାସ୍‍ ପାଇ ପାରନ୍ତି । ମାତ୍ର ସେଇ ଆଭାସ୍‌ମାତ୍ରକ ଉପରେ ସମ୍ପୂର୍ଣ୍ଣ ନିର୍ଭର କରାଯାଇ ପାରେ ନାହିଁ । କାରଣ ଭବିଷ୍ୟତ ହେଲା ଅଦୃଷ୍ଟ । ଏହି ଅଦୃଷ୍ଟ ପୁଣି ନିୟତି । କିନ୍ତୁ ଏହି ନିୟତି ପୁଣି ଗୋଟିଏ ନୁହେଁ । କୋଟି କୋଟି ନିୟତି ଅସଂଖ୍ୟ ସ୍ତର ଉପସ୍ତର ଭିତରେ ରହି ଘଟଣାମାନ ବିଧାନ ଓ ପ୍ରତିବିଧାନ କରୁଛନ୍ତି । କୌଣସି ସ୍ତରର କୌଣସି ନିୟତିର ବିଧାନ ମଧ୍ୟ ସେମିତି ନିର୍ଦ୍ଦିଷ୍ଟ, ଅପରିହାର୍ଯ୍ୟ ବା ଅନିବାର୍ଯ୍ୟ ନୁହେଁ । ଏହା ଏହିପରି ଭାବରେ ଅବଶ୍ୟ ଘଟିବ–ଏମିତି କେହି ଦୃଢ଼ ଶେଷ ସିଦ୍ଧାନ୍ତ ମଧ୍ୟ ଦେଇ ପାରିବେ ନାହିଁ । ତା’ର ଅନ୍ୟତମ କାରଣ ହେଲା–ଆମ ଜୀବନରେ ଘଟୁଥିବା ବା ଘଟିବାକୁ ଯାଉଥିବା ଘଟଣାମାନଙ୍କୁ ସୃଷ୍ଟି କରନ୍ତି ଓ ନିୟନ୍ତ୍ରଣ କରନ୍ତି ସୂକ୍ଷ୍ମ ଜଗତରେ ଆତଯାତ ହେଉଥିବା ଅସଂଖ୍ୟ ଅଦୃଶ୍ୟ ଅବୋଧ୍ୟ ଶକ୍ତି, ଉପଶକ୍ତି ଆଉ ଅପଶକ୍ତି ବିଶିଷ୍ଟ ସତ୍ତାମାନେ । ଏମାନଙ୍କ ବ୍ୟତୀତ ଆମକୁ ବେଢ଼ାଇ ରହିଥିବା ସମାଜର ମଧ୍ୟ ବହୁ ଶକ୍ତିଶାଳୀ ପ୍ରଭାବରେ ଆମର ନିୟତି ନିୟନ୍ତ୍ରିତ ହୋଇଥାଏ । ଧରନ୍ତୁ–ଗୋଟିଏ ଗାଁରେ ଗୋଟିଏ ଲୋକର ତିରିଶି ବର୍ଷ ବୟସରେ ହଇଜା ରୋଗରେ ମୃତ୍ୟୁ ହେବ ବୋଲି ନିୟତିର ବିଧାନ ରହିଛି । ମାତ୍ର ତା’ର ଯଥେଷ୍ଟ ଆଗରୁ ଯଦି ସେ ଗ୍ରାମରେ ବିଜ୍ଞାନର ଆଲୋକ ପହୁଁଚିଯାଏ, ତେବେ ହଇଜା ପ୍ରତିଷେଧକ ଇଞ୍ଜେକ୍‌ସନ୍‌ ନେଇ ସେ ଲୋକ ତା’ର ପୂର୍ବ ନିର୍ଦ୍ଦିଷ୍ଟ ନିୟତିର ବିଧାନକୁ ଅତିକ୍ରମ କରି ଯାଇପାରେ ।

 

ଆମ ଜୀବନରେ ଗୋଟିଏ ସ୍ତରରେ ଗୋଟିଏ ନିୟତି ତା’ର କାର୍ଯ୍ୟ ଆରମ୍ଭ କଲା ମାତ୍ରେ, ଆଉ ଗୋଟିଏ ସ୍ତରରୁ ଆଉ ଗୋଟିଏ ଶକ୍ତିଶାଳୀ ନିୟତି ପଶିଆସି ସେହି ଦୁର୍ବଳ ନିୟତିର ସମସ୍ତ କାର୍ଯ୍ୟାକାର୍ଯ୍ୟରେ ହସ୍ତକ୍ଷେପ କରି ବଦଳାଇ ଦେଇପାରେ । ଗୋଟିଏ ଗପ ଶୁଣନ୍ତୁ ବାଟୋଇଟିଏ ତୀଖ ନଈବନ୍ଧ ଉପରେ ଏକୁଟିଆ ଚାଲିଥାଏ । ସଞ୍ଜ ବୁଡ଼ି ବୁଡ଼ି ଆସୁଛି । ବନ୍ଧମୁଣ୍ଡକୁ ଲାଗି ନଈରେ ଅଥଳଥଳ ପାଣିରେ ସେହି ଲୋକଟିକୁ ଜଗି ଜଗି ପହଁରି ଚାଲିଥାଏ ମଣିଷଖିଆ ଗୋମୁହାଁ କିମ୍ଭୀରଟିଏ । ଲୋକଟି ଟିକିଏ ପାଣି ଧାର ଆଡ଼କୁ ମାଡ଼ି ଆସିଲେ ସୁଯୋଗ ପାଇବା ମାତ୍ରେ କିମ୍ଭୀର ତା’ର ଲାଞ୍ଜଟି ବୁଲାଇ ଲୋକଟିକୁ ଧରିନେବ । ଲୋକଟିର ଅପର ପାର୍ଶ୍ଵରେ ପୁଣି ଘଞ୍ଚ ଅରଣ୍ୟ ବେଷ୍ଟିତ ପାହାଡ଼ଟିଏ ଲମ୍ବିଯାଇଥାଏ । ତା’ଭିତରେ ଛପିଛପି ଚାଲିଥାଏ ମଣିଷଖିଆ ଗୋଟିଏ ମହାବଳ ବାଘ । ସେ ମଧ୍ୟ ସୁଯୋଗ ଉଣ୍ଡୁଥାଏ–ଟିକିଏ ବାଗ ପାଇଲେ ସେ ମଣିଷଟି ଉପରକୁ ଝାମ୍ପି ପଡ଼ିବ । ଏହିଭାବେ ଦୁଇଟି ମାରାତ୍ମକ ଭବିତବ୍ୟତା ବା ନିୟତି ବାଟୋଇଟିର ଜୀବନକୁ ଶେଷ କରିଦେବା ପାଇଁ ତାକୁ ଦୁଇପଟେ ଜଗି ଜଗି ଚାଲିଥାନ୍ତି । ବାଟୋଇଟିର କିନ୍ତୁ ଆଉ ପଛକୁ ଫେରିବାର ରାହା ନଥାଏ । ସେ ଆଗକୁ ଚାଲିଥାଏ ମନେ ମନେ ତା’ର ଇଷ୍ଟଦେବଙ୍କୁ ଡାକି ଡାକି । ହଠାତ୍‌ ସାମାନ୍ୟ ସୁଯୋଗ ପାଇ ବାଘଟି ଲମ୍ଫମାରିଲା ମଣିଷଟି ଉପରକୁ । ମାତ୍ର ଦେଖ କି ଆଶ୍ଚର୍ଯ୍ୟ ! ବାଘଟି ଡେଇଁଯାଇ ପଡ଼ିଲା ପାଣିଧାର ପାଖରେ–ଏବଂ ମଣିଷଟିକୁ ଗୋଡ଼େ ଗୋଡ଼େ ଛକି ଛକି ଚାଲିଥିବା କିମ୍ଭୀରଟି ବିଦ୍ୟୁତ ବେଗରେ ତା’ର ଲାଞ୍ଜଟି ବୁଲାଇ ବାଘଟିକୁ ଧରି ନେଇ ଅଥଳ ପାଣି ଭିତରକୁ ପହଁରିଗଲା । ଲୋକଟି କିନ୍ତୁ ଏଣେ ରକ୍ଷା ପାଇଗଲା ଏବଂ ସେ ସବୁ ଦେଖିପାରି ଓ ଜାଣିପାରି ପରମ-ରକ୍ଷାକର୍ତ୍ତା ଈଶ୍ଵରଙ୍କ ପାଖେ ପ୍ରାର୍ଥନା କରି ତା’ର ଅନ୍ତରର କୃତଜ୍ଞତା ଜଣାଇ ବସିଲା ।

 

ଜୀବନରେ ଘଟଣା ସବୁ ପ୍ରକୃତରେ ଏମିତି ଘଟିଥାଏ । ଭବିଷ୍ୟତକୁ ସମ୍ପୂର୍ଣ୍ଣଭାବେ ଓ ସମଗ୍ରଭାବେ ଗଣନା କରିବା ବା କଳନା କରିବା, ମନୁଷ୍ୟ ପକ୍ଷରେ ଅସମ୍ଭବ । ତେବେ ବୁଦ୍ଧିବଳରେ ଅତୀତକୁ ବିଶ୍ଳେଷଣ କରି ଆମେ ଭବିଷ୍ୟତ ପାଇଁ ବର୍ତ୍ତମାନ ଗୋଟିଏ ଯୋଜନା କରିପାରୁ ଓ ତଦନୁଯାୟୀ ଭବିଷ୍ୟତ ପାଇଁ ଆମେ ଆମର କର୍ମପନ୍ଥା ସ୍ଥିର କରିପାରୁ । କିନ୍ତୁ ତାହା ମଧ୍ୟ ସ୍ଵୟଂସମ୍ପୂର୍ଣ୍ଣ ହୋଇ ପାରେନାହିଁ–

 

ଏବଂ ଆମେ ବର୍ତ୍ତମାନ ଆସନ୍ତା ପାଞ୍ଚବର୍ଷ ପାଇଁ ଯୋଉ ଯୋଜନା କରିଛୁ–ଦୁଇବର୍ଷ ପରେ ଆମ ଦୃଷ୍ଟିର ଦିଗ୍‍ବଳୟ ଆହୁରି ମେଲି ଯାଇପାରେ । ଆମ ଯୋଜନା ଭିତରକୁ ବାହାରୁ ଆହୁରି କେତେ କଥା ପଶି ଆସିପାରେ । ଏବଂ ଆମଙ୍କୁ ଅଧା ବାଟରେ ପୁଣି ଥରେ ଆମ ଯୋଜନାକୁ ବଦଳାଇ ଦେବାକୁ ପଡ଼ିପାରେ । ତଥାପି, ଏ ପ୍ରକାର ବୌଦ୍ଧିକ ଉପାୟରେ ଭବିଷ୍ୟତକୁ ଗଣନା ବା କଳନା କରିବାରେ ଆମ ଜୀବନ ଲାଗି ଆବଶ୍ୟକତା ରହିଛି । କିନ୍ତୁ ଏହିସବୁ ଜ୍ୟୋତିଷ, ଗଣକ ଓ ଭବିଷ୍ୟତ-ବକ୍ତାଙ୍କ ଉପରେ ଏତେଦୂର ନିର୍ଭର କରିବା ବଡ଼ ମାରାତ୍ମକ । ଆଜିକାଲି ପୁଣି ଏ ପ୍ରବଣତା ଖୁବ୍‍ ବଢ଼ି ଚାଲିଛି । ଏବେ ସର୍ବୋଚ୍ଚ ନେତାଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ବୈଜ୍ଞାନିକ, ସ୍କୁଲ-କଲେଜର ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଭବିଷ୍ୟତ ଗଣନାରେ ମାତ୍ରାଧିକଭାବେ ଆଗ୍ରହୀ ହୋଇ ଉଠିଛନ୍ତି । ଫଳରେ ଭବିଷ୍ୟତ ପ୍ରତି ଅତ୍ୟନ୍ତ ଉଦବେଗଶୀଳ ଆଗ୍ରହ ଆଧୁନିକ ମଣିଷର ଏକ ମାନସିକ ପାଗଳାମୀ ବା ବାତିକ ହୋଇ ପଡ଼ିଛି । ଏହା ଆଦୌ ଶୁଭ ଲକ୍ଷଣ ନୁହେଁ ।

 

ଆମର ମନେ ରଖିବାର ଅଛି ଯେ, ମନୁଷ୍ୟ କୌଣସି ଅଦୃଷ୍ଟ ବିଧାନ ହାତରେ ଅସହାୟ କ୍ରୀଡ଼ନକ ମାତ୍ର ନୁହେଁ–ବନ୍ଦୀ ମଧ୍ୟ ନୁହେଁ । ମନୁଷ୍ୟ ନିଜ ଭିତରେ ଆଉ ବାହାରେ ଅନନ୍ତ ଶକ୍ତି ଓ ଚେତନାସଂପନ୍ନ ସର୍ବତ୍ର ବିରାଜିତ ମଙ୍ଗଳମୟ ଭଗବାନଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରେ । ଭଗବତ ପରାୟଣ ବ୍ୟକ୍ତି ଅଦୃଷ୍ଟକୁ ଖାତିର୍‍ କରେନାହିଁ । ଅତୀତ ପାଇଁ ମଧ୍ୟ ଅନୁଶୋଚନା କରେ ନାହିଁ । ଭବିଷ୍ୟତ୍‍ ଲାଗି ଉଦବେଗଶୀଳ ହୁଏ ନାହିଁ । ସେ ଅତୀତର ଅଭିଜ୍ଞତାରୁ ଯାହା ଶିକ୍ଷା କରେ, ତଦନୁଯାୟୀ ତା’ର ବର୍ତ୍ତମାନକୁ ନିୟନ୍ତ୍ରଣ କରେ ଏବଂ କହିବା ବାହୁଲ୍ୟ ଯେ, ଆମ ହାତରେ ଏହି ବର୍ତ୍ତମାନଟାହିଁ ସବୁଠାରୁ ଉତ୍‍କୃଷ୍ଟ ସମୟ । ବାସ୍ତବ ଦୃଷ୍ଟିରୁ ହେଉ ବା ଆଦର୍ଶବାଦୀ ଦୃଷ୍ଟିରୁ ହେଉ, ଆମେ ଏହି ବର୍ତ୍ତମାନଟିର ସମସ୍ତ ସୁଯୋଗ ନେବା ଉଚିତ୍‍ । ମହାନ୍‍ ଯୋଗୀ ଋଷିମାନେ ସ୍ପଷ୍ଟଭାବେ କହିଛନ୍ତି–ଆମେ ଯଦି ଆମ ଉପରେ ଓ ଆମର ଚତୁଃପାର୍ଶ୍ୱ ଉପରେ ସଚେତନ ରହୁ–ଆମ ଜୀବନକୁ ଭଲ ଆଡ଼କୁ ନେଇଯିବା ଲାଗି ସଂକଳ୍ପବଦ୍ଧ ଓ ଉଦ୍ୟମରତ ରହୁ, ଏବଂ ଆମର ପ୍ରତିକୂଳ ଅଦୃଷ୍ଟକୁ ପରିବର୍ତ୍ତନ କରିବାଲାଗି ସର୍ବୋଚ୍ଚ ବିଧାତାଙ୍କ ନିକଟରେ ବ୍ୟାକୁଳଭାବେ ପ୍ରାର୍ଥନା କରୁ, ତେବେ, ଭବିଷ୍ୟତ ନିଶ୍ଚିତ ଭାବେ ଆମ ଅକ୍ତିଆର ଭିତରେ ରହି ପାରିବ । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଭବିଷ୍ୟତ ଗଣନା କରନ୍ତି ନାହିଁ । ସେଥିରେ ବିଶ୍ୱାସ ବା ଆସ୍ଥା ରଖନ୍ତି ନାହିଁ ।

 

କିନ୍ତୁ ମୋ ମତରେ–ଭବିଷ୍ୟତକୁ ଜାଣିବା ଲାଗି ଆମେ କିଞ୍ଚିତ ନିରୀହ କୌତୁହଳ ଦେଖାଇଲେ ସେମିତି କିଛି କ୍ଷତି ନାହିଁ । ମାତ୍ର ଭବିଷ୍ୟତକୁ ଜାଣିବା ଲାଗି ଅତ୍ୟଧିକ ଉତ୍କଣ୍ଠା, ଉଦବେଗ, ଉତ୍ସୁକତା ବା ପ୍ରବଣତା ପ୍ରକାଶ କରିବା ଉଚିତ୍‍ ନୁହେଁ । କିମ୍ବା କୌଣସି ଭବିଷ୍ୟତ ବକ୍ତାଙ୍କ ଭବିଷ୍ୟ ଗଣନାକୁ ଆମୂଳଚୂଳ ବିଶ୍ୱାସ ମଧ୍ୟ କରିଯିବା ଉଚିତ୍‍ ନୁହେଁ । ଭବିଷ୍ୟତ ଭିତରକୁ ଯିଏ ଯେତେବଡ଼ ଟର୍ଚ୍ଚ ଲାଇଟର ଫୋକସ୍‍ ପକାଇଲେ ବି ତାହା ଯେତିକି ବାଟ ଆଲୋକିତ କରିବ, ତା’ର ବହୁଭାଗ ଅଞ୍ଚଳ ଘୋର ଅମୁହାଁ ଅନ୍ଧକାର ଭିତରେ ତଥାପି ଅଦୃଷ୍ଟ ହୋଇ ରହିଥିବ । ତେବେ ଆମର ଆତ୍ମବିଶ୍ୱାସ, ବା ଈଶ୍ୱର-ବିଶ୍ୱାସ ସହିତ ଦୃଢ଼ ସଂକଳ୍ପ ଓ ସମୁଚିତ ଉଦ୍ୟମ ବଳରେ ଆମେ ଆମର ଘୋର ନିରାଶକର ଅନ୍ଧାରିଆ ଭବିଷ୍ୟତକୁ ମଧ୍ୟ ଆଲୁଅ-ଝଲମଲ୍‍ କରି ଦେଇପାରୁ-

Image

 

ଜ୍ଞାନ ତ ଜ୍ଞାନ...କାଣ୍ଡଜ୍ଞାନ

 

ଏ ପୃଥିବୀରେ ଐଶ୍ୱର୍ଯ୍ୟର ଅଭାବ ନାହିଁ, କି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟାଦିର ମଧ୍ୟ ଅଭାବ ନାହିଁ-। ପ୍ରେମର ଅଭାବ ନାହିଁ, କି ଭକ୍ତିର ମଧ୍ୟ ଅଭାବ ନାହିଁ । ସୁଖ ସମ୍ଭୋଗ ଆଦିର ଅଭାବ ନାହିଁ, କି ତ୍ୟାଗ ବୈରାଗ୍ୟର ବି ଅଭାବ ନାହିଁ । ଜ୍ଞାନର ଅଭାବ ନାହିଁ, କି ବିଜ୍ଞାନର ମଧ୍ୟ ଅଭାବ ନାହିଁ । କିନ୍ତୁ ଏ ପୃଥିବୀରେ କାଣ୍ଡଜ୍ଞାନର ଅଭାବ ଅଛି କି ନାହିଁ ? ମୋର ଆଶଙ୍କା, କେବଳ ଏଇ କାଣ୍ଡଜ୍ଞାନଟିର ଅତ୍ୟନ୍ତ ଅଭାବ ଫଳରେ ଆମର ଏଠି ସବୁ ଥାଇ ମଧ୍ୟ କିଛି ନଥିବା ଭଳି ଲାଗୁଛି । କେବଳ ଆଜି ଯେ ଏ ଅଭାବ ରହିଛି, ତା’ନୁହେଁ–ଯୁଗ ଯୁଗ ଧରି ଏହା ରହି ଆସିଛି ଓ ଜ୍ଞାନବିଜ୍ଞାନର ବହୁ ପ୍ରସାର ସତ୍ତ୍ୱେ ବି କାଣ୍ଡଜ୍ଞାନର ମାତ୍ରା ଯେ ତଦନୁପାତରେ କିଛି ବଢ଼ିଛି, ତା’ର ମଧ୍ୟ କିଛି ପ୍ରମାଣ ମିଳୁ ନାହିଁ । ବରଂ ସାରା ପୃଥିବୀରେ ବର୍ତ୍ତମାନ କାଣ୍ଡଜ୍ଞାନର କ୍ରମଶଃ ଅଭାବ ପରିଲକ୍ଷିତ ହେବାର ସନ୍ଦେହ ହେଉଛି ।

 

ଆପଣ ଜଣେ ପ୍ରସିଦ୍ଧ ଇତିହାସବେତ୍ତା ହୋଇପାରନ୍ତି, ବା ଗୋକୁଳାନନ୍ଦ ବାବୁ ଆଇନ୍‍ଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ଉପରେ ଜଣେ ତଦ୍‍ବିତ୍‍ ହୋଇପାରନ୍ତି–ବା ପଦ୍ମନାଭ ହରିଚନ୍ଦନ ଶଙ୍କରାଚାର୍ଯ୍ୟଙ୍କର ଅଦ୍ୱୈତଦର୍ଶନ ଉପରେ ଜଣେ ସୂକ୍ଷ୍ମତମ ବାଖ୍ୟାକର ହୋଇ ଥାଇପାରନ୍ତି–ଅଥବା ଶ୍ରୀମତୀ ମନୋରମା ଦେବୀ ଗଣିତ ଶାସ୍ତ୍ରରେ ଅତି ବିଚିତ୍ର ବ୍ୟତ୍ପତ୍ତି ଲାଭ କରି ଥାଇ ପାରନ୍ତି–କିମ୍ବା ରାଧାଶ୍ୟାମ ମଳିକ ଜଣେ ବିଚକ୍ଷଣ ରାଜନୀତିଜ୍ଞ ରୂପେ ସବୁଥର ନିର୍ବାଚନରେ ଶତକଡ଼ା ଅଶୀ ଭୋଟର ଅଧିକାରୀ ହୋଇ ପାରନ୍ତି–ଶେଷରେ ମୁଁ ନିଜେ ମଧ୍ୟ ଜଣେ ବିଖ୍ୟାତ ସଙ୍ଗୀତଜ୍ଞ ବା କବି ହୋଇ ଥାଇ ପାରେ–ଏବଂ ମୋର ପୂଜ୍ୟପାଦ ପିତୃଦେବ ଜଣେ ପରମ ଧାର୍ମିକ ସାଧୁ ବା ସନ୍ଥ ପୁରୁଷ ହୋଇଥାଇ ପାରନ୍ତି–କିନ୍ତୁ ଏହିସବୁ ପ୍ରତିଭା ସଂଜାତ ସଦ୍‍ଗୁଣଗୁଡ଼ିକ ସମ୍ପୂର୍ଣ୍ଣଭାବେ ସଦୁପଯୋଗ ହୋଇ ପାରିବ ନାହିଁ, ଯଦି ଆମ ସମସ୍ତଙ୍କ ଭିତରେ ଏହି କାଣ୍ଡଜ୍ଞାନ ନାମକ ମହାନ୍‍ ଗୁଣଟିର ଏକାନ୍ତ ଅଭାବ ରହିଥିବ । ପ୍ରବଚନ ଅଛି ଯେ–‘‘ଥିଲେ ଥାଉ ପଛେ ଗୁଣ ହଜାର–ଚରିତ୍ର ନଥିଲେ ସବୁ ଅଙ୍ଗାର ।’’ ଅଭିଜ୍ଞ-ଲୋକଚରିତ୍ର ବିଶେଷଜ୍ଞମାନଙ୍କର ଏହି ମହାନ ଉକ୍ତିଟିକୁ ଅସ୍ୱୀକାର କରିବା ପାଇଁ ମଦୃଶ ଜ୍ଞାନହୀନ ବ୍ୟକ୍ତିଟିର ମଗଜରେ ଏତେ ଯୁକ୍ତି ନାହିଁ । କିନ୍ତୁ ଆମ୍ଭମାନଙ୍କ ବିଚାରରେ ଚରିତ୍ର ବିଷୟଟିର ସଂଜ୍ଞା ଯାହାହେଉ ପଛେ, ତା’ର ବିସ୍ତୃତ ପରିଧିର ଏକ ବ୍ୟାପକ ଅଂଶ ଅଧିକାର କରିଥାଏ, ଏହି କାଣ୍ଡଜ୍ଞାନ ।

 

ତା’ ହେଲେ, ଏହି କାଣ୍ଡଜ୍ଞାନ ବ୍ୟାପାରଟି କ’ଣ ? ଏଇଟା ନିଶ୍ଚିତ କଥା ଯେ ବହୁ ବିଷୟକ ତଥ୍ୟଜ୍ଞାନ ବା ବହୁ ଗଭୀରସ୍ଥ ତତ୍ତ୍ୱଜ୍ଞାନକୁ ଆମେ କାଣ୍ଡଜ୍ଞାନ ବୋଲି କହି ପାରିବା ନାହିଁ । କାଣ୍ଡଜ୍ଞାନ ଅଲଗା ଜିନିଷ । ଜଣେ ସାତକାଣ୍ଡ ରାମାୟଣ ଶୁଣି ସାରିଲା । ସବୁ ଘଟଣା ତା’ର ମନେ ଅଛି–ସବୁ ଚରିତ୍ର ବି ମନେ ଅଛନ୍ତି । କିନ୍ତୁ ହଠାତ୍‍ ଦିନେ ସେ ପୁରାଣ ପଣ୍ଡାକୁ ପଚାରି ଦେଲା–ପଣ୍ଡା ଆପଣେ ! ସବୁ କଥା ଶୁଣିଲି–ସବୁକଥା ବୁଝିଲି–କିନ୍ତୁ ସୀତା ଜଣେ ସ୍ତ୍ରୀ ଲୋକ କି ପୁରୁଷ ଲୋକ ଏ ଭେଦଟି ମୁଁ ବୁଝିପାରୁ ନାହୁଁ । ପୁରାଣ ପଣ୍ଡା କିଞ୍ଚିତ ବିରକ୍ତ ହୋଇ ତାଚ୍ଛଲ୍ୟ କରି କହିଲେ–ୟାଃପ ବଣଭାଲୁ ! ସାତକାଣ୍ଡ ରାମାୟଣ ଶୁଣିଲୁ–ସୀତା ଅଣ୍ଡିରା କି ମାଈ ବୁଝି ପାରିଲୁ ନାହିଁ ? ସେମାନଙ୍କ ପାଖରେ ଜଣେ ବ୍ରହ୍ମଜ୍ଞାନୀ ମୌନ ହୋଇ ବସିଥିଲେ । ସବୁ ବିଷୟର ଭିତିରି ତତ୍ତ୍ୱ ତାଙ୍କୁ ଗୋଚର । ସେ ଖୁବ୍‍ ଗମ୍ଭୀର ଗଳାରେ କହିଲେ–ଯାହା ପଚାରିଲୁ ଖୁବ୍‍ ଗୁମର କଥାରେ ପୁଅ । ସେ ରହସ୍ୟ ଦେବଃ ନ ଜାନାନ୍ତି କୁତଃ ମନୁଷ୍ୟା ! ସୀତା ହେଲେ ସୋୟଂ ଆଦିମାତା । ନିର୍ଗୁଣବ୍ରହ୍ମର ସଗୁଣ ଶକ୍ତି । ଏଣେ ପୁଣି ଶକ୍ତି ଯେ, ଶକ୍ତିମାନ ସେ । ଅଗ୍ନି ଆଉ ତା’ର ଦାହିକା ଶକ୍ତି ଏକ୍‍ ନା ପୃଥକ୍‍ ? ବୁଝିଲେ ଏକ–ବୁଝିଲେ ଦୁଇ । ବୋଇଲା–‘‘ଲିଙ୍ଗଯୋନି ନାହିଁ । କିଛି–ଶୂନ୍ୟ ପରାଏ ବ୍ୟାପିଛି–ଇନ୍ଦ୍ରି ନାହିଁ କରୁଛି ଶୃଙ୍ଗାର ହୋ ବାଇମନ ।” ଏବେ କୁହ, ସୀତା ଅଣ୍ଡିରା ନା ମାଈ-?

 

କହିବା ବାହୁଲ୍ୟ ଯେ, ଏ ସବୁ କାଣ୍ଡଜ୍ଞାନ ବହିର୍ଭୁତ ପ୍ରଶ୍ନ ଓ ଉତ୍ତର । ଲୋକଟିକୁ ଖୁବ୍‌ ସରଳ ଭାବେ କହିଦେବା ଉଚିତ ଯେ ସୀତା ଜଣେ ସ୍ତ୍ରୀ ଲୋକ–ସେ ଜନକରାଜଙ୍କ ଝିଅ ଓ ରାମଚନ୍ଦ୍ରଙ୍କୁ ବିବାହ କରିଥିଲେ । ରାବଣ ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ଚୋରାଇ ନେଇଥିଲା । ରାମଚନ୍ଦ୍ରଙ୍କ ଔରସରୁ ତାଙ୍କର ଲବ-କୁଶ ନାମରେ ଦୁଇପୁଅ ମଧ୍ୟ ଜନ୍ମ ହୋଇଥିଲେ ।

 

ସେମିତି କେତେ ଲୋକ ଅଛନ୍ତି–ଯେଉଁମାନେ ରାମାୟଣ ସାତକାଣ୍ଡ ପଢ଼ିଛନ୍ତି । ସବୁ ଘଟଣା ମନେ ରଖିଛନ୍ତି । ମାତ୍ର ଧନୁଭଙ୍ଗ ଘଟଣାଟି ଆଗ ନା ତାଡ଼କା ରାକ୍ଷସୀ ନିଧନ ବ୍ୟାପାରଟି ଆଗ ଘଟିଥିଲା–ସେକଥା ସେମାନେ ଧରି ପାରନ୍ତି ନାହିଁ । କିସ୍କିନ୍ଧ୍ୟା କାଣ୍ଡଟି ଆଗ ନା ଆରଣ୍ୟ କାଣ୍ଡଟି ଆଗ, ସେ କଥା ସେମାନେ ମନରେ ଠିକ୍‌ ରୂପେ ସଜାଇ ପାରୁ ନାହାନ୍ତି । ତା’ ଅର୍ଥ; ସେମାନଙ୍କୁ ପୂର୍ବାପର ସଙ୍ଗତି ଜଣାନାହିଁ–ପୌବାପର୍ଯ୍ୟ ଜ୍ଞାତବ୍ୟ ନାହିଁ । ପ୍ରଥମେ ଏହିଭଳି ଅଜ୍ଞାନକୁ କାଣ୍ଡଜ୍ଞାନହୀନତା କୁହାଯାଉଥିଲା । କୋଉ ଘଟଣାଟି କୋଉ ଘଟଣାର ପୂର୍ବରୁ ବା ପରେ ଘଟିଥିଲା–ଅଥବା କୋଉ ଘଟଣାଟି ଘଟିଗଲା ପରେ ଆଉ କୋଉ ଘଟଣାଟି ଘଟିବା ଅବଶ୍ୟମ୍ଭାବୀ–ଏହି ଜ୍ଞାନଟି ଯାହାର ନାହିଁ–ବୁଝିବାକୁ ହେବ ଯେ ସେ ଲୋକଟିର କାଣ୍ଡଜ୍ଞାନ ନାହିଁ । ସେ ମଧ୍ୟ କାର୍ଯ୍ୟକାରଣ ସୂତ୍ରଟିକୁ ଧରିପାରୁ ନାହିଁ । ପର୍ବତ ଉପରେ ଧୂଆଁ ଦେଖୁଛି–ମାତ୍ର ସେଥିରୁ ସେ ପର୍ବତ ଉପରେ ନିଆଁ ଲାଗିଥିବା ବ୍ୟାପାରଟିକୁ ଅନୁମାନ କରିପାରୁନାହିଁ । ସେ ଲୋକଟି ନଈରେ ବଢ଼ିପାଣି ଦେଖୁଛି, ମାତ୍ର ସେଥିରୁ ଉପର ମୁଣ୍ଡରେ ପ୍ରଚୁର ବର୍ଷା ହୋଇଥିବ ବୋଲି କଳନା କରିପାରୁନାହିଁ । ସେ ଲୋକ ପାଳଗଦାରେ ନିଆଁ ଲାଗିଯାଇଥିବା ଦେଖୁଛି–ମାତ୍ର ସେ ନିଆଁ ବ୍ୟାପି ଯାଇ ସମଗ୍ର ଗ୍ରାମଟି ଭସ୍ମୀଭୂତ ହୋଇ ଯାଇପାରେ, ଏଭଳି ଆଶଙ୍କା କରିପାରୁନାହିଁ । ନିଃସନ୍ଦେହରେ ଏବଂବିଧ ଲୋକଟିର କାଣ୍ଡଜ୍ଞାନ ନାହିଁ ।

 

କିନ୍ତୁ କାଣ୍ଡଜ୍ଞାନ କେବଳ ସେତିକିରେ ସୀମିତ ନୁହେଁ । ବହୁ ଲୋକ ଅଛନ୍ତି, ଯେଉଁମାନଙ୍କର ମାତ୍ରା ଜ୍ଞାନ ନଥାଏ, ଔଚିତ୍ୟବୋଧ ନଥାଏ ଏବଂ ସେମାନେ ସ୍ଥାନ କାଳ ପାତ୍ରର ବିବେଚନା ନକରି ବେଳେ ବେଳେ ହଠାତ୍‌ ବୃଥାଟାରେ ଗୋଟାଏ କାଣ୍ଡ ଘଟାଇ ଦିଅନ୍ତି–ଗୋଟାଏ ଦୃଶ୍ୟ ସୃଷ୍ଟିକରି ବସନ୍ତି–ଅଘଟଣ ଘଟେଇ ଦିଅନ୍ତି–ଯାହା ଫଳରେକି ପୂର୍ବ କଳ୍ପିତ କଲ୍ୟାଣକର ଆୟୋଜନଟିଏ ଭଣ୍ଡୁର ହୋଇଯାଏ । ଶୁଭ ଯୋଜନାଟିଏ ନଷ୍ଟଭ୍ରଷ୍ଟ ହୋଇଯାଏ । ରାମାୟଣରେ ମନ୍ଥରା ଓ କୈକେୟୀ ଗୋଟିଏ ବିଶେଷ ମୁହୂର୍ତ୍ତରେ ଏମିତି ଏକ କାଣ୍ଡଜ୍ଞାନହୀନ କର୍ମ କରି ବସିଲେ-। ଫଳରେ ରାମ-ଲକ୍ଷ୍ମଣଙ୍କ ଭଳି ପୁଅ ବନବାସୀ ହେଲେ–ସୀତା ଭଳି ବୋହୂକୁ ରାବଣ ଚୋରୀ କରି ନେଲା । ଭରତ ଭଳି ଭାଇ ଜଟା ବକଳ ଛାଡ଼ି ଫଳମୂଳ ଖାଇ ରାଜପ୍ରାସାଦରେ ବି ଚଉଦବର୍ଷ କାଳ ଅତିବାହିତ କଲେ । ଆଉ ରାମକୁ ଝୁରି ଝୁରି ଦଶରଥ ମହାରାଜା ଅକାଳରେ ପ୍ରାଣତ୍ୟାଗ କଲେ । କୈକେୟୀଙ୍କ ସମେତ ତିନୋଟିଯାକ ରାଣୀ ବିଧବା ହେଲେ । ସ୍ଵର୍ଗୀୟ ରଘୁବଂଶରେ କି କି ଶୋଚନୀୟ ଅଘଟଣମାନ ଘଟି ନଗଲା ! ସେଣେ ଲଙ୍କାରେ ମଧ୍ୟ ରାବଣର କାଣ୍ଡଜ୍ଞାନହୀନତା ଯୋଗୁଁ ଲଙ୍କା ସମେତ ରାବଣର ସ୍ଵବଂଶ ଧ୍ୱଂସ ହୋଇଗଲା । ବାଳବିଧବା ସ୍ଵୈରିଣୀ କାମାନ୍ଧିନୀ ସୂର୍ପଣଖାଠାରୁ ତା’ର ଦୁର୍ଦ୍ଦଶାର କାହାଣୀ ଶୁଣିଲାବେଳେ ରାବଣ ଯଦି ତା’ କଥାରୁ ସତ୍ୟାସତ୍ୟ ଓ କାର୍ଯ୍ୟକାରଣାଦି ତଥ୍ୟ ବିଶ୍ଳେଷଣ କରିଥାନ୍ତା, ତା’ହେଲେ ସେ ବିଭୀଷଣ, ମନ୍ଦୋଦରୀ ଓ ମାରୀଚାଦିଙ୍କର ବହୁ ବାରଣ ସତ୍ତ୍ୱେ କାମ ଓ କ୍ରୋଧର ବଶବର୍ତ୍ତୀ ହୋଇ ପଞ୍ଚବଟୀରୁ ସୀତାଙ୍କୁ ଚୋରୀକରି ଆଣି ନଥାନ୍ତା ।

 

ଏହିଭଳି କାଣ୍ଡଜ୍ଞାନହୀନ ଲୋକଙ୍କ ସଂଖ୍ୟା ସବୁ ଯୁଗରେ ବେଶୀ । ଏଇମାନଙ୍କ ଉତ୍ପୀଡ଼ନରେ ବହୁ ପରିବାର, ସମାଜ ଓ ଦେଶ ଛାରଖାର ହୋଇଯାଏ । ଏମାନେ କାଣ୍ଡଜ୍ଞାନହୀନ ବହୁ କାଣ୍ଡ ସୃଷ୍ଟି କରି ଅନ୍ୟମାନଙ୍କୁ ମହା ହଇରାଣରେ ପକାନ୍ତି ଓ ନିଜେ ମଧ୍ୟ ହଇରାଣ ହୁଅନ୍ତି । ଆମ ପୁରାଣମାନଙ୍କରେ ବହୁ କାଣ୍ଡଜ୍ଞାନହୀନ କାଣ୍ଡକାରଖାନାର ଭୂରି ଭୂରି ଉଦାହରଣ ରହିଛି । ସ୍ଵୟଂ ରାମଚନ୍ଦ୍ରଙ୍କ ଭଳି ଧୀର ଧୀମାନ୍‌ ବ୍ୟକ୍ତି ମଧ୍ୟ ମାୟାମୃଗର ଛଳନାରେ ଭୁଲି ଯାଇଥିଲେ । ସୁନାର ମିରିଗଟିକୁ ସତ ମଣି ତା’ ପଛରେ ମାରିବାକୁ ଦଉଡ଼ିଥିଲେ । ସୀତାଙ୍କ ଭଳି ସର୍ବଗୁଣସମ୍ପନ୍ନା ସତୀ ସାଧ୍ଵୀ ମଧ୍ୟ ଲକ୍ଷ୍ମଣ ଭଳି ଭାଇ ଓ ଦିଅରକୁ ସଙ୍କଟଜନକ ପରିସ୍ଥିତିରେ ଆଗ ପଛ ବିଚାର ନକରି ଅତ୍ୟନ୍ତ କଟୁ ଭର୍ତ୍ସନା କରି ପାଖରୁ ତଡ଼ିଦେଇଥିଲେ ଓ ତା’ ଫଳରେ ରାବଣର ଅପକର୍ମ ପାଇଁ ପଥ ପରିଷ୍କାର କରି ଦେଇଥିଲେ । ମହାମତି ଲକ୍ଷ୍ମଣ ମଧ୍ୟ ଉପସ୍ଥିତ ମୁହୂର୍ତ୍ତରେ କାଣ୍ଡଜ୍ଞାନ ହରାଇ ବସିଲେ ।

 

ଆଶୁ-ବିପଦ-ଆଶଙ୍କା-ବିହ୍ଵଳା, କ୍ରୋଧକ୍ଷିପ୍ତା, ଅପରିଣାମଦର୍ଶିନୀ ଧୈର୍ଯ୍ୟଚ୍ୟୁତା ସୀତାଙ୍କର ଅଗ୍ନିବର୍ଷୀ ଭର୍ତ୍ସନା ଶୁଣି ଅପମାନିତ ବୋଧ କରି ଲକ୍ଷ୍ମଣ ଭ୍ରାତୃ ଆଜ୍ଞା ଅବଜ୍ଞା କରି–ସତ୍ୟାସତ୍ୟ ବୁଝି ମଧ୍ୟ ସୀତାଙ୍କୁ ଏକାକିନୀ କୁଟୀର ଭିତରେ ଛାଡ଼ିଦେଇ ଗଲେ । ଫଳରେ ଲକ୍ଷ୍ମଣ ଓ ସୀତାଙ୍କର ସେତିକି ମାତ୍ର ଅସ୍ଥିର ବିବେଚନାହୀନତା ଲାଗି ସାତକାଣ୍ଡ ରାମାୟଣ ଆମୂଳଚୂଳ ଅଶ୍ରୁମୟ ହୋଇଗଲା । ସେମିତି ପରମ ଧର୍ମନିଷ୍ଠ ପରମ ନ୍ୟାୟବନ୍ତ ରାଜା ମହାମତି ଯୁଧିଷ୍ଠିର କପଟମତି ଶକୁନୀର ଖଳ ଚକ୍ରାନ୍ତକୁ ବୁଝି ନପାରି ଏକ ଅନ୍ଧ ଜିଦରେ ବାରମ୍ବାର ତା’ ସଙ୍ଗେ ପଶା ଖେଳିଲେ–ଏପରିକି ଭାଇମାନଙ୍କୁ ଓ ସ୍ଵୟଂ ରାଜମହିଷୀ ଯାଜ୍ଞସେନୀ ଦ୍ରୌପଦୀଙ୍କୁ ମଧ୍ୟ ବାଜିରଖି ପଶା ଖେଳିଲେ–ଏବଂ ଥର ଥର ହୋଇ ସବୁ ହାରି ବନବାସୀ ହେଲେ । କୁରୁ ରାଜସଭାରେ ମହତ ଲୋକମାନଙ୍କ ସମ୍ମୁଖରେ କୁଳବଧୂ ଦ୍ରୌପଦୀଙ୍କର ବସ୍ତ୍ରହରଣ ଭଳି ମହା ଗ୍ଳାନିଦାୟକ ଦୁର୍ଘଟଣା ଲାଗି କ୍ଷେତ୍ର ପ୍ରସ୍ତୁତ କରିଦେଲେ ।

 

ଆଉ ଗୋଟିଏ ଦୃଷ୍ଟାନ୍ତ ଦେଖନ୍ତୁ । ମୁନି ଋଷି ମଧ୍ୟ ବହୁ ସମୟରେ କାଣ୍ଡଜ୍ଞାନ ହରାଇଥାନ୍ତି । ଦୁର୍ବାସା ଥିଲେ ତଦ୍ରୂପ ଜଣେ ଅବିବେକୀ ଋଷି । ଅତ୍ୟଧିକ କ୍ରୋଧ ବହୁବେଳେ ତାଙ୍କର ବୁଦ୍ଧି ଭ୍ରମ ଘଟାଇ ଥାଏ । କଣ୍ଵ ଋଷିଙ୍କ ଆଶ୍ରମରେ ଦିନେ ପହୁଞ୍ଚିଲେ ଦୁର୍ବାସା । ଆଶ୍ରମରେ ସେଦିନ ଅନୁପସ୍ଥିତ ଥିଲେ ମହର୍ଷି କଣ୍ଵ । କିନ୍ତୁ କୁଟୀର ଭିତରେ ବସି ରହିଥିଲେ କଣ୍ଵ ଦୁହିତା ଶକୁନ୍ତଳା ଏକାକିନୀ । ଗାଲରେ ହାତ ଦେଇ ସେ ଭାବୁଥିଲେ, ତାଙ୍କ ଜୀବନର ସେହି ନୂତନ ମଧୁର ଅଭିଜ୍ଞତାଟି ବିଷୟରେ । ନୂଆ ହୋଇ ପ୍ରେମରେ ପଡ଼ିଥିଲେ ସେ ଦୁଷ୍ମନ୍ତଙ୍କର । ରତ୍ନ ମୁଦ୍ରିକାଟିଏ ଦେଇ ରାଜା ଦୁଷ୍ମନ୍ତ ନିଜ ରାଜ୍ୟକୁ ଫେରିଯାଇଥିଲେ । ମାତ୍ର ନବୀନ ପ୍ରଣୟ-ମୁଗ୍‌ଧା ସରଳ ହୃଦୟା ଶକୁନ୍ତଳାଙ୍କର ମନ ଆଚ୍ଛନ୍ନ ରହିଥିଲା ଦୁଷ୍ମନ୍ତଙ୍କର ପ୍ରେମ ଭାବନାରେ । ଆଶ୍ରମ କୁଟୀରର ଦ୍ଵାରଦେଶରେ ତିନିଥର ଡାକିଲେ ମହାକ୍ରୋଧୀ ମହାତପୀ ଦୁର୍ବାସା । ଭିତରେ କିଏ ଅଛ ଉତ୍ତର ଦିଅ ମୁଁ ମହାତପୀ ଦୁର୍ବାସା ଆସିଛି ଅତିଥି ହୋଇ । ମାତ୍ର ପ୍ରଣୟ ସମୁଦ୍ରରେ ନିମଜ୍ଜମାନା ନବୀନା ଶକୁନ୍ତଳାର କର୍ଣ୍ଣରେ ସେ ଆହ୍ୱାନ ପହୁଁଚି ପାରୁ ନଥିଲା । ବାହାର ଜଗତର ସବୁ ଶବ୍ଦ କୋଳାହଳ ସଙ୍ଗେ ଦୁର୍ବାସାଙ୍କ ଆହ୍ଵାନର ଶବ୍ଦ ମଧ୍ୟ ମିଶି ଏକାକାର ହୋଇ ଯାଇଥିଲା । ଦୁର୍ବାସାଙ୍କ କ୍ରୋଧୋତ୍‌କ୍ଷିପ୍ତ ଚିତ୍ତ ସ୍ଥିର ହୋଇ ବ୍ୟାପାରଟିକୁ ବୁଝିବା ଲାଗି ପ୍ରସ୍ତୁତ ହୋଇ ପାରିଲା ନାହିଁ । ତତ୍‌କ୍ଷଣାତ୍‌ ଆଗ୍ନେୟ କଣ୍ଠରୁ ବାହାରି ପଡ଼ିଲା ନିଷ୍କରୁଣ ଅଭିଶାପଟିଏ–“ଅଭିମାନିନୀ ମୂଢ଼ା ବାଳିକା-! ଯାହା କଥା ଭାବି ଭାବି ତୁ ମୋ’ପରି ମହାନ୍‌ ଅତିଥିର ଆହ୍ଵାନକୁ ମଧ୍ୟ ଶୁଣି ପାରିଲୁ ନାହିଁ–ତାକୁ ତୁ ତୋ’ର ଯେତେ ପରିଚୟ ଦେଲେ ମଧ୍ୟ, ସେ ତୋତେ ଆଉ କଦାପି ଚିହ୍ନି ପାରିବ ନାହିଁ ।” ଛାରଖାର ହୋଇ ଯାଇଥିଲା ନିରୀହା ଶକୁନ୍ତଳାର ଉତ୍ତର ଜୀବନ । ପ୍ରଣୟୀର ଉପେକ୍ଷା ଯଜ୍ଞରେ ସାରା ଜୀବନ ଦଗ୍‌ଧିଭୂତ ହୋଇ ଯାଇଥିଲା ସେହି ସରଳା ନିଷ୍ପାପା ଭାବିନୀ ବାଳିକାଟିର କୋମଳ ହୃଦୟ ।

 

ଦୁର୍ବାସାଙ୍କ ଅଭିଶାପ ଯେପରି ବିବେଚନାଶୂନ୍ୟ, ତାଙ୍କର ବର ମଧ୍ୟ ସେହିପରି ସ୍ଥାନ କାଳ ପାତ୍ର ବିଚାରହୀନ ଏକ ଅପରିଣାମଦର୍ଶୀ ଭାବାଳୁତା’ର ପରିଚୟ ଦିଏ । ରାଜା ପୃଥୁଙ୍କର ରାଜପ୍ରାସାଦରେ ଦିନେ ଅତିଥିରୂପେ ଆବିର୍ଭୂତ ହେଲେ ମହାତାପନ ମୁନି ଦୁର୍ବାସା । ରାଜା ପୃଥୁ ତାଙ୍କର ଆତିଥେୟତାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ମାନସରେ ସର୍ବପ୍ରକାର ସାବଧାନତା ଅବଲମ୍ବନ କରି ମଧ୍ୟ, ନିଜର ଅନୁଢ଼ା ବାଳିକା କନ୍ୟା କୁନ୍ତୀଙ୍କୁ, କୋପୀ ମୁନିଙ୍କର ସହଜ ଉତ୍‌କ୍ଷିପ୍ତ ମନକୁ ଅଷ୍ଟପ୍ରହରାବଧି ପ୍ରସନ୍ନ ରଖିବା ମାନସରେ ତାଙ୍କର ଅହୋରାତ୍ର ପରିଚର୍ଯାରେ ନିଯୁକ୍ତ କରିଦେଲେ ଏବଂ ସେହି ସେବାଚତୁରୀ ପରିଚର୍ଯାନିପୁଣା ପ୍ରସନ୍ନମୁଖୀ ବାଳିକା ମାସ ମାସ ଧରି ଦୁର୍ବାସାଙ୍କର କୁଚ୍ଛ୍ରସାଧ୍ୟ ସେବାରେ ନିଜକୁ ସମ୍ପୂର୍ଣ୍ଣଭାବେ ସମର୍ପଣ କରିଦେଲା । ରାଜପ୍ରାସାଦରୁ ବିଦାୟ ନେଲାବେଳେ ଦୁର୍ବାସା ବାଳିକା କୁନ୍ତୀଙ୍କର ସାନୁରାଗ ସତର୍କ ସେବାରେ ଅତ୍ୟନ୍ତ ପ୍ରସନ୍ନ ହୋଇ ତାକୁ ଗୋଟିଏ ମାଳା ପ୍ରଦାନ କରି କହିଲେ–ଦେଖ୍‌ ବାଳିକା ! ମୁଁ ସାଧାରଣତଃ ସନ୍ତୁଷ୍ଟ ହୁଏ ନାହିଁ । କିନ୍ତୁ ମୁଁ ତୋ’ର ସେବାରେ ଖୁବ୍‌ ପ୍ରୀତ ହୋଇ ଏହି ବର ପ୍ରଦାନ କରୁଛି ଯେ ଏହି ମାଳାଟି ହାତରେ ଧରି ତୁ ଯେଉଁ ମନୋମତ ପୁରୁଷକୁ ତୋ’ ସଙ୍ଗେ ମିଳିତ ହେବାକୁ ଆହ୍ଵାନ କରିବୁ, ସେ ତତ୍‌କ୍ଷଣାତ୍‌ ତୋ’ ପାଖରେ ଉପସ୍ଥିତ ହୋଇ ତୋ’ ସଙ୍ଗେ ରମିତ ହେବ । ଅପରିଣାମଦର୍ଶୀ, କଦାଚିତ୍‌-ବରଦାୟୀ ସେହି ଋଷି ପ୍ରସ୍ଥାନ କଲା ପରେ ସଦ୍ୟ-ବର-ପ୍ରାପ୍ତି-ଉଲ୍ଲାସ-ଉତ୍‌ଫୁଲ୍ଲା ବାଳିକା କୁନ୍ତୀ ଆପଣାର ବୟସ-ସୁଲଭ-ଚପଳମତିତ୍ଵରେ ମାଳାଟିକୁ ହାତରେ ଧରି ପରୀକ୍ଷା କରିବା ଉଦ୍ଦେଶ୍ୟରେ ମହାତେଜା ଦେବପୁରୁଷ ତରୁଣ ଦିବାକରଙ୍କୁ ମନେ ମନେ ଆହ୍ଵାନ କରି ବସିଲା । ....ତା’ପରେ, ତା’ପରେ ବାଳିକା କୁନ୍ତୀଙ୍କର ସୂର୍ଯ୍ୟଙ୍କ ଔରସରେ ଏକ ପୁତ୍ର ସନ୍ତାନ ଲାଭହେଲା ଏବଂ କୁନ୍ତୀ ସେହି ସଦ୍ୟଜାତ ସନ୍ତାନଟିକୁ ହାଣ୍ଡିରେ ପୂରାଇ ନଈରେ ଭସାଇ ଦେଲେ । ପରବର୍ତ୍ତୀ କାଳରେ ସେହି ଶିଶୁପୁତ୍ର କର୍ଣ୍ଣ ନାମରେ ପରିଚିତ ହେଲେ । ଏବଂ ମହାଭାରତ ଯୁଦ୍ଧର ବହୁ କାରଣ ଭିତରୁ ଏହି କର୍ଣ୍ଣ ଥିଲେ ଅନ୍ୟତମ ଏକ କାରଣ ।

 

କାଣ୍ଡଜ୍ଞାନ ଗୋଟିଏ ବିଦ୍ୟା ନୁହେଁ–କି କଳା ମଧ୍ୟ ନୁହେଁ । କାଣ୍ଡଜ୍ଞାନ ମଧ୍ୟ ପ୍ରତ୍ୟୁତ୍ପନ୍ନମତିତ୍ଵ ବା ଉପସ୍ଥିତ ବୁଦ୍ଧି ମାତ୍ରକ ନୁହେଁ । ଅଥବା ଏହା ଅନାଗତବିଧାତୃ-ସାବଧାନତା ମାତ୍ରକ ନୁହେଁ । ଅଥଚ କାଣ୍ଡଜ୍ଞାନହିଁ ଏ ସବୁର ସଫଳତା ପାଇଁ ଦାୟୀ । ଏ ସବୁର ପ୍ରୟୋଗ ପାଇଁ ନିତାନ୍ତ ଆବଶ୍ୟକ । ଗୋଟିଏ ଗଳ୍ପ ଶୁଣନ୍ତୁ । ପାଞ୍ଚ ଜଣ ବନ୍ଧୁ ବିଦେଶ ବାହାରିଲେ । ଯାଉ ଯାଉ ବାଟରେ ରାତି ହେଲା । ଅବଶ୍ୟ ଜହ୍ନ ରାତି । କିନ୍ତୁ ବାଟଟା ଥିଲା ଜଙ୍ଗଲିଆ ଗୋଟାଏ ମାଳଭୂମି । କିଛିବାଟ ପରେ ଘୋର ଅରଣ୍ୟ ପଡ଼ିବ । ସେମାନେ ବିଚାର କଲେ ନିକଟସ୍ଥ ବୃକ୍ଷ ଉପରେ ବସିରହି ରାତିଟି କଟାଇ ଦେବେ । ଗଛମୂଳକୁ ପହୁଁଞ୍ଚିବା ମାତ୍ରେ ସେମାନଙ୍କ ଆଖିରେ ପଡ଼ିଲା ଗୋଟାଏ ହାଡ଼ଗଦା । ପ୍ରକାଶ ଥାଉକି, ପଞ୍ଚସଖାଙ୍କ ଭିତରୁ ଚାରିଜଣ ଥିଲେ ଚାରି ବିଶେଷ ବିଦ୍ୟାର ଅଧିକାରୀ । ପ୍ରଥମ ବନ୍ଧୁ ନିଜ ବିଦ୍ୟାର କରାମତି ଦେଖାଇବା ଲାଗି ମନ୍ତ୍ର ପାଣି ଛିଞ୍ଚି ଦିଅନ୍ତେ, ସବୁ ହାଡ଼ତକ ଏକାଠି ଯୋଡ଼ି ହୋଇ ଗୋଟିଏ ଜନ୍ତୁର ଶୃଙ୍ଖଳିତ ସମ୍ପୂର୍ଣ୍ଣ କଙ୍କାଳରୂପେ ଠିଆ ହୋଇଗଲା । ଦ୍ଵିତୀୟ ବନ୍ଧୁଙ୍କୁ ଚମ, ମାଂସ, ରକ୍ତ, ସ୍ନାୟୁ, ଶିରା ଆଦି ଯୋଡ଼ିବା ମନ୍ତ୍ର ଜଣାଥିଲା । ତା’ର ପ୍ରୟୋଗ ଫଳରେ କଙ୍କାଳଟି ଗୋଟିଏ ପୂର୍ଣ୍ଣାବୟବ ପ୍ରାଣୀଭଳି ଦେଖାଗଲା । ତୃତୀୟ ବନ୍ଧୁଙ୍କୁ ଜଣାଥିଲା ମୃତସଞ୍ଜୀବନୀମନ୍ତ୍ର । ସେ ଆପଣା ବିଦ୍ୟାର କରାମତି ଦେଖାଇବାକୁ ଖୁବ୍‌ ଚଞ୍ଚଳ ହୋଇପଡ଼ନ୍ତେ, ଚତୁର୍ଥ ବନ୍ଧୁଟି କହିଲେ–ବନ୍ଧୁ ! କ୍ଷାନ୍ତ ହୁଅ । ଆମ ଆଗରେ ଯେ ଠିଆ ହେଲାଣି ସେ ଗୋଟାଏ ମସ୍ତ ମହାବଳ ବାଘ । ତାକୁ ତୁମେ ଜିଆଁଇଦେଲେ ସେ ଏଠି ଆମ ସମସ୍ତଙ୍କ ତଣ୍ଟି କଣାକରି ରକ୍ତ ପିଇବ । ଏ କଥା ଶୁଣିବାମାତ୍ରେ ପଞ୍ଚମ ବନ୍ଧୁ ବିରକ୍ତ ହୋଇଗଲେ । ସେ ଥିଲେ ସାହିତ୍ୟ-ବ୍ୟାକରଣ-ନ୍ୟାୟ-ବେଦାନ୍ତ ଓ ଆୟୁର୍ବେଦରେ ଜଣେ ଧୂରୀଣ ପଣ୍ଡିତ । ସେ ଗୋଟିଏ କ୍ଷୁଦ୍ର କରାଟରୁ କିଞ୍ଚିତ୍‌ ନସ୍ୟ ଆପଣାର ଟିପ ସାହାଯ୍ୟରେ ନେଇ ନାସା ବିବରରେ ପ୍ରବେଶ କରାଇ, ଗୋଟିଏ ଛିଙ୍କ ଛିଙ୍କି ଆନୁନାସିକ କଣ୍ଠରେ କହିଲେ–ବନ୍ଧୁ ! ତୁମେ କୌଣସି ବିଦ୍ୟାରେ ଧୂରୀଣ ନୁହଁ ବୋଲି ବିଦ୍ୟାଗୁଡ଼ିକର ପ୍ରକାଶ ପାଇଁ କୁଣ୍ଠିତ ହେଉଅଛ । ଏବଂ ଈର୍ଷାରେ ସଂକୁଚିତ ହୋଇପଡ଼ୁଛ । ପ୍ରତ୍ୟେକଙ୍କୁ ସ୍ଵୀୟ ବିଦ୍ୟାର କରାମତି ପ୍ରକାଶ ଲାଗି ଅନୁମତି ଦିଅ । ବ୍ୟାଘ୍ର ହେଲେ ବି କ୍ଷତି କ’ଣ ? ବ୍ୟାଘ୍ର ଶବ୍ଦର ଉତ୍ପତ୍ତି ତୁମ୍ଭଙ୍କୁ ଜ୍ଞାତବ୍ୟ ଅଛି ? ‘ବି’ ଉପସର୍ଗ ‘ଘ୍ରଣ୍‌’ ଧାତୁରୁ ‘ଅ’ ପ୍ରତ୍ୟୟ ହେଲେ ‘ବ୍ୟାଘ୍ର’ ନିଷ୍ପନ୍ନ ହୁଏ । ତା’ର ଅର୍ଥ ହେଲା ବିଶେଷରୂପେ ଆଘ୍ରାଣ କରେ ଯେ ସେ ବ୍ୟାଘ୍ରଟା । ବ୍ୟାଘ୍ରଟା ବଞ୍ଚି ଉଠିଲେ ଆମର ବିଶେଷ କ’ଣ କରିବ ? ଶବ୍ଦଟିର ମୂଳ ଅର୍ଥାନୁସାରେ ସେହି ପ୍ରାଣୀ ବିଶେଷ ଆମ୍ଭମାନଙ୍କୁ ବିଶେଷଭାବେ ଆଘ୍ରାଣ କରିବ ମାତ୍ର, କରୁ ଏବେ ସେ ଆଘ୍ରାଣ ଯେତେ ପାରୁଛି । ଦେଖାଅ ଭାଇ ! ତୁମର ବିଦ୍ୟା ଦେଖାଅ । ଅଳଂମତି ବିଳମ୍ବେନ ।

 

ବିଶେଷ ବିଦ୍ୟାହୀନ ଅଥଚ କାଣ୍ଡଜ୍ଞାନସମ୍ପନ୍ନ ବନ୍ଧୁଟି ଭାବିଲା–ଏହି ଅବିମୃଷ୍ୟକାରୀ ମୂର୍ଖ ପଣ୍ଡିତମାନେ ନିଜ ନିଜ ବିଦ୍ୟାପ୍ରଦର୍ଶନ ଲୀଳାରେ ଉନ୍ମତ୍ତ ହୋଇ ଅଛନ୍ତି । ଏମାନେ ଆଉ କାହା କଥା ଶୁଣିବା ଅବସ୍ଥାରେ ନାହାନ୍ତି । ଏ କ୍ଷେତ୍ରରେ ମୋର ଏହି ବିଦ୍ୟାହୀନ ପୈତୃକ ପ୍ରାଣଟି ବଞ୍ଚାଇବା ମୋ ପକ୍ଷରେ ଉଚିତ ହେବ । ଏହା ଭାବି ସେ ବନ୍ଧୁମାନଙ୍କ ଅନୁମତି ନେଇ ବ୍ୟାଘ୍ରଟି ଜୀବନ୍ତ ହେବା ପୂର୍ବରୁ ବୃକ୍ଷ ଉପରକୁ ଚଢ଼ିଗଲା । ଏବଂ ସଞ୍ଜୀବନୀମନ୍ତ୍ର ପ୍ରୟୋଗ ଫଳରେ ବ୍ୟାଘ୍ରଟି ସହସା ଜିଇଁ ଉଠି ତା’ ଚାରିପଟେ ଠିଆହୋଇଥିବା ସେହି କାଣ୍ଡଜ୍ଞାନବିବର୍ଜିତ ଅପରିଣାମଦର୍ଶୀ ଏକବାଗିଆ ବିଦ୍ୟାଧରମାନଙ୍କୁ ଗୋଟି ଗୋଟି କରି ବିନାଶ କଲା ।

 

ସାମାନ୍ୟ ସଚେତନ ହେଲେ ଆମେ ଜାଣିପାରିବା ଯେ ଆମ ଚାରିପଟେ ମଧ୍ୟ ବହୁ କାଣ୍ଡଜ୍ଞାନହୀନ ଭକ୍ତ, ଧାର୍ମିକ, ବଣିକ, ରାଜନୀତିବାଲା, ପଣ୍ଡିତ, ବୈଜ୍ଞାନିକ, କବି, ଦାର୍ଶନିକ ଓ ଦେଶପ୍ରେମୀଗଣ ଘେରି ରହିଛନ୍ତି ଏବଂ ସେମାନଙ୍କର କାଣ୍ଡଜ୍ଞାନହୀନ କାଣ୍ଡକାରଖାନାରେ ଏ ପୃଥିବୀ ପଡ଼ୁଛି–ନହେଲେ ଉଠୁଛି । ଯେଉଁମାନେ ପରିସ୍ଥିତିଟିକୁ ସବୁଦିଗରୁ ଦେଖନ୍ତି ନାହିଁ, ଗୋଟିଏ ଘଟଣାର ପୂର୍ବାପର ସଙ୍ଗତିକୁ ଲକ୍ଷ୍ୟ ନକରି, ପରିଣତି ପ୍ରତି ସତର୍କ ନ ହୋଇ, କିଛି ଗୋଟାଏ କରି ବସନ୍ତି–ସେମାନେ ଗୋଟିଏ ବା ଏକାଧିକ ବିଦ୍ୟାରେ ଯେତେ ଧୂରୀଣ ଓ ପାରଦର୍ଶୀ ହେଲେ ବି, ସେମାନଙ୍କର ସେହି ସବୁ କାର୍ଯ୍ୟ ଗୋଟାଏ ଶୋଚନୀୟ ହଠକାରୀତାରେ ପର୍ଯ୍ୟବଶିତ ହୋଇ ନିଜର ଓ ସମୂହର ଘୋର କ୍ଷତି ବା ବିପର୍ଯୟ ଘଟାଇ ଥାଏ । ଆଜି ଆପଣ ଯୁଆଡ଼କୁ ଚାହାନ୍ତୁ–ଏ କଥାର ପ୍ରମାଣ ପାଇପାରିବେ । ବିଶ୍ଵବିଦ୍ୟାଳୟର ଜଣେ ଖ୍ୟାତନାମା ଗବେଷକ ରାମାୟଣର ଐତିହାସିକ ସତ୍ୟତା ଉପରେ ଗବେଷଣା କରି ଗୋଟିଏ ତତ୍ତ୍ଵ ପ୍ରତିଷ୍ଠା କଲେ । ତା’ ହେଉଛି–ରାବଣ ଓ ତା’ର ବଂଶଧରମାନେ ଥିଲେ ଦ୍ରାବିଡ଼ ଏବଂ ତାମିଲଭାଷୀ । ରାମଚନ୍ଦ୍ର ଥିଲେ ଉତ୍ତରଭାରତୀୟ ଆର୍ଯ୍ୟଗୋଷ୍ଠୀର ରାଜା ଏବଂ ହିନ୍ଦୀ ଥିଲା ତାଙ୍କର ମାତୃଭାଷା । ରାମାୟଣ କୁଆଡ଼େ ପ୍ରମାଣ କରେ ଯେ ଉତ୍ତରଭାରତର ହିନ୍ଦୀଭାଷୀ ଆର୍ଯ୍ୟମାନେ ଚିରଦିନ ଦକ୍ଷିଣଭାରତରେ ଦ୍ରାବିଡ଼ଭାଷା ଗୋଷ୍ଠୀଙ୍କ ଉପରେ ଆକ୍ରମଣ କରି ବିଜୟ ଲାଭ କରି ଆସିଛନ୍ତି । ଏହି ଜ୍ଞାନୀ ପ୍ରବରଙ୍କ ମତରେ ଦ୍ରାବିଡ଼ମାନେ କୁଆଡ଼େ ଅସୁର ଥିଲେ ଓ ଆଦିବାସୀମାନେ ହେଲେ ରାମାୟଣ-ବର୍ଣ୍ଣିତ ଅନାର୍ଯ୍ୟ ଗୋଷ୍ଠୀ–ଯେଉଁମାନେ କି ମର୍କଟ ଓ ଭଲ୍ଲୁକ ଜାତୀୟ । ଏଭଳି ଗୋଟାଏ କିମ୍ଭୂତ ମତ ପ୍ରଚାର କରିଦେଇ ଜ୍ଞାନୀପ୍ରବର ଅଧ୍ୟାପକ ହୁଏତ ଖୁବ୍‌ ବାହାବା ନେଲେ ଏବଂ ଆତ୍ମସନ୍ତୋଷ ଲାଭକଲେ–ମାତ୍ର ଏଇ ମତ ଯେ ଭାରତବର୍ଷର ଜାତୀୟତା’ର ଭିତ୍ତିକୁ ଦୋହଲାଇ ଦେବାରେ ସାହାଯ୍ୟ କଲାଣି, ଏତେକ ବୁଝିବା ଲାଗି ସେହି ଅହଂକାରୀ ପଣ୍ଡିତ ଅଧ୍ୟାପକ ମୂର୍ଖଟିର କାଣ୍ଡଜ୍ଞାନ ନାହିଁ । ସେମିତି କେହି ଗବେଷକ ଅତୀତର ନର୍ଦ୍ଦମା ଘାଣ୍ଟି ବହୁ ବୀଭତ୍ସ ବିବାଦମୂଳକ ତଥ୍ୟ ଆବିଷ୍କାର କରିଥାନ୍ତି–କିମ୍ବା ଏପରି କିଛି ଅମୂଳକ ପରସ୍ପର ବିଚ୍ଛିନ୍ନ ଘଟଣାମାନଙ୍କୁ ଏକତ୍ର ଯୋଡ଼ି ଗୋଟିଏ ନୂତନ ତଥ୍ୟ ପରିବେଷଣ କରନ୍ତି–ଯାହା ଫଳରେ କି ଉପସ୍ଥିତ ସମାଜର ସ୍ଥିତି ଉପରେ ତା’ର ଭୟଙ୍କର କ୍ଷତିକର ପ୍ରଭାବ ପଡ଼ିଯାଏ । ସେହିପରି, ଦେଶରେ ସାଂପ୍ରଦାୟିକ ଦଙ୍ଗା ଲାଗିଥିବାବେଳେ କେହି ଜଣେ ଆବେଗ-ଉନ୍ମତ୍ତ କବି ଏମିତି ଗୋଟାଏ ଏକପାଖିଆ ଉତ୍ତପ୍ତ କବିତା ଲେଖି ଛପାଇଦେଲେ–ଯାହା ଫଳରେ କି ଗୋଟିଏ ସମ୍ପ୍ରଦାୟ ରକ୍ତରେ ନିଆଁ ଲାଗିଯାଏ । ଜଣେ ଜଣେ ସାମ୍ବାଦିକ ମଧ୍ୟ କାଣ୍ଡଜ୍ଞାନହୀନ ଭାବେ ଖବରଟିଏ ଛାପିଦେଇ ଦେଶରେ ଅକାରଣ ହୈହଲା ସୃଷ୍ଟି କରି ଦିଅନ୍ତି ।

 

ସ୍ଥାନକାଳପାତ୍ରର ବିଚାର ନ କରି ଯେତେବେଳେ ମନେ ସେତେବେଳେ, ଯାହାକୁ ଇଚ୍ଛା ତାକୁ, ଯୋଉଠି ମନେ ସେଇଠି, ଆପଣାର ବୁଦ୍ଧି, ବିକ୍ରମ, ଜ୍ଞାନ, କର୍ମ ବା ଭାବ ସଂକ୍ରମଣ କରି କେତେକ ବ୍ୟକ୍ତି ସମାଜର ବହୁ ଅମଙ୍ଗଳ ଘଟାଇଥାନ୍ତି । ଆଜିକାଲି ରେଡ଼ିଓ, ଟେଲିଭିଜନ ଓ ଖବରକାଗଜ ପ୍ରଭୃତି ସର୍ବସାଧାରଣ ପ୍ରକାଶ ମାଧ୍ୟମଗୁଡ଼ିକର ପ୍ରଚାରିତ ବିଷବସ୍ତୁ ଅନେକ ସମୟରେ ବହୁ କାଣ୍ଡଜ୍ଞାନହୀନ ବ୍ୟକ୍ତିଙ୍କ ପକ୍ଷରେ ଉଦବେଗର କାରଣ ହୋଇଥାଏ । ଥରେ କେତେକ ବୈଜ୍ଞାନିକ ଗୋଟିଏ ସିଦ୍ଧାନ୍ତ ପ୍ରକାଶ କରିଥିଲେ ଖବର କାଗଜରେ । ତାହା ହେଉଛି–ଆଜିକୁ ପାଞ୍ଚକୋଟି ବର୍ଷ ପରେ ଆମର ଏହି ଜ୍ଵଳମାନ ସୂର୍ଯ୍ୟ ହଠାତ୍‌ ଦିନେ ବରଫ ପାଲଟି ଯିବ ଏବଂ ତା’ର କିଛି ହଜାର ବର୍ଷ ପୂର୍ବରୁ ଆମର ଏ ପୃଥିବୀ ମଧ୍ୟ କ୍ରମଶଃ ଶୀତଳ ହେବାକୁ ଆରମ୍ଭ କରିବ–ଏବଂ ବରଫ ହୋଇଯିବ । ସମ୍ବାଦଟି ପଢ଼ୁ ପଢ଼ୁ ସାରା ବିଶ୍ଵରେ ତେରଜଣ ବ୍ୟକ୍ତିଙ୍କର ହୃଦ୍‌ଯନ୍ତ୍ରକ୍ରିୟା ବନ୍ଦ ହୋଇଗଲା ଓ ସେମାନେ ଅଚିରେ ସୌରଲୋକପ୍ରାପ୍ତ ହେଲେ । ବ୍ୟାପାରଟି ହେଉଛି, ଏହି ବ୍ୟକ୍ତିମାନେ ପାଞ୍ଚକୋଟି ବର୍ଷକୁ ପାଞ୍ଚବର୍ଷ ବା ପାଞ୍ଚ ମାସ, ବା ପାଞ୍ଚଦିନ ବୋଲି ହଠାତ୍‌ ଭାବି ନେଇଥିଲେ । ଜୀବନଭୀରୁ ଦୁର୍ବଳସ୍ନାୟୁ ବ୍ୟକ୍ତିମାନେ ପ୍ରାୟଶଃ କାଣ୍ଡଜ୍ଞାନ ହରାଇଥାନ୍ତି ଏବଂ ବୃଥା ଉଦବେଗରେ ନିଜେ ପଡ଼ନ୍ତି–ଅନ୍ୟକୁ ମଧ୍ୟ ପକାନ୍ତି ।

 

ଆପଣ ଘର ପାଖରେ ପଡ଼ୋଶୀଟିକୁ ପଚାରନ୍ତୁ–ତାଙ୍କର ଆୟ କେତେ ? କେତେ ବଖରା ଘରେ ସେ ରହନ୍ତି ? ତାଙ୍କ ସ୍ତ୍ରୀଙ୍କର ସ୍ଵାସ୍ଥ୍ୟ କିପରି ? ଆପଣ ହୁଏତ ଆବିଷ୍କାର କରିବେ ଯେ, ଭଦ୍ରଲୋକଙ୍କର ମାସିକ ବେତନ ପାଞ୍ଚଶ ଛଅଶ ଟଙ୍କା ଭିତରେ । ସେ ଦୁଇଟି ବଖରାବିଶିଷ୍ଟ ଘରେ ରହନ୍ତି । ସ୍ତ୍ରୀଙ୍କର ରକ୍ତ ହୀନତା ଓ ପ୍ରଦର ରୋଗ । ମାତ୍ର ଭଦ୍ରଲୋକ ପାଞ୍ଚଟି ଝିଅ ଓ ଦୁଇଟି ପୁଅଙ୍କର ଭାଗ୍ୟବାନ ଜନକ । ପୁଅ ଦୁହେଁ ବାଳୁଙ୍ଗା ହୋଇ ସିନେମା ଛକରେ ବୁଲନ୍ତି । ଝିଅମାନେ ହି ହି ଡି ଡି ହୋଇ ଅଣ୍ଡିରାଚଣ୍ଡୀ ଭଳି ଏଣେ ତେଣେ ଡିଆଁ ମାରୁଛନ୍ତି । ମାତ୍ର ଭଦ୍ରଲୋକଙ୍କର ସେଆଡ଼କୁ ନିଘା ନାହିଁ । ସଞ୍ଜ ହେଲେ ମଠ ଚଉତରା ଉପରେ ବନ୍ଧୁମାନଙ୍କ ସହିତ ତାସ୍‌ ଖେଳରେ ମାତିଥାନ୍ତି । ପଚାରିଲେ ଖୁବ୍‌ ହାଲୁକା ଭାବରେ ଉତ୍ତର ଦିଅନ୍ତି–“ହେ ହେ ବାବୁ ! ଆମ ହାତରେ କ’ଣ ଅଛି ? ଯେ ଦେଇଛି ସେ ତୁଲାଇବ । ବାଛୁରୀ ପାଇଁ ସେହି ସିନା ଗାଈ ପହ୍ନାରେ ଦୁଧ ଖଞ୍ଜି କରି ରଖିଛନ୍ତି । ଆମେ ନିମିତ୍ତ ମାତ୍ର । ଯେ ଏ ପିଲାମାନଙ୍କୁ ସୃଷ୍ଟି କରିଛନ୍ତି–ସେ ନିଶ୍ଚୟ ସେମାନଙ୍କ କଥା ବୁଝିବେ । ଭଗବାନ କାହକୁ ଉପାସ ରଖିବେ ନାହିଁ ।” କହିବା ବାହୁଲ୍ୟ ଯେ ଏହି ଭଗବଦ୍‌ ଦର୍ଶନ ଏକ କାଣ୍ଡଜ୍ଞାନ ବିବର୍ଜିତ ଦାୟିତ୍ଵହୀନ ଚିତ୍ତବୃତ୍ତିର ଅତି ଲଘୁ ବାଚାଳତା ମାତ୍ର ।

 

ଏକବାଗିଆ, ଆଡ଼ବାଇଆ ଏବଂ ସେହିପରି ଅହଙ୍କାରୀ ଅଭିମାନୀ ଲୋକଙ୍କର କାଣ୍ଡଜ୍ଞାନ ନଥାଏ, କି ହୋଇ ପାରିବ ନାହିଁ । ସେମାନେ ଯେତେ ପ୍ରତିଭାବାନ, ପ୍ରତାପୀ ଓ ପ୍ରତିପତ୍ତିଶାଳୀ ହୁଅନ୍ତୁ ପଛକେ, ସେମାନଙ୍କର ପ୍ରକୃତିର ସାମାନ୍ୟତମ ପରିବର୍ତ୍ତନ ନହେବାଯାଏ, ସେମାନେ ଏହି ବିଶ୍ଵରକ୍ଷାକାରୀ ଦୁର୍ଲଭ କାଣ୍ଡଜ୍ଞାନର ଅଧିକାରୀ ହୋଇ ପାରିବେ ନାହିଁ । କାଣ୍ଡଜ୍ଞାନ ନଥିଲେ ମାତ୍ରାଜ୍ଞାନ ନଥାଏ । ଜଣେ ମହାପଣ୍ଡିତ ବାଗ୍ମୀପ୍ରବର ଅଧ୍ୟାପକ ବକ୍ତୃତା ଦେଉଛନ୍ତି । ତାଙ୍କ ପରେ ଆଉ ଦୁଇଜଣ ବକ୍ତା କହିବାକୁ ଅଛନ୍ତି । ପୁଣି ରାତି ନଅଟାରେ ବିନୋଦନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଜଣେ ନୃତ୍ୟପଟ୍ଟିୟସୀ ବିନୋଦିନୀ ମଧ୍ୟ ଆସିଛନ୍ତି–ଭାରତନାଟ୍ୟମ୍‌ ପ୍ରଦର୍ଶନ କରିବେ । ଶ୍ରୋତାମାନେ ଅସ୍ଥିର ଓ ବିରକ୍ତ ହୋଇ ଗୋଟି ଗୋଟି କରି ଉଠିବାକୁ ଆରମ୍ଭ କଲେଣି । ଘନ ଘନ ବିରକ୍ତିସୂଚକ କରତାଳି ମାଡ଼ ବି ଚାଲିଲାଣି । ମାତ୍ର ତଥାପି, ମାତ୍ରା ଜ୍ଞାନ-ବିବର୍ଜିତ ମୂର୍ଖ ପଣ୍ଡିତ ବାଗ୍ମିପ୍ରବର ସେଆଡ଼କୁ ନିଘା ନକରି ବ୍ରହ୍ମ ନିର୍ଗୁଣ କି ସଗୁଣ ସେ ବିଷୟରେ ବକି ଚାଲିଛନ୍ତି । ଆଉ ଥରେ ଗୋଟିଏ ସ୍ଥାନରେ ରାମଚରିତମାନସ ଯଜ୍ଞ ହେଉଥିଲା ଏବଂ ରାମଚରିତ ପାରାୟଣ ହେଉଥିଲା । ରାତିରେ କିଛି ସମୟ ରାମଚରିତ ସମ୍ପର୍କୀୟ ବକ୍ତୃତାଦି ପରେ ରାମଲୀଳା ମଧ୍ୟ ପ୍ରଦର୍ଶନ ହେଉଥିଲା । କହିବା ବାହୁଲ୍ୟ ଯେ ଉକ୍ତ ଧର୍ମ ସଭାରେ ବହୁ ରାମଭକ୍ତ ସମାବେଶ ହୋଇଥିଲେ । ମହାତ୍ମା ତୁଳସୀ ଦାସଙ୍କ ମଧୁର ପବିତ୍ର ରାମଚରିତ ମାନସ କାବ୍ୟରେ ପ୍ରବଚନ ଶୁଣୁ ଶୁଣୁ ସେମାନେ ବିଭୂ ପ୍ରେମଭକ୍ତିରେ ବିଗଳିତ ହୋଇ କ୍ରନ୍ଦନ ମଧ୍ୟ କରୁଥିଲେ–କେହି କେହି ବାରମ୍ବାର ରାମନାମ ଉଚ୍ଚାରଣ କରି କରି ଭୂଇଁରେ ଗଡ଼ାଗଡ଼ି ମଧ୍ୟ କରୁଥିଲେ । ସେହି ସଭାରେ ଜଣେ ଦିଗ୍‌ଗଜ ପଣ୍ଡିତ ବାଚାଳ ଅଧ୍ୟାପକଙ୍କୁ ମଧ୍ୟ ପ୍ରବଚନ ଦେବା ଲାଗି ନିମନ୍ତ୍ରଣ କରାଯାଇଥିଲା । ସେ ତାଙ୍କର ବାଚାଳ ବାଗ୍ମିତା ପାଇଁ ଭାରୀ ଅଭିମାନୀ ଥିଲେ, ଏବଂ ସବୁ ବିଷୟରେ ନୂତନ ତଥ୍ୟ ଓ ତତ୍ତ୍ଵର ନଜୀର ଦେଇପାରନ୍ତି ବୋଲି ତାଙ୍କର ମଧ୍ୟ ବହୁ ଅହମିକା ଥିଲା । ଏପରିକି ସେ ଉପେନ୍ଦ୍ର ଭଞ୍ଜଙ୍କ ‘ଲାବଣ୍ୟବତୀ’ ଭଳି ପ୍ରଣୟପ୍ରଧାନ କାବ୍ୟରୁ ମଧ୍ୟ ଥରେ “ଗଣତାନ୍ତ୍ରିକ ସମାଜବାଦ”ର ଅର୍ଥ ବାହାର କରି ବହୁ କାଣ୍ଡଜ୍ଞାନହୀନ ଶ୍ରୋତାଙ୍କୁ ଚମତ୍କୃତ କରିଦେଇ ବହୁ କରତାଳି ଆଦାୟ କରିଥିଲେ । ଭଞ୍ଜଙ୍କର ଗୋଟିଏ ଗୋଟିଏ ପଦର ସେ ଚଉଷଠୀ ପ୍ରକାର ଅର୍ଥ ଅର୍ଥାନ୍ତର ମଧ୍ୟ କରି ବାହାଦୁରି ନେଇଥିଲେ । ବର୍ତ୍ତମାନ ଉକ୍ତ ରାମଭକ୍ତମାନଙ୍କ ସଭାରେ ସେ ରାମଚନ୍ଦ୍ରଙ୍କ ଉପରେ କିଛି କହିବାକୁ ଆରମ୍ଭ କଲେ ପ୍ରଥମେ ସେ ରାମଙ୍କ ପିତା ଦଶରଥଙ୍କର ପ୍ରକୃତରେ କେଇଟି ରାଣୀ ଥିଲେ, ସେ ସମ୍ବନ୍ଧେ ଆଲୋଚନା କଲେ । ଏବଂ ବହୁ ନଜୀର ଦେଇ ପ୍ରମାଣ କରିବାକୁ ସେ ବସିଲେ ଯେ ଦଶରଥଙ୍କର ତିନିଶହ ପଞ୍ଚଷଠି ରାଣୀ ଥିବାର ଯେଉଁ ସବୁ ପ୍ରମାଣ ଅପେକ୍ଷାକୃତ ଅର୍ବାଚୀନ ଦେଶୀୟ ଭାଷାରେ ଲିଖିତ ପୁରାଣ କାବ୍ୟମାନଙ୍କରେ ରହିଛି–ତାହା ଭୁଲ । ସେ ଗୋଟିଏ ଅତି ପ୍ରାଚୀନ (ଖ୍ରୀ:ପୂ:୨ୟ ଶତାବ୍ଦୀ ?) ସଂସ୍କୃତ ଭାଷାରେ ଲିଖିତ ପୋଥିରୁ ନିର୍ଭର-ଯୋଗ୍ୟ ପ୍ରମାଣ ପାଇଛନ୍ତି ଯେ, ଦଶରଥଙ୍କର ପ୍ରକୃତରେ ତିନିଶହ ଶତଷଠୀ ଜଣ ରାଣୀ ଥିଲେ–ତିନିଶହ ପଞ୍ଚଷଠୀ ନୁହନ୍ତି । ଏହି ତଥ୍ୟଟିକୁ ପ୍ରତିଷ୍ଠା କରିବା ପାଇଁ ସେ ବିଭିନ୍ନ ପୁରାଣ କାବ୍ୟର ନଜୀର ଦେବାକୁ ଆରମ୍ଭ କଲେ ଏବଂ ସେଥିପାଇଁ ପୁରା ଏକ ଘଣ୍ଟା ସମୟ ନେଲେ । ଇତିମଧ୍ୟରେ ବହୁ ଲୋକ ସଭା ଛାଡ଼ି ପଳାଇଲେ । ଏବଂ ରାମ ନାମ ଉଚ୍ଚାରଣ କରି କନ୍ଦାକନ୍ଦି ଓ ଗଡ଼ାଗଡ଼ି କରୁଥିବା ଭକ୍ତମାନଙ୍କ ମଧ୍ୟରୁ ଜଣେ ଭକ୍ତ ଉଠି ଠିଆ ହେଲା । ଏବଂ ହାତଯୋଡ଼ି ବକ୍ତାଙ୍କ ଉଦ୍ଦେଶ୍ୟରେ କହିଲା–ମହାଶୟ ! ଭଗବାନ ରାମଚନ୍ଦ୍ରଙ୍କର ଏକପତ୍ନୀବ୍ରତ ଉପରେ ଯଦି କିଛି ଜାଣିଥାନ୍ତି କୁହନ୍ତୁ । ତାଙ୍କ ପିତାଙ୍କର ରାଣୀ ସଂଖ୍ୟା ଆଉ ଅଧିକ ବଢ଼ାଇ ଆମ୍ଭମାନଙ୍କୁ ଆଉ ଅଧିକ ସନ୍ତାପ ଦିଅନ୍ତୁ ନାହିଁ ।

 

ସେ ଦିନର ପରବର୍ତ୍ତୀ ଘଟଣା ଜଣେ ନିଜସ୍ୱ ସଂବାଦଦାତାଙ୍କଠାରୁ ମିଳିଥିଲା । ଶ୍ରୀ ହନୁମାନଜୀଙ୍କ ପ୍ରସାଦ ଉଦ୍ଦେଶ୍ୟରେ ଜମା ହୋଇ ଥିବା ଆଠ ଦଶଟି ଶୁଷ୍କ ନାରିକେଳଦ୍ୱାରା କେହି କେହି ଭକ୍ତ ସେହି କାଣ୍ଡଜ୍ଞାନହୀନ ମୂର୍ଖ ବାଚାଳ ପଣ୍ଡିତଙ୍କ ମୁଣ୍ଡ ଫଟାଇ କିଞ୍ଚିତ୍‍ କାଣ୍ଡଜ୍ଞାନ ତା’ଭିତରେ ପ୍ରବେଶ କରାଇବାକୁ ବିଫଳ ଚେଷ୍ଟା କରିଥିଲେ ।

 

କୁସଂସ୍କାରଗ୍ରସ୍ତ, ଅନ୍ଧବିଶ୍ୱାସୀ, ଉଗ୍ରପନ୍ଥୀ ବହୁ ଧର୍ମାନ୍ଧ ଓ ମତାନ୍ଧ ରାଜାଙ୍କ ଅବିମୃଶ୍ୟକାରିତା ଫଳରେ ସେହି ସେହି ରାଜବଂଶ ଧ୍ୱଂସ ହୋଇଛି–ଏବଂ ରାଜ୍ୟ ମଧ୍ୟ ପରହସ୍ତଗତ ହୋଇଛି–ଏମନ୍ତ ଉଦାହରଣରେ ଇତିହାସର ବହୁ ପୃଷ୍ଠା କଳା ହୋଇ ଯାଇଛି । ବହୁ ସ୍ନେହାନ୍ଧ ପିତାମାତାଙ୍କର ଅନ୍ଧ-ବାତ୍ସଲ୍ୟରେ ପରିବାର, ରାଜ୍ୟ ଓ ଦେଶ ଛାରଖାର ହୋଇ ଯାଇଛି–ଏବଂ ଏବେ ମଧ୍ୟ ସେଭଳି ଉଦାହରଣ ବିରଳ ନୁହେଁ । ମହାଭରତରେ ରାଜା ଧୃତରାଷ୍ଟ୍ର କେବଳ ବାହ୍ୟଦୃଷ୍ଟି ଶକ୍ତିର ଅଭାବରେ ଅନ୍ଧ ନ ଥିଲେ–ଏପରିକି ତାଙ୍କର ଅନ୍ତଦୃଷ୍ଟି ଥିଲା ମଧ୍ୟ ଖୁବ୍‍ ପ୍ରଖର । କୁରୁରାଜସଭାରେ ଭୀଷ୍ମ ଦ୍ରୋଣ ବିଦୂରାଦିଙ୍କ ସହିତ ସେ ମଧ୍ୟ ଶ୍ରୀକୃଷ୍ଣଙ୍କର ବିଶ୍ୱରୂପ ପ୍ରତ୍ୟକ୍ଷ କରିଥିଲେ । ଏବଂ ମହାଭାରତ ଯୁଦ୍ଧର ସମସ୍ତ ଘଟଣା ସେ ଅନ୍ଧ ଥାଇ ମଧ୍ୟ ପ୍ରତ୍ୟକ୍ଷ କରିଥିଲେ ବ୍ୟାସ-ଦତ୍ତ ଦିବ୍ୟାଞ୍ଜନର ପ୍ରଭାବରେ । ଏହି ଦିବ୍ୟାଞ୍ଜନ ଥିଲା ତାଙ୍କର ଦିବ୍ୟଦୃଷ୍ଟି । କିନ୍ତୁ ଆପଣାର ଅହଂକାରୀ ଅଭିମାନୀ ଜ୍ୟେଷ୍ଠପୁତ୍ର ଦୁର୍ଯ୍ୟୋଧନ ପ୍ରସଙ୍ଗରେ ସେ ଥିଲେ ଭିତରେ ଓ ବାହାରେ ଘୋର ଅନ୍ଧ । ସେତେବେଳେ ସେ ନିଜର କାଣ୍ଡଜ୍ଞାନ ହରାଇ ବସୁଥିଲେ । କେବଳ ବାତ୍ସଲ୍ୟ ମୋହ ନୁହେଁ–ଯେକୌଣସି ମୋହ ବି କାଣ୍ଡଜ୍ଞାନକୁ ଆଚ୍ଛନ୍ନ କରି ଦେଇଥାଏ । ସେ ଯୁଗର ରାଜା, ମନ୍ତ୍ରୀ, ସାଧବ, କଟୁଆଳଙ୍କଠାରୁ ଆରମ୍ଭ କରି ଆଧୁନିକ ଯୁଗର ମନ୍ତ୍ରୀ, ଏମ୍‍.ଏଲ୍‍.ଏ., ଏମ୍‍.ପି. ଓ ନେତାମାନଙ୍କ ପର୍ଯ୍ୟନ୍ତ ଯେ କେହି କ୍ଷମତା ମୋହରେ ପଡ଼ି କାଣ୍ଡଜ୍ଞାନ ହରାଇଥାନ୍ତି ଓ ରାଜ୍ୟକୁ ନଷ୍ଟଭ୍ରଷ୍ଟ କରି ଦିଅନ୍ତି ।

 

ଜଣେ କାଣ୍ଡଜ୍ଞାନହୀନ ପିତାଙ୍କୁ ମୁଁ ଜାଣେ । ତାଙ୍କର ଯୁବକ ପୁତ୍ର କୌଣସି କାରଣରୁ ଗତ କେତେ ମାସ ହେଲାଣି ପାଗଳ ହୋଇ ଗଲାଣି–ଏବଂ ତା’ର ସେହି ପାଗଳାମୀଜନିତ ବହୁ ଉତ୍‍କ୍ଷିପ୍ତ ଓ ଉତ୍ତେଜିତ ଲକ୍ଷଣମାନ ପ୍ରକାଶ ପାଇଲାଣି । କିନ୍ତୁ ବାପ ମୋ ଆଗରେ ସେ ପୁଅ ବିଷୟରେ ଅଭିଯୋଗ କରୁଥାଏ ଯେ ଟୋକାଟା ବିଗିଡ଼ିଗଲା–କୁସଙ୍ଗରେ ପଡ଼ି ପଢ଼ାପଢ଼ି ଛାଡ଼ିଦେଲା–ଏବେ ଘରେ ବସି କେବଳ ୟା ତା’ଉପରେ ରାଗୁଛି ଆଉ ଯାହା ମନ ତା’ ଗାଳି ଦେଉଛି । ସେ ଟୋକାଟିର ସାମୟିକ ପାଗଳାମୀ ବାହାରିଛି ବୋଲି ମୁଁ ଯେତେ ସେ ବାପକୁ କହିଲେ ବି ମୋ କଥାକୁ ଗୁରୁତ୍ୱ ଦେଇ ଦେଖିବା ଲାଗି ଆବଶ୍ୟକୀୟ କାଣ୍ଡଜ୍ଞାନ ସେ ବୁଡ୍‍ବକ୍‍ ବାପର ନଥିଲା । ବର୍ଷକ ପରେ ସତକୁ ସତ ସେ ଟୋକାଟି ସମ୍ପୂର୍ଣ୍ଣଭାବେ ପାଗଳ ହୋଇଗଲା । ସେମିତି, ଜଣେ ଭଦ୍ରମହିଳା ତାଙ୍କର ଭଦ୍ରସ୍ଵଭାବପ୍ରେମୀ ସ୍ଵାମୀଙ୍କ ବିରୋଧରେ ମୋ ଆଗରେ ବାରମ୍ବାର ଅଭିଯୋଗ କରନ୍ତି ଯେ, ଏବେ ତାଙ୍କ ସ୍ଵାମୀ ତାଙ୍କୁ ଆଉ ଭଲ ପାଉନାହାନ୍ତି । କାରଣ ତାଙ୍କର କୌଣସି କଥା ସେ ଆଉ ଶୁଣୁନାହାନ୍ତି । ମୁଁ ଅଳ୍ପ ସମୟ ଭିତରେ କଥାଟି ଜାଣିପାରି ତାଙ୍କ ସ୍ତ୍ରୀଙ୍କୁ ଯେତେ ବୁଝାଇଲି ଯେ ତାଙ୍କ ସ୍ଵାମୀ ସାମାନ୍ୟ କାଲ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଛନ୍ତି–ଏବଂ ଏହା କାନ ଭିତରର ଗୋଟିଏ ସୂକ୍ଷ୍ମ ହାଡ଼ ବଢ଼ିବା ଯୋଗୁଁ ହୋଇପାରେ ବା କର୍ଣ୍ଣକୁହରରେ ସର୍ଦ୍ଦିଯୋଗୁଁ ହୋଇପାରେ–ବା ଅନ୍ୟ କୋଉ କାରଣରୁ ହୋଇପାରେ–ଶୀଘ୍ର କର୍ଣ୍ଣରୋଗ ବିଶେଷଜ୍ଞଙ୍କୁ ଦେଖାଇବା ଉଚିତ । କିନ୍ତୁ ସେହି ଅଭିମାନିନୀ ଭଦ୍ରମହିଳା ମୋ କଥାକୁ ଜମା ତାଙ୍କ କାନକୁ ନେଲେ ନାହିଁ । ଏବଂ ବର୍ତ୍ତମାନ ସେ ଭଦ୍ରଲୋକ ସମ୍ପୂର୍ଣ୍ଣଭାବେ କାଲ ହୋଇ ଯାଇଛନ୍ତି–ଏବଂ ସେଥିଯୋଗୁଁ ପ୍ରତିଦିନ ସେ ଈଶ୍ଵରଙ୍କ ପାଖରେ କୃତଜ୍ଞତା ଜଣାଉଛନ୍ତି–ପ୍ରଭୁ ! ଆପଣଙ୍କର ଏହି କୃପା ଯୋଗୁଁ ମୁଁ ସେହି ଅଭିମାନିନୀ ମୁଖରା କର୍କଶଭାଷିଣୀ ସ୍ତ୍ରୀ ଲୋକର ଟାଉଁ ଟାଉଁ କଥାର ମାଡ଼ ଆଘାତରୁ ମୋର ହୃଦୟକୁ ନିରାପଦ ରଖି ପାରିଲି । ଏଭଳି ଅଭିମାନିନୀ କର୍କଶକଣ୍ଠୀ ନାରୀମାନେ ସର୍ବଦା କାଣ୍ଡଜ୍ଞାନ ଶୂନ୍ୟା ଓ ସେମାନଙ୍କ ସଂଖ୍ୟା ମୋ ଗଣନାରେ ଆମର ଏ ପୃଥିବୀରେ ଶତକଡ଼ା ଅନେଶୋତ । (ଅବଶ୍ୟ ମୋ ପତ୍ନୀଙ୍କ କଥା ଏଠି ପଡ଼ିନାହିଁ । କାରଣ, ସେ ମୋ ସାଙ୍ଗରେ ଆଜିକୁ ଛବର୍ଷ ତିନିମାସ ଚାରିଦିନ ହେଲା କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି । ତାଙ୍କର ଅଭିଯୋଗ ଯେ ମୋ ସାଙ୍ଗେ କଥାବାର୍ତ୍ତା କରିବା ଯାହା, କାଠ ପଥରକୁ କଥା କହିବା ସେଇଆ । ଏପରିକି ସେ ମୋ ପିଲାଙ୍କ ସାଙ୍ଗେ ମଧ୍ୟ କଥା କହିବା ବନ୍ଦ କରିଦେଇଛନ୍ତି । କାରଣ ତାଙ୍କ ମତରେ କାଠ ପଥର ଔରସରୁ କାଠ ପଥରର କୁଣ୍ଢେଇମାନେହିଁ ଜନ୍ମ ହୋଇଛନ୍ତି । ଛାଡ଼ନ୍ତୁ । ନିଜ ପତ୍ନୀର ନିନ୍ଦା କରିବାଭଳି ପାଷଣ୍ଡ ପୁରୁଷ ମୁଁ ନୁହେଁ । ମୋ ସ୍ତ୍ରୀ ବହୁ ବହୁ ଗୁଣର ଅଧିକାରିଣୀ ଓ ରୂପ ବିଭବରେ ଅତୁଳନୀୟା । ଏ ସମ୍ବନ୍ଧେ ଆଉ ଅଧିକ କଥା କହିଲେ, ମୋର ମଧ୍ୟ କାଣ୍ଡଜ୍ଞାନର ଅଭାବ ଜଣାପଡ଼ିଯିବ । ତା’ଛଡ଼ା, ମୋର ଅନ୍ୟ ଲେଖା ଭଳି ଏ ଲେଖାଟି ମଧ୍ୟ ସେ ଯାଞ୍ଚ କରିସାରିଲା ପରେ ଯାଇ ପ୍ରେସ୍‌କୁ ଯିବ ।)

 

ମୋଟ କଥା ହେଲା–ଏହି କାଣ୍ଡଜ୍ଞାନ ନଥାଇ ଜଣେ ତା’ର ଅପୂର୍ବ ବସ୍ତୁ ନିର୍ମାଣକ୍ଷମ ପ୍ରଜ୍ଞା ବଳରେ, ବା ନବ ନବ ଉନ୍ମେଷଶାଳିନୀ ସୃଜନୀ ଶକ୍ତି ବଳରେ, ଅଭୂତପୂର୍ବ ବସ୍ତୁ ଆବିଷ୍କାର କରି ପାରନ୍ତି ବା ସର୍ଜନ କରି ପାରନ୍ତି । କିନ୍ତୁ ସେହି ସବୁ ସୃଷ୍ଟି ବସ୍ତୁର ସଂରକ୍ଷଣ ଓ ସଦୁପଯୋଗ ନିମିତ୍ତ କାଣ୍ଡଜ୍ଞାନର ଏକାନ୍ତ ଆବଶ୍ୟକତା ରହିଛି । ପରମାଣୁ ତତ୍ତ୍ଵ ଆବିଷ୍କାର କରିବା ପାଇଁ ବା ପରମାଣୁ ଶକ୍ତି ଉତ୍ପାଦନ କରିବା ପାଇଁ ବା ପରମାଣୁ ବୋମା ତିଆରି କରିବା ପାଇଁ ଖୁବ୍‌ ବେଶୀ କାଣ୍ଡଜ୍ଞାନର ଆବଶ୍ୟକତା ହୁଏତ ନାହିଁ–କିନ୍ତୁ ଏହି ବସ୍ତୁର ସଂରକ୍ଷଣ ବା ସଦୁପଯୋଗ ଦିଗରେ କାଣ୍ଡଜ୍ଞାନହିଁ ଏକମାତ୍ର ଅବଲମ୍ବନ । ତା’ ମାନେ ଏ ପର୍ଯ୍ୟନ୍ତ ଏହି କାଣ୍ଡଜ୍ଞାନହିଁ ପୃଥିବୀକୁ ରକ୍ଷା କରୁଛି ।

 

ବ୍ୟକ୍ତିର ବୁଦ୍ଧି ଯଦି ସ୍ଥିର ଓ ବ୍ୟବସ୍ଥିତ ନ ରହେ, ଯଦି ସବୁ ଦିଗ ପ୍ରତି ସତର୍କ ସାବଧାନ ଓ ନିରପେକ୍ଷ ନରହେ, ଏବଂ ତା’ର ହୃଦୟ ଯଦି ଶୁଭ ଭାବନା ପୂର୍ଣ୍ଣ, ଆତ୍ମସଚେତନ ଓ ଶୁଭାବେଗଯୁକ୍ତ ନ ରହେ–ଏବଂ ବ୍ୟକ୍ତି ଯଦି ଆପଣାର କାର୍ଯ୍ୟ, ଚିନ୍ତା ଓ ଭାବାବେଶ ଜନିତ ଭୁଲ ଠିକ୍‌ଗୁଡ଼ିକୁ ବିଶ୍ଳେଷଣ କରି ବୁଝିବାରେ ତତ୍ପରତା ନ ଦେଖାଏ, ତା’ହେଲେ ସେ ବ୍ୟକ୍ତିର ହୃଦୟରେ କାଣ୍ଡଜ୍ଞାନ ଆଦୌ ଉଦିତ ବା ଜାଗ୍ରତ ହେବ ନାହିଁ । ମୋର ଜଣେ ଦୂର ସମ୍ପର୍କୀୟା ଭାଉଜଙ୍କ କଥା ମନେ ଅଛି–ଯେ କି ସଂସାର ଉପରେ ଖୁବ୍‌ ବିରକ୍ତା ଓ ଅସହିଷ୍ଣୁ ଥିଲେ । ଦିନେ ସେ ଜଣେ ଯୋଗୀ ସନ୍ନ୍ୟାସୀଙ୍କଠାରୁ ଦୀକ୍ଷା ନେଲେ । ଏବଂ ଗୁରୁ ପ୍ରଦର୍ଶିତ ମାର୍ଗରେ ଗତି କରି ଧ୍ୟାନ, ଜପ, ତପ, ଆସନ, ପ୍ରାଣାୟାମାଦି ଅଭ୍ୟାସ କଲେ । ଅଳ୍ପ କିଛିଦିନ ପରେ ସେ ହଠାତ୍‌ ଦିନେ ପ୍ରକାଶ କଲେ ଯେ, ଧ୍ୟାନରେ ବସୁ ବସୁ ସେ ଗୋଟିଏ ନୀଳଜ୍ୟୋତି ଦେଖିବାକୁ ପାଉଛନ୍ତି । ଆଉ କିଛିଦିନ ପରେ ସେ ଦେଖିଲେ ଯେ ସେହି ନୀଳଜ୍ୟୋତି ଶ୍ରୀକୃଷ୍ଣଙ୍କ ରୂପ ପରିଗ୍ରହ କରି ମନୋହର ଭଙ୍ଗୀରେ ବଂଶୀବାଦନ କରୁଛନ୍ତି ଓ ସେ ତାହା ଶୁଣି ଦେଖି ଅପୂର୍ବ ପୁଲକ ଅନୁଭବ କରୁଛନ୍ତି । ଠିକ୍‌ ପନ୍ଦର ଦିନ ଭିତରେ ସେ ପୁଣି ସେହି ଧ୍ୟାନରେ ପ୍ରତ୍ୟକ୍ଷ କଲେ ଯେ ସେହି ଶ୍ରୀକୃଷ୍ଣ ମୂର୍ତ୍ତି ଆଉ କେହି ନୁହେଁ–ସ୍ଵୟଂ ତାଙ୍କର ସେହି ଯୋଗୀ ସନ୍ନ୍ୟାସୀ ଗୁରୁଦେବ । ଏବଂ ସେହି ଶ୍ରୀକୃଷ୍ଣରୂପୀ ଗୁରୁଦେବ ତାଙ୍କୁ ରାଧା ବୋଲି ସମ୍ବୋଧନ କରି ତାଙ୍କ ସଙ୍ଗେ ରାସକ୍ରୀଡ଼ା କରିବାକୁ ତାଙ୍କୁ ଆହ୍ଵାନ କରୁଛନ୍ତି । ଏହା ପରର ଘଟଣା ଅତି ଶୋଚନୀୟ । ଦିନେ ଶୁଣାଗଲା–ସେହି ଆଲୋକିତ ଉପଲବ୍‌ଧି-ବିହ୍ଵଳା ମହିଳା ସ୍ଵାମୀ ଓ ପୁତ୍ରକନ୍ୟା (୪ ଜଣ)ଙ୍କୁ ଛାଡ଼ି ତାଙ୍କ ଗୁରୁଦେବଙ୍କ ସଙ୍ଗେ କେଉଁ ନିର୍ଜନ ବୃନ୍ଦାବନରେ ରାସକ୍ରୀଡ଼ା କରିବାକୁ ଚମ୍ପଟ ମାରିଛନ୍ତି । ପରେ ଅବଶ୍ୟ ସେମାନେ ଧୃତ ହୋଇଥିଲେ-। ଗ୍ରାମବାସୀଏ ରାସରସ-ଲାଳସୀ ଯୋଗୀବରଙ୍କୁ ଉତ୍ତମ ମଧ୍ୟମ ଦେଇ ବିଦା କରିଦେଲେ । କିନ୍ତୁ ଭଦ୍ରମହିଳା ସେହିଦିନୁ ଅହରହ ଧ୍ୟାନରେ କେବଳ ଶୂନ୍ୟଜ୍ୟୋତି ଦେଖି ଦେଖି ପାଗଳୀ ହୋଇଗଲେ । ସ୍ଵାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ପ୍ରମୁଖ ମହାଯୋଗୀମାନେ ଯୋଗସାଧନାରେ ସାଧକର କାଣ୍ଡଜ୍ଞାନର ସତର୍କତା ଓ ସକ୍ରିୟତା ଉପରେ ଖୁବ୍‌ ଜୋର ଦେଇଛନ୍ତି । ଆକ୍ଷି ବୁଜିଲାପରେ ଯେକୌଣସି ଆଲୋକମୟ ଦୃଶ୍ୟ ଦିବ୍ୟଜ୍ୟୋତି ନ ହୋଇପାରେ–କାନଭିତରର ଯେକୌଣସି ବାୟୁଜନିତ ଗୁଞ୍ଜରଣ ବଂଶୀଧ୍ଵନି ନ ହୋଇପାରେ–ଭିତରକୁ ହଠାତ୍‌ ଶୁଭିଯିବା ଯେକୌଣସି କଥା ଦୈବବାଣୀ ନ ହୋଇପାରେ–ଏତେକ ବୁଝିବା ଲାଗି ଖୁବ୍‌ ବେଶୀ ଅଧ୍ୟାତ୍ମଜ୍ଞାନ ଆବଶ୍ୟକ ନ ହୋଇପାରେ–କିନ୍ତୁ କାଣ୍ଡଜ୍ଞାନ ହିଁ ଏସବୁ କ୍ଷେତ୍ରରେ ଆମର ପରମ ସହାୟକ ।

 

ସୁଧୀଜନେ କ୍ଷମା କରିବେ–କାଣ୍ଡଜ୍ଞାନ ସମ୍ବନ୍ଧେ ମୁଁ ଏତେ କଥା କହିଲିଣି–କିନ୍ତୁ କାଣ୍ଡଜ୍ଞାନ ପ୍ରକୃତରେ କାହାକୁ କହନ୍ତି, ସେ ବିଷୟରେ ମୁଁ ଗୋଟିଏ ଯୁକ୍ତିଯୁକ୍ତ ସଂଜ୍ଞା ଦେଇ ପାରିନାହିଁ । ମୋର ଧାରଣା–କାଣ୍ଡଜ୍ଞାନର କିଛି ସଂଜ୍ଞା ଦେଇ ହେବ ନାହିଁ । ଯେକୌଣସି ଗୋଟିଏ ସଂଜ୍ଞା ତାହା ଲାଗି ତିଆରି କରିଦେଲେ ତାହା ଆଉ କାଣ୍ଡଜ୍ଞାନ ହୋଇ ରହିବ ନାହିଁ । କାରଣ ଯଥାର୍ଥ କାଣ୍ଡଜ୍ଞାନ ସର୍ବଦା ସବୁପ୍ରକାର ଜ୍ଞାନର ସୀମାକୁ ଲଙ୍ଘନ କରୁକରୁ ଆପଣାର ସୀମାକୁ ମଧ୍ୟ ସ୍ଵତଃ ଲଙ୍ଘନ କରି ଚାଲିଥାଏ । ଏବଂ ଏହି ଉଲଙ୍ଘନ ପ୍ରକ୍ରିୟା ଫଳରେ ହିଁ ତାହା ତା’ର ଧର୍ମକୁ ରକ୍ଷା କରିଥାଏ ।

 

ଏ ସମ୍ବନ୍ଧେ ଶେଷ କଥା ହେଲା–କାଣ୍ଡଜ୍ଞାନୀ ଜଣେ ବହୁଦର୍ଶୀ ବ୍ୟକ୍ତି–ବହୁଭାବରେ ଜଣେ ସୁଜାଣ ବ୍ୟକ୍ତି । ବିଷୟର ବହୁ ଦିଗ ସମ୍ବନ୍ଧେ ସେ କିଛି କିଛି ଜାଣେ । ତାକୁ ପାଗଯୋଗ ମାଲୁମ୍‌ ଥାଏ । ସେ ଆଗତ ଭବିଷ୍ୟ କଳନା କରିପାରେ । ପରିସ୍ଥିତି ତା’ଉପରେ ମାଡ଼ିପଡ଼ିବା ପୂର୍ବରୁ ସେ ପରିସ୍ଥିତିକୁ ଆୟତ୍ତ କରି ନେଇ ସାରିଥାଏ । ସେ ଦେଖିବା ଆଗରୁ ଶୁଣି ସାରିଥାଏ । କହିବା ଆଗରୁ ଭାବି ସାରିଥାଏ । ଧରିବା ଆଗରୁ ଛୁଇଁ ସାରିଥାଏ । ବସିବା ଆଗରୁ ଚାଲି ସାରିଥାଏ । ହସିବା ଆଗରୁ କାନ୍ଦି ସାରିଥାଏ । ଖାଇବା ଆଗରୁ ଶୁଙ୍ଘି ସାରିଥାଏ । ଖୁଆଇବା ଆଗରୁ ଚାଖି ସାରିଥାଏ । ଶୁଣେଇବା ଆଗରୁ ଶୁଣି ସାରିଥାଏ । ଦେଖେଇବା ଆଗରୁ ଦେଖି ସାରିଥାଏ ଏବଂ ଶେଷରେ ମରିବା ଆଗରୁ ବଞ୍ଚି ସାରିଥାଏ ଓ ବଞ୍ଚେଇ ସାରିଥାଏ । ସବୁ ସୂକ୍ଷ୍ମ ସୁଗୁଣଗୁଡ଼ିକ ଭଳି ବ୍ୟକ୍ତିର କାଣ୍ଡଜ୍ଞାନଟି ଥିବାବେଳେ ଯେତେ ଦୃଶ୍ୟମାନ ହୁଏ ନାହିଁ–ନଥିବାବେଳେ ହିଁ ଏହା ବେଶୀ କରି ଅନ୍ୟର ଆକ୍ଷିକୁ ଦେଖାଯାଏ । ସେଥିପାଇଁ କହୁଛି–ଜ୍ଞାନ ତ ଜ୍ଞାନ, କାଣ୍ଡଜ୍ଞାନ ।

 

ଏ ସମ୍ବନ୍ଧେ ମହାଯୋଗୀ ମହାଜ୍ଞାନୀ ଶ୍ରୀ ଅରବିନ୍ଦଙ୍କର ଗୋଟିଏ ମନ୍ତବ୍ୟ କହି ଉପସଂହାର କରୁଛି । ଦିନେ ଜଣେ ସାଧକ ଭକ୍ତ ଅତି ବିନୀତ ଭାବେ ତାଙ୍କୁ ପଚାରିଲେ–“ମହାଭାଗ ! ଆମେ ଶିଷ୍ୟମାନେ ଆପଣଙ୍କୁ କ’ଣ ଆମର ସବୁକିଛି ସମର୍ପଣ କରିନାହୁଁ ?”

 

ଶ୍ରୀ ଅରବିନ୍ଦ ଗଭୀର କଣ୍ଠରେ ସାମାନ୍ୟ ସାତ୍ତ୍ୱିକ ରସିକତା’ର ସହ ଉତ୍ତର ଦେଲେ–“ନାଁ-! ତୁମ୍ଭେମାନେ କେବଳ କାଣ୍ଡଜ୍ଞାନଟିକୁ ସମର୍ପଣ କରି, ଆଉ ସବୁ କିଛି ନିଜ ପାଇଁ ରଖିଛ ।”

 

ତା’ ଅର୍ଥ ଭକ୍ତିମାର୍ଗରେ ବି ଭକ୍ତ ଭଗବାନଙ୍କ ପାଖରେ ତା’ର ସର୍ବସ୍ଵ ସମର୍ପଣ କରିବ–କିନ୍ତୁ କେବଳ କାଣ୍ଡଜ୍ଞାନଟିକୁ ନିଜପାଇଁ ରଖିବ ।

 

ଏଥିରୁ ବୁଝାପଡ଼େ, କାଣ୍ଡଜ୍ଞାନର ମହତ୍ତ୍ଵ କେତେ ଓ ଜୀବନରେ ତା’ର ପ୍ରୟୋଜନୀୟତା ମଧ୍ୟ କେତେ !

Image